Unknown

 

 

 

 

 

 

 

 

 

 

 

ଅମୃତ କନ୍ୟାର କାହାଣୀ

ବାବାଜୀ ମିଶ୍ର

 

ଉତ୍ସର୍ଗ

 

ମୋର ବୋଉ ଓ ନନାଙ୍କ କର କମଳରେ..........

 

ବାବାଜୀ

 

ସୂଚୀପତ୍ର

 

୧.

ଟୋପାଏ ଔଷଧ, ଗୋଟାଏ ଜୀବନ

୨.

ଅବଶୋଷ

୩.

ପାର୍ବତୀର ଚିଟାଉ

୪.

କିଉ

୫.

ପାଣିକଳ

୬.

ଆଶରୀରୀର ବାଣୀ

୭.

କୋକୋ-କୋଲା

୮.

ସରକାରୀ ଗାଡ଼ି

୯.

ତର୍ପଣ

୧୦.

କାଚ, ସିନ୍ଦୂର ଓ ଅଳତା

୧୧.

ଚାଲିଗଲେ ସହରକୁ ନୁହେଁ

୧୨.

ବାଜୁର ସରସ୍ୱତୀଙ୍କୁ ଚିଠି

୧୩.

ରାଣୀଆର କରୁଣ କାହାଣୀ

୧୪.

ବଞ୍ଚିତା

୧୫.

ନିର୍ଜନ ରାତିର ବିଳପିତ ତମିସ୍ରା

୧୬.

ଯନ୍ତ୍ରଣାର ଗୁଞ୍ଜନ

୧୭.

ନିଷ୍ପେଷିତା

୧୮.

ଅସହାୟର ମୃତ୍ୟ

୧୯.

ହୃଦୟର ଆର୍ତ୍ତକ୍ରନ୍ଦନ

୨୦.

ଅଶ୍ରୁର ପ୍ଳାବନ

୨୧.

ବେଦନାର୍ତ୍ତ

୨୨.

ଆଶାର ଦହନ ଜ୍ୱାଳା

୨୩.

ହୃତସ୍ପନ୍ଦନ

୨୪.

ମହାତ୍ମାଗାନ୍ଧୀ ଏଠାରେ ବିଶ୍ରାମ କରିଲେ

୨୫.

ସମୃଦ୍ଧି ଓ ଦୁର୍ଗତି

୨୬.

ମାଆ ଓ ଧାଈମା

୨୭.

ପ୍ରେମ ଯେବେ ସତ୍ୟ

୨୮.

ଲୁହ ଝର ଝର

୨୯.

ମିଳନ ସେ ପୁରରେ

୩୦.

ନିର୍ମମ ହତ୍ୟା

୩୧.

ଅମୃତ କନ୍ୟାର କାହାଣୀ

★★★

 

ଟୋପାଏ ଔଷଧ, ଗୋଟାଏ ଜୀବନ

 

ଶ୍ମଶାନ ଲୋକାରଣ୍ୟ ।

 

ଗଣ୍ୟମାନ୍ୟ ବ୍ୟକ୍ତି, ରାଜା ମହାରାଜା, ମନ୍ତ୍ରୀ ଓ ଲାଟ୍‍ଙ୍କ ଭାଗ୍ୟରେ ଏପରି ଜନସମାଗମ କ୍ୱଚିତ୍ ଦେଖିବାକୁ ମିଳିଥାଏ । ଲୋକେ ଜନ୍ମଲାଭ କରନ୍ତି ଓ ମୃତ୍ୟୁମୁଖରେ ପଡ଼ନ୍ତି । କାହାର ଜୀବନ ସାର୍ଥକ ବା ଅସାର୍ଥକ ହୋଇଥାଏ । ଚନ୍ଦ୍ର ଦେହରେ କଳଙ୍କ ଦେଖାଯାଏ । ସାଧୁ ସନ୍ଥଙ୍କ ପକ୍ଷରେ ଉତ୍‍ଥାନ ଓ ପତନର ସମ୍ଭାବନା ଥାଏ । ଗାଁ କଳି, ରାଜ୍ୟ ବିବାଦ ଓ ଦେଶ ମଧ୍ୟରେ ଦ୍ୱନ୍ଦ୍ୱ ହୁଏତ ମଣିଷ ମଣିଷ ମଧ୍ୟରେ ବାଡ଼ ସୃଷ୍ଟି କରିଥାଏ । ଟିକିଏ ଟିକିଏ କଥାରେ ମୁହିଁ ଫଟାଫଟି; ମାତ୍ର ଲୋକସେବକ ରଙ୍କନାଥଙ୍କ ଭାଗ୍ୟ ଥିଲା ଏସବୁଠୁ ଉପରେ, ଅତି ଉପରେ ତାଙ୍କ ଲୋକ ପ୍ରତିଷ୍ଠା । ଦିନେ ହେଲେ ତାଙ୍କର ନିନ୍ଦା କେବେ ଶୁଣା ନ ଥିଲା । ଆଜି ତାଙ୍କର ଚିତାନଳ ପ୍ରଜ୍ୱଳିତ ହୋଇଉଠିବା ବେଳକୁ ଗାଁ ଗଣ୍ତା ଖାଲି ପକାଇ ଲୋକ ସମୁଦ୍ର ଶ୍ମଶାନ ଆଡ଼କୁ ମାଡ଼ି ଆସିଚନ୍ତି । ସମସ୍ତଙ୍କର ଶୁଖିଲା ମୁହଁ ଓ ଓଦା ଆଖି । ନିଜର ବନ୍ଧୁ ବାନ୍ଧବ, ପିତା ମାତା ଆଦିଙ୍କ ବିଚ୍ଛେଦରେ ହୁଏତ ମୁଷ୍ଟିମେୟ ଲୋକ କନ୍ଦାକଟା କରନ୍ତି । ମାତ୍ର ଏ ଦୃଶ୍ୟରେ ସ୍ୱାତନ୍ତ୍ର୍ୟ ଥିଲା ଯଥେଷ୍ଟ ଅଧିକ । ଜନସମୁଦ୍ର ମଧ୍ୟରେ ଗଣିଦେଲେ ନରତିଳକ ରଙ୍ଗନାଥଙ୍କ ନିଜର ହୋଇଥିଲେ ଚାରି ପାଞ୍ଚ ମାତ୍ର । ଅଗଣିତ ଜନତା ଆଜି ସତେ ଅବା ସେମାନଙ୍କର ପ୍ରିୟ ନେତାଙ୍କୁ ହରାଇ ଦୁଃଖକାତର । ବାକ୍ୟ ସ୍ଫୁରଣ କାହାରି ତୁଣ୍ତରୁ ହେଉନାହିଁ । ସଭିଏଁ ସେମାନଙ୍କର ଅତି ଆପଣାର ରଙ୍ଗନାଥଙ୍କ ବିଚ୍ଛେଦରେ କାତର ।

 

ଟୋପାଏ ଔଷଧ ବା ଗୋଟାଏ ଇଞ୍ଜେକ୍‍ସନ ନେଇଥିଲେ ରଙ୍ଗନାଥଙ୍କର ସାର୍ଥକ ଜୀବନ-ଦୀପ ଏପରି ଚଞ୍ଚିଳ ଲିଭିଯାଇ ନ ଥାନ୍ତା । ରଙ୍ଗନାଥ ପିଲାଟି ଦିନୁ ଥିଲେ ମେଧାବୀ । ଛାତ୍ର ହିସାବରେ ଶ୍ରେଣୀରେ ଦ୍ୱିତୀୟ ସ୍ଥାନ ସେ କେବେ ଅଧିକାର କରି ନ ଥିଲେ । ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଉପାଧି ସେ ପାଇଥିଲେ ଅଦ୍ୱିତୀୟ ହୋଇ । ଇଚ୍ଛା କରିଥିଲେ ଉତ୍କଳର ଏକ କୃତି ସନ୍ତାନ ହିସାବରେ ସେ ଉଚ୍ଚ ପଦାଧିକାରୀ ହୋଇ ପାରିଥାନ୍ତେ । ବାପା ଚାହୁଁଥିଲେ ସେ ଆଇ.ଏ.ଏସ୍. ହୁଅନ୍ତୁ, ବୋଉଙ୍କ ଇଚ୍ଛା ଡାକ୍ତର ହୋଇଥାଆନ୍ତେ । ଆଉ ବଡ଼ ଭଉଣୀଙ୍କର ଇଚ୍ଛା ବାର-ଆଟ-ଲ ହୁଏନ୍ତେ କି ! ମାତ୍ର ଏ ସବୁକୁ ସେ ପାଦରେ ଆଡ଼େଇ ଦେଇ ପୂଜ୍ୟ ଉତ୍କଳମଣି ଗୋପବନ୍ଧୁଙ୍କ ପଦାଙ୍କ ଅନୁସରଣ କରି ନେଇଥିଲେ । ଆହୁରି ଅନେକ ଅଛନ୍ତି ପ୍ରଶାସନିକ, ଚିକିତ୍ସା ବା ଆଇନ ବିଭାଗରେ କାମ କରିବାକୁ; ମାତ୍ର ଦୁଃଖୀନି ଉତ୍କଳର ହତଭାଗା ବନ୍ୟାପ୍ରପୀଡ଼ିତ, ବାତ୍ୟାଜର୍ଜରିତ ଓ ଅଗ୍ନିଦଗ୍ଧ ଦୁଃଖ କାତର ଲକ୍ଷାଧିକ ଜନତା ପଛରେ ଅଛି କିଏ ସେ ? ଜୀବନଟା କାନ୍ଦି କାନ୍ଦି ଦୁଃଖୀଙ୍କ ଦୁଃଖ ଦୂର କରିବାର ବ୍ରତ କରିନେଇ ଆଗେଇ ଚାଲିଥିଲେ କୋଟିଏ ଭିତରୁ ଗୋଟିଏ, ଗୋପବନ୍ଧୁ । ତାଙ୍କରି ପର୍ବତସମ ଅତୁଳନୀୟ କାର୍ଯ୍ୟରାଶିରୁ ତିଳେ ମାତ୍ର କରି, ସେ ଗୁଣ୍ତିଚି ମୂଷା ସେତୁବନ୍ଧ ବାନ୍ଧିଲା ପରି ଜୀବନ ସାର୍ଥକ କରିବାକୁ ବ୍ରତ କରିଥିଲେ ।

 

ପିତା ମାତା, ଭ୍ରାତା ଭଗିନୀ, ବନ୍ଧୁ ବାନ୍ଧବଙ୍କ ବାରଣ ମାନି ନ ଥିଲେ ସିଏ । ତୁଳିତଳ୍ପ ଶେଯ, ଉଚ୍ଚକୋଟୀର ଆହାର ଓ ପୋଷାକକୁ ତ୍ୟାଗ କରି ସେ ଗାଁ ଗହଳକୁ ଚାଲିଯାଇଥିଲେ । ଜନକଙ୍କର କେତେ କାତର ନିବେଦନ ଯେ, ସେ ବିଭାହୋଇ ଘରସଂସାର କରୁ, ଜନନୀଙ୍କର ଇଚ୍ଛା କୋଡ଼ରେ ନାତି ନାତୁଣୀ ଦେଖନ୍ତେ, ଭାଇ ଭଉଣୀଙ୍କର ଇଚ୍ଛା ଭାଉଜ ଘରକୁ ଆସନ୍ତେ; ମାତ୍ର ଏ ସବୁକୁ ଏଡ଼ାଇ ଦେଇଥିଲେ ରଙ୍ଗନାଥ । ସାନ ଭାଇ କାଶୀନାଥଠାରେ ଏ ସବୁର ଆକାଙ୍‍କ୍ଷା ପୂରଣ ହୋଇ ପାରିବାର ସମ୍ଭାବନା ସେ ସୂଚାଇଥିଲେ ।

 

ଯେଉଁଠି ବନ୍ୟା, ବାତ୍ୟା, ଗୃହଦାହ; ସେଇଠି କାୟା ସହିତ ଛାୟାର ସମ୍ଭାବନା ପରି ରଙ୍ଗନାଥଙ୍କର ଆବିର୍ଭାବ । ସବୁ କ୍ଷେତ୍ରରେ ଜୀବନକୁ ବିପନ୍ନ କରି ସେ ଜନସେବା କରି ଆସୁଥିଲେ-। ସେ ଦିନ ଜେନାପୁର ନିକଟସ୍ଥ ଏକ ଅଖ୍ୟାତ ଗ୍ରାମର ଗ୍ରାମବାସୀଙ୍କୁ ଦେଖି ସେ ଗୋଟିଏ ଶିଶୁ ପରି କଇଁ କଇଁ ହୋଇ କାନ୍ଦିଉଠିଥିଲେ । ପିଲାଙ୍କ ପେଟ ପିଠିରେ ଲାଗିଚି, ବଡ଼ଙ୍କର ଆଖି କୋଟରଗତ, ଆଉ ଯୁବତୀଙ୍କଠାରେ ଯୌବନର ଟିକିଏ ହେଲେ ଲକ୍ଷଣ ସେ ଦେଖିବାକୁ ପାଉ ନ ଥିଲେ । ଦଉଡ଼ି ଗଲେ କଟକ ସହରକୁ । ଦୋକାନ, ବଜାର, ଲୋକଙ୍କ ଦ୍ୱାରା ଦ୍ୱାର ବୁଲି କାନ୍ଦି କାନ୍ଦି ମାଗିଥିଲେ ଭିକ୍ଷା । ଆଶାନୁରୂପ ଦାନ ବି ପାଇଥିଲେ । ସୁ-ପାତ୍ରରେ ଦାନ କରିବାକୁ ଓଡ଼ିଆ ଜାତି କେବେ ପଶ୍ଚାତ୍‍ପଦ ହୋଇନି କି ହେବ ନାହିଁ । ଯଥେଷ୍ଟ ସମ୍ବଳ ନେଇ ବାଣ୍ଟିଥିଲେ ଗାଁରେ-। ଲୋକେ ଖଣ୍ତେ ପିନ୍ଧିଲେ ଓ ଗଣ୍ତେ ଖାଇଲେ, ରଙ୍ଗନାଥଙ୍କ ଆନନ୍ଦ କହିଲେ ନ ସରେ ।

 

କେନ୍ଦ୍ରାପଡ଼ାର ସୁଦୂର ପଲ୍ଲୀ ଅଞ୍ଚଳର ଏକ ହରିଜନପଡ଼ାର ପ୍ରତ୍ୟେକ ଘର ଭୂତଳଶାୟୀ ହୋଇଥିଲା ବାତ୍ୟା ବିପତ୍ତିରେ । ଶୁଣି ଦଉଡ଼ି ଗଲେ ରଙ୍ଗନାଥ । ସରକାରଙ୍କୁ କାତର ନିବେଦନ କରି କେତୋଟି ତମ୍ବୁ ପକାଇ ସେମାନଙ୍କୁ ଥଇଥାନ କଲେ । ଭିକ୍ଷା କରି ଟଙ୍କା ପଇସା ଆଣି ଚାଳି ତିଆରି କଲେ । ଲୋକେ ଆଶ୍ୱସ୍ତ ହୋଇଥିଲେ ।

 

ଆଠଗଡ଼ର ଲୋକଲୋଚନ ଆଗୋଚରରେ ଥିବା ଗୋଟିଏ କ୍ଷୁଦ୍ର ପଡ଼ା ଅଗ୍ନିଦାହର ସମ୍ମୁଖୀନ ହୋଇ ଲୋକଙ୍କୁ ସର୍ବାସ୍ୱାନ୍ତ କରିଥିଲା । ରଙ୍ଗନାଥ ଧାଇଁଥିଲେ ସେହି ପଲ୍ଲୀଙ୍କୁ । ଧନାଢ଼୍ୟ ବ୍ୟକ୍ତିଙ୍କଠାରୁ ଆଶାନୁରୂପ ଚାନ୍ଦା ନ ପାଇ ଅନଶନ କରିଥିଲେ । ସୁ-ଫଳ ଫଳିଲା । ଦାନ ମିଳିଲା, ଲୋକଙ୍କ ଦୁଃଖ ଦୂର କରି ରଙ୍ଗନାଥ ଫେରିଲେ ।

 

ଏହିପରି ଦିନ ରାତି ବରାବର କାର୍ଯ୍ୟାନୁଷ୍ଠାନ କରି ଚାଲିଲେ ରଙ୍ଗନାଥ ସ୍ୱ-ସ୍ୱାସ୍ଥ୍ୟପ୍ରତି ମୋଟେ ନଜର ନ ଦେଇ । ସ୍ୱାସ୍ଥ୍ୟ ପ୍ରତି ନଜର ଦେବାକୁ କହିଲେ ସେ ହସିଦିଅନ୍ତି । କଥାଟାକୁ ଉଡ଼ାଇ ଦେଇ କହନ୍ତି ଏ କ୍ଷଣସ୍ଥାୟୀ ଶରୀର ପ୍ରତି ନଜର ଦିଅ ବା ନ ଦିଅ, ଦିନେ ନା ଦିନେ ଏ ମାଟିରେ ମିଶିବ, ସଅଳ ହେଉ ଅଥବା ବିଳମ୍ବରେ ହେଉ ।

 

ସେଦିନ ପାଣି କାକର ଖାଇ ରଙ୍ଗନାଥ ଫେରିଥିଲେ ହରିଜନପଡ଼ାକୁ । ହରିଜନପଡ଼ାର ଲୋକେ ସବର୍ଣ୍ଣ ହିନ୍ଦୁଙ୍କ ଦ୍ୱାରା ଅତ୍ୟାଚାରିତ ହୋଇଥିବାର ଶୁଣି, ଦେହ ଖରାପ ଥିବା ସତ୍ତ୍ୱେ ସେ ଦଉଡ଼ି ଆସିଥିଲେ । ସୁଲି ପାଲୁଣି ତାଙ୍କୁ ଦେଖି ଚମକିପଡ଼ିଥିଲା । କହିଲେ—ସାଆନ୍ତେ, ତୁମ ମୁହଁଟା ଫଣ ଫଣ ଦିଶୁଚି । ତୁମେ ବିଶ୍ରାୟ ନିଅ । କ୍ଷତ୍ରିୟ ପଡ଼ାକୁ ଯାଅ ନାହିଁ । ସେମାନେ ବଡ଼ ଉଦ୍ଧତ । ତୁମ କଥା ଶୁଣିବେ ନାହିଁ । ତଥାପି କ୍ଷତ୍ରିୟପଡ଼ାକୁ ଯାଇଥିଲେ ରଙ୍ଗନାଥ । ସେଠାରେ ସେ ବହୁ ବୁଝାଇ ସୁଝାଇ ଫେରି ଆସିଲେ ହରିଜନପଡ଼ାକୁ ।

 

ବହୁ ଲୋକଙ୍କ ସମ୍ପର୍କରେ ସେ ଆସିଛନ୍ତି, ହେଲେ ସୁଲି ପରି ଗୋଟେ ପର ଦୁଃଖକାତରା ନାରୀ ସେ ଦେଖି ନ ଥିଲେ । ତାରି ଘରକୁ ସେ ଗଲେ । ସେଠାରେ ବିଶ୍ରାମ ନେଲେ-। ଭୀଷଣ ଜର ଆସିଗଲା । ହରିଜନପଡ଼ା ଲୋକେ ଔଷଧ ପାଇଁ ବାହାରିଲେ । ସେ ମନାକଲେ-। ପେଟକୁ ଖାଇବାକୁ ନାଇଁ ଯେଉଁମାନଙ୍କର, ସେମାନେ ପେଟରୁ କାଟି ଔଷଧ ଆଣିବା ଅନ୍ୟାୟ-। ସୁଲି ଦୁଧ ଟୋପେ ଗରମ କରି ଆଣି ଦେଲା; ମାତ୍ର ଛୁଆଙ୍କ ଖାଦ୍ୟ ଖାଇବାକୁ ସେ ମନାକଲେ-

 

ଜ୍ୱର ବଢ଼ିଚାଲିଲା । ବାହାର ଲୋକେ ଜାଣିଲେ । ରଙ୍ଗନାଥଙ୍କୁ ବଡ଼ ଡାକ୍ତରଖାନାକୁ ନିଆଗଲା । ସମସ୍ତ ପ୍ରକାରର ବ୍ୟବସ୍ଥା ହେଲା । ଔଷଧ ଓ ଚିକିତ୍ସାକୁ ଫାଙ୍କି ଦେଇ ରଙ୍ଗନାଥ ଚାଲିଗଲେ ସେପୁରକୁ ।

 

ସୁଲୀ ମନରେ ଅବଶୋଷ ରହିଗଲା ! ବେଳ ସଅଳେ ଟୋପାଏ ଔଷଧ ଦେଇପାରିଥିଲେ ଏଡ଼େବଡ଼ ମୂଲ୍ୟବାନ ଜୀବନ ହୁଏତ ନଷ୍ଟ ହୋଇ ଯାଇ ନ ଥାଆନ୍ତା ।

★★★

 

ଅବଶୋଷ

 

ହରିବାବୁ । ବିଲାତରୁ ଫେରିଲେ, ବଡ଼ ଓ ସାନଙ୍କୁ ଯଥାଯୋଗ୍ୟ ସମ୍ମାନ ଓ ସ୍ନେହ ଜଣାଇଲେ । ପୁରା ସାହେବ ହୋଇ ସେ ଫେରିଥାଆନ୍ତି । ବହୁତ ଲୋକ ବହୁତ ପ୍ରଶ୍ନ ତାଙ୍କୁ ପଚାରି ଅସ୍ତବ୍ୟସ୍ତ କଲେ । ହରି ମିଶ୍ରଙ୍କର ଅଶେଷ ଧୈର୍ଯ୍ୟ । ଅତୁଟ ସ୍ନେହ ମମତାର ବଶବର୍ତ୍ତୀ ହୋଇଥିବାରୁ ସମାଜର ଜଗନ୍ନାଥ ମିଶ୍ରେ, ଜଗା ଭଣ୍ତାରୀ, ଜଗୁଆ ହାଡ଼ିଙ୍କ ଇପ୍‍ସିତ ପ୍ରଶ୍ନର ଉତ୍ତର ସେ ସହାସ୍ୟ ବଦନରେ ଦେଇ ଚାଲିଲେ । ଆଖପାଖ କୋଡ଼ିଏ କୋଶରେ ସିଏ ଜଣେ ମାତ୍ର ବିଲାତଫେରନ୍ତା ସାହେବ । ପ୍ରଦର୍ଶନୀ ଦେଖି ଆସିବା ପରି ଚାରିଆଡ଼ୁ ଜନସମୁଦ୍ର ମାଡ଼ିଆସେ ବିଲାତଫେରନ୍ତା ସାହେବ ଦେଖିବାକୁ । ପୁଣି ଭଟ୍ଟା ପଡ଼ିଯାଏ । ହରିବାବୁ ସମସ୍ତଙ୍କୁ ଦେଖି ବି ସନ୍ତୁଷ୍ଟ ଥିବା ପରି ମନେ ହେଉ ନ ଥାଏ, ସତେ ଅବା ଖୋଜିଲା ଆଖିରେ ଓ ସନ୍ତପ୍ତ ହୃଦୟରେ ସେ କାହାର ପଥକୁ ସତୃଷ୍ଣ ନୟନରେ ଅନାଇ ରହିଥିଲେ, ଅବଶେଷରେ ନିରାଶ ହୋଇ ଗାଁ ମାଷ୍ଟ୍ରଙ୍କୁ ପଚାରିଲେ—ସାର୍‍ ?

ସାର୍‍ ଆଉ କେହି ନୁହନ୍ତି । ଅର୍ଜୁନ ମାଷ୍ଟ୍ରେ । ଆଉ ଆଉ ପାଞ୍ଚଜଣ ମାଷ୍ଟ୍ରଙ୍କ ଭିତରେ ସେ ଜଣେ ଶିକ୍ଷକ । ମାତ୍ର ୟା’ଙ୍କଠାରେ ଥିଲା ସ୍ୱାତନ୍ତ୍ର୍ୟ । ବିଦ୍ୟାଳୟ ସମୟ-ଚକରେ ଆବଦ୍ଧ ନ ହୋଇ, ପିଲାଙ୍କ ସମ୍ପର୍କରେ ଅନ୍ୟ ସବୁବେଳେ ଆସିବାକୁ ଚାହୁଁଥିଲେ ସେ । ତାଙ୍କଠାରୁ ବଡ଼ଙ୍କୁ ମଉସା, ସମବୟସ୍କଙ୍କୁ ଭାଇ, ଆଉ ସାନଙ୍କୁ ପୁଅ ସମ୍ବୋଧନ କରନ୍ତି । କେତେ ଯେ ପିଲାଙ୍କୁ ସେ ପାଖରେ ଖୁଆଇ ପିଆଇ ମଣିଷ କରଚନ୍ତି, ତାର ସଂଖ୍ୟା ସେ କେବଳ ଜାଣିଥିବେ । ଏପରି କି ଏହି ଦାନ ଫଳରେ ଘରେ ନିଜର ଘରଣୀ ଔଷଧ ଟୋପେ ନ ପାଇ ଓ ଏକମାତ୍ର ପୁତ୍ର ସନ୍ତାନ ଦୁଧ ମୁନ୍ଦାଏ ନ ପାଇ ରୁଷି ଚାଲିଗଲେ ଦୁନିଆଁ ଛାଡ଼ିଦେଇ । ଏଥିରେ ଅର୍ଜ୍ଜୁନ ମାଷ୍ଟ୍ରଙ୍କୁ ପ୍ରଶସ୍ତ ସମୟ ମିଳିଗଲା । ସେ ନିଜ ଘର ଓ ଗାଁର ମୋହ ତୁଟାଇ ଦେଇ ଏହି ଗ୍ରାମରେ ଘଣ୍ଟା କଣ୍ଟା ଓ ମିନିଟ କଣ୍ଟା ପରି କାମ କରିଚାଲିଲେ । ସଭିଏ ସନ୍ତୁଷ୍ଟ—ଗାଁ ମାମଲତକାର ନିଧି ଦାସଙ୍କଠୁଁ ଆରମ୍ଭ କରି ପଣ୍ତିତ ବାଣୀ ଭୂଷଣଙ୍କ ପର୍ଯ୍ୟନ୍ତ । ଅର୍ଜ୍ଜୁନ ମାଷ୍ଟ୍ରେ ସବୁ ପିଲାଙ୍କୁ ପୁତ୍ରୋପମ ସ୍ନେହ କରନ୍ତି । ଧୀ ଶକ୍ତିସମ୍ପନ୍ନ ପିଲାଙ୍କୁ ଦିନ ରାତି ଲାଗି ପାଠ ପଢ଼ାନ୍ତି । ଗରିବ ପିଲାଙ୍କୁ ଖୁଆନ୍ତି ପିଆନ୍ତି, ରୁଗ୍‍ଣଙ୍କୁ ଔଷଧ ଦେଇ ଭଲ କରନ୍ତି । ନିଜେ କବିରାଜି ଜାଣନ୍ତି । ଠୁଣୁ ଠୁଣୁକିଆର ଗୁଣ ଶିଖି ଥାଆନ୍ତି । ସ୍କୁଲ ବଗିଚାରେ ଫଳମୂଳ ଗଛ ସହିତ ଔଷଧ ବଗିଚାଟିଏ ବଡ଼ ଯତ୍ନର ସହିତ କରିଥାଆନ୍ତି ।

ମିଶ୍ରଙ୍କର ମନେପଡ଼ିଗଲା । ସେଦିନ ଖୁଣ୍ଟିକରି ଆଙ୍ଗୁଠିରୁ ରକ୍ତ ବୋହି ଯାଉଥାଏ । ସଙ୍ଗେ ସଙ୍ଗେ ଔଷଧ ବଗିଚାରୁ ପତ୍ର ଆସିଲା । ନିଜେ ମାଷ୍ଟ୍ରେ ଛାତ୍ରର ଗୋଡ଼ ଆଙ୍ଗୁଠିଟି ଧରି ସଫା କରି ରସ ଲଗାଇଦେଲେ । ଆଉ ଦିନେ, ନନା ଓ ବୋଉ ଗାଳି ଦେଲେ । ଉପବାସରେ ସେ ସ୍କୁଲକୁ ଚାଲିଆସିଲେ । ଶୁଖିଲା ମୁହଁ ଦେଖି ସାର୍‍ ପଚାରିଦେଲେ—ଖାଇନୁ କିରେ ? ମିଶ୍ରେ କାନ୍ଦି ପକାଇ ଥିଲେ । ମାସ ଶେଷ । ପାଖରେ ମାତ୍ର ଆଠଅଣା ପଇସା । ସାଙ୍ଗେ ସାଙ୍ଗେ ଜଳଖିଆ ଆସିଲା, ମିଶ୍ରେ ଖାଇଲେ । ପରେ ବାପା ପଇସା ଯାଚିଲେ । ସାର୍‍ କହିଲେ—ବାପ ଖର୍ଚ୍ଚ କରେ ଆଶାରେ, ମାତ୍ର ଗୁରୁ ଖର୍ଚ୍ଚ କରେ କର୍ତ୍ତବ୍ୟ ଅନୁରୋଧରେ । ନନା କ’ଣ ବୁଝିଲେ, ସୁନା ପିଲାଟି ପରି ଫେରିଯାଇଥିଲେ । ନିଜ ଜୀବନ-ପୁସ୍ତିକାର ଏ ମାତ୍ର ଗୋଟିଏ ଯୋଡ଼ିଏ ପୃଷ୍ଠା । ଅନ୍ୟ ବନ୍ଧୁମାନଙ୍କ ଜୀବନରେ ଅନୁରୂପ ଅନୁଭୂତି ଅନୁଭୂତ ହୋଇଥାଏ । ମିଶ୍ରେ ଯେତିକି ଯେତିକି ଅର୍ଜ୍ଜୁନ ମାଷ୍ଟ୍ରଙ୍କ କଥା ଶୁଣିଚନ୍ତି, ସେହି ପରିମାଣରେ ହେଇଚନ୍ତି ତାଙ୍କର ଅନୁରକ୍ତ ଓ ସ୍ତାବକ ।

ସେ ଧାଇଁଗଲେ ଗାଁ ମୁଣ୍ତକୁ । ଗାଁ ମୁଣ୍ତରେ ଅର୍ଜ୍ଜୁନ ମାଷ୍ଟ୍ରେ ରହୁଥିଲେ । ଘରଟି ପଡ଼ିଚି । ଶ୍ରୀହୀନ ବଗିଚାଟି ଅଛି । ଅଥଚ ଅର୍ଜ୍ଜୁନ ମାଷ୍ଟ୍ରେ ନାହାନ୍ତି । ‘କୁଆଡ଼େ ଗଲେ’ ? —ଏ ପ୍ରଶ୍ନ ପଚାରିବାକୁ ଡର ମାଡୁ଼ଚି, କାଳେ କ’ଣ ଅପ୍ରତ୍ୟାଶିତ କଥା ଶୁଣିବାକୁ ପଡ଼ିବ ! ଘରକୁ ଫେରି ଆସିବାବେଳେ ବନ୍ଧୁ ଚନ୍ଦ୍ରଶେଖର ଷଡ଼ଙ୍ଗୀଙ୍କୁ ଭେଟିଲେ । ଅର୍ଜ୍ଜୁନ ମାଷ୍ଟ୍ରଙ୍କ ଖବର ପଚାରିଲେ । ଶୁଣିଲେ, ମାଷ୍ଟ୍ରେ କଟକ ବଡ଼ ଡାକ୍ତରଖାନାରେ । ଅଧ୍ୟାପକ ପ୍ରଫୁଲ୍ଲ ରଥେ ତାଙ୍କ ଚିକିତ୍ସା ହାତକୁ ନେଇଚନ୍ତି । ନିଜେ ଷଡ଼ଙ୍ଗୀଏ ତାଙ୍କୁ ଦେଖିବାକୁ ଯାଇଥିଲେ । ଜୀର୍ଣ୍ଣ ଶୀର୍ଣ୍ଣ ରୂପ । ଗୋଟିଏ ବଳିତା ପରି ଦେଖାଯାଉଚନ୍ତି । ଉଠି ବସି ପାରୁ ନାହାନ୍ତି । ମିଶ୍ରଙ୍କର ବିଲାତ ଫେରିବା ଖବର ଶୁଣି ସେ ହାତ ଦୁଇଟି ଟେକି ନେଇ ମୁଣ୍ତରେ ଲଗାଇଲେ, ଦୁଇ ଆଖିରୁ ତାଙ୍କର ଲୁହ ଗଡ଼ିଗଲା । ସେ ଖୁବ୍ କ୍ଷୀଣ ସ୍ୱରରରେ କହିଥିଲେ, ତାକୁ ମୁଁ ଟିକିଏ ଦେଖିବି ନି ।

ଷଡ଼ଙ୍ଗୀଙ୍କଠାରୁ ମିଶ୍ରେ ଶୁଣିଲେ । ଆଖିରୁ ଦୁଇଧାର ଲୁହ ଗଡ଼ି ପଡ଼ିଲା । କେତେ ସ୍ନେହ, କେଡ଼େ ଦରଦ ! ଥିଲେ ଥିବ ସିନା ସ୍ୱର୍ଗରେ; ଏ ଅକପଟ ସ୍ନେହ, ମର୍ତ୍ତ୍ୟରେ ସମ୍ଭବ ନୁହେଁ । ମିଶ୍ରଙ୍କର ମନେ ହେଲା ଦଉଡ଼ି ଯାଇ ମାଷ୍ଟ୍ରଙ୍କ ପାଦ ଦୁଇଟିରେ ମୁଣ୍ତ ଲଗାଇ କଇଁ କଇଁ ହୋଇ କାନ୍ଦିବାକୁ । ବିଳମ୍ବ ଅସହ୍ୟ ହେଲା । ସାଙ୍ଗେ ସାଙ୍ଗେ ଘରକୁ ଯାଇ ମଟର ଗାଡ଼ି ଛୁଟେଇଦେଲେ କଟକ ନଗର ଆଡ଼କୁ ।

ବାଟ ଗୋଟାକ ଅର୍ଜ୍ଜୁନ ମାଷ୍ଟ୍ରଙ୍କ ହସହସ ମୁହଁ, ଛୋଟ ଛୋଟ କର୍ମତତ୍ପର ଗୋଡ଼ହାତ ଚାରୋଟି, ଦେହର ନିର୍ମଳ ପରିଧାନ ନାଚି ଉଠୁଥାଏ । ପର ଦୁଃଖକାତର ଓ ଉପକାରୀ ଅର୍ଜ୍ଜୁନ ମାଷ୍ଟ୍ରଙ୍କ ପଟାନ୍ତର ନାହିଁ । ତାଙ୍କୁ ରୋଷପୂର୍ଣ୍ଣ ଅବସ୍ଥାରେ କେହି କେବେ ଦେଖିନାହିଁ । ନିରକ୍ଷରଠାରୁ ସାକ୍ଷର ପର୍ଯ୍ୟନ୍ତ ସକଳେ ତାଙ୍କଠାରୁ ଉପକୃତ । ଚାହୁଁ ଚାହୁଁ ମଟର ନଈ କୂଳରେ ପହଞ୍ଚିଗଲା । ଅସ୍ତଗାମୀ ସୂର୍ଯ୍ୟଙ୍କୁ ଚାହିଁ ମିଶ୍ରେ ଜୋଡ଼ ହସ୍ତରେ ପ୍ରଣତି ଜଣାଇଲେ । କହିଲେ,—ହେ ପ୍ରଭୋ ! ମୋ ଗୁରୁଦେବଙ୍କ ଦର୍ଶନ ଯୋଗ ମତେ ମିଳୁ । ହେ ଦିବାକର, ତୁମରି ଉପସ୍ଥିତିରେ ଯେପରି ଅନ୍ଧକାର ଦୁରୀଭୂତ ହୁଏ, ମୋ ମନରୁ ଗୁରୁ ଦର୍ଶନ ଦ୍ୱାରା ଦୁଃଖ ଦୂର ହେଉ ।

ଚିନ୍ତାମଗ୍ନ ମିଶ୍ରଙ୍କୁ ଡ୍ରାଇଭର କହିଲା, ଆଜ୍ଞା ବଢ଼ିଲା ନଈ । ଦୁଇ କୂଳ ମାଡ଼ି ଚାଲିଚି । ନାଉରିଆ ଆଉ ଅନ୍ଧାର ରାତିରେ ଡଙ୍ଗା ଚଳାଇବାକୁ ରାଜି ହେଉ ନାହାନ୍ତି । ବାବୁ ନିଜେ ଉଠିଗଲେ-। ନାଉରିଆଙ୍କୁ ବହୁ କାତର ନିବେଦନ କଲେ । ମୋଟା ବକ୍‍ସିସ୍‍ ପ୍ରଲୋଭନ ଦେଖାଇଲେ-। ମାତ୍ର ସବୁଥିଲେ ନିଷ୍ଫଳ ହେଲେ । ସ୍ଥିର ହେଲା, ନଈ କୂଳରେ ରାତିଟି କଟାଇବାକୁ ହେବ । ଡ୍ରାଇଭର ଖାଦ୍ୟ ପଦାର୍ଥ ଆଣିଦେଲା, ହେଲେ ଅର୍ଜ୍ଜୁନ ମାଷ୍ଟ୍ରେ ସତେ ଅବା ତାଙ୍କ ଆଗରେ ଛିଡ଼ା ହୋଇଗଲେ-। ହାତ ଚାଳିଲା ନାହିଁ । ଅନାହାରରେ ଉନ୍ନିଦ୍ର ରଜନୀ ଯାପନ କଲେ । କାଳ ରାତ୍ରି ପାହିଗଲା-

ଡଙ୍ଗା ମଟରଟିକୁ ପାର କରିଦେଲା । ଦ୍ରୁତ ଗତିରେ ମଟର ଛୁଟାଇ ଦେଲେ ମିଶ୍ରେ । ଡାକ୍ତରଖାନାରେ ପହଞ୍ଚି ମାଷ୍ଟ୍ରଙ୍କୁ ପାଇବାରେ ଅଧଘଣ୍ଟାଏ ସମୟ ଲାଗିଗଲା । ମିଶ୍ରେ ଦେଖିଲେ ଅର୍ଜ୍ଜୁନ ମାଷ୍ଟ୍ରଙ୍କର ଆପାଦ ମସ୍ତକ ଗୋଟିଏ ନିର୍ମଳ ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇଅଛି । ସେ ଚମକି ପଡ଼ିଲେ । ଦେଖିଲେ ସାର୍‍ଙ୍କ ପାଖରେ ବାଲ୍ୟବନ୍ଧୁ ଯଦୁ ପଣ୍ତା ବସିଚି । ମୁହଁଟି ବିଷର୍ଣ୍ଣ । ଆଖି ଦୁଇଟି ଫୁଲିଲା ଫୁଲିଲା ଓ ଆରକ୍ତ ବର୍ଣ୍ଣର । ମିଶ୍ରେ ପଚାରିଲେ—ଯଦୁ ଭାଇ ! ସାର୍‍ କିମିତି ?

ଦୀର୍ଘ ନିଶ୍ୱାସ ପକାଇ ଯଦୁ କହିଲା—ସାର୍‍ ଠକି ଦେଇ ଚାଲିଗଲେ । ତୁମକୁ ଦେଖିବାକୁ ବଡ଼ ଆଗ୍ରହ ଥିଲା ତାଙ୍କର । ତୁମେ ଆସିଲ; ଅଥଚ ସେ ଟିକିଏ ଅପେକ୍ଷା କଲେ ନି । ଏଇ ଅଧଘଣ୍ଟା ଭିତରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ ।

ବିଲାତଫେରନ୍ତା ମିଶ୍ରେ ପିଲାଟି ପରି ଭୋ ଭୋ ହୋଇ କାନ୍ଦି ପକାଇଲେ ।

★★★

 

ପାର୍ବତୀର ଚିଟାଉ

 

ମକର,

 

ଏଇଟି ମୋର ଶେଷ ଚିଠି ।

 

ଆଉ ଲେଖିବିନି କି ଅଯଥା ଦୁଃଖ ଦେବିନି ।

 

ଭାବିଥିଲି ଜୀବନ-ସଳିତା ଜଳିଯାଉ ଓ ତା ସଙ୍ଗେ ଜୀବନ-କାହାଣୀ ମଉଳିଯାଉ ।

 

ସେ କଥା ହେବନି ।

 

ହେଇ ପାରିବନି ଲୋ ମକର !

 

ଜଗତ ଜାଣୁ । ଜାଣୁ ଏ ଦେଶର ଅବଳାର ଆଉ ଗୋଟିଏ ଦୁଃଖର କାହାଣୀ । କେତେ ଝିଅ ବୋହୂ ହୋଇ କୂଅ, ପୋଖରୀ ଓ ଦଉଡ଼ିର ଆଶ୍ରୟ ନେଇଅଛନ୍ତି ।

 

ନେବେନି କିମିତି କହିଲୁ ଲୋ ମକର !

 

ମୂକ ହୋଇ, ଦୁଃଖ ଅବ୍ୟକ୍ତ ହେଇ ହେଇ ଶେଷକୁ ବେଳେବେଳେ ବିସ୍ଫୋରଣ ହୋଇଚି-। ମାତ୍ର ହିନ୍ଦୁ ଲଳନା ପାଖରେ ଏହା କ୍ୱଚିତ୍ ଦେଖାଯାଏ ।

 

ହଁ ।

 

ଆଉ ମୋ ହାତରେ ବେଶୀ ବେଳ ନାହିଁ ।

 

ଜୀବନ-ଦୀପ ନିଜ ହାତରେ ଲିଭାଇ ଦେବାକୁ ପଡ଼ିବ ।

 

ବିଳମ୍ବ ଆଉ ମୁହୂର୍ତ୍ତେ ହେଲେ ସହ୍ୟ କରିବା ଅସମ୍ଭବ ।

 

ପିଲାଦିନର ସବୁ କଥା ଗୋଟି ଗୋଟି କରି ମନେ ପଡ଼ୁଚି ।

 

ଓଃ ! କି ହସ ! କି ଆନନ୍ଦ ! କି ନାଚ ! କି କୁଦ ! କେତେ ଅଳି, କେତେ ମାନ ଓ ଅଭିମାନ, ସବୁ ଗାଁରେ ଛାଡ଼ି ଆସିଲି ଶାଶୁଘରକୁ ।

 

ମନ ବଡ଼ ଆନନ୍ଦ ।

 

ଇଏ ଜଣେ ବଡ଼ ସରକାରୀ କର୍ମଚାରୀ ।

 

ମୋଟା ଦରମା ପାଆନ୍ତି । ଘରେ ଅଚଳାଚଳ ସମ୍ପତ୍ତି । ବାପେ ତ ଅତି ମାଣ୍ୟଗଣ୍ୟ ବ୍ୟକ୍ତି । ଏଙ୍କୁ ସରିସମ ହେଲା ପରି କେଉଁଠି ଲୋକ ଜନ୍ମ ହେଇନି, କି ହେବନି । ପ୍ରତିଷ୍ଠାରେ ଏ ଅଦ୍ୱିତୀୟ । ସବୁ ଶୁଣୁଥାଏ । ହସ ମାଡ଼େ । ମଥୁରାପତି କୁଆଡ଼େ ଗଲେ, ସ୍ୱର୍ଣ୍ଣପୁରୀ ଲଙ୍କାଧୀଶ କୁଆଡ଼େ ଗଲେ, ଅତି ମାନୀ ମାନଗୋବିନ୍ଦ କାହାନ୍ତି, ମହାବଳୀ ବାଳୀଙ୍କର ସତ୍ତା ନାହିଁ, କି ଦାନୀ କର୍ଣ୍ଣ ଇହଜଗତରେ ନାହାନ୍ତି । ଆଉ ରହିବ ୟାଙ୍କରି ମାନ ଓ ନାମ । ତୁଚ୍ଛା କଥା ।

 

ଆଉ ମୋର ସ୍ୱାମୀ ଦେବତା ।

 

ସେ ଚାହାନ୍ତି ମୋର ଜୀବନ-ସଉଦା ବେଗି ସରିଯାଉ । ବଡ଼ ପାଠୁଆ ବୋଲି ତାଙ୍କର ବୋଝ ଅଭିମାନ । ପାହାଡ଼ଟାକର ଫୁଟାଣି । ଧରାକୁ ସରା ବୋଲି ସେ ମନାକରନ୍ତି । ସାଧାରଣ ଲୋକଙ୍କ ସହିତ କଥା ହେଲେ ଲୋ ମକର, ତାଙ୍କର ମର୍ଯ୍ୟାଦା ଲୋପ ପାଇଯିବା ଆତଙ୍କରେ ସେ ସଦାସର୍ବଦା ଆତଙ୍କିତ ।

 

ଆଉ ମୋର ଶାଶୁ । ପାଠଘର ତାଙ୍କର ଶୂନ । ହେଲେ ଅଚଳାଚଳ ସମ୍ପତ୍ତି ଆଣିଥିଲେ ସେ ନିଜ ବାପଘରୁ; ତେଣୁ ସ୍ୱାମୀ ଦେବତା ଓ ଅଙ୍ଗଜ ଅଙ୍ଗଜାଙ୍କୁ ସେ ହାତ ମୁଠାରେ ରଖି ସଦାସର୍ବଦା କଣ୍ତେଇ ନାଚ କରାଇବାରେ ପାଆନ୍ତି ଆନନ୍ଦ ।

 

ମୋର ଦିଅର ଓ ନଣନ୍ଦ । ସେମାନଙ୍କ ଛାତିକୁ ଲଙ୍ଗଳ ଦଉଡ଼ି ପାଏନି ଲୋ ମକର ! ନିଜ ଘରର ଗାରିମା, ପିତା ମାତାଙ୍କ ବଡ଼େଇ ଓ ଆତ୍ମପ୍ରଶଂସାରେ ସେମାନେ ସତେ ଗୃହଟିକୁ ଉଠାନ୍ତି ପକାନ୍ତି ।

 

ମୁଁ ତ ଯାଇଥାଏ ଗୋଟାଏ ଆଲୋଡ଼ ଜୀବ ।

 

ମୋ ଚାଲି ଚଳନୀ, ବେଶ ପୋଷାକ, କଥାବାର୍ତ୍ତା—ସବୁଥିରେ ଖିଅ ଲାଗେ । ସଭିଏ ଆଗେଇ ଆସନ୍ତି ମତେ ସଜାଡ଼ିବାକୁ । ଧାରୁଆ ବ୍ଲେଡ଼ରେ ଦାଢ଼ି ସଙ୍ଗେ ସଙ୍ଗେ ଥରେ ଥରେ ସିନା ରକ୍ତ ବାହାରିଯାଏ, ଏମାନେ ଅହରହ ମୋ ଛାତି କରତନ୍ତି । ମୋ ଦେହରୁ ରକ୍ତ ଶୁଖିଯାଏ ।

 

ବୁଝିଲୁ ଲୋ ମକର ! ବୃଥା କଥାରେ ଗାଳି, ଟାହି, ଟାପରା ହୁଏ । ବେଳେବେଳେ ମନକୁ ଦୃଢ଼ କରେ; ଅଯଥା କଥାର ପ୍ରତିବାଦ କରିବି ମାତ୍ରେ ପାରେନି ।

 

ମୁଁ ଜାଣେନା କିମିତି କେଜାଣି ଏଡ଼େ ମେଞ୍ଚଡ଼ ଟୋକାଟାଏ ବୀରଅଭିମନ୍ୟୁ, ସପ୍ତରଥୀଙ୍କୁ କାଳେ ଅସ୍ତବ୍ୟସ୍ତ କରି ପକାଇଥିଲା ! ମୁଁ ପାରିଲିନି । ତେଣୁ ସଂସାରରୁ ବିଦାୟ ଚାହିଁଲି ।

 

ମକର ଲୋ ! ଏଗୁଡ଼ାକ ଏତେ ଅବିବେକ ! ମୋରି ଆଗରେ ମ, ଗୋଟାଏ ଜ୍ୟୋତିଷ ଡାକି ମୋର ଜୀବନ କାଳର ଦୀର୍ଘତା ମପାନ୍ତି । ମୋ ମନରେ ମନସ୍ତାତ୍ତ୍ୱିକ ଅଶାନ୍ତି ଦେଇ ପାଆନ୍ତି ଆନନ୍ଦ । ଦି’ମୁଠା ଚାଉଳ, ମୁଠେ ଜାଇ, ଦୁଇଟା ପରିବା ସେ ନେଇଗଲା । ମାତ୍ର ପଚିଶଟି ପଇସା ପାଇଁ ମୋର ଘାଟି ଅଛି ଓ ମୁଁ କୁଆଡ଼େ ବଞ୍ଚିବିନି ବେଶିଦିନ ବୋଲି ମୋରି ଆଗରେ କହିଦେଇ ସେ ଚାଲିଗଲା ।

 

ହଁ ଲୋ ମକର, ଗୁଡ଼େ ଲେଖିଲିଣି । ତତେ ବିରକ୍ତିଆ କରିବିନି । ମୁଁ ତ ତୋଠାରୁ ବିଦା ହୋଇଆସିଲି । ମୁଁ ଭଲ ଘର ଓ ଭଲ ବର ପାଇଲି ବୋଲି ତୁ ମୋ କାନରେ ଫୁସ୍‍ ଫୁସ୍‍ କରି କହିଲୁ । ସଭିଙ୍କ ଆଗରେ ମୁଁ ସିନା କାନ୍ଦିଥିଲି, ହେଲେ ପେଟ ଭିତରେ ଆନନ୍ଦ ମୋର ଜନ୍ମିଥିଲା ।

 

ଆଉ ଏବେ !

 

ସଭିଏ ଜାଣନ୍ତି ମୁଁ ଆନନ୍ଦରେ ହସୁଚି । ସୁଖରେ ଅଛି । ହେଲେ ପେଟରେ କୋହ, ମନରେ ଦୁଃଖ । ଏହା ଘୁଞ୍ଚିବନି । ଘୁଞ୍ଚିବ କିପରି କିଲୋ ମକର !

 

ମୋର ବାପ ଘରେ କି ଶାଶୁ ଘରେ ଠାବ ନାହିଁ । ଭାବିଚି ଆରପୁରକୁ ନ ଗଲେ ମୋ ପାଇଁ କେଉଁ ପୁରରେ ଠାବ ରହିବ ନାହିଁ । ମୋ ବାପଘର କ’ଣ କ’ଣ ଦବାକୁ ପ୍ରତିଶ୍ରୁତ ଦେଇଥିଲେ; ମାତ୍ର ଦେଇ ନାହାନ୍ତି । ଅନ୍ୟଠାରେ କଥା ପଡ଼ିଥିଲା । ଖୁବ୍‍ ଓଜନଦାର ଦରବ ମିଳି ଥାଆନ୍ତି । ମୋ ବାପ ବିଭା କରିବା ଦିନଠାରୁ ଆଉ ମୋ ଶଶୁରଙ୍କ ମୁହଁ ଚାହିଁବାର ସାହସ ଏବେ ବି ସଞ୍ଚୟ କରି ପାରିନାହାନ୍ତି ।

 

ଭାଇନା ମୋର ! ଲୋକେ କହନ୍ତି ପାଞ୍ଚୁଟାରେ ଗୋଟାଏ ସେ । ଆଚ୍ଛା ଆଚ୍ଛା ଲୋକଙ୍କୁ ଜବାବ ଦିଅନ୍ତି, ଅଥଚ ସେ ଲୁଚିଲେ, ମୋଟେ ଦେଖା ଦେଲେନି । ସାନ ଭଉଣୀର ଟିକିଏ ଦୁଃଖ ଦେଖିଲେ ତାଙ୍କ ଆଖିରୁ ବହୁଥିଲା ଲୁହ । ଆଉ ଆଜି । ଚିଠି ପରେ ଚିଠି ଦେଇ ମୁଁ ଥକିଲି, ଖଣ୍ତିଏ ହେଲେ ଚିଠି ପାଇଲି ନାହିଁ ।

 

ମୁଁ ଏଙ୍କ ଘରକୁ ଅଇଲାବେଳେ ଦୁଃଖିନୀ ଜନନୀ ମୋର ସାଶ୍ରୁ ନୟନରେ ବିଦାୟ ଦେଇ ମୋର ଓଠ ଧରି ଭୋଭୋ ହୋଇ କାନ୍ଦି କାନ୍ଦି କହିଲେ—ବଡ଼ ଘର ପାଇଲୁ, ସୁଖୀ ହୁଅ । ସେଇ ବୋଉ ଏବେ ତୁନି ହେଇ ରହିଚି କିପରି ? କାହାରିକୁ ଜଣକୁ ହେଲେ ମୋ ପାଖକୁ ପଠାଇ ପାରୁନି ।

 

ମକର ଲୋ ! ଗୋଟି ଗୋଟିକରି କେତେ କାହା କଥା କହିବି ?

 

ମୁଁ ହୀନକର୍ମୀ ! ଅନ୍ୟକୁ ନିନ୍ଦା କରି ଲାଭ କଅଣ ?

 

ଆଜି କୁମାର ପୂର୍ଣ୍ଣିମା ।

 

ସେ ରାଗ ତମତମ ହୋଇ ମତେ ମରିବାକୁ ଆଦେଶ ଦେଇ ତରତର ହୋଇ ଖେଳିବାକୁ ଚାଲିଯାଇଚନ୍ତି ।

 

ସଭିଏ ନୂଆ ଲୁଗା ପିନ୍ଧିଲେ, ପିଠା ଖାଇଲେ, ଖେଳ ଓ ହସରେ ମାତିଉଠିଲେ । ଚାକର ବାକର ନାଚ ଦେଖି ଗଲେ । ଚୋର ଭୟ । ସବୁତକ ବାସନ ମାଜିଲି । ଖାଇବାକୁ ଗଲି । ବାଢ଼ିଲି । ବସିଚି, ହଠାତ୍ ଫେଁ କରି ହସ ମେଞ୍ଚାଏ ଶୁଣିଲି ।

 

ମୋ ନାମରେ ବାରଣ୍ତାରେ କଥା ପଡ଼ିଚି । ପାଠୋଇ ନଣନ୍ଦ ମୋର ଦେଖାଇ ଶିଖାଇ ମତେ କହୁଚନ୍ତି—ନନା ତ କହିକରି ଗଲେ, ପୁଣି ଏତେ ଥର କହିଲେଣି, ଏଙ୍କଠାରେ ଲାଜ ସରମ ଥିଲେ ଇଏ ମରନ୍ତେନି !

 

ସଭିଏ ହୋହୋ ହୋଇ ହସି ଉଠିଲେ ।

 

ଖାଦ୍ୟ ପଦାର୍ଥ ମୋ ତୋଟିରେ ଗଳିଲା ନାହିଁ । ପାରିଲା ଦିଅର ପାଳି ଧରିଲ । କହିଲେ–ଜହର ମିଳୁନି ! ବୋଇଲେ ବିଜ୍ଞାନ ପାଠୁଆ ମୁଁ, ମୁଁ ଆଣି ଦିଅନ୍ତି ।

 

ହଇଲୋ ମକର, ବିଷ ପାଇଁ ପଇସା ଖର୍ଚ୍ଚ କରନ୍ତେ କାହିଁକି ଏମାନେ । ଧନ ସରିଯିବନି-?

 

ଟୁଲ୍‍ ପକାଇଚି ।

 

ଦଉଡ଼ି ବାନ୍ଧିଚି ।

 

ମୁଁ ଝୁଲିବି ।

 

ଦୁନିଆଁ ଛାଡ଼ିବି । ଦିଅଁକୁ ଡାକୁଚି, ଯେପରି ଡାଆଣୀ ହୋଇ କାହାରି କ୍ଷତି ନ କରେ । ଜୀଇ କରି ମୋ ଜ୍ଞାତରେ ମୁଁ କାହାରି କ୍ଷତି କରିନି । ମଲାପରେ ଯେପରି ନ ହୁଏ । ରହିଲି ମକର-। ଏ ଚିଠି ତୋତେ ମିଳିଲା ବେଳକୁ ମୁଁ ଏ ପୁରରେ ନ ଥିବି । ଦୁଇଧାର ଲୁହ ତର୍ପଣ ତୋରିଠାରୁ ଆଶା ରଖିଲି । ଇତି ।

 

ତୋର

ମକର

★★★

 

କିଉ

 

ଦେହରେ ପଳେ ହେଇ ମାଂସ ନାହିଁ । ଶରୀରରୁ ପୁରୁଷ କି ସ୍ତ୍ରୀ ଚିହ୍ନିବା କଷ୍ଟସାଧ୍ୟ । ପେଟ ପିଠିକୁ ସ୍ପର୍ଶ କରୁଚି । ବଡ଼ କରୁଣ ନିବେଦନ କରୁଚି, ମୁଠାଏ ଭାତ ପାଇଁ ସେଇ ଲୋକଟି ।

 

ବାରମ୍ବାର ବିରକ୍ତ ହୋଇ କହିଲା ‘ମୁନା’ ରବିବାର ଆସ । ମାତ୍ର କରୁଣ ଧ୍ୱନି ନିନାଦିତ ହେଲା ଅଧିକ ଉଚ୍ଚ ସ୍ୱରରେ ।

 

କଲେଜ ପାଠୁଆ ‘ମୁନା’ ବାବୁ । ସେ ଧଡ଼ କରି ଦୁଆର ଫିଟାଇ ଝଡ଼ପରି ମାଡ଼ିଗଲେ କରୁଣାର ପ୍ରତିମୂର୍ତ୍ତି ପାଖୁ । ଆଖି ଦୁଇଟି ପଡ଼ିଗଲା ମାଗିଲା ଲୋକର ଆଖି ଉପରେ ।

 

ବୁଦ୍ଧଦେବ ‘ଶବ’, ‘ସନ୍ନ୍ୟାସୀ’ ଆଦିଙ୍କୁ ଦେଖି ଚଲାପଥ ଛାଡ଼ି ଦେଇଥିଲେ । ଅଶୋକଙ୍କ କଠୋର ହୃଦୟ ରକ୍ତପାତ ଦେଖି ବିଗଳିତ ହୋଇଥିଲେ ।

 

ମୁନା ବାବୁଙ୍କୁ କଠୋର ହିଆ ତରଳିଗଲା । ସେ ଘର ଭିତରକୁ ପଶିଗଲେ । ବେଲାଏ ଭାତ ଧରି ବାହାରକୁ ବାହାରିଲେ । ନନା ଏ ଦୃଶ୍ୟ ଦେଖି ଚିଡ଼ିଉଠିଲେ ।

 

ବୋଉ କହିଥିଲେ—ନେରେ ବାବୁ, ନଉନୁ କିଆଁ । ଏଙ୍କର ଦୀନ ଦୁଃଖୀଙ୍କଠି ମନ ନ ଥାଏ, ବାବୁ ଭାୟାଙ୍କୁ ଖୁଆଇବାରେ ବଡ଼ ସରାଗ ।

 

ବୋଉ ଘରର ପ୍ରକୃତ ମାଲିକ । ଉତ୍ସାହିତ ହୋଇ ମୁନା ଆଗେଇ ଗଲା । ମୁହୂର୍ତ୍ତକ ମଧ୍ୟରେ ସେତକ ଭାତ, ଟିକିଏ ଲୁଣ ଘିନି ଖାଇଗଲା ଲୋକଟି । ସୁସ୍ଥିର ନିଶ୍ୱାସ ମାରି, ଆଉଜି ପଡ଼ିଲା ପିଣ୍ତା ଉପରେ ।

 

ମୁନା ପଚାରିଲା—ତୁମ ପରିଚୟ ।

 

ଶୁଖିଲା ହସ ହସି ଲୋକଟି କହିଲା—ମୋର ପୁଣି ପରିଚୟ ! ହଉ ବାବୁ କହୁଚି ଶୁଣ ମୋ ଜୀବନର କରୁଣ କାହାଣୀ ।

 

“ଅଷ୍ଟଦୁର୍ଗ ତଳ ସାହିରେ ଆମର ଘର । ପୂର୍ବପୁରୁଷଙ୍କ ଅଦଉତିରେ ଆଖ ପାଖ ଲୋକେ ଭୀତତ୍ରସ୍ତ ହେଉଥାଆନ୍ତି । ଗରିବ ଲୋକଙ୍କ ତଣ୍ଟି ଚିପି ଦଉଲତ ବଢ଼ାଇଥିଲେ ମୋ ଶଶୁର ଘରର ପୂର୍ବପୁରୁଷେ । ପାଞ୍ଚ ଦେଇ ପଚାଶ ଲେଖାଇ ନେଇ ଜମି ମାଡ଼ି ବସିବା, ସୁନ୍ଦରୀ ଝିଅ ବୋହୂଙ୍କୁ ବାର ହିନସ୍ତା କରିବା, ସବୁଠୁ ଭଲ ଭଲ ଜିନିଷ ଛଳେ ବଳେ କୌଶଳେ ଅପହରଣ କରି ଧନାଢ଼୍ୟ ହେବା ଥିଲା ସେମାନଙ୍କର ଜୀବିକା । ଦିଅଁ ରହିଲେ ନି, ସାତପୁରୁଷି ଘର ଉଚ୍ଛନ୍ନ ହେଲା । ସେ ଘରେ କେହି ରହିଲେନି । ଧନ ଦଉଲତ ଆସିଥିଲା ଯେପରି, ଗଲା ବାହାରି ସେହିପରି । ମୋର ଶଶୁର ତାଙ୍କରି ଜାତିର ଗୋଟିଏ ଗରିବ ପିଲା ପୁଅ କରିଥିଲେ । ବଡ଼ ଆଶା ପିଣ୍ତ ମୁଠାଏ ପାଇଁ । ମୁଁ ବି ଥିଲି ଗୋଟିଏ ଗରୀବ ଘରର ଝିଅ । ଧନ ଅଭାବରେ ମୋର ବିବାହ ଅସମ୍ଭବ ହୋଇଉଠିଥିଲା । ମତେ ବୋହୂ କରି ନେଇଗଲେ ମୋ ଶଶୁର । ଆମ ଦୁହିଁଙ୍କୁ ବଡ଼ ସ୍ନେହ କରୁଥିଲେ । ନିଜର ପୂର୍ବ ଇତିହାସ କହି ଲୁହ ନ କାନ୍ଦି ରକ୍ତ କାନ୍ଦୁଥିଲେ ସିଏ । ଆମର ଗୋଟି ଗୋଟି କରି ପିଲାଟିମାନେ ଜନ୍ମ ହୋଇ ନଷ୍ଟ ହବାର ଦେଖି ସେ ଘୋର ଦୁଃଖାତୁର ହୋଇ ସେ ଘର ଛାଡ଼ି ପଳାଇବାକୁ ଆହ୍ୱାନ ଦେଇଥିଲେ । ତାଙ୍କ ସହ ସମ୍ବନ୍ଧ ଛିନ୍ନ କରିବାକୁ ପରାମର୍ଶ ଦେଇଥିଲେ । ହେଲେ ଆମେ ପାରିଲୁ ନାହିଁ । ଆମର ଆଉ ଗୋଟିଏ ପିଲା ହେଲା । ସେଇଟି କିଛି ଦିନ ବଂଚିଲା । ବୁଢ଼ାଙ୍କ ଆନନ୍ଦ କହିଲେ ନ ସରେ । ମାତ୍ର ତାଙ୍କ ଆନନ୍ଦ ବେଶୀଦିନ ରହିଲା ନାହିଁ । ପିଲାଟି ଦୁଧ ଟୋପାଏ ନ ପାଇ ଆଖି ବୁଜିଦେଲା । ବୁଢ଼ା ମୃତ ଶିଶୁଟିକୁ କୋଡ଼ରେ ଧରି ଟଳିପଡ଼ିଲେ । ଆଉ ଉଠିଲେ ନାହିଁ । ଜାତି ଭାଇ ଧରିବସିଲେ, ବୁଢ଼ାର ଶୁଦ୍ଧଘର ଜାକ ଜମକରେ ହେବ । ଆମର ଚାରା କଅଣ ? ଆମେ ତ ପୋଷା ପୁଅ ଗୁଞ୍ଜା ରୁଅ । ଗାଁ ଲୋକଙ୍କୁ ଛାଡ଼ିଲେ, ନ ମାନିଲେ ରାହା ମିଳିବ ନାହିଁ । ଯେଉଁ ଜମି ପାଏ ଦୁଇ ପାଆ ଥିଲା ବିକିଲୁ । ଧୁମ୍‍ଧାମରେ ଶୁଦ୍ଧ ଘର କଲୁ ।

 

ତାପରେ ଆସିଲା ଆମର ଅତି ଦୁଃଖର ଦିନ । ସ୍ୱାମୀ ମୋର ନିତି ମୂଲ ଲାଗି ଯାଆନ୍ତି-। ମୁଁ ଗାଁ ଲୋକଙ୍କ ଘରେ କାମ ପାଇଟି କରିବାକୁ ଅଣ୍ଟା ଭିଡ଼ିଲେ ସେ ଚିଡ଼ି ଚିଡ଼ି ହୁଅନ୍ତି । କହନ୍ତି–ତୁ ଖଣ୍ତେଇତ ଘରର ଝିଅ, ବୋହୂ; ତୁ କୁଆଡ଼େ ଯିବୁ ?

 

ମୁଁ ତାଙ୍କ କଥା ମାନି ଘର ଭିତରେ ଥାଏ । ଦିନୁ ଦିନ ସେ କଳା ପଡ଼ିଗଲେ । ମୂଲ ମିଳିଲା ନାହିଁ । ପଇସା ଆଣନ୍ତି, ଅଥଚ କଣ୍ଟ୍ରୋଲ ଯୁଗ । ଚାଉଳ ମୁଠିଏ ପାଇଁକି ସାତ ନେହୁରା ହେଲେ ବି ମିଳେ ନାହିଁ । କଣ୍ଟ୍ରୋଲ ଦୋକାନରେ ଦିନଟିଏ ଛିଡ଼ା ହେଲେ ଚାଉଳ ପୁଞ୍ଜେ ମିଳେ । ତେଣୁ ଦିନଟିଏ ମୂଲ ଲାଗି ସ ପଇସା ଆଣନ୍ତି ଓ ଆରଦିନ କଣ୍ଟ୍ରୋଲ ଦୋକାନରେ ଧାଡ଼ି ବାନ୍ଧନ୍ତି । ଏପରି ଗୁଡ଼ିଏ ଦିନ କଟିଗଲା । ଦିନେ କୁଆଡ଼ୁ ଆସିଲା ଅଜଣା ଜ୍ୱର । ସେ ଶେଯରେ ଯେ ଶୋଇଲେ ଆଉ ଉଠିଲେ ନାହିଁ । ମୁଁ ବାହାରିଲି କାମ ପାଇଁ । କାମରେ ପୁଣୀ ‘ସ୍ତ୍ରୀ’ ‘ପୁରୁଷ’ ବିଚାର-। ପୁରୁଷ ମୂଲଠାରୁ ସ୍ତ୍ରୀ ପାଏ କମ୍ । କାମ ଅଧିକ କରୁ ବା ସମାନ କରୁ ପଛକେ ମୂଲରେ ସମାନ ଅଧିକାର ତାର ନ ଥାଏ । ସମାଜର ଯାହା ବୁଝାମଣା !

 

ସୁଖେ ଦୁଃଖେ କିଛି ଦିନ କଟିଗଲା । ସ୍ୱାମୀ ମୋର ରୋଗ ଶେଯରୁ ଉଠିଲେ ନାହିଁ କି ଆଉ ଭାତ ବା ପେଜ ତାଙ୍କ କଣ୍ଠରେ ଗଳିଲା ନାହିଁ । ସେଦିନ ମୂଲ ପାଇଥାଏ ଦୁଇଟି ଟଙ୍କା । ତାଙ୍କ ପାଟିରୁ କଥା ବାହାରିଲା ନାହିଁ । ବହୁତ କାକୁତି ମିନତି ହୋଇ କବିରାଜଙ୍କୁ ଡ଼ାକିଲି । ସେ ଟଙ୍କାଟିଏ ନେଲେ । ବାଲି ଖାଇବାକୁ କହି ଚାଲିଗଲେ । ଦଉଡ଼ିଲି କଣ୍ଟ୍ରୋଲ ଦୋକାନକୁ । ମୋର ଦୂରବସ୍ଥା ଲମ୍ବା ଲାଇନର ସମସ୍ତଙ୍କୁ କହିଲି । ଦୋକାନୀକୁ ଖୁସାମତ୍ କଲି । ସବୁ ନିସ୍ଫଳ ହେଲା । ଜଣେ କନେଷ୍ଟବଳ ଶାନ୍ତି ରକ୍ଷା କରିବା ପାଇଁ ସେଠି ଠିଆ ହୋଇଥିଲା । ଗଣ୍ତଗୋଳ କରୁଚି ବୋଲି ଶାନ୍ତିରକ୍ଷକ ମତେ ଧକ୍କା ମାରି ମାରି ସମସ୍ତଙ୍କ ପଛରେ ଠିଆ କରାଇଦେଲା । କେହି ଟିକିଏ ‘ଆହା’ କରନ୍ତେ କଅଣ ନାକରେ ହାତଦେଇ ହସିଲେ । ମୁଁ ଛିଡ଼ା ହେଲି, ଜଣ ଜଣ କରି ଆଗ ଲୋକ ଯାଉ ଥାଆନ୍ତି । ମୋ ପାଳି ପଡ଼ିବାର ଆଶା ବଢ଼ି ବଢ଼ି ଚାଲିଥାଏ । ବେଳ ଗଡ଼ିଯିବା ସଙ୍ଗେ ସଙ୍ଗେ ମୋ ମନରେ ଉତ୍କଣ୍ଠା ମଧ୍ୟ ବଢ଼ି ବଢ଼ି ଚାଲିଥାଏ । ଘଣ୍ଟା ବାଜିଲା ବାର । କିଉରେ ଛିଡ଼ା ହୋଇ ହୋଇ ଅବଶେଷରେ ନିଷ୍ଫଳ ହୋଇ ଫେରିଲି ଘରକୁ । ଦୋକାନୀ ବେଳ ହେବାରୁ ଦୋକାନ ବନ୍ଦ କରିଦେଲା । ମୁଁ କେତେ କାନ୍ଦିଲି, କେତେ ନେହୁରା ହେଲି । ସବୁ ବୃଥା ।

 

ମଦୁଆଙ୍କ ପରି ଟଳି ଟଳି ଘରକୁ ଫେରିଲି । ଘରେ ସବୁ ଶେଷ । ଡରିଲି ଗାଁ ଲୋକଙ୍କୁ-। ଶୁଦ୍ଧି ହେବି କିପରି ? ଘରଟା ତ ମୋର ନୁହଁ । ବନ୍ଧା ପକାଇଚି ।

 

ଆଉ କାଳ ବିଳମ୍ବ ନ କରି ବଡ଼ କଷ୍ଟରେ ମୋ ପ୍ରାଣ ଧନକୁ ଘୋସାରି ନେଇ ମା ଗଙ୍ଗାଙ୍କ କୋଳରେ ମେଲି ଦେଲି । ସ୍ରୋତସ୍ୱନୀ ନଦୀ ଗର୍ଭ ବିସ୍ତାର କରି ତାଙ୍କୁ ଆନନ୍ଦରେ ଗ୍ରହଣ କଲା ।

 

ମୁଁ ବୁଲିଲି । ଲୋକେ କହିଲେ ମତେ ପାଗଳିନୀ । ମତେ ଦେଖି କୁକୁର ଭୁକିଲେ । ପିଲାଏ ଟେକା ପଥର ଫୋପାଡ଼ିଲେ । ଶିକ୍ଷିତ ଲୋକେ କହିଲେ ଚୋରଣୀ । ସମଦୁଖୀଏ କହିଲେ ‘ବିଚାରୀ’ । ସବୁ ଶୁଣିଲି । ଛାତି ପଥର କଲି । ଜୀବନଟାକୁ ଛି କରି ପାରିଲି ନାହିଁ । ତାଙ୍କୁ ସିନା ନଦୀ ଗର୍ଭରେ ଫିଙ୍ଗିଦେଲି ମାତ୍ର ମୁଁ ମୋଟେ ଡେଇଁ ପାରିଲି ନାହିଁ । ପାରନ୍ତି କିପରି ? ମୋ ଜୀବନରେ ଦୁଃଖ ଲେଖା । ମୋର ପୂର୍ବପୁରୁଷଙ୍କର ଦୁଷ୍କୃତିରୁ ପରିତ୍ରାଣ ପାଇବା କ’ଣ ଏତେ ସହଜ-? ଏତେ ସଅଳ ମରୁନି ମୁଁ ।

 

ବଡ଼ କଷ୍ଟରେ ଏକ ନିଶ୍ୱାସରେ ବିଚାରୀ ନାରୀଟି ଏତିକି କହି ଦେଇ ଧଇଁସଇଁ ହେଲା । ସୁଁ ସୁଁ କରି କାନ୍ଦିଲା । ମାତ୍ର ଆଖିରୁ ଟୋପାଏ ହେଲେ ଲୁହ ନିଗିଡ଼ିଲା ନାହିଁ । ଲୁହତକ ସବୁ ଶୁଖି ଯାଇଥିଲା ।

 

ମୁନାବାବୁ ତା କଥା ଶୁଣି ଆଁ କରି ଚାହିଁ ରହିଲା । ସେ ବିଚାରୀ କେତେବେଳୁ ଉଠି ଚାଲିଗଲାଣି । ନନା ପଛରୁ ଚିତ୍କାର କରି କହିଲେ—ଓହୋ, ମୋ ଘରେ ଗୋପବନ୍ଧୁ ଜନ୍ମିଚନ୍ତି । କି ପର ଦୁଃଖକାତର ରେ !

 

ମୁନାବାବୁର ଚେତନା ଆସିଲା । ସେ ଘର ଭିତରକୁ ଆସି ବୋଉ କୋଡ଼ରେ ମୁହଁ ଲୁଚାଇ କଇଁ କଇଁ ହୋଇ କାନ୍ଦିପକାଇଲା । କହିଲା—ବୋଉ ମ ! ଟିକିଏ ଡେରି ହେଲେ ଆମେ ବିଗିଡ଼ି ଯାଉଚୁ । ମୁହଁରୁ ବରାଦ ବାହାରିଲା ମାତ୍ରକେ ନ ରଖିଲେ ଆମ ମୁଣ୍ତ ଗରମ ହେଇଯାଉଚି; ଅଥଚ ଏ ସଂସାରରେ କି କରୁଣ ଛବି ସତେ ନାହିଁ !

 

ବୋଉ ତାଙ୍କ କଅଁଳିଆ ହାତରେ ମୁନା ମୁଣ୍ତର ବାଳ ଆଉଁସୁ ଆଉଁସୁ ଦୁଇ ଟୋପା ଲୁହ ଗଡ଼ାଇଦେଲେ ।

★★★

 

ପାଣିକଳ

 

ଅଣାଅଶିଟି ପରିବାର । ଅର୍ଦ୍ଧାଧିକ ହରିଜନ । ହରିଜନ ବସ୍ତି ହେତୁ ପାଣି କଳଟିଏ ସରକାର ଦେଇଥାଆନ୍ତି । ହେଲେ ସବର୍ଣ୍ଣଙ୍କର ଅଧିକରା ଅଧିକ । ପହିଲେ ସେମାନେ ପାଣି ନେବା ପରେ ହରିଜନଙ୍କ କଥା । ତାଙ୍କ ପାଳି ।

 

ଧନିଆ ସଅର । ଗାଁରେ ବୁଢ଼ା ବାପ, ମା ଆଉ ଛୋଟ ଭାଇ ଭଉଣୀଙ୍କୁ ଛାଡ଼ିଦେଇ ଧାଇଁ ଆସିଚି ସହରକୁ । ମୂଲ ଲାଗିବ । ଟଙ୍କା ପଠାଇବ । ଗାଁରେ ଚାରି ପ୍ରାଣୀ ବଞ୍ଚିବେ ।

 

ଥରକୁ ଥର ସାତଥର ମିଲ ମାଲିକଙ୍କ ସହ ଦେଖା କଲାଣି । ସବୁବେଳେ ଆଶା ଦଉଛନ୍ତି ମାଲିକେ । ଆଶାରେ ବଞ୍ଚିରହିଚି ଧନିଆ ।

 

ଗାଁ’ରେ ସେମାନେ କ’ଣ କରୁଥିବେ ଏ ଚିନ୍ତାରେ ନିଦ ହେଉନି ତାକୁ । ହୋଟେଲରେ କାମ ପାଇଟି କରି ମୁଠେ ମୁଠେ ଯାହା ମିଳେ ବଡ଼ ସନ୍ତର୍ପଣରେ ଗିଳିଦିଏ । ଖାଇଲାବେଳେ ତା ବୁଢ଼ାବାପ, ବୁଢ଼ୀମା ଓ ଭାଇ ଭଉଣୀଙ୍କ ଭୋକିଲା ମୁହଁ ଦିଶେ ।

 

ତା ତୋଟି ଶୁଖିଯାଏ । ସେ ଛେପ ଢୋକି ପାରେନି ।

 

ବଇଶାଖ ଖରା । ଦିହରୁ ଗମ୍ ଗମ୍ ଝାଳ ବହିଯାଉଚି । ମାଲିକଙ୍କ ଗୋଡ଼ତଳେ ବସି ବସି ନିଷ୍ଫଳ ହୋଇ ଫେରିଲା ଧନିଆଁ ।

 

ଆଶ୍ରୟ ନେଇଥିବା ଗଛ ମୂଳକୁ ଚାଲି ଚାଲି ଗଲା ।

 

ବାଟରେ ବଡ଼ ଶୋଷ ହେଲା । ଗୋଡ଼ ଦୁଇଟା ପୋଡ଼ି ଫୋଟକା ହେଇଗଲାଣି । ଧାଇଁଚି ପ୍ରାଣ ବିକଳରେ ପେଟେ ପାଣି ପିଇ ନିଜର ଭୋକ ସମ୍ଭାଳି ନେବାପାଇଁ । ପାଣି କଳ ଚାରି ପାଖରେ ଲୋକ ଭିଡ଼ । ଯେଉଁ ହରିଜନଙ୍କ ପାଇଁ ପାଣିକଳ, ସେମାନେ ମୁହଁ ଶୁଖାଇ ଗୋଟି ଗୋଟି କରି ଫେରୁଥାଆନ୍ତି ।

 

ସବର୍ଣ୍ଣ ଲୋକେ ଜଣଙ୍କ ପଛରେ ଜଣେ ଆସୁଥାଆନ୍ତି ।

 

ଧନିଆ ସମସ୍ତଙ୍କୁ ପାଣି ମୁନ୍ଦେ ପାଇଁ ଅଳି କରେ । ସଭିଏ ମେଘ ଘଡ଼ଘଡ଼ିଆ ପାଟି କରି ତାକୁ ଡରାଇ ଦିଅନ୍ତି । ତା ଗୋଡ଼ ଜଳି ଯାଉଥାଏ; ହେଲେ ପାଣିର ଆଶା ମଉଳି ନ ଥାଏ । ଅବଶେଷରେ ସବର୍ଣ୍ଣ ଲୋକଙ୍କ ବାଧା ନ ମାନି ସେ କଳରୁ ଚଁ ଚଁ କରି ପେଟେ ପାଣି ପିଇଦେଲା ।

 

ସେହି ବସ୍ତିର ମୁଖିଆ ଲୋକ କଳ ପାଖରେ ଥୋଇଥିଲେ ମାଠିଆ । ଧନିଆ ପାଣି ପିଇବାବେଳେ ଟୋପାଏ ପାଣି ମାଠିଆ ଉପରେ ପଡ଼ିଗଲା । ଗର୍ଜି ଉଠିଲେ ମୁଦୁଲିଏ ।

 

ସବଳ କୁକୁର ପାଖରେ ଧଡ଼ିଆ କୁକୁରଟି ଲାଙ୍ଗୁଡ଼ ଜାକି ଆତ୍ମସମର୍ପଣ କଲାପରି ଧନିଆ ଦୋଷ ମାନିଲା । କାନ ମୋଡ଼ି ହେଲା ଆପେ ଆପେ; ଚାପୁଡ଼ା ମାରିହେଲା । ଏଥିରେ ଅଧିକ ଚିଡ଼ିଲେ ମୁଦୁଲିଏ । କହିଲେ—ମତେ ଥଟ୍ଟା କରୁଚୁ ନାହିଁ ? ଏହାର ଫଳ ତୁ ପାଇବୁ । ସମସ୍ତେ ମିଳିମିଶି ଧନିଆକୁ ଗାଳିଦେଲେ । ହାତ ପୁରାଇ ମାରି ଥାଆନ୍ତେ; ମାତ୍ର ଛୁଆଁ ହେବା ଭୟରେ ସେଥିରୁ ଅପସରି ଗଲେ ।

 

ଧନିଆ ବିଚରା ପଛାଇ ପଛାଇ ଚାଲିଗଲା ଗଛ ମୂଳ ପଲା ଭିତରକୁ । ଆଜି ତା ମନ ବଡ଼ ଆନନ୍ଦ । ବଡ଼ ମାଲିକେ ଆଶା ଦେଇଛନ୍ତି । କାଲିଠାରୁ ମୂଲ ମିଳିବ । ଦିନକୁ ତିନି ଟଙ୍କା । ଆଗ ପଇସା ଦେଇ ମାଠିଆ କିଣେଇ ନବ । ମୁଦୁଲିଙ୍କ କୋପ ଶାନ୍ତି ହେବା ପରେ ଘରକୁ ପଠାଇବ ଟଙ୍କା ।

 

ମଦନ ଦାଦି ପଅରଦିନ ଗାଁକୁ ଯିବ । ଆସିବା ଦିନଠୁ ହପ୍ତାକ ଉପରେ ସେ ଏଠି ରହିଲାଣି । ବାପ ମା ପାଣିପିଇ ଦିନ କାଟୁଥିବେ । ଭାଇ ଭଉଣୀ ମାଗି ଯାଚି ଚଳାଇ ନେଉଥିବେ ।

 

“ଏ ଦୁଇଟଙ୍କା ମୋ ମୂଲରୁ ପାଇଲେ ବଞ୍ଚିଯିବେ ଯେ !”

 

ଧନିଆର ଆନନ୍ଦ କହିଲେ ନ ସରେ । ଆଣ୍ଠୁମାଡ଼ି ବସି ପଡ଼ିଲା ଧନିଆ । ବିଭୁ ପଦାରବିନ୍ଦରେ କୃତଜ୍ଞତାର ସହିତ ଶତ ନମସ୍କାର କଲା । ପିତା ମାତା ଓ ଭାଇ ଭଉଣୀଙ୍କୁ ବଞ୍ଚାଇବାର କ୍ଷମତା ହାତ ପାହାନ୍ତିରେ ଥିବାରୁ ଯେ ନିଜକୁ ଧନ୍ୟ ମଣିଲା, ସହରକୁ ଆସିବାର କରୁଣ ଦୃଶ୍ୟ ଗୋଟି ଗୋଟି କରି ତା ଆଖି ଆଗରେ ନାଚି ଉଠିଲା । ଆଖି ତାର ସଜଳ ହୋଇ ଉଠିଲା । ବୁଢ଼ା ବାପକୁ ମୁଣ୍ତିଆ ମାରିଲା । ବାପ ତାର ଥରିଲା ହାତରେ ମୁଣ୍ତକୁ ଆଉଁସି ଦେଇଥିଲା-। ମା’କୁ ଜୁହାର ହେଲା । ମା ଦେଇଥିଲା ସ୍ନେହର ଚୁମ୍ବନ । ସାନ ଭଉଣୀ ଓ ଭାଇଙ୍କ କାନ୍ଦ ତାକୁ ପାଗଳ କରି ପକାଇଥିଲା । ବାଟତକ କାନ୍ଦି କାନ୍ଦି ସେ ଆସିଥିଲା । ପୁଣି ସେ କଥା ମନେ ପକାଇ ସେ କାନ୍ଦି ପକାଇଲା । ଏଣିକି ଦୁଃଖର ରଜନୀ ପାହିଯିବ । ସେ ପାଇବ ମୂଲ । ଅତି କଷ୍ଟସାଧ୍ୟ କାମକୁ ହାତକୁ ନେବ । ଦୁଇଗୁଣ ଖଟିବ । ଅଧିକ ଅର୍ଜନ କରିବ । ସମସ୍ତଙ୍କ ମୁହଁରେ ଫୁଟାଇବ ହସ । ଧନିଆ ଧନେଶ୍ୱର ହେବ । ଏଇ ପଲାଟିକୁ ଘେନି ଆସିବ ପିତା, ମାତା ଆଉ ଆଦରର କନିଷ୍ଟ ଭାଇ ଭଉଣୀଙ୍କୁ । ଆଉ ଭାବି ପାରିଲା ନାହିଁ ଧନିଆ । ପଲା ଘରୁ ବାହାରକୁ ଗଲା-। ତଳେ ବସିପଡ଼ିଲା । ଆକାଶକୁ ଚାହିଁଲା । ଉଜ୍ଜ୍ୱଳ ତାରକା, ଗ୍ରହ, ନକ୍ଷତ୍ର, ଚନ୍ଦ୍ର ତାକୁ ବଡ଼ ସୁନ୍ଦର ଦିଶିଲେ-। ଏତେ ସୁନ୍ଦର ଏଗୁଡ଼ିକ କେବେ ଦେଖାଯାଇ ନ ଥିଲେ ତାକୁ ।

 

ବହୁତ ବେଳଯାଏ ବସିଲା ଧନିଆ ବାହାରେ । ପବନ ସୁସୁ ବହିଲା । ଥଣ୍ତା ଲାଗିଲା ଧନିଆକୁ । ଚାକିରୀ ଆଶା ତାକୁ ନିଶ୍ଚିନ୍ତତା ଆଣି ଦେଇଥିଲା । ପୁଣି ଥଣ୍ତା ପବନ ବହିବାରୁ ଆଖିପତା ତାର ବୁଜି ବୁଜି ହୋଇ ଆସିଲ । ସେ ଟଳି ଟଳି ପଲା ଭିତରକୁ ପଶିଗଲା ।

 

ତଳେ ଲମ୍ବ ହୋଇ ଶୋଇପଡ଼ିଲା ଧନିଆ । ମୁଣ୍ତଟି ପଥର ଉପରେ ଆଉ ଦେହଟି ଧରଣୀର କୋଡ଼ରେ । ଶେଯ, ମାଣ୍ତି, ଚଦରକୁ ଅପେକ୍ଷା ରଖେନି ଶ୍ରମିକର ନିଦ୍ରା । ଶୋଇପଡ଼ିଲା ନିଶ୍ଚିନ୍ତରେ ଧନିଆ । ଧନିଆ ସପନ ଦେଖୁଚି । ପଲା ଘରେ ତା ବାପ ଓ ମା ପେଜ ଖାଉଚନ୍ତି । ସାନ ଭାଇ ଭଉଣୀଙ୍କ ମୁହଁରେ ଦେଉଛନ୍ତି ଭାତ ମୁଠିଏ । ଧନିଆ ପାଇଁ ମା ତାର ସରାଗରେ ପେଜ ମିଶା ଭାତ ବାଢ଼ି ଦେଉଚି । ଧନିଆ ପରମ ସନ୍ତୋଷରେ ସେତକ ଅମୃତ ପାଇଲା ପରି ଖାଇଯାଉଚି ।

 

ପଲା ବାହାରେ ବହୁତ ଲୋକ ରୁଣ୍ତ, ହେଇଛନ୍ତି, ଭାରି ପାଟିଗୋଳ । କିନ୍ତୁ ସେ ପାଟି ଶୁଖିବା ପାଇଁ ନ ଥିଲା ଧନିଆ । ସେ ଚାଲି ଯାଇଥିଲା ସେ ପୁରକୁ ଯେଉଁଠି ଛୁଆଁ ଅଛୁଆଁ ବଡ଼ ସାନ ଭେଦ ନାହିଁ । ପରମ ଶାନ୍ତି ପାଇଲା ଧୁନିଆଁ । ବାପ, ମା ଓ ସାନ ସାନ ଭାଇ ଭଉଣୀଙ୍କ ହନ୍ତସନ୍ତ ଅବସ୍ଥା ଦଖିବାକୁ ସେ ରହିଲା ନାହିଁ । ପାଣିକଳରୁ କଳି, କଳିରୁ ଡିଆସିଲି ପୁଡ଼ା କାମ ଦେଖାଇଲା । ପରା ଘରଟି ଜଳି, ପୋଡ଼ି ପାଉଁଶ କରି ଦେଇଥିଲା ଧନିଆ ସଅରକୁ ।

 

ହରିଜନ ବସ୍ତିରେ ଫୁସ୍‍ଫାସ୍‍ ଶବ୍ଦ ଶୁଣାଗଲା । ବଡ଼ମାନେ ଛୋଟମାନଙ୍କୁ କହିଲେ ଚୁପ୍‍ ହୁଅ । ସେ ଗଲା, ଆମେ ବି ଦିନେ ଏ ଦଶା ଭୋଗିବା । ସରକାର ଅଭୟ ଦେଲେ କଅଣ ହେବ, ନିୟମକାନୁନ ବାନ୍ଧିଲେ କ’ଣ ହେବ ହେ । ସମାଜ ତ ମାନିଲେ ହେବ ! ଧନିଆ ବିଚାରା କ’ଣ କଲା ? ପାଣି ଟୋପେ ତ ପିଇ ଦେଲା । ମାଠିଆରେ ଅଇଁଠା ପାଣି ପଡ଼ୁ ନ ପଡ଼ୁଣୁ ସେହି ମାଠିଆଟା ତାରି ଉପରେ ଭାଙ୍ଗିଲା । ବିଚରା ଧନିଆ ଭାବିଥିଲା ଦଣ୍ତ ସରିନି । ମୁଣ୍ତରୁ ରକ୍ତ ବହି ଯାଉଥାଏ । କାନ ଧରି ଉଠୁ ବସ ହେଲା । ଚାପଡ଼ା ମାରି ହେଲା । ବଡ଼ଠାରୁ ସାନ ସମସ୍ତଙ୍କ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କଲା; ଅଥଚ ଏମାନଙ୍କ ପଥର ହୃଦୟ ତରଳିଲା ନାହିଁ । ତା ପଲା ଘରଟି ବାହାରୁ ବନ୍ଦ କରି ନିଆଁ ଲଗାଇ ଦେଲେ । ସେ ମଲା, ଗଲା ନାହିଁ ଯେ ଏମାନଙ୍କ ଦାଉରୁ ରକ୍ଷା ପାଇଗଲା ।

 

ଆଉ ଆମମାନଙ୍କର ପାଳି କେବେ ପଡ଼ୁଚି କିଏ ଜାଣେ ?

★★★

 

ଅଶରୀରୀର ବାଣୀ

 

ମୁଁ ତ ଏ ପୁରରେ ନାହିଁ । ବହୁତ ଖୋଜିଲି, ମୋର ପ୍ରାଣରେ ଦେବତା—ସ୍ୱାମୀଙ୍କୁ । ପୁଣି ଚାହିଁଲି ମୋର ଜୀବନର ପୁଅଝିଅ ଦୁଇଟିଙ୍କୁ । ହେଲେ କେହି ମିଳିଲେ ନାହିଁ । ମିଳନ୍ତେ କିପରି ? ଚିର ରୁଗ୍‍ଣ ସ୍ୱାମୀଙ୍କୁ ମୋର କଷ୍ଟାର୍ଜିତ ସାମାନ୍ୟ ଅର୍ଥ ବଦଳରେ ଗଣ୍ତାଏ ପଥି ଓ ଟୋପାଏ ଔଷଧ ଦେଇପାରିଲି ନାହିଁ । ସେ ରୁଷି ଚାଲିଗଲେ । ମୋ କଡ଼ରେ ରଖିଗଲେ ତାଙ୍କର ଦୁଇଟି ସ୍ୱାକ୍ଷର । ସାନଟି ତିନି ମାସର ଝିଅ ଆଉ ବଡ଼ଟି ପାଞ୍ଚ ବର୍ଷର ପୁଅ । ପ୍ରାଣପାତ କରି ଖଟିଲି । ମୁଣ୍ତଝାଳ ତୁଣ୍ତରେ ମାରି ବହୁ କଷ୍ଟାର୍ଜିତ ଧନରେ ପିଲା ଦୁଇଟିଙ୍କୁ ବଞ୍ଚାଇ ରଖିବା ଅସମ୍ଭବ ହେଲା । ଟିକିଏ ହସ ଓ ପଦିଏ କଥା ବଦଳରେ ଧନ ଦୌଲତର ପ୍ରଲୋଭନ ମିଳିଲା । ସୀତା, ସାବିତ୍ରୀ ଦେଶରେ ଗୋଡ଼ ଖସାଇ ପର ପୁରୁଷଙ୍କ ମୁହଁକୁ ଚାହିଁ ହସିବା ବା ପଦେ କଥା କହିବା ମୋ ପକ୍ଷେ ଅସମ୍ଭବ ହେଲା । ଇଟା କଣ୍ଟ୍ରାକ୍ଟର ପାଖରେ ହାଲୁକା କାମ କରି ମୋରି ସାଙ୍ଗରେ ଚେମି, ଚଞ୍ଚି, ଚାନ୍ଦ, ଆଦି ନାରୀଏ ତୋଫାଲୁଗା ପିନ୍ଧି ଉଚ୍ଚ ହାରର ମୂଲ ପାଇଁ ଦେଶ ସୁଖରେ ରହିଲେ । ମୋତେ ବଢ଼ାଇଲେ ତାଙ୍କରି ପରି କଣ୍ଟ୍ରାକ୍ଟରଙ୍କ ସଙ୍ଗେ ମିଳିମିଶି ଚଳିବାକୁ । ମାତ୍ର ମୁଁ ପାରିଲିନି । ବହୁବାର ଶିଶୁଙ୍କ ଭୋକ ଉପାସ ଓ ମୋର ସତୀ ପଣିଆ ମଧ୍ୟରେ ଲଢ଼େଇ ଲାଗିଲା । ପାଦ ଖସି ଯାଉ ଯାଉ ପ୍ରଭୁଙ୍କ କୃପାରୁ ଅବାଟକୁ ଖସିଯିବାର ବିପଦରୁ ରକ୍ଷା ମିଳିଯାଏ ।

 

ମଣିଷଗୁଡ଼ାକ ଏତିକି ହିଂସ୍ର ! ସେମାନଙ୍କ ସ୍ୱାର୍ଥ ସାଧିତ ନ ହେଲେ ସେମାନେ କ୍ରୋଧାନ୍ଧ ହୁଅନ୍ତି । ଇତର ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହୋଇଯାଆନ୍ତି । ଇଟା କଣ୍ଟ୍ରାକ୍ଟରର କାମବହ୍ନିରେ ମୁଁ ନିଜକୁ ଜାଳିପୋଡ଼ି ନ ଦେବାରୁ ସେ ବ୍ୟାଘ୍ର ସର୍ପାଦିଙ୍କଠାରୁ ଉତ୍କଟତର ହିଂସକା ହୋଇଥିଲେ । ମୁଁ ଯେତେ କାମ କଲେ ମଧ୍ୟ ତାଙ୍କୁ ସନ୍ତୁଷ୍ଟ କରିପାରୁ ନ ଥାଏ, ସେ କଥା କଥାକେ ଚିଡ଼ି ଉଠୁଥାଆନ୍ତି, ନାଲି ଆଖି ଦେଖାନ୍ତି । ମୁହୂର୍ତ୍ତେ ଛିଡ଼ାହେଲେ କିମ୍ବା ନିଶ୍ୱାସ ମାରିଲେ ଅତି ନିଷ୍ଠୁର ଭାବରେ ମୋତେ କର୍ମକୋଢ଼ି, ଠାପୋଈ ଆଦି କହି କାମକୁ ନ ଆସିବା ପାଇଁ ତାଗିଦ୍ କରିଦିଅନ୍ତି । କାନ୍ଦି କନ୍ଥେଇ କାମ କରେ । ସାନ ପିଲା ଦୁଇଟିଙ୍କୁ ଘରେ ଛାଡ଼ି ଆସୁଥିବାରୁ ମନରେ ନାନା ଆଶଙ୍କା ଓ ଉଦବେଗ ଜନ୍ତୁଥାଏ ।

 

ମୋର ଦିନଯାକର କାମର ମୂଲ ପିଲା ଦୁଇଟିଙ୍କର ଓ ମୋର ଗ୍ରାସାଚ୍ଛାଦନ ପାଇଁ ଯଥେଷ୍ଟ ହେଉ ନ ଥାଏ । ଢୋକେ ପିଇ ଦଣ୍ତେ ଜୀଇ ଅବସ୍ଥାରେ କେତେଗୁଡ଼ିଏ ଦିନ କଟିଗଲା । ଇଟା ମଜୁରୀ ଛାଡ଼ି ଅନ୍ୟ ଧନ୍ଦା ଖୋଜିଲି, ମାତ୍ର ଅନ୍ୟ କାମ ମିଳିଲା ନାହିଁ । ଏହି କାମରୁ ବିତାଡ଼ନ ଭୟ ମୋତେ ଭୀତ ଓ ତ୍ରସ୍ତ କଲା । ତୁଣ୍ତ ବାଇଦ ସହସ୍ର କୋଶ । ଅନ୍ୟତ୍ର କାମ ଖୋଜିବା କଥା ତୁଣ୍ତରୁ ତୁଣ୍ତକୁ ଯାଇ ଶେଷକୁ ଇଟା କଣ୍ଟ୍ରାକ୍ଟର କାନରେ ପହଞ୍ଚିଲା । ସେ ମତେ ଡାକି ଆଉ କାମକୁ ନ ଆସିବାକୁ ହୁକୁମ ଦେଲେ । ମୁଁ ତାଙ୍କ ଗୋଡ଼ହାତ ଧରି ବହୁତ ନେହୁରା ହେଲି । ସେ ଗୋଡ଼ ଛିଞ୍ଚାଡ଼ି ଦେଲେ । ମୋ କଥା ଶୁଣିଲେ ନାହିଁ । ମୋ ଅଳି ରଖିଲେ ନାହିଁ । ପାଖରେ ଇଞ୍ଜିନିୟର ସାହେବ ଠିଆ ହୋଇଥିଲେ, ତାଙ୍କ ମନରେ ଦୟା ଜାତ ହେଲା । କଣ୍ଟ୍ରାକ୍ଟରଙ୍କୁ ସେ ମୋ ପାଇଁ ସୁପାରିଶ କଲେ, ମୋ କାମଟା ଆପାତତଃ ରହିଗଲା ।

 

ପୁଣି ଅକ୍ଳାନ୍ତ ପରିଶ୍ରମ । ତା ବିନିମୟରେ ନଗଣ୍ୟ ମଜୁରୀ ପଇସା ପାଇ ସନ୍ଧ୍ୟାବେଳେ ଦଉଡ଼େ ବଜାରକୁ । ସେଠାରେ ଧାଡ଼ିହୋଇ ପାଳିକୁ ଅପେକ୍ଷା କରିବାକୁ ପଡ଼େ । ପାଳି ପଡ଼ୁ ପଡ଼ୁ ବହୁତ ଡେରି ହୋଇଯାଏ । ଘରକୁ ଫେରି ଦେଖେ ପିଲା ଦୁଇଟିଯାକ ଶୋଇ ପଡ଼ିଥାନ୍ତି । ସେମାନଙ୍କ ଶୁଖିଲା ମୁହଁ ଦୁଇଟିକୁ ଦେଖି ଛାତି କରତି ହୋଇଯାଏ । ସାନ ପିଲାଟିକୁ ନିଦ୍ରାବସ୍ଥାରେ ଖୁଆଇ ଦିଏ । ସେ ଖାଇଦିଏ, ମାତ୍ର ବଡ଼ଟି ଉଠେନି କି ଖାଏନି । ସେମିତି ଓପାସରେ ଶୋଇପଡ଼େ । ସେ ଯେତେବେଳେ ଖାଏନି, ମୋ ପେଟକୁ ଦାନା ଯାଆନ୍ତା କିପରି ? ମୁଁ ବି ନ ଖାଇ ଶୋଇପଡ଼େ । ସକାଳୁ ଉଠି ପିଲାଙ୍କୁ ଖୁଆଏ ମୁଠେ ଭାତ, ପେଟେ ତୋରାଣି ପିଇ କାମକୁ ଚାଲିଯାଏ । ଏହିପରି ଦିନଗୁଡ଼ିକ କଟିଯାଏ । ମୋ କପାଳକୁ ଦୁର୍ଦ୍ଦିନ ଆସି ପହଞ୍ଚିଗଲା । ଝଡ଼ ବର୍ଷା ହେବାରୁ ଇଟାଗଢ଼ା କାମ ବନ୍ଦ ହୋଇଗଲା । ସେ ଝଡ଼ ଦିନ ଦିନ ଧରି ଚାଲିଲା । ବନ୍ଦ ହେଲାନାହିଁ-। ହାତରେ ତ ପଇସା ନ ଥାଏ, ମାଗିଯାଚି, କରି ଚଳାଇବା ମୋ ପକ୍ଷେ ସମ୍ଭବ ହେଲାନି-

 

ସମସ୍ତଙ୍କ ଦୁଆରକୁ ଧାଇଁଚି । ଅଳ୍ପ ବହୁତ ପାଇଚି ମଧ୍ୟ । ଦେଇ ଦେଇ ଲୋକ ବିରକ୍ତ ହୁଅନ୍ତି । ତଥାପି ପିଲା ଦୁଇଟିଙ୍କ କଥା କହିବାରୁ, ଆଖିରୁ ଲୁହ ଗଡ଼ାଇବାରୁ ନିଜ ପେଟରୁ କାଟି କିଏ କିମିତି କିଛି ଦିଅନ୍ତି । ଆମ ପଡ଼ାଟା ଶ୍ରମିକପଡ଼ା । ଢୋକେ ପିଇ ଦଣ୍ତେ ଜୀଇବା ଅବସ୍ଥାରେ ସମସ୍ତେ ଥାଆନ୍ତି । ଦୁଃଖିରଙ୍କୀ ଲୋକେ କେବେହେଲେ ଆମ ପଡ଼ାଟିରୁ ନିରାଶ ହୋଇ ଭିକ ମୁଠିଏ ନ ପାଇ ଫେରିବାର କେହି କେବେ ଦେଖି ନାହିଁ । ଏଇମାନଙ୍କ ବଳରେ ବଳୀୟାନ ହୋଇ ପତିଙ୍କୁ ହରାଇଥିଲେ ମଧ୍ୟ ମୋର ଦୁଃଖର ଦିନଗୁଡ଼ିକ କଟି ଯାଉଥାଏ । ଲୋକେ କାମ ପାଉଥାଆନ୍ତି । ମୂଲ ମିଳୁଥାଏ । ମୂଲ ବିନିମୟରେ ଜିନିଷ ବି ମିଳୁଥାଏ । ମାତ୍ର କ୍ରମେ କ୍ରମେ ମୂଲ ସିନା ମିଳିଲା ତା ପ୍ରତି ବଦଳରେ ଚାଉଳ ମୁଠାଏ ବି । ଖାଦ୍ୟ ପଦାର୍ଥ ଗଣ୍ତାଏ ମିଳିବା କ୍ରମେ ଅସମ୍ଭବ ହେଲା । ଏଥିରେ ଯିଏ ଯାହା କଥା କଲେ, ଭିକାରୀଙ୍କୁ ଲୋକେ ଦେଖିଲେ ଦୁଆର କିଳି ଲୁଚିଲେ । ନିଜ ଦୁଃଖର ତ ଅନ୍ତ ନାହିଁ, ଆଉ ପର ଦୁଃଖ ଦୂର କରିବା କଥା ବା ସମ୍ଭବ ହୁଅନ୍ତା କିପରି ?

 

ଭାବିଲି ଏ ଝଡ଼ ତ ସମସ୍ତଙ୍କୁ ଦୋହଲାଇ ଦେଉଚି । କାମ କାହାରିକୁ ମିଳନି । ମୁଁ ଚାଲିଯାଏ ଟିକିଏ ଦୂରକୁ । ପାଖ ପଡ଼ାରେ ବଡ଼ ବଡ଼ ଲୋକଙ୍କ ଘର । ଧଳା ଚୂନଲିପା ଘର । ଗଗନ ଛୁଉଁଚି ଘରଗୁଡ଼ିକ । କାହା ଘରେ ବାଜୁଛି ଗ୍ରାଫୋନ ତ କାହାଘର ରେଡ଼ିଓ ସ୍ୱନରେ କମ୍ପି ଉଠୁଚି । ସତେ ଅବା ଇନ୍ଦ୍ର ଭବନ ପରି ଘରଗୁଡ଼ିକ । ଏକୁ ଆରେକ ବଳୀଆର । ବଡ଼ ସାହସ କରି ପ୍ରଥମ ଗେଟ ପାଖକୁ ଗଲି । ଲେଖାଅଛି କୁକୁରକୁ ସାବଧାନ । କୁକୁରର ଛବି ବି ଦିଆଯାଇଛି । ବିଶ୍ୱସ୍ତ କୁକୁରର ପ୍ରଳୟଙ୍କରୀ ଭୟାବହ ଚିତ୍ର ଦିଆଯାଇଛି । ସବୁ ଶକ୍ତି ସଞ୍ଚୟ କରି ଡାକ ପକାଇଲି ମୁଠାଏ ଭିକ ପାଇଁ । ଗେଟ୍ ସେପାଖରୁ ରାକ୍ଷସପରି ଗୋଟାଏ କୁକୁର ଗର୍ଜି ଉଠି ଧାଇଁଆସିଲା । ଦଉଡ଼ିଲି ଆରଘର ଗେଟ ପାଖକୁ । ସେଠାରେ ଛିଡ଼ାହୋଇ ମାଗିଲି । ଜଣେ ମାଟିଆ ରଙ୍ଗପିନ୍ଧା ବାବୁ ଚାଲି ଆସିଲା । ତା ପାଟିକୁ ଯାହା ଆସିଲା ଗର୍ଜନ ତର୍ଜନ କରି ଭତ୍ସନା କଲା । କହିଲା—ଚାଲିଯା ଏଠାରୁ । ବାବୁଘର ଭିକାରୀଙ୍କୁ ଦେଖିଲେ ବଡ଼ ଖପା ହୁଅନ୍ତି । କହନ୍ତି, ଏ ଗୁଡ଼ାଙ୍କୁ ବନ୍ଧୁକରେ ଲାଛିଦେଲେ ଦୋଷ ଲାଗିବ ନାହିଁ । ହଟିଯାଅ । ତୃତୀୟ ଦୁଆରକୁ ଗଲି । କାନ୍ଧରେ ବନ୍ଧୁକ ଧରି ବାବୁ ଜଣେ ଏପଟ ସେପଟ ହେଉଥାନ୍ତି । ସାହସ ହେଲା ନାହିଁ । ସେ ଦୁଆର ଆର ଦୁଆରକୁ ଗଲି । ସେଠାରେ ଚିତ୍କାର କରି ଡାକିଲି । ମନରେ ଆଶାର ବୈତରଣୀ ବହିଗଲା, ଜଣେ ନାରୀ ଚାଲି ଆସିଲେ ଗେଟ୍ ପାଖକୁ । ଭାବିଲି—ନିଶ୍ଚୟ କିଛି ମିଳିଯିବ । ନାରୀ ଦୟାର ମୂର୍ତ୍ତି । ପର ଦୁଃଖ ଉସ୍ୱାସ କରିବାର ଧୂରୀଣ । ଅବଶ୍ୟ ସହାନୁଭୂତି ମିଳିବ । ସେ ଯେତିକି ପାଖେଇ ଆସିଲେ ମନ ମୋର ଆଶାରେ ସେତିକି ଉଜ୍ଜ୍ୱଳ ହୋଇ ଆସିଲା । ମାତ୍ର ହାଣ୍ତିପରି ତାଙ୍କ ମୁହଁଟାକୁ ଦେଖି ମୋ ପିଳେହି ପାଣି ହେଇଗଲା । ତାଙ୍କ ରକ୍ତ ଚକ୍ଷୁକୁ ଅନାଇ ପାରିଲି ନାହିଁ । ମୋରି ଜାତିର ହୋଇ ସେ ମତେ ଯାହା କହିଲେ, ଯେଉଁ ନିନ୍ଦା ଓ ଭତ୍ସନା ଦେଲେ, ତାହା ଶୁଣି ଯାହା ମୋ ଛାତି ଫାଟି ନ ଗଲା । ସେଇଠି ହେଲେ ମତେ ମରଣ ହୋଇ ଥାଆନ୍ତା କି ।

 

ମୁଁ ଫେରିଲି । ଉଗ୍ରଚଣ୍ତୀ ନାରୀଟି ଠୋ ଠୋ ହସି ଫେରିଗଲେ । ବଡ଼ ଲୋକଙ୍କର ସଭ୍ୟତା ଭଣ୍ତାର ଖୋଲି ମୋ ପାଖରେ ସେମାନଙ୍କର ଚରିତ୍ର ଜଳ ଜଳ ଦେଖାଗଲା । ଆଉ କି ଭରସାରେ ବା ଅନ୍ୟମାନଙ୍କ ଦୁଆରକୁ ଯାଆନ୍ତି । ଫେରିଲି ବଡ଼ ସନ୍ତର୍ପଣରେ । ଭାବିଲି ପିଲେ କ’ଣ କରୁଥିବେ । ଦଉଡ଼ିଲି ପିଲାଙ୍କ ପାଖକୁ । ବାଟରେ ଗଛ ମୂଳରେ ଜଣେ ସନ୍ନ୍ୟାସୀ ନିର୍ବିକାର ଭାବରେ ଚକାମଲି ପକାଇ ଫଳମୂଳ ଖାଉଥିଲେ । ସେ ମୋ ମନ କଥା ଜାଣିଲା ପରି ମତେ ପାଖକୁ ଡାକିଲେ । ସ୍ମିତ ହାସ୍ୟ ହସି ଗୋଟିଏ ଫଳ ଦେଲେ । କହିଲେ ଖାଆ । ମାତ୍ର ଖାଆନ୍ତି କିପରି ମୁଁ । ମୋ ପିଲେ ଦୁଇ ଚାରିଦିନ ହେଲା କିଛି ଖାଇ ନାହାନ୍ତି । ଭୋକି ରହିବାର କ୍ଷମତା ଗରିବ ପିଲାଙ୍କର ଥିବାରୁ ସିନା ସେମନେ ବଞ୍ଚିଚନ୍ତି । ଆଉ ଭାବି ପାରିଲି ନାହିଁ । ଫଳଟି ଧରି ଦଉଡ଼ିଲି । ଘରେ ଯାହା ଦେଖିଲି, ମୋ ଜୀବନ ପ୍ରତି ବିତୃଷ୍ଣା ଆସିଗଲା । ପୁଅଟି ମୋର ଭୋକିଲା ଝିଅଟିକୁ କୋଳରେ ଧରି କାନ୍ଥରେ ଆଉଜି ଶୋଇପଡ଼ିଚି । ଆଖିରେ ତାର ଦୁଇଧାର ଲୁହ ଶୁଖିଯାଇଛି । ସାନ ଭଉଣୀର ଦୁଃଖପୂର୍ଣ୍ଣ କ୍ରନ୍ଦନରେ ସହାନୁଭୂତି ସୂଚକ ଲୋତକ ଦୁଇବୁନ୍ଦା । ସାନ ଝିଅଟି ରାହା ଧରି କାନ୍ଦୁଚି ।

 

ଏ ଦୃଶ୍ୟ ଦେଖି ଛାତି ମୋର କରତି ହୋଇଗଲା । ବଡ଼ କ୍ରୋଧ ଜନ୍ମିଲା ଏ ସଭ୍ୟ ଜଗତ ଉପରେ । ଫଳଟିକୁ ପିଲାଙ୍କୁ ଖୁଆଇବି କ’ଣ ଝରକା ବାଟେ ଦାଣ୍ଡକୁ ପକାଇ ଦେଲି ରାଗରେ । କୁଆ ପଲ କେଉଁଠି ଥିଲେ ଆସି ଭିଣିଭିଣା କରି ଫଳଟିକୁ ଖାଇଗଲେ । ମନେହେଲା ମତେ ଓ ମୋ ପିଲାଙ୍କୁ ଖାଇ ଯାଆନ୍ତେ କି ? ଆମେ ଏପରି କ୍ରମେ କ୍ରମେ ନ ମରି ହଠାତ୍ ମରି ଯାଆନ୍ତୁ, ଭୋକ ଦାଉରୁ ରକ୍ଷା ପାଇ ଯାଆନ୍ତୁ । ଏଇ ଭାବନା ମତେ ଉନ୍ମତ୍ତ କରିଦେଲା, ମୃତ୍ୟୁକୁ ମୁଁ ବଡ଼ ପ୍ରିୟ ମନେକଲି । ଦଉଡ଼ିଲି ବାଡ଼ିଆଡ଼କୁ, ଡ଼େଇଁ ପଡ଼ିବାକୁ ଗଲାବେଳକୁ ପିଲାଙ୍କ ଚିନ୍ତା ମତେ ଅଥୟ କଲା । କିଂକର୍ତ୍ତବ୍ୟବିମୂଢ଼ ହୋଇ କୂଅକୁ ଅନାଇ ରହିଲି । ଭାବିଲି, ସେ ଗଲେ ଆଉ ମୁଁ ଯିବି ! ମୋ ପିଲେ କଅଣ କରିବେ । ହଠାତ୍ ଖିଆଲ ହେଲା ଯେ, ପିଲା ଦୁଇଟିଙ୍କୁ ଧରି ଆରପାରିକୁ ଯିବି, ସ୍ୱାମୀଙ୍କ ସହ ମିଳନ ହେବ, ସଭିଏ ମିଳିମିଶି ଭଗବାନଙ୍କ ରାଜ୍ୟକୁ ଯିବୁ । ତାଙ୍କୁ ଫେରାଦ ହେବୁ । ଦୁଃଖତାପ ଦୁଃଖୀଙ୍କଠାରୁ ଲାଘବ କରିବାକୁ ଅଳି କରିବୁ । ସାନ ପିଲାଟି ସେମିତି ରାହାଧରି କାନ୍ଦୁଥାଏ । ତାକୁ ନେଇ କୂଅ ଭିତରେ ପକାଇଦେଲି । ସବୁ ଚୁପ୍‍ ଚାପ୍ । ଶୋଇଲା ପୁଅକୁ ନେଇ ପକାଇ ଦେଲି । ଭୁଟ ଭାଟ୍ ଶବ୍ଦ, ତାପରେ ସବୁ ଶୁନ୍‍ଶାନ୍ । ମୁଁ ବି ଡ଼େଇଁପଡ଼ିଲି ।

 

ଏବେ ଚାରିଆଡ଼େ ବୁଲୁଚି । କାହାନ୍ତି ମୋ ସ୍ୱାମୀ, ଆଦରର ପୁଅ, ଝିଅ ଓ କାହିଁ ସେ ଶୟତାନ ଭଗବାନ ।

★★★

 

କୋକୋ-କୋଲା

 

କୋକୋ-କୋଲାଟି ହାତରେ ଧରିଚନ୍ତି ଇଞ୍ଜିନିୟର ନରେନ୍ଦ୍ରନାଥ । ଟୋପାଏ ମାତ୍ର ତାଙ୍କ ପାଟିକୁ ନେବାକୁ ସେ ଇଚ୍ଛା କରୁ ନାହାନ୍ତି । ବନ୍ଧୁମାନେ ବଡ଼ ଆନନ୍ଦରେ କଥୋପକଥନରତ-। ନାଚ ଗୀତରେ ଘରଟି ଭରପୂର । ମାତ୍ର ନରେନ୍ଦ୍ରନାଥଙ୍କ ମନରେ ସୁଖ ନାହିଁ-। ତାଙ୍କ ଦୁଇ ଆଖିରୁ ଦୁଇଧାର ଲୁହ ବହିଯାଉଛି । ତାଙ୍କ ଆଖି ଆଗରେ ନାଚି ଉଠିଲା ପିଲାଦିନର ଦୃଶ୍ୟ । ଅନାମଧେୟ ଗ୍ରାମଟି ତାଙ୍କର ଏକ ଉଚ୍ଚ ପାର୍ବତ୍ୟାଞ୍ଚଳରେ । ଜଳକଷ୍ଟ ଗ୍ରାମବାସୀଙ୍କୁ ଅହରହ ବ୍ୟଥା ପ୍ରଦାନ କରୁଥିଲା । ମାଇଲ ମାଇଲ ଯାଇ ଗ୍ରାମବାସୀ ପାଣି ବୋହି ଆଣୁଥିଲେ-। ନରେନ୍ଦ୍ରନାଥ ସେତେବେଳକୁ ମାତ୍ର ଦ୍ୱାଦଶ ବର୍ଷର ତରୁଣ, ମା ମୁଣ୍ତରେ ମାଠିଆ ଓ ଅଣ୍ଟାରେ ଗରା ଧରି ପାଣି ଆଣି ଗଲାବେଳକୁ ତାଙ୍କ ସାଙ୍ଗରେ ସେ ଯିବାକୁ ଅଳି କରୁଥିଲେ । ମା ମନା କରିଦେଲେ, ସେ ମନା ମାନି ରହିଯାଆନ୍ତି । ଘରେ ବାପା ନ ଥାଆନ୍ତି । ମା’ଟି ଆଉ ସେ, ମାତ୍ର ଦୁଇଜଣ । ଗାଁ ଟାରୁ ଅଧାଅଧି ଲୋକ ସେଦିନ ସନ୍ଧ୍ୟାବେଳକୁ ପାଣି ପାଇଁ ଗଲେ । ସମସ୍ତେ ନିରାପଦାରେ ଫେରିଲେ-। ଅଥଚ ନରେନ୍ଦ୍ରଙ୍କ ମା’ଙ୍କୁ ସର୍ପ ଦଂଶନ କଲା । ସେତକ ବାଟ ସେ ଚାଲି ଆସିଲେ । ଭଲ ମଣିଷ ପରି ପାଣି ରଖି ପିଲାକୁ ଖୁଆଇ ଶୁଆଇ ନିଜେ ଶୋଇଲେ, ଆଉ ଉଠିଲେ ନାହିଁ ।

 

ଗାଁଟାର ଲୋକେ ଏହି ଭୟାଭୟ ଘଟଣାରେ ମର୍ମାହତ ହୋଇ ଦଉଡ଼ିଥିଲେ ହାକିମଙ୍କ ପାଖକୁ । ନରେନ୍ଦ୍ରନାଥ ସ୍ୱଳ୍ପ ବୟସରେ ପ୍ରତିନିଧିତ୍ୱ କରିଥିଲେ । ଲୋକଙ୍କର ଗୋଟିଏ ପ୍ରାର୍ଥନା—ଜଳଭଣ୍ତାର, କୂଅ ବା ପୁଷ୍କରିଣୀ । ହାକିମ ଟଙ୍କାର ଅଭାବ ଦର୍ଶାଇ ସମସ୍ତଙ୍କୁ ଫେରାଇ ଦେଇଥିଲେ-। ସାମାନ୍ୟ ଜଳ ମୁନ୍ଦିଏ ପାଇବାର ଅଧିକାରରୁ ତାଙ୍କ ଗାଁର ଲୋକେ ବଂଚିତ ହେଲେ-। ସମସ୍ତେ ଦୀର୍ଘ ନିଶ୍ୱାସ ପକାଇ ଫେରିଥିଲେ ।

 

ଚକ ଘୂରିଲା । ବିଲାତ ସରକାରରର ଖାମଖିଆଲି ଯୁଗ ଚାଲିଗଲା । ଦେଶ ସ୍ୱାଧିନ ହେଲା । ଆମରି ଲୋକସରକାର ପ୍ରତିଷ୍ଠିତ ହେଲା । ପ୍ରତ୍ୟେକ ନାଗରିକ ନିଜ ନିଜର ଦୁଃଖ ଜଣାଇବାର ଅପୂର୍ବ ସୁଯୋଗ ପାଇଲେ । ପୁରପଲ୍ଲୀ ପାଇଁ ଉନ୍ନତ ଯୋଜନା ମାନ ପରିକଳ୍ପିତ ହେଲା । ଗାଁକୁ ଗାଁ ସଡ଼କ, ସ୍କୁଲ, ଡାକ୍ତରଖାନା ଆଦି ଯୋଗାଇ ଦିଆଗଲା । ଲୋକେ ବେଶ୍ ଦୁଇ ପଇସା ରୋଜଗାର କଲେ । ବାଣିଜ୍ୟ ବ୍ୟବସାୟ କରି ଧନାଢ଼୍ୟ ହେଲେ । ଅନ୍ୟମାନେ ଭାବିଲେ ସକଳଙ୍କର ଦୁଃଖ ପାଣିପରି ବୋହିଯିବ ।

 

ଭାଗ୍ୟକୁ ଶ୍ରୀମତୀ ଇନ୍ଦିରାଙ୍କ ପରି ଉନ୍ନତ ଓ ମହିୟସୀ ନାରୀଙ୍କର ପ୍ରତିଶ୍ରୁତି ପ୍ରତ୍ୟେକଙ୍କୁ ଉଦ୍‍ବୋଧିତ କଲା । ‘ଗରିବ-ହଟାଇବାର’ ଦୁହା କାନକୁ ଯେମିତି ମଧୁର ଶୁଣାଗଲା, ମନକୁ ସେପରି ପାଇଲା । ଲୋକେ ଭାବିଲେ ଦୁଃଖ ଅମା ରାତି ପାହି ପୂର୍ଣ୍ଣିମା ଆଲୋକିତ ହୋଇଯିବେ । ଲୋକଙ୍କର ଅର୍ଦ୍ଧନଗ୍ନ ଓ ଅନାହାର ଅବସ୍ଥା ଦୂର ହେବ । ମାତ୍ର ଖାଇବା ଓ ପିନ୍ଧିବାରେ ଉନ୍ନତି ହେବା ତ ଦୂରର କଥା ପ୍ରାକୃତିକ ପଦାର୍ଥ ସେମାନେ ପାଇବ ଅସମ୍ଭବ ହେଲା । ମୁକ୍ତ ପାଣି ଓ ପବନର ସୁବିଧା ପାଇବା କେଉଁଠି କେଉଁଠି ସମ୍ଭବ ମଧ୍ୟ ହେଲାନାହିଁ ।

 

ଇଞ୍ଜିନିୟର ନରେନ୍ଦ୍ରନାଥ ଭାଗ୍ୟକୁ ସ୍ୱ-ଗ୍ରାମ ନିକଟରେ ଇଞ୍ଜିନିୟର ନିଯୁକ୍ତ ହେଲେ । ମାସକୁ ମାସ ଜିଲ୍ଲାପାଳଙ୍କ ଖାସ କାମରାରେ ଉନ୍ନୟନ ସଭା ବସି ଗାଁ ଗହଳିର ଉନ୍ନତି ପରିକଳ୍ପନା ସମ୍ୱନ୍ଧରେ ଆଲୋଚନା କରାଗଲା । ସବୁ ବିଭାଗର ଉଚ୍ଚ କର୍ମଚାରୀ ତହିଁରେ ଯୋଗ ଦେଲେ । ଅଭାବ ଅସୁବିଧା ସମ୍ବନ୍ଧରେ ଆଲୋଚନା କରାଗଲା । ନରେନ୍ଦ୍ରନାଥ ସୁଯୋଗର ଦ୍ୱାର ଦେଶରେ ଉପସ୍ଥିତ ମନେକରି କହିଥିଲେ—ବୀରକିଶୋର ପୁରରେ ପାନୀୟ ଜଳର ଅଭାବ ବହୁ କାଳରୁ ଅନୁଭୂତ ହେଉଛି । ଗ୍ରାମବାସୀଙ୍କର ଦରଖାସ୍ତଟି ମୁଁ ଆଣିଚି । ଅନ୍ତତଃ ଗୋଟାଏ କୂଅ, ପାଣିକଳ ଅଥବା ଜଳଭଣ୍ତାରର ବ୍ୟବସ୍ଥା ସେଠାରେ କରାଯାଉ । ନରେନ୍ଦ୍ରନାଥଙ୍କ ମୁହଁରୁ ଏ କଥା ସବୁ ନ ସରୁଣୁ ହାକିମ ସେ ଦରଖାସ୍ତଟା ଟେବୁଲ ଉପରେ ଥୋଇ ଦେଇ କହିଦେଲେ—ଆଗେ ଆଗ କଥା ପଡ଼ୁ । ଏକଥା ପରେ ଦେଖିବା । ଲୋକପ୍ରତିନିଧି କହିଥିଲେ ଯେ, ସେ ଅଞ୍ଚଳର ପ୍ରତିନିଧି । ସେ ଗାଁ ବରଂ ସେଠାରୁ ଉଠିଯାଉ ସିନା, ସରକାର ପାଣି ଯୋଗାଣରେ ଏତେ ପଇସା ଖର୍ଚ୍ଚ କରିବା ସମ୍ଭବ ନୁହେଁ । ନରେନ୍ଦ୍ରନାଥଙ୍କୁ କଥା କୁହାଇ ନ ଦେଇ ହାକିମ ଅନ୍ୟାନ୍ୟ କେତେକ ବିଷୟରେ ଆଲୋଚନା କଲେ । ନରେନ୍ଦ୍ରନାଥଙ୍କ ମନ ଦୁଃଖରେ ପୂରି ଉଠିଲା । କେତେ ପୁରୁଷର ଗାଁଟା ପୁଣି ଉଠିଯିବ; ଅଥଚ ସ୍ୱାଧୀନ ଭାରତରେ ସେମାନଙ୍କ ପାଇଁ ପାଣି ଟୋପାଏର ବ୍ୟବସ୍ଥା ଅସମ୍ଭବ ? କି ହାସ୍ୟାସ୍ପଦ କଥା ସତେ ! ଅଥଚ ଅସଂଖ୍ୟ ଟଙ୍କା ବରବାଦ ହେଉଚି । ପାଣିରେ ଫୋପଡ଼ା ଯାଉଚି-

 

ସ୍ୱ-ଗ୍ରାମରେ ଗିଲାସେ ପାଣି ପାଇଁ ଲୋକଙ୍କର କି ଉତ୍କଣ୍ଠା ଆଉ ଏଠାରେ ସହରର କ୍ଳବରେ କୋକୋ-କୋଲାର ବ୍ୟବସ୍ଥା । ନରେନ୍ଦ୍ରନାଥଙ୍କୁ କୋକୋ-କୋଲା ଦେଖି ମନେ ହେଲା ସତେ ଅବା ଗରିବ ନିରନ୍ନ ଜନତାଙ୍କ ରକ୍ତ ଏ ଶିଶିରେ ଠୁଳୀଭୂତ ଓ ତାକୁ ଧୋବଧାଉଳିଆ ବାବୁଏ ପାନ କରି ପରମ ତୃପ୍ତି ପାଇଅଛନ୍ତି ।

 

ଗୋଟିଏ ଗ୍ରାମକୁ ଜଳଯୋଗାଣ ପାଇଁ ସରକାର ହାତରେ ଅର୍ଥ ନାହିଁ ଅଥଚ ବିଦେଶୀ ମାଲିକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ସାହାର୍ଯ୍ୟ ଦିଆଯାଇ ବିଭିନ୍ନ ବ୍ୟବସାୟ ପାଇଁ ଉତ୍ସାହିତ କରାଯାଉଅଛି । ୧୯୭୦ରୁ ୧୯୭୨ ମସିହା ଭିତରେ ଏହି କୋକୋ-କୋଲା ପାଇଁ ୧୯୬୪ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ଗାଁ ହସି ଉଠନ୍ତା ଏତିକି ଟଙ୍କା ଜଳଯୋଗାଣରେ ବ୍ୟୟିତ ହେଲେ । ମୁନ୍ଦାଏ ଭଲ ପାଣି ପିଇବାକୁ ନ ପାଇ କେତେ କେତେ ଲୋକ ଜନ୍ଦା ପିମ୍ପୁଡ଼ି ପରି ମରୁଚନ୍ତି; ଅଥଚ ନିରର୍ଥକ କଥାରେ ସରକାର ଅଜସ୍ର ମୁଦ୍ରା ବ୍ୟୟ କରୁଚନ୍ତି ।

 

ଆଉ କେତେ କ’ଣ ଭାବି ଚାଲି ଥାଆନ୍ତେ ନରେନ୍ଦ୍ରନାଥ । ତାଙ୍କର ଅନ୍ତରଙ୍ଗ ବନ୍ଧୁ ସୁରେଶ କୁମାର ତାଙ୍କ କାନ୍ଧରେ ହାତ ଦେଇ ତାଙ୍କୁ ହଲାଇ ଦେଲେ ।

 

ନରେନ୍ଦ୍ରନାଥ ଚମକି ପଡ଼ିଲେ । କହିଲେ, ଭାଇ, ସ୍ୱାଧୀନତାର ସୁଖ ସିନା ଥୋକାଏ ଲୋକଙ୍କ ଭାଗ୍ୟରେ ଘଟିଲା, ଅଧିକାଂଶ ଲୋକ ଯେଉଁ ତିମିରେ ଥିଲେ ସେହି ତମିରରେ ରହିଗଲେ । ଆମ ଗାଁର-ଲୋକ ବର୍ଷ ବର୍ଷ ଧରି ଗୋଟାଏ ଯୁଗ ଜଳଯୋଗାଣ ପାଇଁ କେତେ ପ୍ରାର୍ଥନା କଲେ; ଅଥଚ କିଛି ହେଲା ନାହିଁ; ଅଥଚ ଆମେରିକାର ଏହି ମୋଟା କମ୍ପାନୀ ଲକ୍ଷ ଲକ୍ଷ ଟଙ୍କା ପାଉଚି । ଭାଇ ଆମର ଦୁଃଖ କ’ଣ ଯିବ ନାହିଁ ?

 

ସୁରେଶ କୁମାର ଦୀର୍ଘ ନିଶ୍ୱାସ ପକାଇ କହିଥିଲେ—ଯିବ । ଯେତେବେଳେ ଆମେମାନେ ନିଜେ ନିଜ ଉପରେ ନିର୍ଭର କରିଶିଖିବା । ତୁମରି ଗାଁ ଲୋକେ ଯୁଗେ ହେବ ପାଣି ମୁନ୍ଦାଏ ପାଇଁ ହାରି ଗୁହାରୀ କରୁଚନ୍ତି; ମାତ୍ର ତୁମ ସେଠାରେ ଏପରି କେହି ଜଣେ ମାହାତ୍ମା ଜନ୍ମି ନାହାନ୍ତି ଯେକି ନିଜେ ଗୋଟିଏ କୂଅ ଖୋଳିବାକୁ ଆରମ୍ଭ କରି ଦୃଷ୍ଟାନ୍ତ ଦେଖାଇବାକୁ । ଆମ ଦେହରେ ଶକ୍ତି ଅଛି; ଅଥଚ ଆମ ମନରେ ବଳନାହିଁ ।

 

ନରେନ୍ଦ୍ରନାଥ ଶୁଣିଲା । ନିଜେ ସେହି ଆଦର୍ଶ ଦେଖାଇବା ପାଇଁ ସଂକଳ୍ପ ଗ୍ରହଣ କଲା ।

 

ସୁରେଶ କୁମାର କହିଲା—ଭାଇ, ତୁମରି ମା ଶହୀଦ୍‍ ହେଲେ । ଏ ଦେଶରେ ଜଳଦାନ ଓ ଆହରଣ କରିବାକୁ ଯାଇ ସେ ଶେଷ ନିଶ୍ୱାସ ତ୍ୟାଗକଲେ । ତାଙ୍କରି ପରି ବହୁତ ଲୋକ ବିଭିନ୍ନ ଜୀବଜନ୍ତୁଙ୍କୁ ଆଘାତରେ ମୃତ୍ୟୁ ବରଣ କରୁଅଛନ୍ତି । ଅଥଚ ଆମେ ନିଜେ ନିଜ ଶକ୍ତି ଠୁଳ ନ କରି ଅନ୍ୟକୁ ଅପେକ୍ଷା କରୁଚୁ । ତୁମରିମାନଙ୍କ ପରି ଅନ୍ୟ ଶହୀଦ୍‍ମାନେ ଆମକୁ ଅପେକ୍ଷା କରିଚନ୍ତି । ଆମରି ଶକ୍ତିର ପ୍ରୟୋଗ ଦେଖିଲେ ସେମାନେ ପରମ ସନ୍ତୋଷ ଲାଭ କରିବେ ।

★★★

 

ସରକାରୀ ଗାଡ଼ି

 

୧୯/୯/୭୩ ତାରିଖ ଓଡ଼ିଶା ମୂଲକର ଅନୁଗୋଳ ଅଞ୍ଚଳ ପାଇଁ ଏକ ଶୋକାକୁଳ ଦିବସ । ଗୋଟି ଗୋଟି କରି ନଅଟି ଭାବୀ ନାଗରିକ କଲେଜ ପିଲା ମରି ଶୋଇଚନ୍ତି । ପ୍ରତ୍ୟେକ ନର ନାରୀ, ଆବାଳ ବୃଦ୍ଧ ବନିତା ଶୋକାତୁର । ଗାଡ଼ିରେ କ୍ଷତ ବିକ୍ଷତ ବ୍ୟକ୍ତିଙ୍କୁ ବୁହା ଚାଲିଚି । ବାଳ ଆଲୁର ବାଲୁରୁ କରି ଛିଡ଼ା ହେଇଚନ୍ତି ଏସ୍.ଡ଼ି.ଓ. ସାହେବ ମହେନ୍ଦ୍ର ପ୍ରତାପ । ବେଳେ ବେଳେ ମୁଣ୍ତର ବାଳକୁ ନିଜ ହାତରେ ମୁଠା ମୁଠା କରି ଭିଡ଼ି ଲାଗିଛନ୍ତି । ଆଉ ଟିକିଏ ଆଗରୁ ଆସିଥିଲେ ହୁଏତ ମୁମୂର୍ଷୁ ପୁତ୍ରଟା ତାଙ୍କର ବଞ୍ଚୁ ନ ବଞ୍ଚୁ ଡାକ୍ତରଖାନାରେ ପହୁଞ୍ଚି ପାରି ଥାଆନ୍ତା । ନିଜେ ଏତେ ଅଶ୍ୱସ୍ତି ବୋଧ କରି ନ ଥାଆନ୍ତେ କି ଜନମୁଖରେ ସେ ଅପଦସ୍ଥ ହୋଇ ନ ଥାଆନ୍ତେ । ଖବରଟି ନିଜ ସ୍ତ୍ରୀ ପାଇ ନାହାନ୍ତି । ପାଇଲେ ଯେ କ’ଣ ହେବ, ତାହା କହିବା ସମ୍ଭବ ନୁହେଁ । ଏହିପରି ୯ଟି ମୃତ ଓ ୩୦ଟି ଆହତଙ୍କର ମା’ମାନେ କ’ଣ ନ ହେଉଥିବେ ସତେ !

 

କାଲି ରାତି ପାହିଲେ ଦୁତୀୟା ଓଷା । ମା’ ମାନେ ଚାହିଁ ବସିଥିବେ ପିଲାମାନଙ୍କୁ । ନିଜର ପୁଅ ବି ମାଙ୍କୁ ବରାଦ କରିବି ଭଲ ସୁଆଦ ଘାଣ୍ଟିଆ ତରକାରୀ କରିବାକୁ । ସାନ ଭାଇ କ’ଣ କହି ଦେଲା ଯେ, ତାକୁ ବିରକ୍ତ ହେଲା । ନିଜର ସଂସ୍କୃତି ଓ ପରମ୍ପରାର ତରିଫ କରିଥିଲା ସିଏ । ବାହାର ସଭ୍ୟତା ଆମ ଭିତରେ ଜବରଦସ୍ତ ପଶିଯାଇଚି । ଭଳିକି ଭଳି ତରକାରୀ ଆମେ ଅନ୍ୟଠୁ ଶିଖି ଆମର ସନ୍ତୁଳା, ବେସର, ସାକର, ମହୁର ଆଦିକୁ ଭୁଲି ଯାଉଅଛୁ । ଏହିପରି କେତେ କ’ଣ କହିଥିଲା । ସାନଟା କହିଦେଲା— ଘାଣ୍ଟ ତରକାରୀ ଗୁଡ଼ା ନିହାତି ବାଜେ, ଖତରା ପରି ଆରବର୍ଷ ଲାଗିଥିଲା । ତରକାରୀର ମହତ୍ତ୍ୱ କହିବାକୁ ଯାଇ ବଡ଼ ପୁଅ କେତେ ବିରକ୍ତ ହୋଇଥିଲା । ମା’ଙ୍କ ହାତ ରନ୍ଧାକୁ କେତେ ତାରିଫ କରିଥିଲା ।

 

ସେ ଆଜି କାହିଁ ? କାହାନ୍ତି ତାଙ୍କର ସାଙ୍ଗ ସାଥୀ ? ଅଭିଶପ୍ତ ବାଳକଗୁଡ଼ିକ ଧାଡ଼ି ହୋଇ ଶୋଇଚନ୍ତି । ସତେ ଅବା ଏ ଶୋକ ସନ୍ତପ୍ତ ଦୁନିଆରୁ ସେମାନେ ଚାଲିଗଲେ ସ୍ୱେଚ୍ଛାକ୍ରମେ-। ସମସ୍ତେ ଆସିଥିଲେ ଖେଳ ଦେଖିବେ । ଆନନ୍ଦିତ ହେବେ ଓ ଅନ୍ୟକୁ ଆନନ୍ଦ ଦେବେ-। ସେମାନେ ଆନନ୍ଦ ନେଇ ଚାଲିଗଲେ ଆଉ ଦୁଃଖରେ ଘାଣ୍ଟି ହେବାକୁ ମା’ ବାପମାନଙ୍କୁ ଛାଡ଼ି ଦେଇ ଗଲେ ଏ ମାୟାପୁରୀରେ ।

 

ଏସ୍.ଡ଼ି.ଓ. ସାହେବ ବଡ଼ ନୀତିବାଦୀ । ସେ ସରକାରୀ ଗାଡ଼ି କେବଳ ସରକାରୀ କାମ ବ୍ୟତୀତ ଅନ୍ୟତ୍ର ଲଗାଉ ନ ଥିଲେ । ଏଥିପାଇଁ ସେ କେତେ ଲୋକଙ୍କଠାରୁ କେତେକଥା ଶୁଣିଚନ୍ତି-। ତାଙ୍କରି ସାଙ୍ଗମାନେ ଓ ତାଙ୍କଠାରୁ ବଡ଼ ବଡ଼ ହାକିମମାନେ ସରକାରୀ ଗାଡ଼ି ନେଇ ବିଭିନ୍ନ ଦୃଶ୍ୟ, ସିନେମା, ଦିଅଁ ଦେବତା ଆଦି ଦେଖି ଯାଆନ୍ତି । ସେମାନଙ୍କ ଦ୍ୱାରା ଗାଡ଼ିର ଏପରି ଅପବ୍ୟବହାର ସନ୍ଦର୍ଶନ କରି ତାଙ୍କ ଦେହର ରକ୍ତ ଟକମକ ହୁଏ । ସେ ଭଗବାନଙ୍କୁ ଡାକନ୍ତି । କହନ୍ତି—ହେ ପ୍ରଭୁ, ଏମାନେ କ’ଣ କରୁଚନ୍ତି ନିଜେ ଜାଣୁ ନାହାନ୍ତି । ଏଙ୍କ ଭୁଲକୁ କ୍ଷମା ଦିଆଯାଉ । ନିଜର ସ୍ତ୍ରୀ ଦେଖାଉ ଶିଖାଇ କେତେଥର କହିଚନ୍ତି, ବାପା ବି କହିଚନ୍ତି ଭାଇ, ବନ୍ଧୁ,ବାନ୍ଧବ, ସାଙ୍ଗସାଥୀ, ସଭିଏ କହିଁ ଥକି ଯାଇଅଛନ୍ତି; ମାତ୍ର ସେ ତାହାର ଅନୁରୋଧ ରକ୍ଷା କରି ନାହାନ୍ତି । ନିଜର ଗର୍ଭଧାରିଣୀ ମା’ ଭୟଙ୍କର ବେମାରରେ ପଡ଼ିଥିଲେ । ଡାକ୍ତରଖାନାକୁ ନେବାକୁ ପଡ଼ିଲା । ସାଙ୍ଗ ଅଫିସରମାନେ ସେମାନଙ୍କ ସରକାରୀ ଗାଡ଼ି ବ୍ୟବହାର କରିବାକୁ କହିଥିଲେ; ଅଥଚ ସେ ମନା କଲେ-। ଆମ୍ବୁଲେନ୍ସ ମଗାଇଲେ, ଗାଡ଼ି ଆସିଲା । ମା’ଡାକ୍ତରଖାନାରେ ପହଞ୍ଚିଲେ, ସେଠାରେ ଚିକିତ୍ସା ହେବା ପୂର୍ବରୁ ସବୁ ଶେଷ । ଡାକ୍ତର ଶୁଣାଇ ଦେଇଥିଲେ—ଆଜ୍ଞା, ଆଉ ପାଞ୍ଚ ଦଶ ମିନିଟ୍—ତାଙ୍କ ପାଟିରୁ କଥା ବାହାରିବା ପୂର୍ବରୁ ତାଙ୍କ ମୁହଁରେ ହାତ ଦେଇ ତାଙ୍କୁ କଥା କୁହାଇ ଦେଇ ନ ଥିଲେ ସେ । ବି.ଡ଼ି.ଓ. ଥାଆନ୍ତି । ୩୦ ମାଇଲ ଦୂରରେ ବାରୁଣୀ ବୁଡ଼ ପଡ଼ିଥାଏ । ଯିବାପାଇଁ ଶଗଡ ବା ପାଦ ବିନା ଅନ୍ୟ ଗତି ନ ଥାଏ । ବାପା କେତେ ଅଳି କରିଥିଲେ । ସେଇ ବର୍ଷ ଇହଲୀଳା ସାଂଗ କଲେ, ମାତ୍ର ତାଙ୍କ ଇଚ୍ଛା ଅପୂରଣୀୟ ରହିଗଲା ।

 

ଆଉ ଆଜି । ବଡ଼ ମନ ଓ ବଡ଼ ଆଶା ଧରି ଆସିଥିଲା ପାବକ ତାର ସାଙ୍ଗ ସାଥୀଙ୍କୁ ଧରି । କହିଥିଲା—ବାପା, ଆମେ ଖେଳ ଦେଖି ଯିବୁ । ଡ୍ରାଇଭରକୁ କହିଚୁ । ସେ କହୁଚି ବାପାଙ୍କୁ ପଚାର । ଆମେ ଗାଡ଼ିଟା ନେଇଯାଉଚୁ । ମାତ୍ର ଗୋଟାଏ ଘଣ୍ଟା ପାଇଁ ମ ବାପା ! ଏସ୍.ଡ଼ି.ଓ. ସାହେବ ଅନୁରୋଧ ତ ରକ୍ଷା କଲେ ନାହିଁ, ତାଙ୍କ ସ୍ତ୍ରୀ ଉପରେ ପଡ଼ି ସୁପାରିଶ କରିଥିବାରୁ ସେ କହିଥିଲେ, ସମସ୍ତ ସୌଜନ୍ୟର ବେକ ମୋଡ଼ି ଦେଇ—ବାପ ଘରୁ ଗୋଟାଏ ଗାଡ଼ି ଆଣିଥିଲା ପରି କହୁଚ ! ସ୍ତ୍ରୀ ଅଭିମାନ କରି ଘର ଭିତରକୁ ଚାଲିଗଲେ । ଆଉ ବାହାରି ଯାଇଥିଲେ ପୁଅ ପାବକ ଓ ତାର ସାଙ୍ଗ ସାଥୀମାନେ । ଏଇ ଗାଡ଼ି ଯୋଗୁଁ ଆଗରୁ ଏତେ ଅଶାନ୍ତି ଭୋଗିଥିଲେ ମଧ୍ୟ ସେ ସବୁ ସେ ଭୁଲି ଯାଇଥିଲେ, ପୁଅ ଚାଲିଗଲା । ଓଃ କି ବିମର୍ଷ ମୁହଁ ତାର । ଦୀର୍ଘ ୧୯/୨୦ ବର୍ଷ ହେବ ପାବକର ଏପରି ନୀରସ ମୁଖ ସେ ଦେଖି ନ ଥିଲେ । ସାଙ୍ଗମାନଙ୍କ ସହିତ ସେ ଚାଲିଗଲା । ନୀରବରେ, ଟିକିଏ ମାତ୍ର ପ୍ରତିବାଦ ନ ଜଣାଇ; ଏପରି କି ପଛକୁ ଲେଉଟି ଥରଟିଏ ମାତ୍ର ସେ ଚାହିଁ ନାହିଁ । ଡ୍ରାଇଭର ପଚାରିଲା ମୁହଁରେ ତାକୁ ଚାହିଁଲା । ଅଥଚ ତା ସହିତ ବାକ୍ୟ ବିନିମୟ ତ ଦୂରର କଥା, ତା ଆଡ଼େ ଚାହିଁବାକୁ ସେ ମୋଟେ ଇଚ୍ଛା କରି ନ ଥିଲା । ପାବକ ଅତି ଦୁଃଖରେ ରୁଷି ଚାଲି ଯାଇଥିଲା ।

 

ଏସ.ଡ଼ି.ଓ. ସାହେବ କଚେରୀରୁ ଫେରି ପୋଷାକ ବଦଳାଇ ଥାଆନ୍ତି, ପାବକର ପ୍ରିୟତମ ବନ୍ଧୁ ଶିବନାରାୟଣ କାନ୍ଦି କାନ୍ଦି ଫୋନ କରିଥିଲା—କହିଥିଲା ମଉସା, ଟିକିଏ ଗାଡ଼ିଟା ପଠାନ୍ତୁ । ଏଠାରେ ବହୁ ଛାତ୍ରଭାଇ ବଜ୍ରପାତ ଦ୍ୱାରା ବିପନ୍ନ । ଅଥଚ ଦୃଢ଼ କଣ୍ଟରେ ଏସ୍.ଡ଼ି.ଓ. କହିଥିଲେ—ଆରେ ବାବା ଏଇଟା ପରା ସରକାରୀ ଗାଡ଼ି, ମୋର ନୁହେଁ । ଏହା କହି ଧଡ଼ କିନା ଫୋନ ଥୋଇଦେଲେ ।

 

ଠିକ୍ ଦଶ ମିନିଟ୍ ପରେ ପାବକର ସାନ ଭାଇ ଦଉଡ଼ିଆସିଥିଲା ବୈଠକଖାନାକୁ । କହିଥିଲା—ବପା ଦୌଡ଼ିଆସ, ଭାଇର କ’ଣ ହେଇ ଯାଉଚି । ତୁମେ ତାକୁ ନାହିଁ କଲ, ସେ ଯଦି ଗାଡ଼ିରେ ଯାଇ ଥାଆନ୍ତା ସେ ପୋଡ଼ପାଡ଼ ତମ୍ଫୁଟାରେ ନ ବସି ହୁଏତ ଗାଡ଼ିରେ ଥିଲେ—

 

ଏସ୍. ଡ଼ି. ଓ. ସାହେବ ଆଉ ଅପେକ୍ଷା କରି ପାରି ନ ଥିଲେ । ଟଳି ଟଳି ଗାଡ଼ି ପାଖକୁ ଚାଲିଗଲେ । ଡ୍ରାଇଭରକୁ ଅପେକ୍ଷା ନ କରି ଖେଳ ପଡ଼ିଆକୁ ଗାଡ଼ି ଛୁଟାଇଦେଲେ । ଛାତି ଫାଟି ଗଲା ପରି ଲାଗୁଥାଏ । ଶ୍ୱାସରୁଦ୍ଧ ହୋଇ ଯାଉଥାଏ । ଷ୍ଟିଅରିଂ ଏପଟ ସେପଟ ହେଇ ଯାଉଥାଏ । ଘଟଣା ସ୍ଥଳରେ ଗାଡ଼ି ଅଟକାଇ ଓହ୍ଲାଇପଡ଼ିଲେ ।

 

ଶିବ ନାରାୟଣ କହିଲା—ଆଜ୍ଞା, ଟିକିଏ ଆଗରୁ ଆସିଥିଲେ ଅନ୍ତତଃ ପାବକ ଓ ଅନ୍ୟ ତିନିଜଣଙ୍କୁ ଡାକ୍ତରଖାନାକୁ ନିଆଯାଇ ପାରିଥାଆନ୍ତା ।

 

ଏସ୍.ଡ଼ି.ଓ. ସାହେବ, ସେହି ଗାଡ଼ିରେ କ୍ଷତି ବିକ୍ଷତ ଲୋକଙ୍କୁ ଡାକ୍ତରଖାନାକୁ ବହିବାକୁ ଠାରିଦେଲେ । ସେ ନିର୍ନିମେଷ ନୟନରେ ଅନାଇ ରହିଲେ ପାବକକୁ ଓ ତାର ସହଯାତ୍ରୀ ବଂଧୁଗଣଙ୍କୁ ।

 

ଆଖିରୁ ଲୁହ ଗଡ଼ୁନି ! ଛାତି ଫାଟିଗଲା ପରି ମନେ ହେଉଚି । ବାଳ ମୁଠା ମୁଠା କରି ଟାଣୁଚନ୍ତି ।

★★★

 

ତର୍ପଣ

 

ସୁଧାଂଶୁଶେଖର ନୂଆ କରି ତର୍ପଣ କରି ବସିଛନ୍ତି । ତର୍ପଣ କରିବାର ଅବ୍ୟବହିତ ପୂର୍ବରୁ ତାଙ୍କ ଆଖିରୁ ଦୁଇଧାର ଲୋତକ ଝରି ପଡ଼ିଲା । କୁଳ ପୁରୋହିତଙ୍କ ଦ୍ୱାରା ପ୍ରେରିତ ନୂତନ ପୁରୋହିତ କହିଲେ—“ବାବୁ, ଆଜି ତୃପ୍ତିର ସହିତ ତର୍ପଣ ଓ ଶ୍ରଦ୍ଧାର ସହିତ ଶ୍ରାଦ୍ଧ କରିବା କଥା । ମନରେ ଯଦି କିନ୍ତୁ ରହିବ ଫଳ କିଛି ହେବ ନାହିଁ । ଆପଣଙ୍କ ଆଖିରେ ଯେ ଲୁହ ।”

 

ସୁଧାଂଶୁ କହିଥିଲେ—ନାହିଁ ପୁରୋହିତେ, ଏ ଅଶ୍ରୁ ଅଶ୍ରଦ୍ଧା ଜନିତ ନୁହେଁ । ଏହା କେବଳ ସ୍ମୃତି ତର୍ପଣ । କାଲିପରି ମନେ ହେଉଛି । ଏ ଘର, ଦ୍ୱାର, ଧନ, ଦଉଲତ ଆମର ନ ଥାଏ-। ଏ ସବୁ ବିଭୁଙ୍କର ଦାନ । ମୋରି ଅମଳରେ । ପିତୃ ପୁରୁଷଙ୍କର ଆଶୀର୍ବାଦର ଏ ସବୁ ଫଳ ମାତ୍ର-। କାଲିପରି ମନେ ହେଉଚି । ଘରେ ମୋ ଛଡ଼ା ଆଉ କେହି ନ ଥାଆନ୍ତି । ସାମାନ୍ୟ ଜମି ଖଣ୍ଡେ ଓ ଗୋଟିଏ ଭଙ୍ଗା ଦଦରା ଘର ମାତ୍ର ଆମର ସମ୍ୱଳ ଥାଏ । ପିଲାଟି ଦିନରୁ ଭଲ ପଢ଼ୁଥାଏ-। ସମାଜର ବଦାନ୍ୟ ବ୍ୟକ୍ତିଙ୍କଠାରୁ ଅଯାଚିତ ସାହାର୍ଯ୍ୟ ଲାଭକରି ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଉରାଧି ପାଇବାର କ୍ଷମତା ଅର୍ଜନ କରି ପାରିଲି । ମନମୁତାବକ ଭଲ ଚାକିରୀ ଖଣ୍ଡିଏ ବି ମିଳିଗଲା-

 

ଭାବିଲି, ଆମର ଦୁଃଖ-ଅମାରାତି ପାହିଗଲା । ଏଣିକି ମୋର ନନା ବୋଉଙ୍କ ମୁହଁରେ ହସ ଫୁଟାଇବି । ସେମାନଙ୍କର ଦୁଃଖ ଲାଘବ କରିବି ଅବଶିଷ୍ଟ ସମୟ ସୁଖରେ କଟିଯିବ । ମାତ୍ର ମନ ଭାବୁଥାଏ ଗୋଟାଏ ପ୍ରକାର, ଆଉ ଭାଗ୍ୟ ଫଳେ ଅନ୍ୟ ପ୍ରକାରର । ଦିନ ଦିନ, ମାସ ମାସ ଓ ବର୍ଷ ବର୍ଷର ଦୁଃଖ, ଦୈନ୍ୟ, ଅନାହାର ମୋ ବୋଉଙ୍କର ସ୍ୱାସ୍ଥ୍ୟକୁ ଚହଲାଇ ଦେଇଥିଲା । ବୋଉ ମୋର ସାଧାରଣତଃ ଦେହ ବିନ୍ଧା ପାଇଁ ଅଶେଷ କଷ୍ଟ ପାଉଥିଲେ । ପାନେ ଔଷଧ କିଣିବା ତ ଆମ ପକ୍ଷେ ଅସମ୍ଭବ ଥିଲା; ତେଣୁ ସେ ସାଧାରଣତଃ ନନାଙ୍କୁ ଓ ମୋତେ ତାଙ୍କର ରୋଗ ସମ୍ୱନ୍ଧ କିଛି କହୁ ନ ଥିଲେ । ବରଂ ରୋଗ ଲୁଚାଇବା ହେଲା ତାଙ୍କର ସାଧ୍ୟ ସାଧନା । ନିଜେ ପାରୁ ନ ଥିଲେ ବି ଘୋଷାରି ହୋଇ କାମ କରିବାକୁ ଲାଗିଲେ । ନନା ଓ ମୁଁ କିଛି ହେଲେ ଜାଣିଲୁ ନାହିଁ । କ୍ରମେ କ୍ରମେ ସବୁ ଅଚଳ ହେଲା । ବୋଉ ତାର ଇଚ୍ଛା ଶତଚେଷ୍ଟା ସତ୍ତ୍ୱେ ଓ ସ୍ୱ ଅସୁସ୍ଥି ଲୁକ୍‍କାୟିତ କରି ରଖି ପାରିଲା ନାହିଁ । ଯେ ଶଯ୍ୟାଶାୟୀ ହେଲା, ଆଉ ଉଠି ପାରିଲା ନାହିଁ ।

 

ମୁଁ ତ ନୂଆ ଡାକ୍ତର । ମୋର କିଛି ଅଜଣା ରହିଲା ନାହିଁ । ବୋଉ ମୋର ପକ୍ଷାଘାତ ରୋଗାକ୍ରାନ୍ତ । ଏ କଥା ଜାଣି ମୋ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଲା । ଦିଅଁଙ୍କୁ ଡାକିଲି ବଡ଼ କରୁଣ ଭାବରେ । ବଡ଼ ନାମ କରିଥିବା ପ୍ରଫେସରମାନଙ୍କୁ ଆଣି ଦେଖାଇଲି । ଔଷଧ ଇଞ୍ଜେକ୍‍ସନ ଆଦି ସବୁ ପାଣି ଫାଟିଗଲା । ବୋଉ ମୋର ବିନୟର ସହିତ କହିଲା—ଆରେ ବାବୁ, ବହୁତ କଲୁ । ଥାଉ, ଏତେ ପଇସା ଖର୍ଚ୍ଚ କର ନା, ମତେ ଆଉ କଲବଲ କର ନା । ମତେ ଶାନ୍ତିରେ ମରିବାକୁ ଦେ ।

 

ପଛବାକ୍ୟଟି ତାର ମୋ ବକ୍ଷ ଭୋଦ କଲା ବଜ୍ର ନିନାଦରେ । ଭାଗ୍ୟର କି ବିଡ଼ମ୍ୱନା ସତେ ! ଭାବିଥିଲି ବେଶ୍ ଦୁଇ ପଇସା ରୋଜଗାର କଲି, ଏଣିକି ବାପ ମା ନିଶ୍ଚିନ୍ତ ହେବେ । ତାଙ୍କ ନୈଶ୍ଚିନ୍ତ୍ୟ ଦେଖି ପରମ ତୃପ୍ତି ଲାଭ କରିବି, ମାତ୍ର ତାହା ହେଲା ନାହିଁ । ବାପ, ପୁଅ, ଉଭୟେ ମିଳିମିଶି ବୋଉର ସେବା କଲୁଁ । ସେହି ସେବାରେ ଯେଉଁ ବିମଳ ଆନନ୍ଦ ମତେ ମିଳୁଥାଏ, ତାହା ବାକ୍ୟରେ କହିହେବ ନାହିଁ । ବୋଉ ମୋର ବ୍ୟସ୍ତ ହେଉଥାଏ । ସବୁବେଳେ ଦିଅଙ୍କୁ ଡାକୁଥାଏ ସେପୁରକୁ ଚାଲି ଯିବାକୁ । ମୁଁ ପ୍ରାର୍ଥନା କରୁଥାଏ, ବୋଉ ମୋର ଏ ପୁରରେ ଥାଉ । ଭଗବାନ ମୋ କଥା ଶୁଣୁ ଥାଆନ୍ତି; ବୋଉ ମୋର ଦାଉ ଧକ୍କାର ମୁକ୍ତ ହେଲା । ସାମାନ୍ୟ ଟିକିଏ ସୁସ୍ଥ ହେଲା-। ସବୁବେଳେ ମୋର ଡର । ଭଗବାନ ମତେ ବାପ—ମା’ଙ୍କ ନିକଟରେ ଏପରି ସୁଖ ସୁବିଧାରେ ରଖିବେନି ନା କ’ଣ । ମୁଁ ଜାଣେ ନା, ଏପରି ଭୟ କାହିଁକି ମୋ ମନକୁ ବେଳେ ବେଳେ କ୍ରସ୍ତ ଚକିତ କରୁଥାଏ । କେତେଦୁଡ଼ିଏ ଦିନ ମୋର ଆନନ୍ଦରେ କଟିଗଲା ।

 

ନନୀ, ବୋଉ ମତେ ବୁଝେଇ ସୁଝେଇ ଆମ ଗାଁର ଗୋଟିଏ ସୁନ୍ଦରୀ ଓ ସେବାପରାୟଣା ଝିଅ ଚପଳା ସହିତ ମୋର ବିଭାଘର କରି ଦେଲେ । ପହିଲେ ପହିଲେ ମୁଁ ଚିଡ଼ୁଥିଲି; ମାତ୍ର ଯେତେବେଳେ ଚପଳାର ସେବା ଆମ ବାପ ପୁଅଙ୍କ ସମ୍ମିଳୀତ ସେବାଠ ରୁ ବଳି ଯିବାର ମୁଁ ଦେଖିଲି, ବଡ଼ ଆଶ୍ୱସ୍ତ ହେଲି । ମୋ ବୋଉ ହସି ହସି ସେଦିନ କହିଥିଲା—ବୋହୂ ନୁହେଁ ରେ ପୁଅ ଭଗବାନ ମତେ ଗୋଟିଏ ଝିଅ ଦେଲେ । କେତେ କାମ ସିଏ କରୁଚି । ତହିଁରେ ମୋ ସେବାରେ ଟିକିଏ ହେଲେ ହେଳା ନାହିଁ । ମୁଁ ଶୁଣି ଆନନ୍ଦରେ କାନ୍ଦି ପକାଇଲି । କହିଲି—ବୋଉ, ତୁ ଚଲାବୁଲା କରୁ ଥାଆନ୍ତୁ କି ! ଦୀର୍ଘ ନିଶ୍ୱାସ ପକାଇଥିଲେ ବୋହୂ ଆଉ ଶାଶୁ ।

 

ଲୋକେ କହିଲେ, ମୋର ସୁଦିନ ଆସିଗଲା । ମୁଁ ବିଦେଶକୁ ଯିବାପାଇଁ ନିର୍ବାଚିତ ହୋଇଅଛି । ଏଇଠି ହେ ପୁରୋହିତେ, ମୋର ସୁଖର ଦିନ ଚାଲିଗଲା, ଆସିଲା ଦୁଃଖର ଦିନ । ନନା କହିଲେ ଯାଆ, ବୋଉ କହିଲେ ଯାଆ । ବନ୍ଧୁ-ବାନ୍ଧବ, ଜ୍ଞାତି, ଗାଁ ଲୋକେ ସମସ୍ତେ କହିଲେ ଯାଆ, ତଥାପି ଯାଉ ନ ଥିଲି । ଅବଶେଷରେ ବାଷ୍ପ ଗଦ୍‍ଗଦ୍‍ ସ୍ୱରରେ ଚପଳା କହିଥିଲା—ମୁଁ ଅଛି, ତୁମେ ଯାଅ, ବୋଉଙ୍କ ସେବାରେ ହେଳା କରିବି ନାହିଁ ମୁଁ । ତୁମେ, ତୁମ ଭବିଷ୍ୟତକୁ ଚାହିଁବନି ! ମୁଁ ତାଚ୍ଛଲ୍ୟ ହସ ହସି କହିଥିଲି—ମୋର ଉଜ୍ଜ୍ୱଳ ବର୍ତ୍ତମାନକୁ ଛାଡ଼ି ମୁଁ ଅନ୍ଧାର ଭବିଷ୍ୟତକୁ କାହିଁକି ବା ଆଶ୍ରୟ କରନ୍ତି । ମୋଟେ ଇଚ୍ଛା ହେଲାନି ମୋର ବୋଉକୁ ଛାଡ଼ି ଯିବାକୁ । ପେଟ ଚିରି ନିଜର ରକ୍ତ ଦେଇ ମତେ ଯିଏ ବଢ଼େଇଚି, ନିଜେ ନ ଖାଇ ମତେ ଖୁଆଇ ପୁଷ୍ଟ କରିଚି, ବାହାରୁ ଘରକୁ ଫେରିବା ପର୍ଯ୍ୟନ୍ତ ଯାହା ପାଟିକୁ ଅନ୍ନ ରୁଚିନି, ଜ୍ୱର ରୋଗ ବେଳେ ଯିଏ ଅନାହାରରେ ଉନ୍ନିଦ୍ର ରଜନୀ ପରେ ଉନ୍ନିଦ୍ର ରଜନୀ ବିତାଇ ଦେଇଚି, ତାକୁ, ତାର ଏ ଅବସ୍ଥାରେ ଛାଡ଼ି ଯିବାକୁ ମୋଟେ ମନ ମୋର ବଳିଲା ନାହିଁ । ମୁଁ ଯିବି ନ ଯିବି ଏହିପରି ଦ୍ୱନ୍ଦ୍ୱରେ ପହୁଞ୍ଚିଥିବା ବେଳେ ମୋର ପ୍ରଫେସର ଗାଡ଼ିରେ ଆସି ମୋର ହାତ ଟାଣି ନେଇଗଲେ ।

 

ପୁରୋହିତେ ! ସେତିକିବେଳର ଦୃଶ୍ୟ, ମୋର ବୋଉର ଶୁଖିଲା ମୁହଁର ହସ, ନନାଙ୍କର ଆନ୍ତରିକ ଆଶୀର୍ବାଦ ଭୁଲିବାର ନୁହେଁ । ମୋର ଗୋଡ଼ ମୋଟେ ଆଗକୁ ଯିବାକୁ ଚାହୁଁ ନ ଥାଏ । ପ୍ରଫେସରଙ୍କ ତାଡ଼ନା ଓ ନିର୍ଦ୍ଦେଶ ପାଇ ନ ଥିଲେ ମୁଁ ଯାଇ ନ ଥାନ୍ତି କି ଜୀବନସାରା ଏପରି ଦୁଃଖରେ ନିଜକୁ ସନ୍ତୁଳି ପୋଡ଼ି ଜାଳି ଦେଇ ନ ଥାଆନ୍ତି । ମୁଁ ବିଦେଶକୁ ଗଲି । ଯିବା ପୂର୍ବରୁ ଚପଳାକୁ ତାଗିଦ କରି ଯାଇଥିଲି, ମୋ ନନା, ବୋଉଙ୍କ ଖବର ସେ ମୋତେ ଦେଉଥିବ । ସେ ମତେ ସ୍ୱୀକୃତି ଦେଇଥିଲା ମୁଣ୍ଡ ହଲାଇ ଦୁଇ ବୁନ୍ଦା ଅଶ୍ରୁ ବିନିମୟରେ ।

 

ବିଦେଶରେ ପାଠ ଆରମ୍ଭ ହେଲା । ନନା ବୋଉଙ୍କ ଆଶୀର୍ବାଦରୁ ଖୁବ୍ ସୁନାମର ସହିତ ଅଧ୍ୟୟନରେ ସୁଫଳ ଫଳିଲା । କୃତୀ ଓ ମେଧାବୀ ଛାତ୍ର ଭାବରେ ବିଦେଶୀ ଅଧ୍ୟାପକମାନଙ୍କ ଦୃଷ୍ଟି ଆକର୍ଷଣ କଲି । ଏଇଠାରେ ମୋର ଆରମ୍ଭ ହେଲା ଲୋଭ । ଅଧିକ ଅଧ୍ୟାପନାର ଲିପ୍‍ସା ମୋର ସୁଖର ସୌଧକୁ ଧୂଳିସାତ୍ କରିଦେଲା । ଚପଳାଠାରୁ ମୁଁ ଚିଠି ପାଉଥାଏ । ନନା ଓ ବୋଉଙ୍କ ଖବର ମତେ ମିଳୁଥାଏ । ବର୍ଷ ବର୍ଷ କରି ତିନୋଟି ବର୍ଷ ଗଡ଼ିଗଲା । ଚିଠି ମିଳିବାରେ ମଝିରେ ମଝିରେ ବିଳମ୍ୱଜନିତ ତ୍ରୁଟି ହେତୁ ମୁଁ ମୋ ସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ହେଉଥାଏ । ମନକୁ ବୁଝାଉ ଥାଏ ଯେ, ସେ ଉଭୟଙ୍କ ସେବାରେ ନିଜକୁ ନିୟୋଜିତ କରି ହୁଏତ ବେଳ ପାଉ ନ ଥିବ । ମୋର ସୁନାର ଦେଶ ଆର୍ଯ୍ୟଭୂମି ଭାରତକୁ ଫେରିବାର ବେଳ ଆସି ପହଞ୍ଚିଗଲା । ନୂଆ ନୂଆ ଔଷଧ, ଅଭିଜ୍ଞତା ଶିକ୍ଷା ନେଇ ଫେରିବି । ପକ୍ଷାଘାତର ସର୍ବଶେଷ ଓ ସର୍ବଶ୍ରେଷ୍ଠ ଔଷଧ ଓ ଚିକିତ୍ସାର ଉପାୟ ଧରି ଫେରିବାକୁ ହେବ । ସବୁଗୁଡ଼ିକ ପ୍ରୟୋଗ କରି ବୋଉଙ୍କ ରୋଗ ଉପଶମ କରିବାକୁ ହେବ । ନନା ମୋର ବିଶେଷ ଯୋଗ୍ୟତାର ଆନନ୍ଦତ ହେବ । ନାନା ବୋଉଙ୍କ ମୁହଁରୁ ହସ ଫୁଟିଉଠିବ । ମୋ ଛାତି କୁଣ୍ଢେ ମୋଟେ ହୋଇଯିବ । ମୋର ସହଧର୍ମିଣୀ ମୋର ବଡ଼ଡାକ୍ତର ହେବାର ଯୋଗ୍ୟତାରେ ଅପାର ଆନନ୍ଦ ଲାଭ କରିବେ । ଏମିତି କେତେ କ’ଣ ଭାବିଗଲି । ବମ୍ୱେରେ ଆସି ପହୁଞ୍ଚିଲି । ଘରକୁ ସମ୍ୱାଦ ଦେଲି । ଗାଁ ଷ୍ଟେସନରେ ପହୁଞ୍ଚିଲି । ଘରକୁ ମୁହାଁଇଲି ଦ୍ରୁତ ଗତିରେ । ଘରେ ପଶିଗଲି । ଘରଟା ନିଛାଟିଆ ଲାଗିଲା । ଖାଁ ଖାଁ ଗୋଡ଼ାଇଲା ପରି ଲାଗିଲା-। ନିର୍ଜୀବ ପରି ଘର ଦୁଆର ଖଡ଼ ଖଡ଼ କଲି ।

 

ଟଳି ଟଳି ମୋର ଅତି ସ୍ନେହର ସ୍ତ୍ରୀ ଆସି କବାଟ ଫିଟାଇଦେଲେ । ହାଡ଼ ଦୁଇଖଣ୍ଡି, ଚମ ବେଶ ଏତିକି । ସୁନାପରି ଦିହରେ ତାଙ୍କର ମାଂସ ଟିକେ ମତେ ଦିଶିଲା ନାହିଁ । ଫଁ କରି ମେଞ୍ଚାଏ ଦୀର୍ଘ ନିଶ୍ୱାସ ଛାଡ଼ିଦେଇ ପଚାରିଲି—ନନା ଓ ବୋଉ ? ସ୍ତ୍ରୀ ମୋର ନିରୁତ୍ତର । ଥରି ଥରି ପଡ଼ି ଯାଉଥିଲେ, ମୁଁ ଧରି ପକାଇଲି । ତାଙ୍କୁ ନେଇ ଖଟ ଉପରେ ଶୁଆଇ ଦେଇ ଚାରିଆଡ଼କୁ ଆଖି ବୁଲାଇଲି ମାତ୍ର ନନା ବୋଉଙ୍କ ଉପସ୍ଥିତିର ସୂଚନା ବି ମିଳିଲା ନାହିଁ । ମୋର ବ୍ୟଗ୍ରତା ଦେଖି୍ ଖୁବ୍ କ୍ଷୀଣ ସ୍ୱରରେ ସ୍ତ୍ରୀ ମୋର କହିଲେ—ମୋର ଯିବାର ବର୍ଷକ ପରେ ବୋଉ ଚାଲିଗଲେ । ତମ ଫଟୋଟିକୁ କେତେ ଯେ ଚୁମା ଦେଲେ, ତାର ସୀମା ନାହିଁ । ନନା ଶୁଦ୍ଧ ଘରଟି ଜାକ ଜମକରେ ସାରିଦେଲେ । ବୋଉ ଖବର ବା ତାଙ୍କ ଖବର ତୁମକୁ ଜଣାଇ ନ ଦେବାକୁ ଶପଥ କରାଇଲେ । ଆଖି ବୁଜିଲେ । ତୁମର ଅଙ୍ଗଜଟି ଜନ୍ମିଲା । ମାତ୍ର ମୋର ଅତି ମାତ୍ର ଶୋକ ହେତୁ ଓ ଉନ୍ନିଦ୍ରା ହେତୁ ଆରପୁରକୁ ଗଲା । ବେଶ ଏତିକି । ସେ ଆଉ କିଛି କହି ପାରିଲେ ନାହିଁ ।

 

ନନା ବୋଉଙ୍କ ବିଷୟ ଭାବି ମୁଁ ଚଣ୍ଡାଳ ଟିକିଏ କାନ୍ଦି ବି ପାରିଲି ନାହିଁ । ସ୍ତ୍ରୀଙ୍କ ଚିକିତ୍ସାରେ ଲାଗିଲି । ହେଲେ ସେ ବି ମତେ ଠକି ଚାଲିଗଲେ । ଆଉ ମୁଁ ରହିଲି ତର୍ପଣ-ଶ୍ରାଦ୍ଧ ଆଦି କରିବାକୁ ।

★★★

 

କାଚ, ସିନ୍ଦୁର ଓ ଅଳତା

 

ଭଗିଆ ତନ୍ତୀ ଚାଲିଚି ବାଟେ ବାଟେ । ଶଗଡ଼େ ଚିନ୍ତା ତା ମୁଣ୍ଡରେ ଜମା ହେଇ ଯାଇଚି-। ଭାବନା ବୋଝ ତା ମନଟାକୁ ଚହଲାଇ ଦେଉଚି । ଦାରିଦ୍ର୍ୟର କଷାଘାତ ତାକୁ ବିଚଳିତ କରି ପାରିନି କି ଉଚ୍ଛୃଙ୍ଖଳିତ କରି ପାରିନି । ସୁନ୍ଦରୀ ଚଞ୍ଚିଟି ଗାଁ ଝିଅ । ହାତଧରି ତାକୁ ଘରକୁ ଆଣିଥିଲା-। ଲୁଗା ବୁଣାରେ ସେ ସହାୟତା କରି ନ ଥିଲେ ବଡ଼ ଅସୁବିଧା ଭୋଗ କରୁଥାଆନ୍ତା ସେ-। ଆଗକାଳେ ତନ୍ତବୁଣା ଲୁଗାପଟାକୁ ବଡ଼ ଆଦର କରୁଥିଲେ । ଲୁଗାବୁଣା ହଉ ହଉ ସରିଯାଉଥାଏ-। ମାତ୍ର ଏହି ପ୍ରତିଯୋଗିତାର ଦୁନିଆଁରେ ତା ହାତବୁଣା ଲୁଗା ମିଲ୍ ଲୁଗା ସହିତ ତାଳ ଦେଇ ପାରିଲା ନାହିଁ । ତନ୍ତଲୁଗା ପ୍ରତି ଲୋକଙ୍କର ଅନାଦର ଯେଉଁ ପରିମାଣରେ ବଢ଼ିଲା, ସେହି ପରିମାଣରେ ଭଗିଆର ଦୁଃଖ ଦୁର୍ଦ୍ଦଶା ବଢ଼ି ଚାଲିଲା । ଚଞ୍ଚି ବିଚରା ଖଣ୍ଡିଏ ଲୁଗା ଧୋଇ ଶୁଖାଇ ପିନ୍ଧିଲା । ଭାଗିଆ ସାତ ଗଇଁଠା ଲୁଗା ପରିଧାନ କଲା । ସେ ଦୁହିଁଙ୍କର ଅଲିଅଳ ପୁଅ ଅଇଁଠା କଉପୁନି ମାରି ଦାଣ୍ଡରେ ଚାଲିଲା । ଅର୍ଦ୍ଧନଗ୍ନ ଓ ଅନାହାରରେ ଏହି ତନ୍ତୀ ପରିବାରଟିର ଦିନ ଗଡ଼ିଯିବାରେ ଲାଗିଲା । କୁମାର ପୂର୍ଣ୍ଣିମା ମୁଣ୍ଡ ଉପରେ । ଚଞ୍ଚି ପାଇଁ ଖଣ୍ତେ ଲୁଗା ଆଉ ଅଇଁଠା ପାଇଁ ଖଣ୍ଡେ ପ୍ୟାଣ୍ଟ ଏଥର କରିବାକୁ ହେବ । ଆର ସନ ଅଇଁଠା କେତେ କାନ୍ଦିଥିଲା ପ୍ୟାଣ୍ଟ ପାଇଁ-। ଚଞ୍ଚିର ଛିଣ୍ଡା ଲୁଗା ପିନ୍ଧା ଅସହ୍ୟ ହେଲାଣି ।

 

ସହର ତଳ ଅଞ୍ଚଳରେ ଓ ସହରରେ ତା ଲୁଗାର କାଟତି ନ ଥିବାରୁ ଅତି ଦୂରରେ ଥିବା ମଫସଲରେ ଲୁଗା ବିକି ଭଗିଆ ବିଚାରା ପାଉଥିଲା ବେଶ୍ ଦୁଇ ପଇସା । ମୂଳଧନତକ ସୂତା ପାଇଁ ରଖିଦେଇ ଅବଶିଷ୍ଟ ଟଙ୍କାତକ ଧରି ଚାଲିଚି ହାଟକୁ । ବାହାରିବା ବେଳେ ଚଞ୍ଚି ବରାଦ କରିଥିଲା କାଚ ମୁଠାଏ, ସିନ୍ଦୂର ଓ ଅଳତା ଦୁଇ ପୁଡ଼ା ଆଣିବାକୁ । ଭଗିଆ ହସି ଦେଇଥିଲା । ଚଞ୍ଚିରେ ମୁଣ୍ଡରେ ଥିବା ଫିକା ସିନ୍ଦୂରକୁ ହାତରେ ପୋଛି ଦେଇ କହିଥିଲା–ଭଲ ନାଲି ସିନ୍ଦୂର ଆଣିଦେବି । ଭଗିଆର ଏହି ଅଶୁଭ କାର୍ଯ୍ୟରେ ଚଞ୍ଚି କାନ୍ଦି ପକାଇଥିଲା । ପ୍ରତିବାଦ କରି କହିଥିଲା–କେଡ଼େ କଥା କଲ ସତେ ! ଇମିତି କରନ୍ତି ? କେତେ ବର୍ଷ ତୁମକୁ ହେଲେ, କେଡ଼େ ବଡ଼ ହେଲେ ତୁମେ ସାମାଜିକ ରୀତିନୀତି ବୁଝିବ କେଜାଣି ? ଭଗିଆ ହସି ହସି ଥଟ୍ଟା କରି କହିଥିଲା–ଏଇ ସିନ୍ଦୂର ଲିଭାଇ କ’ଣ ମୁଁ ମରି ଯାଉଚି ନା ତୁମେ ରାଣ୍ଡ ହେଇ ଯାଉଚି ? ଚଞ୍ଚି ଭଗିଆ ପାଟିରେ ହାତ ଦେଇ କଇଁ କଇଁ ହୋଇ କାନ୍ଦି ପକାଇଥିଲା ।

 

ଭଗିଆର ଅନନ୍ତ ଭାବନା ଭିତରେ ଜୀବନର ଏହି ଐତିହାସିକ ଘଟଣାଟି ପୁଣି ଥରେ ମନେ ପଡ଼ିଗଲା । ସେ ହସି ଦେଲା । ମନକୁ ମନ ସେ କହିଲା–ଏ ଚଞ୍ଚିଟା ତନୁପାତଳୀ ନୁହେଁ, ମନ ପାତଳୀ ବି । ଖାଲି ସିନ୍ଦୂର ଲିଭାରେ ବା କଥାରେ ଯଦି କିଏ ରାଣ୍ଡ ହେଇ ଯାଉ ଥାଆନ୍ତା ! ପୁଣି ସେ ଭାବି ଚାଲିଲା । ଚଞ୍ଚି କେତେ ଦୁଃଖ କଷ୍ଟ ପାଇ ବି ଦିନକ ପାଇଁ କାନ୍ଦିନି, ଆଉ ଆଜି ତୁଚ୍ଛା କଥାରେ କାନ୍ଦିଲା ।

 

ନିଜର ଅପାରଗତା ଓ ଅର୍ଥନୈତିକ ଅସ୍ୱଚ୍ଛଳତା ହେତୁ ଚଞ୍ଚିଟିକୁ ସେ ବହୁତ ଅବହେଳା କରିଚି–ଏଇ ଚିନ୍ତା ତା ମନକୁ ଦବାଇ ଦେଲା । ସେ ବିଷର୍ଣ୍ଣ ହୋଇଥିଲା । ହାଟ ନିକଟରେ ହେଇଗଲା । ଜନଗହଳିର କୋଳାହଳ ତା ଭାବନାର ସୁଅକୁ ଶୁଖାଇ ଦେଲା । ନୂଆ ଲୁଗା ଓ ପ୍ୟାଣ୍ଟ କିଣା ଚିନ୍ତା ତା ମନ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କଲା । ବହୁ ଦୋକାନ ବୁଲି ଲୁଗା ଖଣ୍ଡିଏ ଓ ପ୍ୟାଣ୍ଟଟିଏ ସେ କିଣିଲା । ବାଛି ବାଛି ଭଲ ନାଲି ସିନ୍ଦୂର ଓ ଅଳତା ପୁଡ଼ା ଦୁଇଟି ବି କିଣି ପକାଇଲା-। କାଚ ମେଟେ ତା ମନକୁ ପାଇଲା ନାହିଁ । ତା ସ୍ତ୍ରୀର ଗୋରା ତକ ତକ ଶରୀରକୁ କଳା କାଚ ବଡ଼ ସୁନ୍ଦର ଦିଶନ୍ତା । ହେଲେ କାଚ ଗୁଡ଼ିକ ସବୁ ନାଲି, ନେଳୀ ଓ ହଳଦୀ ରଙ୍ଗର । ଶୁଭ କାମରେ କାଳିଆ ରଙ୍ଗ ଭଲ ନୁହେଁ । ଖାଲି ଏଇ ‘ଶୁଭ’ ‘ଶୁଭ’ ‘ଶୁଭ’ । ତା ମନଟା ବିରକ୍ତ ହୋଇଗଲା-। ଶେଷକୁ ନେଳିଆ କାଚ କିଣିଲା । ଆଣିଥିବା ବ୍ୟାଗରେ ସେତକ ରଖିଲା ! ସ୍ତ୍ରୀକୁ ତାର ନରକୋଳି ଭଲ ଲାଗେ । ପୁଅକୁ ଖଜା ଭଲ ଲାଗେ । ତହିଁରୁ କିଛି କିଣି ସେହି ବ୍ୟାଗରେ ସେ ରଖିଲା-। ଘରକୁ ଫେରିବାର ଉପକ୍ରମ କଲା ।

ହାଟରେ ତା ପିଲାଦିନର ସାଥୀ ନାଥିଆ ଭେଟିଲା । ପଚାରିଲା— କିରେ ଭଗିଆ, କ’ଣ ନେଉଚୁ କି ? ଭଗିଆ ନଉଥିବା ଜିନିଷର ନା ଗୁଡ଼ିକ ପ୍ରାଞ୍ଜଳ ଭାବରେ କହିଦେଲା । ନାଥିଆ ହସି ହସି କହିଲା—ତୁ ତ ପକ୍କା ଗୃହୀ ହେଲୁଣି । ଗାଁ ଲୋକେ ତତେ ବାଲୁରା ବୋଲି କାହିଁକି କହନ୍ତି କେଜାଣି ? ବଡ଼ ସୁଖରେ ରଖିଚୁ ତ ଚଞ୍ଚିକୁ । ସେ ମୋ ହାତ ଧରିଥିଲେ—କଥାଟା ନ ସରୁଣୁ ସେ ଯେପରି ଅକର୍କିତ ଭାବରେ ଜନତା ଭିତରୁ ଚାଲି ଆସିଥିଲା ସେମିତି ଝଡ଼ ପରି ଜନତା ଭିତରେ ଉଭେଇ ଗଲା । ଗଲା ସିନା, ପୁଣି ଭଗିଆର ଆନନ୍ଦ ମନଟାକୁ ଚହଲାଇ ଦେଇଗଲା ।

ଭଗିଆ ଫେରିଲା । ବାଟରେ ପୁଣି ଅସରନ୍ତି ଭାବନା ତା ମନକୁ ଘୋଟିଗଲା । ସେ ଭାବି ଚାଲିଲା ତା’ର ପିଲାଦିନ ଓ ଯୌବନର ଘଟଣା । ଚଞ୍ଚି ପାଇଁ ଦୁଇଟି ପାତ୍ର ସେ ଓ ନାଥିଆ ଥିଲେ । ଚଞ୍ଚି ଭଗିଆର ସରଳତାରେ ମୁଗ୍ଧ ହୋଇଥିଲା । ଭଗିଆ ଥିଲେ ସୁସ୍ଥ ଓ ସବଳ, ମାତ୍ର ନିର୍ଦ୍ଧନ । ନାଥିଆ ଥିଲା ଦୁର୍ବଳ, ଜଟିଳ ମାତ୍ର ଧନଶାଳୀ । ଚଞ୍ଚି ଧନ ଅପେକ୍ଷା ଲୋକର ମହତ୍ୱକୁ ନିର୍ବାଚନ କରିଥିଲା । ନାଥିଆର ଅର୍ଥ ପ୍ରାଚୁର୍ଯ୍ୟ ତା ମନକୁ ଆକର୍ଷିତ କରି ପାରି ନ ଥିଲା । ଚଞ୍ଚି ଅଭାବରେ ନିଜକୁ ବୁଡ଼ାଇ ଦେଇଚି ସିନା ନାଥିଆର ଧନ ଲୋଭ ପ୍ରତି କେବେ ହେଲେ ଆକୃଷ୍ଟ ହୋଇନାହିଁ । ଭଗିଆ କେତେ କ’ଣ ଭାବି ଚାଲିଲା । ଲଙ୍କେଶ୍ୱର ରାବଣର ଧନ ଶକ୍ତି ଓ ଫାଣ୍ଡିତ୍ୟ ଓ ଦୁର୍ଯ୍ୟୋଧନର ମାନ, ଗୌରବ ଆଦି ସତୀ ସ୍ୱାଧ୍ୱୀ ସୀତା ଓ ଦ୍ରୌପଦୀଙ୍କ ମନକୁ ତ ଚହଲାଇ ପାରି ନ ଥିଲା । ଆଜି ମଧ୍ୟ ଭାରତୀୟ ରମଣୀ ସେହି ମର୍ଯ୍ୟାଦା ରକ୍ଷା କରିଚି । ଏହିପରି କେତେ କ’ଣ ଭାବି ଭାବି ଭାଗିଆ ଚାଲିଚି ।

ରାତି ପାହିଲେ କାଲି କୁମାର ପୂର୍ଣ୍ଣିମା । ଏତେ ଦିନକେ ଭଗିଆର ମନସ୍କାମନା ପୂର୍ଣ୍ଣ ହେବ । ଚଞ୍ଚି ନୂଆ ମିଲ୍ ଲୁଗା ପିନ୍ଧି, ନୂଆ ନେଳି କାଚ, ଗାଢ଼ ନାଲି ରଙ୍ଗର ସିନ୍ଦୂର ଆଉ ଅଳତା ପିନ୍ଧି ସନ୍ଧ୍ୟାବେଳେ ତା ଆଗରେ ଛିଡ଼ା ହେବ । ପୂର୍ଣ୍ଣିମା ଚାନ୍ଦକୁ ବଳି ତାର ମୁହଁ ଦେଖି ସେ ପରମ ସନ୍ତୋଷ ଲାଭକରିବ । ଆଉ ଚଗଲା, ଅଇଁଠା ପ୍ୟାଣ୍ଟ ପୁନ୍ଧି ନାଚି ନାଚି ଖଜା ଖାଇ ଖାଇ ତା କୋଡ଼ରୁ ବୋଉ କୋଡ଼ ଓ ବୋଉ କୋଡ଼ରୁ ତା କୋଡ଼କୁ ଡେଉଁଥିବ । କୁମାର ପୂର୍ଣ୍ଣିମାଟି ଏବର୍ଷ ତାର ସାର୍ଥକ ଦିବସ ହେବ । ଏଥି ପୂର୍ବରୁ କୁମାର ପୂର୍ଣ୍ଣିମା ଗୁଡ଼ିକ ଚାଲିଯାଇଛନ୍ତି ଦୁଃଖର ଅକଳନ୍ତି ଚାର ଦେଇ ଦେଇ ଆଉ ଏଥର ସେ ପାଇବ ଅମାପ ଆନନ୍ଦ ।

ଭଗିଆ ଏହିପରି ଭାବି ଭାବି ବାଟରେ ଚାଲିଥାଏ । ବାମ ପଟକୁ ମାଡ଼ି ସଡ଼କ ଦାଢ଼ରେ ଚାଲିଚି ଭଗିଆ । ବାପ ମା’ ସିନା ତାକୁ ଧନ ଦଉଲତ ଦେଇ ଯାଇନାହାନ୍ତି, ତା ପାଇଁ କୁଢ଼ାକୁ କୁଢ଼ା ଆଶୀର୍ବାଦ ବିଛେଇ ଦେଇ ଯାଇଅଛନ୍ତି । ସେ ଦୁହିଁଙ୍କର ଅଶେଷ ଦାନ ଏହି ଚଞ୍ଚିଟି ନ ଥିଲେ ତାର ଜୀବନ ମରୁଭୂମିରେ ଉଦ୍ୟାନର କାମ ସତେ କିଏ କରୁଥାଆନ୍ତା ! ଚଞ୍ଚି ବିନା ଯେ ତାର ଜୀବନ ଧାରଣ ଅସମ୍ଭବ କଥା । ଏ ଭାବନା ତା ମନରେ ଉଦୟ ହେବା ମାତ୍ରେ ତାର ଛାତି ଫାଟିଗଲା ପରି ଲାଗୁଥାଏ । କିପରି ଚଞ୍ଚଳ ଯାଇ ଚଞ୍ଚିର ସାନିଧି ଲାଭ କରିବ—ଏଇ ଚିନ୍ତା ତା ପାଦ ଦୁଇଟାରେ ଅସୀମ ଶକ୍ତି ଓ ମନରେ ଅକଳନ୍ତି ସାମର୍ଥ୍ୟ ଠୁଳ କରିଦେଲା । ଭଗିଆ ଚଞ୍ଚଳ ଚଞ୍ଚଳ ପାଦ ପକାଇ ଆଗେଇ ଚାଲିଲା । ବିଳମ୍ୱ ତାକୁ ଅସହ୍ୟ ହେଲା । କିମିତି ଝଟ ଝଟ ଯାଇ ନିଜର ଅତି ଆଦରର ଭଙ୍ଗା ଦଦରା ଘରେ ପହଞ୍ଚି ଯିବ ଓ ଅତି ସରାଗର ସ୍ତ୍ରୀ ଓ ପୁଅଙ୍କ ସମ୍ମିଳିତ ହେବ ହେବ ଏ ଚିନ୍ତା ତ ହୃଦୟକୁ ମନ୍ଥନ କଲା । ଘରୁ ଯେପରି ଅନନ୍ତ କାଳରୁ ବିଚ୍ଛେଦ ହୋଇଚି । ତାର ପୁଅ ଓ ସ୍ତ୍ରୀ ନିକଟରୁ ସତେ ଅବା ବହୁ ଦିନ ହେଲା ବିରହ ଦୁଃଖରେ ସେ ହନ୍ତସନ୍ତ ହେଉଚି । ସବୁ ଶକ୍ତି ଠୁଳ କରି ପାଦ ଦୁଇଟିକୁ ସେ ଚଳାଇ ଦେଲା ଅତି ଦ୍ରୁତ ଓ ଦ୍ରୁତ ଭାବରେ ।

ହଠାତ୍ ଭୀମ ଗର୍ଜନ କରି ଆଗରୁ ଓ ପଛରୁ ଟ୍ରକ ମାଡ଼ି ଆସିଲା । ଆଗ ଚକଟା ଗୋଟାଏ ବୁଲା କୁକୁରକୁ ମାଡ଼ିଗଲା । କୁକୁରର ବିକଳ ସ୍ୱନ ଶୁଣି, ଭଗିଆ ‘ଆହା’ ବୋଲି କହୁ କହୁ ପଛ ଟ୍ରକଟି ତା ଦେହରେ ଘସି ହୋଇ ‘ସାଇଁ’ କରି ଶବ୍ଦ କରି ଚାଲିଗଲା । ଭଗିଆ ଟଳି ପଡ଼ିଲା ସରକାରୀ ରାସ୍ତା ଉପରେ । ଚେତନ ଶୂନ୍ୟ ଭଗିଆ ଆଉ କିଛି ଜାଣି ପାରିଲା ନାହିଁ ।

ଗୋଟିଏ ସାଇକେଲ ରିକ୍‍ସା ପଛରୁ ଆସୁଥିଲା । ଏହି ଦୁର୍ଘଟଣା ଦେଖି ସେ ଆତଙ୍କିତ ହୋଇଗଲା । ଟ୍ରକ ଦୁଇଟା ପଳାଇଗଲେ । ସେ ଚିହ୍ନିଲା ତାର ଭଗିଆ ଭାଇକୁ । ଦିନେ ଏଇ ଭଗିଆ ଭାଇ ତା ‘ଭୋକ’ ଓ ଅଭାବ କଥା ଶୁଣି ଅଣ୍ଟିକ ମୁଢ଼ି ତାକୁ ଦେଇ ଦେଇଥିଲେ । ଆଜି ତାର ଅନ୍ନଦାତା ଏଠାରେ ନିରାଶ୍ରୟ ଭାବରେ ଗଡ଼ୁଚି । ଅସହ୍ୟ ହେଲା ତାକୁ । ଗାଁର ଅଭୟ ଦାସଙ୍କ ସହିତ ମିଶି ତାକୁ ରିକ୍‍ସାରେ ଲହି ନେଇଗଲା ଡାକ୍ତରଖାନାକୁ । ଦାସଙ୍କ ହାତରେ ଭଗିଆ ସ୍ତ୍ରୀ ପାଖକୁ ଖବର ଦେଲା । ଡାକ୍ତରବାବୁ ବହୁ ସାଧ୍ୟସାଧନା କରି ଲାଗିପଡ଼ିଲ ଭଗିଆର ଚୈତନ୍ୟ ଉଦୟ କରିବା ପାଇଁ । ଭଗିଆଠାରୁ ବହୁ ରକ୍ତସ୍ରାବ ହୋଇ ଯାଇଚି । ଦୟାକରି ତାକୁ କିଛି ରକ୍ତ ଦିଆଗଲା ।

ଭଗିଆ ସ୍ତ୍ରୀ ଆସି ପହଞ୍ଚଗଲା । ପ୍ରଥମେ ସେ ନିଜ ସ୍ୱାମୀଙ୍କୁ ଚିହ୍ନି ପାରିଲା ନାହିଁ । ତା ପରେ ସେ ଶୋଇଥିବା ଖଟ ଉପରେ ‘ଢ଼ୁ’ କରି ମୁଣ୍ଡ ପିଟି ଦେଲା । ଧାର ଧାର ରକ୍ତ ନିଗିଡ଼ି ପଡ଼ିଲା ଚଞ୍ଚି ମୁଣ୍ତରୁ । ରିକ୍‍ସାବାଲା ସାନ୍ତ୍ୱନା ଦେଇ ତା ମୁଣ୍ଡରୁ ରକ୍ତ ପୋଛିଦେଲା । କ୍ରନ୍ଦନରତ ଅଇଁଠାକୁ କୁଣ୍ଢାଇ ପକାଇ ବୁକ ଦେଲା । କହିଲା—ତୁମେମାନେ ଅଧୈର୍ଯ୍ୟ ହୁଅନାହିଁ । ଦୁଃଖବନ୍ଧୁ ଭଗବାନ ଅବଶ୍ୟ ଦୁଃଖୀଙ୍କ ଦୁଃଖ ଦୂର କରବେ । ଭଗିଆଇ ଅବଶ୍ୟ ଭଲ ହୋଇଯିବେ ।

ଚଞ୍ଚି ଭଗିଆର ଶୁଖିଲା ମୁହଁକୁ ଦେଖି ଆଶଙ୍କାରେ ଶିହର ଉଠିଲା । ଡାକ୍ତରଙ୍କ ଗୋଡ଼ ଧରି ପକାଇଲା । ନିଜର କାନି ଦେଖାଇ କହିଲା ଡାକ୍ତରବାବୁ ! ମୁଁ ମାଗୁଚି । ମୋତେ ଭିକ୍ଷା ଦିଅନ୍ତୁ-। ମୋ ସ୍ୱାମୀର ଜୀବନ ଭିକ୍ଷା ବିନା ଆଉ ମାଗିବାର ମୋର କିଛି ନାହିଁ । ଇଏ ନିଷ୍ଠୁର ଭାବରେ ମୋ ମୁଣ୍ଡରୁ ସିନ୍ଦୂର ନିଭାଇ ଦେଇଥିଲେ, ଆପଣଙ୍କୁ ମୁଁ ମାଗୁଚି ପୁଣି ମୋ ମୁଣ୍ଡର ସିନ୍ଦୂର ଚକ ଚକ ହୋଇ ବିରାଜୁ । କାଚତକ ମୋର ବଜ୍ର ହୋଉ ।

ଡାକ୍ତର ଦୀର୍ଘ ନିଶ୍ୱାସ ପକାଇ କହିଲେ—ଭଗବାନ ଚାହିଁଲେ ସବୁ ହେବ । ଏଇଟା ବଡ଼ ସିରିଅସ୍ କେସ୍’ ।

‘ସିରିଅସ କେସ୍’ ଅର୍ଥ ବୁଝି ନ ଥିବାରୁ ଚଞ୍ଚି ବିଚରା ସ୍ୱାମୀ ପାଖରେ ଦୃଢ଼ ହୋଇ ବସି ରହିଲା । ଠିକ୍ ସତ୍ୟବାନଙ୍କ ପାଖରେ ସାବିତ୍ରୀ ବସିଲା ପରି ।

କାଳ ରାତ୍ରୀ ପହଞ୍ଚିଲା । ସକଳ ଚେଷ୍ଟା ବ୍ୟର୍ଥ ହେଲା । ଦୀପ ନିଭିଗଲା ପୂର୍ବରୁ ଜଳି ଉଠିଲା ପରି ଭଗିଆ ତା ସ୍ତ୍ରୀ ଓ ପୁଅଙ୍କୁ ଚାହିଁ ଆଖି ବୁଜିଦେଲା ।

ବେହେରା ଚଞ୍ଚି ହାତରେ ଦେଇଗଲା ବ୍ୟାଗ୍‍ଟି । ବ୍ୟାଗ୍‍ରେ ନାଲି ଧଡ଼ିର ଲୁଗାଟିଏ, ପ୍ୟାଣ୍ଟଟିଏ ଆଉ ଭଙ୍ଗା କାଚ ଓ ଆଲୁବାଲୁ ହୋଇ ବ୍ୟାଗରେ ଲାଗିଥିବା ସିନ୍ଦୂର ଓ ଅଳତା ।

★★★

 

ଚାଲିଗଲେ ସହରକୁ ନୁହଁ–ସେ ପୁରକୁ...

 

‘ଚାଲିଗଲେ ସହରକୁ ନୁହଁ ସେ ପୁରକୁ’

 

ସୁକୁଟାବୋଉ, ସୁକୁଟାର ଶତ ଅନୁରୋଧକୁ ଗୋଡ଼ରେ ଆଡ଼େଇ ଦେଲା । ଦିଅନ୍ତା ନାହିଁ କିପରି ? ସାତ ପୁରୁଷର ଏ ଗାଁ । ଏଇ ଗାଁର ପାଣି, ପବନ, ମାଟିରେ ପୁରୁଷ ପୁରୁଷ ହୋଇ କେତେ କେତେ ଲୋକ ଗଢ଼ି ହୋଇଚନ୍ତି । ଏଇ ମାଟିରେ ଜନ୍ମଲାଭ କରି ଏହି ଗାଁ ଦିଅଁଙ୍କ ଆଶୀର୍ବାଦ ନେଇ ଧନ, ଦଉଲତ କମାଇଚନ୍ତି । ତାଙ୍କରି ପାଖରେ ବସି ଆଖିରୁ ଲୁହ ଗଡ଼ାଇ ଦୁଃଖ ଅପନୋଦନ କରି ଅଛନ୍ତି । ଅବଶେଷରେ ଗାଁର ଶ୍ମଶାନରେ ନିଜକୁ ମିଶାଇ ଦେଇଚନ୍ତି । ପାଉଁଶକୁଢ଼କୁ ପାଣି ଟାଣି ନେଇ କ୍ଷେତରେ ପକାଇଚି । କ୍ଷେତ ହେଇଚି ବଳୁଆ । ଧନ, ଜନ, ଗୋପଲକ୍ଷ୍ମୀ କି କରିଚି ସହାୟତା । ଏଇ ଗାଁଟି ତା ପାଇଁ ବଡ଼ ପବିତ୍ର । ଏହାର ପ୍ରତିଟି ଧୂଳିକଣା ତା ପାଇଁ ବଡ଼ ମହତ୍ୱପୂର୍ଣ୍ଣ ।

 

ହେଲେ ସୁକୁଟା ବୋଉ ସହିତ ଖୁବ୍ ଯୁକ୍ତି କରିଚି । ତାର ଯୁକ୍ତି ବି ଯଥାଯଥ ଓ ତାତ୍ପର୍ଯ୍ୟପୂର୍ଣ୍ଣ । ଆଗେ ବେଳଥିଲା ସହର ଜୀବନ କଳୁଷିତମୟ ହୋଇଥିଲା । ସେଠାରେ ମାନବିକତା ସ୍ଥାନରେ ଦାନବତ୍ୱର ସ୍ଥାନ ଥିଲା ଉଚ୍ଚରେ । ଗାଉଁଲୀ ଜୀବନ ଥିଲା ସରଳ, ତରଳ, ନିରାଡ଼ମ୍ୱର ଓ ସହ ଯୋଗାତ୍ମକ । ଆଜି ଗ୍ରାମ୍ୟ ଜୀବନ ହୋଇଛି କଳଙ୍କିତ । ହିଂସା, ଦ୍ୱେଷ, କଟୁ କପଟତା ଓ ବିଶ୍ୱାସଘାତକତାର ମୃତ୍ୟୁ ପାଶରେ ଆବଦ୍ଧ ହେଲାଣି ଏ ଗ୍ରାମ୍ୟ ଜୀବନ । ଏହାର କାରଣ ଲୋକେ ଧର୍ମ ବିହୀନ ଓ ଈଶ୍ୱର ବିଶ୍ୱାସ ବିହୀନ ହୋଇ ଉଠିଲେଣି । ଦାନବୀ ଶକ୍ତିରେ ସମସ୍ତେ ମତ୍ତ । ନିଜର ଆଦର୍ଶ ଲାଭ ପାଇଁ ଲକ୍ଷ ଲାଭ ଅପେକ୍ଷା ଉପାୟର ଗୁରୁତ୍ୱ ଅଧିକ । ଉଚିତ ପନ୍ଥା ବା ଉପାୟ ଅବଲମ୍ୱନ କରିବାରେ ହିଁ ଅନ୍ତିମ ଲକ୍ଷ୍ୟ ଲାଭ ହୁଏ; ତେଣୁ ଉପାୟ ଓ ଉଦ୍ଦେଶ୍ୟ ଭିତରେ ପାର୍ଥକ୍ୟ କେବଳ କଳ୍ପନା ମାତ୍ର । ଉପାୟ ଯେ କେବଳ ଲକ୍ଷ୍ୟ ସ୍ଥଳରେ ନେଇ ପହଞ୍ଚାଇ ଦିଏ ତାହା ନୁହେଁ, ଉପାୟ ହିଁ ଲକ୍ଷ୍ୟ ବସ୍ତୁକୁ ପ୍ରକୃତ ରୂପରେଖ ଦିଏ । ଆମ ଗାଁ ଲୋକଙ୍କଠାରେ ଆଧ୍ୟାତ୍ମିକ ଚିନ୍ତାର ଗନ୍ଧ ନାହିଁ । ଆତିଥ୍ୟ ଶବ୍ଦ ତ କେବଳ ଅଭିଧାନଗତ । ସହଯୋଗାତ୍ମକ ମନୋବୃତ୍ତି ଚୁଲିକୁ ଗଲାଣି । ସଦାସର୍ବଦା କଳହ, ବାକ ବିସମ୍ୱାଦ, ମରାମରି, ହଣାହଣି ଓ ମାଲିମକଦ୍ଦମା ଗାଁଟାକୁ ଛାରଖାର କରି ଦେଲାଣି । ଅନ୍ତଃତଃ ସହରରେ ଏସବୁ ନାହିଁ । ଯିଏ ଯାହା ଦୁଃଖରେ କାମ ଧନ୍ଦାରେ ନିଜକୁ ଲଗାଇ ଦେଇଚନ୍ତି । ପଡ଼ୋଶୀ ପଡ଼ୋଶୀକୁ ଚିହ୍ନେନି । ଆଉ କଳି ତକରାଳ ବା ଜନ୍ମିବ କେଉଁଠୁ ?

 

ସୁକୁଟା ଦି ଅକ୍ଷର ପଢ଼ିଚି । ସହରରେ କାମକରି ଦୁର୍ଗାପୂଜା ଛୁଟିରେ ଘରକୁ ଆସୁଚି । ସହରରେ ଆଉ ଗୋଟିଏ ବଡ଼ କାମ ବି ବୁଝିଚି । ମା’କୁ ନେଇଯିବ । ମା’ଓ ପୁଅ ସହରରେ ରହିବେ । ଏହି କଳହପୂର୍ଣ୍ଣ ଗାଁଟାକୁ ଛାଡ଼ି ଚାଲିଯିବେ । ମା’ ପାଖରେ ତାର ରାତିଟା ଯାକର ଅଳି । ଗୋଟି ଗୋଟି କରି ଗାଁର ଅଘଟଣ ଘଟଣାଗୁଡ଼ିକ ସୁବିସ୍ତୃତ ବର୍ଣ୍ଣନା କଲା ସିଏ । ଶାସନର ରଥ ସାଆନ୍ତେ, ଲୋକେ କହନ୍ତି ସେ ନିଜେ ଆୟତ୍ତରେ ରଖିଥିଲେ । କାଳିଦାସଙ୍କଠାରୁ ବଳି ଉଚ୍ଚକୋଟିର ଲେଖା ଲେଖିଥିଲେ ସିଏ । ତାଙ୍କରି ପୁଅଗୁଡ଼ାକ ମଦ ଖାଇଲେ, କୁକୁଡ଼ା ରଖିଲେ, ଚୋରୀ ଚପଟ କଲେ । ତର୍କରତ୍ନେ, ପଞ୍ଚାନନେ, ବାଣୀଭୂଷଣ, ସଭାଭୂଷଣେ, ବିଦ୍ୟାରତ୍ନେ ପ୍ରତ୍ୟେକେ ଗୋଟିଏ ଗୋଟିଏ ରତ୍ନ । ସେମାନଙ୍କ ପିଲାମାନେ ଉଚ୍ଚ ଆଦର୍ଶ ରଖି ପାରିଲେ କି ? ଆମ ସାହିଟାତ ଏହି ଶାସନକୁ ଆଦର୍ଶ କରି ଚଳୁଥିଲା । ସେମାନେ ନିଜ ନିଜ ଭିତରେ ମାଲିମକଦ୍ଦମା କଲେ । ଉନ୍ନତ ପଥରୁ ସ୍ଖଳିତ ହେଲେ । ଆଉ ଆମମାନଙ୍କର ବା ସ୍ଖଳନ ନ ହେବ କିପରି ? କାଲି ଅଲେଖା ଭାଇ ଓ ବଳିଆ ଦଦୀ ମରାମରି, ହଣାହଣି ହୋଇ ଥାନାକୁ ଗଲେ । ରାଜ ଭାଇ ଓ ଚନ୍ଦ୍ର ଦାଦାଙ୍କ ମକଦ୍ଦମା ଅଦାଲତରେ । ବିଶିଆ କକା ଓ କାଶୀ କକାଙ୍କର ମୁହଁ ଚୁହାଁ ଚୁହିଁ ନାହିଁ । ଛୋଟ ଛୋଟ ପିଲାଗୁଡ଼ା ବି ସେମାନଙ୍କଠାରୁ ବେଶ ଏଇପରି କେତେ ଶିକ୍ଷା କଲେଣି-। ଚାଲ ମା, ଏଠୁ ଚାଲିଯିବା । ଗାଁରୁ ଲକ୍ଷ୍ମୀ ଛାଡ଼ି ଗଲେଣି । ଏବେ ସହରକୁ ମା ଲକ୍ଷ୍ମୀ ବେଶ ଚାହିଁଲେଣି ସଦୟ ହୋଇ ।

 

ସୁକୁଟା ବୋଉ ହସି ଦେଲା । ପୁଅଟା ପାଠ ଦି’ ଅକ୍ଷର ପଢ଼ି ମୁଣ୍ଡ ଖରାପ କରି ଦେଲାଣି । ଗାଁ ଗଣ୍ଡା ଯୁଗେ ଯୁଗେ ବଡ଼ ସହର ଲୋକେ କାହୁଁ ପାଇବେ ଗାଁର ନିରିମଳ ପାଣି ପବନ, କାହୁଁ ପାଇବେ ଦିଅଁ ଦେବତା, ପୂଜା ପରବ ଆଦି । ଏଇଠୁ ପରିବା ନେବେ, ଚାଉଳ ନେବେ, ମୁଗ ନେବେ—ସବୁ ଏଇଠୁ ନେଇ ପେଟ ପୋଷିବେ । ଆଉ ଗୁଡ଼େ ମୁଣ୍ଡ ଗଣ୍ଡି କଳଘର କରି ଯୁବକ ଯୁବତୀଙ୍କୁ ଟାଣି ନେଉଛନ୍ତି । ଗୁଲଗାଲିଆ ପୁଅଝିଅ ମୋର ଆଗରେ ଏଇଠୁ ଯାଉଛନ୍ତି-। ଗଲାବେଳେ କେଡ଼େ ସୁନ୍ଦର ଆଉ ଫେରିଲାବେଳେ ଟାଆଁସିଆ ହେଇ, ଆଖି ହଳଦିଆ କରି, ମୁହଁ ସେତା କରି ଫେରୁଚନ୍ତି । ଆଉ ଆଣୁଚନ୍ତି ରକ୍ତକୁ ପାଣି ଫଟାଇ ପଇସା କଉଡ଼ି । ଏଠି କ’ଣ ଆମର ମୂଲର ଅଭାବ ନା ଜିନିଷର ଅଭାବ ? ଗଲେ ଯାଆରେ ସୁକୁଟା, ମୁଁ ଏ ଘର ଦୁଆର ଛାଡ଼ି କୁଆଡ଼େ ଯିବି ନାହିଁ । ତୁ ବାସୁଆ ଦାଦିକୁ କହି ଶଗଡ଼ ନ ଆଣ, ମୁଁ କେବେହେଲେ ଗାଁ ଛାଡ଼ିବି ନାହିଁ । ତୁ ତ ସନ୍ଧ୍ୟା ଗାଡ଼ିକୁ ଟିକିଟ କାଟିଚୁ, ଖାଇଦେଇ ଚାଲିଯାଆ ।

 

ସୁକୁଟା, ମା’ କଥା ଶୁଣି ମୁହଁ ଶୁଖାଇ ଦେଲା । ସବୁ କଳ୍ପନା ତାର ପାଣି ଫୋଟକା ପରି ଫାଟି ମିଳାଇଗଲା । ସୁଖ ସପନ ଚୂନା ହେଇଗଲା । ସହରର ଚାଳି ଘରଟିକୁ ଛାଡ଼ି ଦବାକୁ ହବ । ଗୋଟାଏ ମେସରେ ସାମିଲ ହୋଇ ଦିନ କଟାଇବାକୁ ହବ । ବୁଢ଼ୀମାଟାକୁ ଦେଖିବାକୁ ଦାତା ଦଇବ ନ ଥିବେ । ମନଟା ଥିବ ମା ପାଖରେ ଆଉ କାମ କରୁଥିବ ସହରରେ । ମା’ ହାତ ତିଆରି ସୁଆଦୁ ଖାଦ୍ୟ କାହୁଁ ମିଳିବ । ଝୁରିୁ ଝୁରି ସେ ଶୁଖିବା ଶ୍ରେୟ ହେବ । ସେ ବି ସନ୍ଧ୍ୟା ଗାଡ଼ିକୁ ଗଲାନି-। ମା’ ପୁଅ ଖାଇ ପିଇ ଶୋଇ ପଡ଼ିଲେ । ଆଉ କେହି କିଛି କହିଲେନି । ରୁଷି କରି ଦୁହେଁ ଶୋଇ ପଡ଼ିଲେ । କିଏ କାହାକୁ ସତେ ରୁଷିଲେ କେଜାଣି ?

 

ହଠାତ୍ ବାରଟା ରାତିରେ ପାଟିତୁଣ୍ଡରେ ଗାଁଟା ଚମକିଉଠିଲା । ସମସ୍ତଙ୍କ ନିଦ ଭାଜିଗଲା । ବାହାରକୁ ସଭିଏ ଆସି ଦେଖନ୍ତି ତ ନିଧି ବେହେରା ଆଉ ରଘୁ ଶୁଣ୍ଢିଙ୍କ ମଧ୍ୟରେ ଲାଗିଚି ଭିଡ଼ାଓଟରା ମରାମତି । ପିଲା କଳିରୁ ଏ ଦ୍ୱନ୍ଦ୍ୱ । ନିଧି ବେହେରା ରେଳଷ୍ଟେସନରେ କୁଲି, ରଘୁ ଶୁଣ୍ଡି ମଦ ବିକି ବେଶ ଦୁଇପଇସା କମେଇଚି । କେହି କାହାକୁ ଊଣା ନୁହନ୍ତି । ଗାଁଟାର ଲୋକେ ଅଧେ ଅଧେ ଭାଗ ହୋଇ କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ କରିଦେଲେ । ରାତି ବାରଟାରୁ ଦୁଇଟା ବାଜିଗଲା । ଶୁକୁଟା ସାହିର ନିଧି ବେହେରା ଜିତ୍‍ ହେଲା ଆଉ ରଘୁଆ ଶୁଣ୍ଢିର ହାର ହେଲା । ନିଧି ବେହେରା ଘର ସାମନା ଆରଧାଡ଼ିରେ ନିଧି ଶୁଣ୍ଢିର ଘର ।

 

ଶୁକୁଟା ଭାବିଲା, ଏଥର ମା’କୁ ବୁଝାଇବା ସୁବିଧା ହେବ । ବଡ଼ କରୁଣ ଭାବରେ ମା’ ମୁହଁକୁ ଚାହିଁଲା । ଆଉ ଶୁକୁଟା ବୋଉ ଭାବିଲା, ପୁଅକୁ କହିଦବ ଏ ଗାଁ ଛାଡ଼ି ଚାଲିଯିବା ଭଲ । ମାତ୍ର କେହି କାହାକୁ କିଛି କହିଲେ ନାହିଁ । ନିଜ ଅଭିମାନ ନିଜକୁ ଟଳାଇ ଟଳାଇ ନେଇଗଲା ଶେଯ ଉପରକୁ । କିଛି ସମୟ ମନେ ମନେ କିଛି ଭାବିଲେ, ପୁଣି ଶୋଇ ପଡ଼ିଲେ । ଖୁବ୍ ଜୋରରେ ନିଦ ଆସିଗଲା । ଶୁକୁଟା ମା’ର ନିଦ ଭାଜିଲା ବେଳକୁ ସେ ଅର୍ଦ୍ଧଦଗ୍ଧ ଓ ତାକୁ ଲୋକେ ବୁହାଇ ନେଉଛନ୍ତି । ମୋ ପୁଅ’ ମୋ ପୁଅ କାହିଁ ?’ କେବଳ ଏଇ ଶବ୍ଦ ଶୁକୁଟା ମା’ଠାରୁ ଶୁଣା ଯାଉଥାଏ । ଡାକ୍ତରଖାନା ଖଟିଆ ଉପରେ ତାକୁ ଶୁଆଇ ଦିଆଗଲା । ଗୋଟିଏ ଯୁବକ ଡାକ୍ତର ତାକୁ ବଲବଲ କରି ଚାହିଁଲେ । କହିଲେ—ଆପଣ ଶୁକୁଟାଇ ମା’ନା ! କାନ୍ଦି କାନ୍ଦି ଶୁକୁଟା ମା’ କହିଲା—ହଁ ରେ ପୁଅ, ତୁ କିମିତି ତାକୁ ଚିହ୍ନିଲୁ ? ଡାକ୍ତର କହିଲେ—ମାଉସି, ମୁଁ ତୁମ ଘରକୁ ଯାଇଥିଲି, ଖାଇଚି, ପିଇଚି । ଶୁକୁଟା ମୋର ବଡ଼ ସାଙ୍ଗ । ମୁଁ ପାରିଲିନି ମାଉସି, ତାକୁ ମୁଁ ବଞ୍ଚାଇ ପାରିଲି ନାଇଁ । ଶୁକୁଟା ମା’ କହିଲା—ତେବେ ରଇଜଳା ଗାଁ କଳିରୁ ଘରପୋଡ଼ି, ସେଥିରେ ମୋ ଧନର ମୃତ୍ୟୁ ? ବାବୁ ମ, ମୋ କଥା ରଖିବ ? ମତେ ଟିକିଏ ଶୁକୁଟାକୁ ଦେଖାଇଦେବ ? ରଘୁଆ ଶୁଣ୍ଢି ମୋ ସୁନାର ଘର ଚୂନା କଲା । କେତେ ଘର ପୋଡ଼ି ଜାଳି ନାରଖାର କଲା । ମୁଁ ଚଣ୍ଡାଳୁଣୀ ମୋ ପୁଅର ଅଳି ଶୁଣି ଯଦି ସନ୍ଧ୍ୟା ଗାଡ଼ିରେ ଯାଇ ଥାଆନ୍ତି, ତେବେ ଏଅଟଣ ଘଟଣା ଘଟି ନ ଥାଆନ୍ତା । ଓହୋ, କେତେ କାତର ନିବେଦନ ସେ ସତେ କରି ନ ଥିଲା ! ସହରକୁ ଯିବାକୁ କେତେଥର ମତେ ବୁଝାଇଲା । ଶେଷକୁ ମୋ ପାଖରୁ ରୁଷି ଚାଲିଗଲା । ମୋ ଧନ, ମୋ ରାଣ, ମୋ ପୁଅଟା ପରା, ଟିକିଏ ଶୁକୁଟାକୁ ଆଣେ ପୁଅ ମୁଁ ତାକୁ ଦେଖେ ।

 

କୁଣ୍ଠିତ ଚିତ୍ତରେ ଡାକ୍ତର ବାବୁ ଠେଲା ଗାଡ଼ିରେ ଶୁକୁଟାର ମୃତ ଶରୀରକୁ ବୋହି ଆଣିଲେ । ତାର ମୁହଁ କନାରେ ଢଙ୍କା ହୋଇଥାଏ । ଥରିଲା ହାତରେ ବୁଢ଼ୀ କନାଟି କାଢ଼ିଦେଲା । ମୁହଁଟିକୁ ଦେଖି ନିର୍ବାକ୍ ହୋଇ ଚାହିଁ ରହିଲା । ସଜଫୁଟା ସୁନ୍ଦର ମୁହଁଟି ପୋଡ଼ିପାଡ଼ି ବିବର୍ଣ୍ଣ ହୋଇ ଯାଇଚି । ବୁଢ଼ୀ ସେଇ ମୁହଁରେ ଚୁମା ଦେବ ବୋଲି ମୁହଁ ବଢ଼ାଇ ଦେଲା ବେଳକୁ ଗଡ଼ି ତଳେ ପଡ଼ିଗଲା । ବେଶ୍, ସବୁ ଶେଷ ।

 

ଡାକ୍ତରବାବୁ ଯୋଗାଡ଼ କରି ଶ୍ମଶାନରେ ମା’ ପୁଅଙ୍କୁ ଏକାଠି ଦାହ କରାଇ ଦେଲେ ଆଉ ଦୁଇ ଆଖିରୁ ଦୁଇଟି ଟୋପା ଲୁହ ବୁହାଇ ଦେଇ ଫେରି ଆସିଲେ ଘରକୁ, ମନରେ ଅନନ୍ତ ଭାବନା ଧାରଣକରି ।

★★★

 

ବାଜୁର ସରସ୍ୱତୀଙ୍କୁ ଚିଠି

 

ସରସ୍ୱତୀଙ୍କ ବାଜୁର ଶତକୋଟି ପ୍ରମାଣ । ଆପଣ କେଉଁଠି ଅଛନ୍ତି ମୁଁ ଜାଣେନା । ଜୀବନ ତମାମ ଆପଣଙ୍କୁ ମୁଁ ଆରାଧନା କରିଚି । ଆପଣଙ୍କ ବରପୁତ୍ର କାଳିଦାସ, ଉପେନ୍ଦ୍ର, ରବୀନ୍ଦ୍ର ଆଦି ସମସ୍ତଙ୍କ ପ୍ରତି ମୋର ବଡ଼ ଈର୍ଷା ହୋଇଚି । ସେମାନେ ପ୍ରତ୍ୟେକେ ଆପଣଙ୍କଠାରୁ କରୁଣା ପାଇଚନ୍ତି । କେବଳ ମୋ ଭାଗ୍ୟରେ ଆପଣଙ୍କ ଆଶୀର୍ବାଦ ମିଳିବାର ସୁଯୋଗ ଘଟିଲା ନାହିଁ । ତେଣୁ ମୁଁ ମରପୁର ତ୍ୟାଗ କରି ଅମରପୁର ସନ୍ଧାନରେ ଚାଲି ଆସିଲି । ଆପଣଙ୍କୁ ଖୋଜିବାର ନିଷ୍ଫଳ ଉଦ୍ୟମ ଏବେ ବି ଅବ୍ୟାହତ ରହି ଅଛି । ହେଲେ ଆପଣ ତ ମିଳିଲେ ନାହିଁ, ବାଧ୍ୟ ହୋଇ ପ୍ରେତପୁରୀରୁ ଏ ପତ୍ର ଖଣ୍ଡିକ ମୁଁ ଆପଣଙ୍କୁ ଲେଖୁଚି । ଆପଣଙ୍କର କରକମଳରେ ଏ ପତ୍ର ପହୁଞ୍ଚିବାର ଭରସା ରଖି ଏ ପତ୍ର ଲେଖିଲି ।

 

ବିଶ୍ୱଜନନୀ, ମୁଁ ପୁନଶ୍ଚ ଆପଣଙ୍କ ପାଦ-ପଦ୍ମରେ ଶତକୋଟି ଜୁହାର ହେଉଅଛି । ମୋ ଜୀବନର କରୁଣ କାହାଣୀ ଆପଣଙ୍କୁ ଅଗୋଚର ନାହିଁ । ଆପଣ ଅନ୍ୟର ଅନ୍ତରର କଥା ସ୍ପଷ୍ଟ ଜାଣିପାରନ୍ତି । ତଥାପି ମୋ ଆତ୍ମଚରିତ ମୁଁ ଆପଣଙ୍କୁ ନିବେଦନ କରୁଛି ।

 

ଆପଣ ଜାଣନ୍ତି, ମୁଁ ଗୋଟିଏ ଶ୍ରୋତ୍ରୀୟ ବ୍ରାହ୍ମଣ ପରିବାରରେ ଜନ୍ମଲାଭ କଲି । ମୋର ଜନ୍ମଲାଭ ଅବାଞ୍ଛିତ ଥିଲା । କାହିଁକି ନା, ଆମ ପରିବାରର ସଂଖ୍ୟା ଯଥେଷ୍ଟ ଅଧିକ ଥିଲା । ଅବଶ୍ୟ ସେତେବେଳେ ଆଜିକାଲି ପରି ଦୁଇଟି ସନ୍ତାନ ଯଥେଷ୍ଟର ଦୁହା ଲୋକେ ଉଠାଇ ନ ଥିଲେ, କି ସରକାର ଏଥିପାଇଁ ଦୃଷ୍ଟି ଦେଇ ନ ଥିଲେ । ମୁଁ ଗୋଟିଏ ତତ୍କାଳିନ ଗଡ଼ଜାତ ଅଞ୍ଚଳରେ ଭୂମିଷ୍ଠ ହୋଇଥିଲି । ମୋର ପିତା ଜଣେ ଖ୍ୟାତନାମା ପଣ୍ଡିତ ଥିଲେ । ତାଙ୍କଠାରେ ଆପଣଙ୍କ କରୁଣା ଯଥେଷ୍ଟ ଥିଲା ।

 

ସେ ବି କାଳିଦାସଙ୍କ ପରି ବିଦ୍ୱାନ୍ ଓ ପଣ୍ଡିତ ଥିଲେ । ତାଙ୍କ ରଚିତ ପୁସ୍ତକାବଳୀ ପ୍ରଚୁର ଖ୍ୟାତି ଅର୍ଜ୍ଜିଥିଲା । ତେବେ ଏପରି ଗୋଟିଏ ସ୍ଫୀତ ପରିବାରରେ ମୋର ଆଗମନ ସ୍ୱାଗତଯୋଗ୍ୟ ହୋଇ ନ ଥିଲା ବୋଲି ପରେ ଜାଣିଲି । ଆମ ଶାସନର ଫପେଇ ବାବାଜୀ, ଧନିଆ, ଭ୍ରମରା, ଗଡ଼ର ବୀର, ପୂର୍ଣ୍ଣ ଓ ପଠାଣ ସାହିର ମୁନିର, ଏକାମ୍ର ଆଦିଙ୍କ ସହିତ ପିଲାଦିନଟି ଖୁବ୍ ସୁଖରେ କଟିଗଲା । ସେ ଦିନଗୁଡ଼ିକ ଥିଲା ମୋ ପାଇଁ ସର୍ବଶ୍ରେଷ୍ଟ ସମୟ । ତା’ପରେ ଆରମ୍ଭ ହେଲା ମୋର ଦୁଃଖମୟ ଜୀବନର କରୁଣ କାହାଣୀ । ମୁଁ ଅନ୍ୟ ସାଙ୍ଗ ସାଥୀଙ୍କ ସହିତ ବିଦ୍ୟାଳୟକୁ ଅଧୟନ କରିବାକୁ ଗଲି । ଆପଣ ସମସ୍ତଙ୍କ କଣ୍ଠରେ ବିଜେ କଲେ; ଅଥଚ ମୋ ପାଇଁ ବଡ଼ ନିଷ୍ଠୁର ହେଲେ-। ମୁଁ ଜାଣେ, ଲୋକମାତାର ସନ୍ତାନ ଆମେ ସଭିଏ । ଜନନୀ ସମସ୍ତଙ୍କ ପାଇଁ କରୁଣାମୟ-। କରୁଣା-କଣା ତାଙ୍କର କାହାରିଠାରେ ଊଣା ହୁଏ ନାହିଁ । ଅଥଚ ମୋର ଶତ ସାଧ୍ୟ ସାଧନାରେ ବି ବିଦ୍ୟା କରାୟତ୍ତ ହୋଇପାରିଲା ନାହିଁ; ଆପଣ ଜାଣନ୍ତି, ଏଥିପାଇଁ ମୁଁ କମ୍ ଧ୍ୟାନ କରି ନାହିଁ । ରାତ୍ରି ଉଜାଗର ରହିବା, ନିଦ୍ରା ଦେବୀ ଆକର୍ଷଣ କଲେ ଆଖିରେ ସୋରିଷ ତେଳ ଢ଼ାଳି, ଉପବାସ ବ୍ରତ ପାଳନ କରି, ଆପଣଙ୍କ ପଦ କଞ୍ଜରେ ବିନତି ଜଣାଇ ମୁଁ ବହୁବାର ଧ୍ୟାନମଗ୍ନ ହେଇଚି । ମହାପାପୀ ଦସ୍ୟୁ ରତ୍ନାକର ‘ରାମ’ ନାମ ଜପ କରି ନ ପରି ‘ମରା’ ‘ମରା’ କହି ମହାକବି ବାଲ୍ମୀକି ହୋଇ ପାରିଥିଲା । ଆର ଜନ୍ମରେ କରିଥିଲେ କରିଥିବା ମୁଁ ପାପ, ଏ ଜନ୍ମରେ ପୁଣ୍ୟ ବିନା ମୋର ପାପ ଅର୍ଜ୍ଜନ ମୋଟେ ହୋଇନାହିଁ । ଅଥଚ ମୁଁ ଯାହା ପାଠ କଲି ତାହା ଅକ୍ଷତ ଭାବରେ ଫେରିଗଲା ସିନା; ମୋର ମାନସପଟରେ ଛାପ ପକାଇବା ଅସମ୍ଭବ ହୋଇ ଉଠିଲା । ଏଥିପାଇଁ ସ୍କୁଲରେ ଶିକ୍ଷକ ଓ ଗୃହରେ ନନା ଓ ଭାଇନାମାନଙ୍କ ଠାରୁ ବହୁ ଦଣ୍ଡ ଓ ତାଡ଼ନା ସହ୍ୟ କଲି ବିନାଦ୍ୱିଧାରେ।

 

ବୟସ ଅଭିବୃଦ୍ଧି ସଙ୍ଗେ ସଙ୍ଗେ ମୋର ଶିକ୍ଷକମାନଙ୍କର ତଥା ଅଭିଭାବକମାନଙ୍କର ତାଡ଼ନା ଚକ୍ରବୃଦ୍ଧି ହାରରେ ବଢ଼ିବାକୁ ଲାଗିଲା । ମୋର ସାଙ୍ଗ ସାଥୀମାନେ ଆପଣଙ୍କଠାରୁ ବରପ୍ରାପ୍ତ ହୋଇ ଉଚ୍ଚ ସୋପାନରୂଢ଼ ହେଲେ ଅନାୟାସରେ । ମୁଁ ଦେଖିଚି, ବାବାଜୀ, ଫପେଇ, ବୀର, ପୂର୍ଣ୍ଣ କ୍ୱଚିତ୍ ପାଠ ପଢ଼ନ୍ତି । ଅଥଚ ପରୀକ୍ଷାରେ ଭଲ କରନ୍ତି ଓ ଉପର ଶ୍ରେଣୀକୁ ଉନ୍ନୀତ ହୁଅନ୍ତି । ମାତ୍ର ଆପଣଙ୍କର ବିରାଗ ହେତୁ ମୁଁ ସବୁ ବର୍ଷ ନୂଆ ନୂଆ ପିଲାଙ୍କ ସହାଧ୍ୟାୟୀ ହିଏ । ସେମାନେ ଚାଲି ଯାଆନ୍ତି, ପୁନଶ୍ଚ ମତେ ନୂଆ ପିଲାଙ୍କ ସାଥୀ ହେବାକୁ ପଡ଼େ । ଆତ୍ମଗ୍ଲାନି ମତେ ଅହରହ ବିବ୍ରତ କରେ । ଶାରୀରିକ ଦଣ୍ଡ ଅପେକ୍ଷା ମାନସିକ ଅଶାନ୍ତି ମତେ ତାତିଲା ତେଲ କରେଇରେ ଜୀବଟିକୁ ଛାଡ଼ିଲେ କଲବଲ ହାଲାପରି ଶୋକ ସନ୍ତପ୍ତ କରେ ।

 

ତଳ ସ୍କୁଲର ଚାରି ବର୍ଷର ପାଠକୁ ଛଅ ବର୍ଷରେ ଶେଷ କରି ମୁଁ ଉପର ସ୍କୁଲରେ ଅଧ୍ୟୟନ କଲି । ଆପଣଙ୍କର ବିରାଗ ସତ୍ତ୍ୱେ ଆପଣଙ୍କ ପୂଜାରେ ମୋର ବିଶେଷ ଆଗ୍ରହ ଥାଏ । ସମ୍ପ୍ରତି ଲୋକେ ‘ଶ୍ରୀମା’ଙ୍କ ପୂଜା କରୁଚନ୍ତି, ତାଙ୍କ ଫଟୋ ଟାଙ୍ଗୁଚନ୍ତି; ମାତ୍ର ଆମ ବେଳରେ ‘ଲକ୍ଷ୍ମୀ’ ‘ସରସ୍ୱତୀ’ ଓ ‘ଦୁର୍ଗା’ଙ୍କୁ ପୂଜା ଜନନୀ ଭାବରେ ପୂଜା କରୁଥିଲି ଓ ଝିଅ ପିଲା ବୃନ୍ଦାବତୀଙ୍କୁ ପୂଜା କରୁଥିଲି । ମୁଁ ସରସ୍ୱତୀ ପୂଜାକୁ ସତୃଷ୍ଣ ନୟନରେ ଅନାଇ ରହିଥାଏ । ପୁଷ୍ପାଦି ଚୟନ କରି, ନିଷ୍ଠାର ସହିତ ଉପବାସ ବ୍ରତ ପାଳନ କରି ଆପଣଙ୍କ ପଦାରବିନ୍ଦରେ ମୁଁ ଭକ୍ତି ନିବେଦନ କରିଚି, ବହୁବାର ସାଶ୍ରୁ ନୟନରେ । ମୋର ମନେପଡ଼େ ଅଂଶୁପା ହ୍ରଦରୁ ପଦ୍ମ ଓ କଇଁ ଫୁଲ ତୋଳିବା ବେଳେ ମୋତେ କୁମ୍ଭୀରର ଖାଦ୍ୟ ହେବାକୁ ପଡ଼ିଥାଆନ୍ତା । ମୁଁ ତା ମୁହଁରୁ ବଞ୍ଚିଗଲି । ମତେ ହସ ମାଡ଼ୁଚି, କାହିଁକି ଯେ ବଞ୍ଚିଲି କେଜାଣି ? ବରଂ ଗୋଟିଏ ଜୀବ ପାଟିରେ ଲୀନ ହୋଇଗଲେ ମୋର ବହୁ ଭାଗ୍ୟ ହୋଇଥାଆନ୍ତା । ମୁଁ ପରୋପକାରୀ ମଧ୍ୟରେ ଗଣ୍ୟ ହୋଇଥାଆନ୍ତି ଓ ମୋର ଜୀବନ-ପଞ୍ଜିକା ଶେଷ ହେବା ସଙ୍ଗେ ସଙ୍ଗେ ଦୁଃଖ ଅମାରାତି ପାହି ଯାଇଥାନ୍ତା ।

 

ମାତ୍ର କଷ୍ଟରେ ଆଉଟ ପାଉଟ ହୋଇ କଲବଲିଆ ଜୀବନ ଧାରଣ କରିବା ଯାହା ଭାଲପଟରେ ଲିଖିତ ହୋଇ ରହିଅଛି, ତାର ବା କାହୁଁ ଏତେ ଚଞ୍ଚିଳ ଜୀବନ-ଦୀପ ନିର୍ବାପିତ ହୁଅନ୍ତା-! ହଁ, ଆପଣଙ୍କ ପୂଜା ଆମ ବିଦ୍ୟାଳୟରେ ଯେତେବେଳେ ପାଳିତ ହୁଏ, ମୁଁ ତହିଁରେ ମୁଖ୍ୟ ଅଂଶ ଗ୍ରହଣ କରେ । ଆମ ବିଦ୍ୟାଳୟର ବରେଣ୍ୟ ଲୋକପ୍ରିୟ ପଣ୍ଡିତ କ୍ରୟୀରଘୁନାଥ, ବୃନ୍ଦାବନ ଓ ତ୍ରିଲୋଚନ, ମୋର ନିର୍ମଳତା, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାରେ ମୁଗଧ୍ ହୋଇ ପ୍ରଶଂସା କରନ୍ତି । ଜୀବନରେ ସେଇତକ ମୋର କାମ୍ୟ ଓ ମୋର ସନ୍ତପ୍ତ ହୃଦୟକୁ ଶୀତଳ କରିବାରେ ତାହା ଥିଲା ଯଥେଷ୍ଟ ପୁଞ୍ଜି । ମୋର ଗୁରୁଦେବ ସିନା ଆପଣଙ୍କୁ ପୂଜା କରିବାରେ ସନ୍ତୁଷ୍ଟ ହେଲେ; ମାତ୍ର ମୁଁ ଜାଣେ ଆପଣଙ୍କ ଆସନ ଟଳିଲା ନାହିଁ । ଆପଣଙ୍କ ପଥର ହୃଦୟ ବିଗଳିତ ହେବାରେ ତ ଦୂରର କଥା, ଗୋଟିଏ ହେଲେ କରୁଣା କଣା ମିଳିବାର ସୌଭାଗ୍ୟ ମୁଁ ଅର୍ଜନ କରି ପାରିଲି ନାହିଁ ।

 

କଥାରେ ଅଛି, ‘ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି’ । ବହୁତ ସହିଲି ମୁଁ, ସାଙ୍ଗମାନଙ୍କର ହସ ଟାହୁଲି, ବଡ଼ମାନଙ୍କର ମାଡ଼ ଗାଳି ଓ ସାନମାନଙ୍କର ଅସମ୍ମାନ ସବୁକିଛି ମୁଁ ସହିଚି । ସହନ୍ତିନି କିପରି ? ଜନ୍ମିଥିଲି ତ ଏସବୁ ଗିଳି ହଜମ କରିବାକୁ । ବହୁତ ସହିଲି ହେ ମାଆ; ଆପଣଙ୍କ ପାଦତଳେ ଛାତି ଫଟାଇ କେତେ କାନ୍ଦିଚି । ଆପଣଙ୍କ ପାଦ ଗୁଡ଼ିକ ମୋ ଲୋତକ ଧାରରେ ଧୋଇ ଦେଇଚି । ଲୋକେ ଆପଣଙ୍କ ପାଦତଳେ ନଡ଼ିଆ ବାଡ଼ାନ୍ତି, ତା ପାଣି ଅର୍ପଣ କରନ୍ତି । ମୁଁ ମୁଣ୍ଡ କୋଡ଼ି ଦେଇ ମୁଣ୍ଡରୁ ରକ୍ତଧାର ଆପଣଙ୍କ ପାଦରେ ଅର୍ପଣ କରିଚି । ହେଲେ ମୋର ତପସ୍ୟା ବିଫଳ ହେଲା । ମୁଁ ସୁଦିନକୁ ଅପେକ୍ଷା କରିଥିଲି । ମାତ୍ର ଦୁର୍ଦ୍ଦିନ ଯାହାକୁ ସ୍ୱାଗତ କରିବାକୁ ସଦା ଜାଗ୍ରତ, ସୁଦିନ ତା ପାଇଁ ଅବଶ୍ୟ ପରାଙ୍‍ମୁଖ ହେବା କଥା, ତାହା ହେଲା-

 

ହଁ ଗୋଟିଏ ଦିନର ଘଟଣା । ମୋ ଜୀବନ-ଦୀପ ମୋରି ହାତରେ ମତେ ଲିଭାଇ ଦେବାକୁ ପଡ଼ିଲା । ଘଟଣାଟି ଲୋକ ଚକ୍ଷୁରେ ଅତି ସାମାନ୍ୟ; ମାତ୍ର ମୋ ବିଚାରରେ ଏହା ବଡ଼ ଗୁରୁତର ହୋଇଉଠିଲା । ବାର୍ଷିକ ପରୀକ୍ଷା ଫଳ ବାହାରିଥାଏ । ସାଙ୍ଗମାନେ ସଫଳ ମନୋରଥ ହୋଇ ମେଞ୍ଚାଏ ଲେଖାଏଁ ହସ ହସୁଥାଆନ୍ତି । ଆଉ ଅକୃତକାର୍ଯ୍ୟ ହୋଇଥିବା ଭାଇ ଭଉଣୀମାନେ ବିରସ ମନରେ ଘରକୁ ଫେରୁଥାଆନ୍ତି, ମୁଁ ବି ଫେରିଲି । ମୋ ସାଙ୍ଗମାନେ ମୋତେ ‘ରବର୍ଟ ବ୍ରୁସ’ ବୋଲି କହି ଥଟ୍ଟା କଲେ । ସାନମାନେ ମୁହଁ ମୋଡ଼ି ଦେଇ ମୋ ପାଖରୁ ଅନ୍ତର ହୋଇଗଲେ । ସକଳ ସାହସ ଠୁଳ କରି ସୋପାନ ଶିକ୍ଷକଙ୍କୁ ଦେଖାକଲି । କହିଲିସାର୍‍, ଏଥର ମୁଁ ଖୁବ୍ ପଢ଼ିଥିଲି, ଭଲ ବି ଲେଖିଥିଲେ । ମୋ କଥା ଟିକିଏ ବୁଝିବେନି ? ସାର୍‍ ବୁଝିଲେ, ଠିକ୍ ବୁଝିଲେ । ତାଙ୍କ ହାତ ପିଡ଼ା ପାଇଲା ପର୍ଯ୍ୟନ୍ତ ଗୁଡ଼ାଏ ମତେ ମାଇଲେ । ଭର୍ତ୍ସନା କରି ମୋ ଗଳାରେ ହାତ ଦେଇ ତାଙ୍କ ଘରୁ ବିଦା କରିଦେଲେ । ମୁଁ ଦେଖିଚି ମୋ ମାଡ଼ ଦେଖି ତାଙ୍କର ସାନ ଝିଅଟି ରଡ଼ି ଛାଡ଼ିଲା, ପୋଷା କୁକୁରଟି ଆଖିରୁ ଲୁହ ଗଡ଼ିଲା । ହେଲେ ତାଙ୍କଠୁ ପଦିଏ ସାନ୍ତ୍ୱାନାପୂର୍ଣ୍ଣ ବାଣୀ ଶୁଣିବାକୁ ମିଳିଲା ନାହିଁ । ଖାଲି କହୁଥାନ୍ତି—ବଦମାସ୍, ଖାଲି ଖେଳ ବୁଲ କରି ବୃଥାରେ ସମୟ କଟାଇ ଆସିଚି ନାଲିଶ କରି ।

 

ଦିହ ଫଡ଼ା, ମୁହଁ ଫୁଲି ଯାଇଥାଏ । ଘରକୁ ଫେରିଲି । ଦାଣ୍ଡ ପିଣ୍ଡାରେ ବଡ଼ ଭାଇନା ଛିଡ଼ା ହୋଇଥିଲେ । ମୋର ଅକୃତକାର୍ଯ୍ୟତାର ସମ୍ବାଦ ସେ ପୂର୍ବରୁ ପାଇ ଯାଇଥିଲେ । ମତେ ମାରିଲେ ଗୋଟାଏ ଧକକା ଯେ, ମୋ ମୁଣ୍ଡ କାନ୍ଥରେ ବାଜି ଫୁଲିଗଲା । କ୍ଷଣକ ପାଇଁ ମୁଁ ଅଚେତ ହୋଇଗଲି । ସେଠାରେ ଦାରୁଭୂତ ହୋଇ ଛିଡ଼ା ହେଲି । ଗୋଟାଏ ଧକକା ପୁଣି ଥରେ ଦେଇ ଘରକୁ ଯିବାକୁ ଅଗ୍ରଜ ଆଜ୍ଞା ଦେଲେ । ଘରେ ନନା ବସି ନାସ ଶୁଙ୍ଘୁଥିଲେ । ମୋ ଆଖିର ଲୁହ ଦେଖି ପଚାରିଲେ, କ’ଣ ହେଲାରେ ବାଜୁ ? କୃତକାର୍ଯ୍ୟ ହୋଇଚୁ ତ ? ମୋ ପାଟିରୁ ନା’ ଶୁଣିବା ମାତ୍ରେ ମୋ ଖୁଆରେ ହାତ ଦେଇ ଟେକି କଚାଡ଼ି ଦେଲେ । ମନେ ହେଲା ମୁଁ ଗୋଟାଏ ମେଞ୍ଚା ହୋଇଯିବି । ବଳ ସଂଗ୍ରହ କରି ଉଠିବାକୁ ମୋତେ ପାଞ୍ଚ ମିନିଟ ଲାଗିଲା । ମୁଁ ହାଲିଆ ହୋଇ ଉଠିବି କି ନାହିଁ ଭାବୁଚି, ଏହି ସମୟରେ ନନା ପୁଣି ବଜ୍ର ପରି ଗୋଇଠାଟାଏ ମାରିଲେ, ଉଠିଗଲି-। ବୋଉଙ୍କ ଆଗରେ ମୋର ଦୁଃଖ ପୂର୍ଣ୍ଣ କାହାଣୀ ପେଡ଼ି ଖୋଲି ଦେବାକୁ ଇଚ୍ଛା ହେଲା, ଆରମ୍ଭ ବି କରିଦେଲି । ମାତ୍ର ସ୍ନେହମୟୀ ଜନନୀଙ୍କଠାରୁ ବି କଣାଏ ମାତ୍ର କରୁଣା ମୁଁ ପାଇଁ ପାରିଲି ନାହିଁ-। ପାଆନ୍ତି କିପରି ? ମୁଁ ପରା ତାଙ୍କର ଅବାଞ୍ଛିତ ସନ୍ତାନ ! ସେ କହିଲେ—ମୁଁ କ’ଣ କରିବି-? ଯେମିତି କାମ କରିବ ସେମିତି ଫଳ ପାଇବ ।

 

ମଝି ଘରକୁ ଯାଇ ମୁହଁ ମାଡ଼ି ଶୋଇ କଇଁ କଇଁ ହୋଇ କାନ୍ଦିଲି । ନିଦ ଟିକିଏ ହୋଇଗଲା । ମଧୁର ସ୍ୱପ୍ନଟିଏ ଦେଖିଲି । ଆପଣ ମୋ ପାଖରେ ଅବତୀର୍ଣ୍ଣ । ମୁଁ ମୋ ହାତ ଆପଣଙ୍କ ପାଦକୁ ବଢ଼ାଇ ଦେଲା ବେଳକୁ ମୋ ସାନ ଭାଇନା ମୋ କାନ ଧରି ଉଠାଇ ଦେଲେ । କହିଲେ—ଶୋଇଚୁ କାହିଁକି ? ପାଠ ତ ହେଲାନାହିଁ, ଯାଆ ବାଡ଼ିରେ ଶାଗ ପଟାଳି ହାଣିବୁ । ଟଳି ଟଳି ଗଲି । ଏବେ ବି କହି ପାରିବିନି କେଉଁ ଦୈବ୍ୟ ଶକ୍ତିରେ ସବୁତକ ସାଗ ପଟାଳି ହାଣିଦେଲି । ଧୁଆ ଧୋଇ ହୋଇ, ମୋରି ସେଇ ପ୍ରିୟ ମଝି ଘରେ ଯାଇ ବସିଲି । ସମସ୍ତେ ଖାଇଲେ, ପିଇଲେ; ଅଥଚ କେହି ମତେ ଡାକିଲେ ନାହିଁ । ଅଭିମାନ କରି ଖାଲି ଖଟ ଉପରେ ଶୋଇ ପଡ଼ିଲି । ନିଦ ଘୋଟିଗଲା । ପାହାନ୍ତିଆକୁ ଭୋକ ହେଲା, ଉଠିଲି । କାହାକୁ ନ ଉଠାଇ, ଗଲି ମା’ଙ୍କର ଘରକୁ । ତାଙ୍କର ଅଫିମ କରାଟଟି କାନ୍ଥକୁରାରେ ଥୁଆ ହୋଇଥିଲା । ଗୋଟାଏ ବଡ଼ ଟେଳା । ପାଣି ସହିତ ମିଶାଇ ପିଇ ଦେଲି ।

 

ଭାବିଥିଲି, ମର୍ତ୍ତ୍ୟପୁର ଛାଡ଼ିଲେ, ଆପଣଙ୍କ ସାନ୍ନିଧ୍ୟ ଲାଭ କରି ପାରିବି । ମୋର ପ୍ରେତାତ୍ମା ବୁଲିଲା ଚାରିଆଡ଼ । ତିନି ପୁର ବୁଲିଲି । ପାଣି, ଗଗନ, ପବନ କେଉଁଠାରେ ବାକି ରହିଲା ନାହିଁ । ହେଲେ, ଆପଣଙ୍କର ପତ୍ତା ମିଳିଲା ନାହିଁ । ଅନ୍ୟ ଉପାୟ ନ ପାଇ, ଏ ଚିଠିଟି ଲେଖୁଚି । ପୁନର୍ଜନ୍ମ ଲାଭ କଲେ ଟୋପାଏ କରୁଣା ଦେବେ । ଆଉ କୌଣସି ଦୂତ ମାଧ୍ୟମରେ ମୋର ଏ ଦୁଃଖପ୍ରାପ୍ତିର କାରଣ ସମ୍ବନ୍ଧେ ଦୁଇପାଦ ଜଣାଇ ଏ ଶୋକ ସନ୍ତପ୍ତ ପ୍ରେତାତ୍ମା ପାଇଁ ଶୀତଳ ବାରି ସେଚନ କରିବେ ।

★★★

 

ରାଣୀଆର କରୁଣ କାହାଣୀ

 

ରାଣୀଆଟି ବ୍ରହ୍ମଣ ଘରର ଝିଅ । ବାପ ମା ତାକୁ ଛାଡ଼ି ସେ ପୁରର ଡାକ ଶୁଣି ଚାଲିଗଲେ । ଭାଇ ଭାଉଜର ସଂସାରରେ ରାଣୀଆଟିକୁ ଚଳିବାକୁ ପଡ଼ିଲା । ଦରିଦ୍ର ବ୍ରହ୍ମାଣ ପରିବାର । ପୌରୋହିତ୍ୟ ଓ ଯାତ୍ରା ବ୍ୟବସାୟ ବିନା ଅନ୍ୟ କୌଣସି ଉପାୟ ନ ଥିଲା ଏ ପରିବାରର ପେଟ ପୋଷିବା ପାଇଁ । ବଡ଼ ଦୁଃଖ କଷ୍ଟରେ ଘର ସଂସାର ଚଳୁଥାଏ । ‘ଢୋକେ ପିଇ ଦଣ୍ଡେ ଜୀଇ’ ଅବସ୍ଥା ସଦାସର୍ବଦା ଲାଗି ରହିଥାଏ । ଅର୍ଦ୍ଧଉଲଗ୍ନ ଓ ଅର୍ଦ୍ଧାହାରରେ ପରିବାରଟି ଦିନ କଟାଇ ଚାଲିଥାଏ । ପୁଣ୍ୟ, ପରବ, ବାର ବ୍ରତ ପାଳନ କରିବା ତ ଦୂରର କଥା, ଭଲକରି ମୁଠେ ଖାଇବାର ସଂଗତି ଦିନକ ପାଇଁ ଯୁଟେ ନାହିଁ । ମନେହୁଏ, ଭଗବାନଙ୍କର ଅଭିଶାପ ଯେପରି ସେ ଘରଟିକୁ ଦାରିଦ୍ର୍ୟର କଷାଘାତ ସହ୍ୟ କରିବା ପାଇଁ ପ୍ରସ୍ତୁତ କରି ରଖିଥାଏ । ପରିବାରର ପ୍ରତ୍ୟେକ ଅଧିବାସୀ ଅନାହାର ବ୍ରତ ପାଳନ କରନ୍ତି ସିନା, କେବେହେଲେ ଅବୈଧ ଧନ ଉପାର୍ଜନ କରିବା ପାଇଁ ମନ ବଳାନ୍ତି ନାହିଁ । ଏଇ ଘରରେ ରାଣୀଆଟିର ଜନ୍ମ ।

 

ରାଣୀଆଟି ଯେତେବେଳେ ଜନ୍ମ ହେଲା, ଘରେ ଝିଅଟିଏ ନ ଥିବାରୁ ସମସ୍ତେ ଖୁବ୍ ଆନନ୍ଦିତ ହୋଇଥିଲେ । ସାଇ ପଡ଼ିଶା, ଶଙ୍ଖ ମଲମଲ ପଥର ପରି ଥୋବ ଫରଫର ପିଲାଟିକୁ ‘ରାଣୀ’ ଏ ଘରେ ଜନ୍ମ ଲଭିଚି ବୋଲି କହିଲେ । ‘ରାଣୀ’ ‘ରାଣୀ’ କହୁ କହୁ ପିଲାଟିର ନାମ ‘ରାଣୀଆ’ ରହିଗଲା । ତାର ଭଲ ନାମଟା ଲୁଚିଗଲା, ଲୋକେ ମୁଖ ନାଁଟା ସାରା ଦୁନିଆ ଜାଣିଲା-। ରାଣୀଆ ବଢ଼ିଲା ରୂପ ଓ ଗୁଣର ଅତୁଳ ବିଭବ ଧରି । ବଡ଼ ବସ୍ତିଟା ସାରା ଖୋଜି ଆସିଲେ ଏପରିକି ସହର ତମାମରେ ତାପରି ଆଉ ଗୋଟିଏ ସୁନ୍ଦର ଓ ଗୁଣର ଝିଅ ଦେଖିବାକୁ ବିରଳ-। ବାପ, ମା ପିଲାଟିର ମୁହଁକୁ ଦେଖି ଆନନ୍ଦ ହବା ଦୂରେ ଥାଉ ବିରସ ବଦନରେ କହନ୍ତି–ଦରିଦ୍ରପୁରୀରେ ଏ ସୁନ୍ଦର ଫୁଲ । ଏହାର ମୂଲ ବୁଝିବ କିଏ ସେ ? ପାଠପଢ଼ା, ଘରକାମ, ଚାଲିଚଳନ, କଥାବାର୍ତ୍ତା ସବୁଥିରେ ସେ ଅଦ୍ୱିତୀୟ । ସେତେବେଳେ ପିଲା କନ୍ୟା ବିବାହ ଦେବା ସାମାଜିକ ପ୍ରଥା ଥାଏ । ପିଲାଟିକୁ ଗୃହଯୋଗ୍ୟା ହେବା ପୂର୍ବରୁ ବିବାହ ଦେଇ ନ ଦେଲେ ଗୃହକର୍ତ୍ତା ଓ କର୍ତ୍ତ୍ରୀଙ୍କୁ ବହୁ ପାପ ଅର୍ଜନ କରିବା ଧାରଣା ଥାଏ । ବୃଦ୍ଧ ଓ ବୃଦ୍ଧା ଏକେତ ଅନଶନ ଦ୍ୱାରା ଭାଜି ପଡ଼ିଥାଆନ୍ତି; ପୁଣି ଝିଅ ବିବାହର ଚିନ୍ତା ସେମାନଙ୍କ ହୃଦୟ ମନ୍ଥନ କଲା । ‘ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି’—ଚିନ୍ତା କରି କରି ସେ ଦୁହେଁ ଆଖି ବୁଜିଲେ ।

 

ଭାଇ ଭାଉଜଙ୍କ ପାଖରେ ରହିଲା ରାଣୀଆ । ଏତେ ଭଲ ହେଲେ ମଧ୍ୟ ସଦା ସର୍ବଦା ଭାଉଜଙ୍କଠାରୁ ଗଞ୍ଜିଣା ସହିବାକୁ ତାକୁ ପଡ଼ିଲା । ଘରଟା ଯାକର ସବୁ କାମ କରେ ସେ । ଘର ଓଳାଇବା, ରୋଷାଇ କରିବା, ଧାନ ଉଁଷାଇବା, ଶୁଖାଇବା, କୁଟିବା—ସବୁ ଆନନ୍ଦ ମନରେ କରେ ରାଣୀଆ । ଘରର ଲୁଗାପଟା କେବେହେଲେ ଧୋବା ଘରେ ପଡ଼େନା । ସବୁ ହାତରେ ସେ ସଫା କରିନିଏ । ଏଥିରେ ବି ଭାଉଜଙ୍କ ମାଡ଼ ଗାଳି ତାକୁ ଅହରହ ସହ୍ୟ କରିବାକୁ ପଡ଼େ । ସାଇ ପଡ଼ିଶାର ବାଜୀ ସେଦିନ ତା ଭାଉଜ ସହିତ ବହୁ କଳିକଲା । ତୁଚ୍ଛାଟାରେ ପିଲାଟାକୁ ଦଣ୍ଡଦବା ଅନ୍ୟାୟ ବୋଲି କହି ଗର ଗର ହୋଇ ତା ଘରକୁ ଫେରିଗଲା । ଏଥିରେ ରାଣୀଆ ଯାଏ କୁଆଡ଼େ-? ନିସ୍ତୁକ ମାଡ଼ ଖାଇଲା । ଭାଉଜ ଭାବିଲେ ରାଣୀଆ ଘରକଥା ଦାଣ୍ଡରେ ପ୍ରକାଶ କରୁଚି-। ଅଥଚ ସେ ଜାଣନ୍ତି ଯେ, ରାଣୀଆ ଘରୁ ବାହାରକୁ ଦଣ୍ଡେ ହେଲେ ଗୋଡ଼ କାଢ଼ି ଯାଏନାହିଁ-। ଯାଇଥିଲେ ଯାଇଥିବ ଅଜ୍ଞାନ ଶୈଶବରେ । ମାତ୍ର ସମ୍ପ୍ରତ ବାହାରକୁ ଯିବା ଅପରାଧ ବୋଲି ସେ ମନେକରେ-

 

ରାଣୀଆର ବିବାହ ପ୍ରସ୍ତାବ ପାଇଁ ନିଜ ଘରୁ ବିଚାର ଆଲୋଚନା ନ ହେଉଣୁ ବହୁତ ପ୍ରସ୍ତାବ ବାହାରୁ ଆସେ । ଯିଏ ଆସେ, ରାଣୀଆର କର୍ମପ୍ରବଣତା ତଥା ଅତୁଳନୀୟ ସୌନ୍ଦର୍ଯ୍ୟରେ ମୁଗଧ ହୋଇ ଫେରେ । ମାତ୍ର କୌଣସି ସ୍ଥାନରେ ବିବାହ ପ୍ରସ୍ତାବ ସ୍ଥିର ହୋଇପାରେ ନାହିଁ । ଯେତେବେଳେ ଲୋକେ ଜାଣନ୍ତି, ରାଣୀଆ ଯାହା ଘରକୁ ବୋହୂ ହୋଇ ଆସିବ ତା ଘର ଉଜ୍ଜ୍ୱଳ କରିବ, ହେଲେ ଲଙ୍ଗଳା ବେକ, କାନ, ନାକ ଓ ଖାଲି ହାତରେ ବୋହୂ ହୋଇ ସେ ଆସିବ । ରାଣୀଆ ଘର ବିବାହ ଭୋଜି କରିବା ତ ଦୂରର କଥା ବରଯାତ୍ରୀଙ୍କୁ ଗିଲାସେ କରି ପଣା ଦବାପାଇଁ ଅସମର୍ଥ, ଏଥିରେ କାହା ପକ୍ଷରେ ସ୍ୱୀକୃତି ଦେବା ସମ୍ଭବ ହେଲା ନାହିଁ । ସମସ୍ତେ ଫେରିଗଲେ । ଧନର ଉପାସକ ସମସ୍ତେଗୁଣର ନୁହଁ ।

 

ରାଣୀଆଟି ଭାଉଜଙ୍କଠାରୁ କେବଳ ତାଡ଼ନା ପାଉଥିଲା । ଭାଇନା କେବେହେଲେ ତାକୁ ମାଡ଼ ଦବା ତ ଦୂରର କଥା, କଟୁ କଥା ପଦେ କହୁ ନ ଥିଲେ । ମାତ୍ର ତାର ବିବାହ ପ୍ରସ୍ତାବ କେଉଁଠି ହେଲେ ସ୍ଥିର ହୋଇ ନ ପାରିବାରୁ ସେ ଚିଡ଼ି ଚିଡ଼ି ହେବାକୁ ଆରମ୍ଭ କଲେ । ଭାଉଜଙ୍କ ସହ ମିଳିମିଶି ତାକୁ ନିର୍ଯ୍ୟାତିତ କରିବାକୁ ପଛାଇଲେ ନାହିଁ । ରାଣୀଆ ସବୁ ସହେ । ସଞ୍ଜ ସକାଳେ ବୃନ୍ଦାବତୀଙ୍କ ନିକଟରେ ମୁଣ୍ଡିଆଟିଏ ମାରି ନିଜର ଦୁଃଖତକ ଅଶ୍ରୁପାତ ଦ୍ୱାରା ନିଗାଡ଼ି ଦିଏ । କାହାରିଠି କେବେ ସେ ଅପବ୍ୟବହାର ପାଇଁ ପ୍ରତିବାଦ କରିନାହିଁ । ଭାଇ ଭାଉଜଙ୍କ ଅଇଁଠାରେ କେବେ କେମିତି ମୁଠେ ବଳିଲେ ଖାଏ, ନାହିଁ ତ ପାଣି ମୁନ୍ଦେ ପିଇ ଦେଇ ଶୋଇପଡ଼େ ।

 

ସେଦିନ ବୃନ୍ଦାବତୀଙ୍କୁ ମୁଣ୍ଡିଆ ମାରି ସେ ଦାଣ୍ଡଘରକୁ ଗଲାବେଳେ କଡ଼ଘରେ ଭାଇନା ଓ ଭାଉଜ ତାକୁ ଦେଖେଇ ଶୁଣେଇ କହିଲେ—ବିଭା ନ ହୋଇ ପାରି କେତେ କେତେ ଝିଅ କୂଅ ପୋଖରୀ ଲୋଡ଼ୁଚନ୍ତି, ବିଷ ଖାଉଚନ୍ତି, ଆଉ ଦଉଡ଼ି ଦଉଚନ୍ତି । ଆମର ଏ ଟୋକିଟାକୁ କିଛି ବାଟ ଦିଶୁନି ? ଏଇଟା ତ ଜନ୍ମ ହୋଇଚି ଆମର ଦୁଃଖ ପସରା ହୋଇ, ଆଉ ଆତ୍ମହତ୍ୟା କରି ଦୁଃଖ ପାଶୋରା ହବ କେଉଁଠି ? ମରୁନି ଯାହା ଏଇଟା ।

 

ରାଣୀଆ ସବୁ ଶୁଣିଲା । ବାଡ଼ି ଘରେ ବସି ନନା ଓ ବୋଉଙ୍କୁ ମନେ ପକାଇ ବହୁତ କାନ୍ଦିଲା । ସେ ନିଜେ ଶୁଣିଚି, ବୋଉ ଯେତେବେଳେ ଉପାସର ଦାଉ ସମ୍ଭାଳି ନ ପାରି ଆତ୍ମହତ୍ୟା କରିବାକୁ କହନ୍ତି, ନନା ବହୁ ଶାସ୍ତ୍ର ପୁରାଣ ଆଦିର ନଜିର ଦେଇ ଆତ୍ମହତ୍ୟା ପରି ମହାପାପ ଆଉ ନାହିଁ ବୋଲି ଜଣାଇ ଦିଅନ୍ତି । ବୋଉ ତାର ଅଶେଷ କଷ୍ଟ ସହ୍ୟ କଲେ ସିନା; କେବେହେଲେ ଶେଷ ପର୍ଯ୍ୟନ୍ତ ଆତ୍ମହତ୍ୟା କରି ନାହାନ୍ତି । ଆଉ ନନା ! ଘର ଛାଡ଼ି ବାହାରକୁ କୁଆଡ଼େ ପଳାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ମା’ କହିଥିଲେ, ହଇହେ ‘ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ’ କହି ଏହି ଶ୍ରୀକ୍ଷେତ୍ରବାସୀ ବାହାରକୁ ତୀର୍ଥ କରି ଯାଇ ନ ଥିଲେ ଟି ? ତୁମେ ଶ୍ରୀକ୍ଷେତ୍ର ଛାଡ଼ି କୁଆଡ଼େ ଯିବ ? ବରଂ ଏଠାରେ ଅନାବାରରେ ଜଳି ପୋଡ଼ି ମରିବା ଭଲ, ଏଠାରୁ ଗୋଡ଼ କାଢ଼ି ଅନ୍ୟତ୍ର ଯିବାର ଇଚ୍ଛା ପ୍ରକାଶ, ମହାପାପ ।

 

ରାଣୀଆ ବାପା ଓ ମାଙ୍କ ଆଦର୍ଶରେ ସଦାସର୍ବଦା ଅନୁପ୍ରାଣିତ ହୋଇ ଆସିଅଛି । ସେମାନଙ୍କର ବୁଭୁକ୍ଷା ସହିବାର ଶକ୍ତି, କର୍ତ୍ତବ୍ୟପରାୟଣତା, ସ୍ନେହଶୀଳତା, କଷ୍ଟ ସହିଷ୍ଣୁତା ଆଦି ସକଳ ଗୁଣ ସେ ପିତାମାତାଙ୍କଠୁ ଗ୍ରହଣ କରି ନେଇଥିଲା । ତେଣୁ ଗୃହତ୍ୟାଗ କରିବା ବା ଆତ୍ମହତ୍ୟା କରିବା ମହାପାପ ଜାଣି ସେ ପଥରୁ ସେ ନିବୃତ୍ତ ହୋଇଥିଲା । ତାରି ସାଥୀ ବାଜି ତାକୁ କେତେଥର ମତେଇଚି, ବୁଝେଇଚି, ବଡ଼ଭାଇ ଓ ଭାଉଜଙ୍କ ଅଯଥା ତାଡ଼ନାକୁ ପ୍ରତିବାଦ କରିବାକୁ-। ମାତ୍ର ସେ ନିଜେ ଦେହକୁ ପଥର କରି ସବୁ ସହିଚି ସିନା ପଦିଏ ପ୍ରତିବାଦାତ୍ମକ ବାଣୀ ଶୁଣାଇ ପାରେନି ।

 

ଝିଅ, ଘିଅଇଏ ରହିଲେ ବଡ଼ ଅସୁନ୍ଦର ଓ ଅଶୋଭନୀୟ, ତେଣୁ ଜମିଦାର ଘରୁ ଯେଉଁ ପ୍ରସ୍ତାବ ଆସିଲା, ତାକୁ ଅକୁଣ୍ଠିତ ଚିତ୍ତରେ ରାଣୀଆର ଭାଇ ଭାଉଜ ଗ୍ରହଣ କରିଗଲେ । ବାଜି ଆସି କହି ଦେଇଗଲା ଯେ, ଜମିଦାରଟା ମଦ୍ୟପ । ତା ଅତ୍ୟାଚାର ଫଳରେ ଆଗରୁ ତିନି ତିନୋଟି ନାରୀ କୂଅ ପୋଖରୀର ଆଶ୍ରୟ ନେଇ ମୃତ୍ୟୁ ମୁଖରେ ପଡ଼ିଚନ୍ତି । ଭାଇ ଭାଉଜଙ୍କୁ ନାହିଁ କରିବାକୁ ସେ ପ୍ରବର୍ତ୍ତାଇଲା । ରାଣୀଆ କହିଲା—ବାଜି ! ଭାଇ ଓ ଭାଉଜଙ୍କୁ କଲବଲ କରିବା ଅପେକ୍ଷା ନିଜେ ବରଂ ଦୁଃଖ ସାଗରକୁ ଲମ୍ପ ଦେବା ଶ୍ରେୟସ୍କର । ଅନ୍ନାଭାବ, ଭାଇ ଭାଉଜଙ୍କର କଷ୍ଟାର୍ଜିତ ଧନ ବ୍ୟୟ କରୁଛି ମୁଁ ବସି ବସି । ସେମାନଙ୍କ ମନରେ ଅଯଥ ଦୁଃଖ ଯନ୍ତ୍ରଣା ଦେବା ଅପେକ୍ଷା ବରଂ ସର୍ବସହା ଜନନୀ ପରି ସଂସାର ଜାଲରେ ନିଜକୁ ଧରାଦେବା ବାଞ୍ଛନୀୟ । ବାଜି ମୁହଁ ଶୁଖାଇ ଚାଲିଗଲା । ସ୍କୁଲ ପଢ଼ୁଆ ପିଲା, ତାର ବା ବୁଦ୍ଧି କେତେ ଯେ କଥାର ସୁଅ କାଟି କଥା କହିବ ।

 

ଜମିଦାର ଘର ଟଙ୍କାରେ ଅତି ଜାକଜମକରେ ରାଣୀଆର ବିଭାଘର ହୋଇଗଲା । ରାଣୀଆ ଦିନ କେଇଟାରେ ଜମିଦାର ଘରର ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି ପୋଇଲୀ ପରିବାରୀ ସମସ୍ତଙ୍କୁ ସ୍ୱ ଆଚରଣରେ ମନ୍ତ୍ରମୁଗଧ୍ କରିଦେଲା ସିନା, ପାରିଲା ନାହିଁ ନିଜ ପ୍ରାଣର ପତି ଦେବତାଙ୍କୁ ବିପଥରୁ ହଟାଇ ଆଣି ।

 

ଫୁଲର ବାସନା ମହକରେ ଭ୍ରମର ଭୁଲି ଆଦର କରେ । ମହକ ଶୂନ୍ୟ ହେବାପରେ ଆଉ ତାକୁ ନ ପଚାରିଲା ପରି, ରାଣୀଆର ସ୍ୱାମୀ ତ ରାଣୀଆକୁ ପଚାରିଲେ ନାହିଁ, ପ୍ରହାରରତ ହେଲେ । ଏଥିରେ ଯିଏ ବାଧା ଦେଲା ସେ ଗୃହରୁ ବିତାଡ଼ିତ ହେଲା । ଘରର ସବୁଠୁ ପୁରୁଣା ଚାକର ନନ୍ଦିଆ ପ୍ରତିବାଦ କରି ଚାଲିଗଲା । ଜମିଦାରଙ୍କର ଏକମାତ୍ର କୁଳନନ୍ଦନ ପ୍ରତିବାଦର ଫଳ ସ୍ୱରୂପ ନିସ୍ତୁକ ପ୍ରହାର ଖାଇ ଜ୍ୱରାକ୍ରାନ୍ତ ହେଲା ।

 

ରାଣୀଆ ଦିନ ରାତି ସଉତୁଣୀ ପୁଅର ସେବା କଲା । ପିଲାଟି ଭଲ ନ ହେବାରୁ ଦିଅଁଙ୍କୁ କେତେ ନେହୁରା ହେଲା, ବହୁତ ଗୁହାରୀ କଲା । ଭଗବାନ ତାର ଗୁହାରୀ ଶୁଣିଲେ । ପିଲାଟି ଭଲ ହୋଇଗଲା । ରାଣୀଆ ଉନ୍ନିଦ୍ର ରଜନୀ ଅନାହାରରେ କଟାଇ କଟାଇ ଅବଶେଷରେ ରୋଗାକ୍ରାନ୍ତ ହେଲା । ବେମାର ପଡ଼ିଥାଏ । ସ୍ୱାମୀଙ୍କଠାରୁ ଡାକରା ପାଇଲା, ପୁଅ ମନା କରୁଥାଏ , ସମସ୍ତେ ବାଟ ଛକିଲେ ମାତ୍ର ସେ ଶୁଣିଲା ନାହିଁ । ଟଳି ଟଳି ସ୍ୱାମୀଙ୍କ ନିକଟକୁ ଗଲା । ସ୍ୱାମୀଙ୍କର ସମସ୍ତ ଅତ୍ୟାଚାର ବିନା ପ୍ରତିବାଦରେ ସହ୍ୟ କଲା । ମାତ୍ର ତାରି ଆଗରେ ମଦ୍ୟପାନ ପରେ ଆଉ ଗୋଟିଏ ମଦ ବୋତଲ ଧରିବାର ଦେଖି, ବାଧା ଦେବାକୁ ଆଗେଇ ଗଲା । ଥର ଥର ଗଳାରେ ବାରଣ କଲା । ଜମିଦାରବାବୁ କ୍ରୋଧାନ୍ଧ ହୋଇ ତା ମୁଣ୍ଡରେ ବୋତଲଟି ବାଡ଼େଇ ଦେଲେ, ସେ ଅଚେତ ହୋଇ ସେଇଠି ପଡ଼ିଗଲା ।

 

ରାଣୀଆକୁ ଡାକ୍ତରଖାନାକୁ ନିଆଗଲା । ଚେତନା ପାଇଲା ବେଳକୁ ପୁଲିସକୁ ଦେଖି ସେ ଚମକି ପଡ଼ିଲା । ପୁଲିସ ଜମାନବନ୍ଦୀ ନେଲା । ତାର ସ୍ୱାମୀଙ୍କର ସେତେବେଳକୁ ହୋସ ଆସିଥାଏ । ରାଣିଆ କହିଲାମୁଁ ଜ୍ୱରରେ ଥରି ଥରି ଗଲାବେଳକୁ ପଡ଼ିଗଲି । ମୋ ମୁଣ୍ଡରେ ଆଘାତ ବାଜିଲା । ମୋ ସ୍ୱାମୀ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ବେଶ୍ ସେତିକି । ଶେଷ ନିଶ୍ୱାସ ତ୍ୟାଗ କଲା ସ୍ୱାମୀଙ୍କ ଆଖିରେ ଆଖି ଦେଇ । ସତୀ ସାଧ୍ୱୀ ନାରୀ ଚାଲିଗଲା ସିନା, ଗଲା ପୂର୍ବରୁ ସ୍ୱାମୀଙ୍କୁ ସମ୍ପୂର୍ଣ୍ଣ ରୂପେ ବିପଥରୁ ଫେରାଇ ଆଣିଥିଲା । ସେ ରାଣୀଆର ମୃତ୍ୟୁ ପରେ ପୁଣି ଭଲ ମଣିଷ ହୋଇଗଲେ ଅନୁତାପ କରି ।

★★★

 

ବଞ୍ଚିତା

 

ବାଙ୍ଗାଲୋରଠାରୁ ୭୫ କିଲୋମିଟର ଦୂରରେ ଅବସ୍ଥିତ ଚିନ୍ତାମଣି ଡାକ୍ତରଖାନା । ସୋମବାର ଉପରବେଳା ସୂର୍ଯ୍ୟଦେବ ଏହି ସଂସାରର ଅଧୋଗତିରେ ସତେ ଅବା ମର୍ମାହତ ହୋଇ ଅସ୍ତାଚଳକୁ ଗମନ କରିବାରେ ବ୍ୟାକୁଳତା ପ୍ରକାଶ କରୁଅଛନ୍ତି । ଡାକ୍ତରଖାନାର ଅନାଚାର ଦେଖି ମନେହେଲା, ବୁଲାକୁକୁରଗୁଡ଼ିକ ବିରକ୍ତି ପ୍ରକାଶ କରୁଅଛନ୍ତି ଅଦ୍‍ଭୁତ ସ୍ୱନ ମାଧ୍ୟମରେ । ବିରସ ମୁଖରେ ଦୀନ ଦରିଦ୍ର ଲୋକେ ଉତ୍ତମ ଚିକତ୍ସା ଅଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଓ ଧନାଢ଼୍ୟ ବ୍ୟକ୍ତି ନିଜର ଦ୍ରୁତଗାମୀ ଗାଡ଼ିରେ ଯାଇ ଅର୍ଥ ବିନିମୟରେ ଚିକିତ୍ସାର ସୁବିଧା କରି ସରସ ମନରେ ଫେରୁଚନ୍ତି । ଆଉ ମଧ୍ୟବିତ୍ତ ଲୋକେ ଆଶା କରି ଧାଡ଼ି ବାନ୍ଧି ଛିଡ଼ାହୋଇ ପାଦରୁ ପାଣି ମଲାଯାଏ ଏକାଗ୍ରତାର ସହିତ ପ୍ରତୀକ୍ଷା କରି ଲାଗିଅଛନ୍ତି ।

 

ହଠାତ୍ ଗୋଟିଏ ବୃଦ୍ଧ ଓ ବୃଦ୍ଧାଙ୍କର କରୁଣ ପ୍ରାର୍ଥନା ଓ ବିଂଶ ବୟସ୍କା ଆସନ୍ନପ୍ରସବା ଗୋଟିଏ ଭାବୀ ଜନନୀର ବିକଳ ଚିତ୍କାର ଉପସ୍ଥିତ ଜନତାର ଦୃଷ୍ଟି ଆକର୍ଷଣ କଲା । ବୃଦ୍ଧ ଓ ବୃଦ୍ଧାଙ୍କ ହୃଦବିଦାରକ ଅଳି ସମସ୍ତଙ୍କର ଛାତି ଚିରି ଆଖିରୁ ଲୋତକପାତ କରାଇଥିଲା ସିନା; ଡାକ୍ତରାଣୀଙ୍କର ପଥର ହୃଦୟ ତରଳାଇ ପାରି ନ ଥିଲା ! ଜନତା ମଧ୍ୟରୁ ଜନୈକ ନେତୃସ୍ଥାନୀୟ ବ୍ୟକ୍ତି ଆଗରେ ଯାଇ ଡାକ୍ତରାଣୀଙ୍କୁ କହିଲେ— ଆଜ୍ଞା, ଆପଣ ତ କେବଳ ପଇସା ପାଇଁ ଏ ପବିତ୍ର ବ୍ରତ ଗ୍ରହଣ କରି ନାହାନ୍ତି, ଆପଣ ଲୋକମାତା, ଲୋକସେବାଆପଣଙ୍କର ପରମ କର୍ତ୍ତବ୍ୟ । ବୁଢ଼ା ପାଖରେ ମାତ୍ର ଆଠୋଟି ଟଙ୍କା ଅଛି । ବୁଢ଼ା ବୁଢ଼ୀ ନ ଖାଇ ନ ପିଇ ଏଇ ଟଙ୍କାତକ ଦେବାକୁ ପ୍ରସ୍ତୁତ ଅଛନ୍ତି । ଆପଣ ବୁଝନ୍ତୁ, ଏପରି ମୂଲିଆ ମଜୁରିଆ ଶ୍ରେଣୀର ଲୋକେ ଟଙ୍କା ପାଇବେ କେଉଁଠୁ ? ଦିଅନ୍ତୁ ଆଜ୍ଞା, କାଳ ବିଳମ୍ବ ନ କରି ଏହି ଆସନ୍ନ ପ୍ରସବା ନାରୀଟିକୁ ଗୋଟିଏ ସ୍ଥାନ ଏ ପବିତ୍ର ଚିକିତ୍ସାଳୟରେ ।

 

ଡାକ୍ତରାଣୀଙ୍କର ବିରକ୍ତି ପଞ୍ଚମକୁ ଅଭିବୃଦ୍ଧି ହୋଇଉଠିଲା । ସେ ତ ବୁଢ଼ା ବୁଢ଼ୀ ଦୁଇଟାଙ୍କୁ କୃପଣ ବୋଲି କହି ତୁଚ୍ଛ ତାଚ୍ଛଲ୍ୟ ବ୍ୟବହାର କରିଥିଲେ । ବୁଢ଼ା ବୁଢ଼ୀଙ୍କ କ୍ରନ୍ଦନ ଧ୍ୱନିକୁ ଛଳନା ଓ ଆସନ୍ନ ପ୍ରସବା ନାରୀଟିର ବିକଳ କ୍ରନ୍ଦନକୁ ସାମାନ୍ୟ ଘଟଣା କହି ଡାକ୍ତରଖାନା କୋଠରୀକୁ ଚାଲି ଯାଉଥିଲେ । ଆଉ ଏହି ଅବାଞ୍ଛିତ ବ୍ୟକ୍ତିଙ୍କର ଅଯାଚିତ ଉପଦେଶ ଶୁଣି ସେ କ୍ରୋଧାନ୍ଧ ହୋଇଉଠିଲେ । ନେତାଙ୍କୁ ଆଚ୍ଛା କରି ଦୁଇପଦ ଶୁଣାଇ ଦେଲେ ।

 

କହିଲେ—ନେତାର ଅର୍ଥ ସମସ୍ତଙ୍କୁ ଜଣା । ‘ନେ’ ‘ତା’ ତା ‘ତୋ’ ‘ନେ’ କେଜାଣି ? ଆପଣମାନେ ଉଦ୍ଦେଶ୍ୟ ଓ ଲାଭ ନ ଥିଲେ କାମଟିଏ କରିବାର କେହି କେବେ ଦେଖିନି । ଜନନୀ ଭବିଷ୍ୟତରେ ସନ୍ତାନ ପୋଷିବା ଆଶାରେ ପିଲାକୁ ଦୁଧ ଖୁଆଇ ଅଛି । ଜନକ ପୁତ୍ର ବା କନ୍ୟା ସନ୍ତାନଙ୍କୁ ବହୁ ଆଶା ରଖି ସେମାନଙ୍କ ପାଇଁ ଅର୍ଥ ବ୍ୟୟ କରୁଅଛି । ଶିକ୍ଷକ ବିଦ୍ୟାଥୀଙ୍କୁ ପାଠ ପଢ଼ାଉ ନ ପଢ଼ାଉ ମାସିକ ଦରମାଟି ନବାରେ ହେଳା କରୁ ନାହାନ୍ତି । ନେତାଏ ବିଭିନ୍ନ ପ୍ରକାର ଚାନ୍ଦା ନାମରେ ହରଲୁଟ କରୁଅଛନ୍ତି । ଧୋଇ, ମରୁଡ଼ି, ପୋଡ଼ି, ଆଦି ହେଲେ ସେମାନଙ୍କ ଆନନ୍ଦ କହିଲେ ନ ସରେ । ସରକାରଠାରୁ ଅଜସ୍ର ଅର୍ଥ ଗ୍ରହଣ କରି ନିରକ୍ଷର ଦୁଃଖ ଜର୍ଜରିତ ଜନତାଠାରୁ ଅର୍ଥ ଲୁଣ୍ଠନ କରନ୍ତି ନେତାଏ, ସେବାର ଗୋଟାଏ ଛଳନାପୂର୍ଣ୍ଣ ପରଳ ସରଳ ଲୋକଙ୍କ ଆଖିରେ ଢାଙ୍କି ଦେଇ । ସଂସାର ତ୍ୟାଗୀ ସନ୍ନ୍ୟାସୀ ତ ବୁଦ୍ଧଦେବଙ୍କର ସକାମ ତାପସ ବ୍ରତ ସୁକଠୋର ହେଲେହେଁ ଆତ୍ମାର ଶାନ୍ତି ସମ୍ପାଦନ କରି ନ ପାରେବାଣୀ ଆମକୁ ଶୁଣାଇ ଅର୍ଥ କାମନା କରୁଛନ୍ତି ଆଉ ଆମେ ଅଜସ୍ର ଅର୍ଥ ବିନିମୟରେ ଶିକ୍ଷା ଆହରଣ କଲୁ । କେତେ ଉନ୍ନିଦ୍ର ରଜନୀ କଟାଇ ସ୍ୱାସ୍ଥ୍ୟକୁ ତିଳ ତିଳ କରି ଜାଳି ପୋଡ଼ି ଦେଇଚୁ । ବଣର ପୋଡ଼ା ଗଛ ତ ପାଣି, ପବନ, ଖତ ପାଇଲେ ପୁଣି କଅଁଳିବ ? ଆମେ ଅର୍ଥ ବିନିମୟରେ ସେବା କରିବୁ । ତାଛଡ଼ା ଲୋକସଂଖ୍ୟା ଏତେ ବଢ଼ି ଗଲାଣି ଯେ, ଏପରି ବୁଭୁକ୍ଷୁଙ୍କ ଘରେ ନବାଗତର ପଦଯାତ୍ରା କଳ୍ପନା କରିବା ଦୋଷଯୁକ୍ତ । ପ୍ରସବ ପୂର୍ବରୁ ଚିକିତ୍ସା ଅଭାବରେ ଏ ଆସନ୍ନପ୍ରସବା ମରିବ ନାହିଁ ତ ପ୍ରସୂତିଶଯ୍ୟାରେ ମରନ୍ତା । ଇଆର ଯେଉଁ ସେଥା ଦିହ, ଆଖିର ରଙ୍ଗ ଯାହା, ମୁଁ କାହିଁକି ନାରୀହତ୍ୟା ବୋଝ ମୁଣ୍ଡାଇବି?

 

ଏକ ନିଶ୍ୱାସରେ ଏତକ କହିଦେଇ ଡାକ୍ତରାଣୀ ଧଇଁସଇଁ ହୋଇଗଲେ । ‘ଆଲୋ ସଖୀ, ଆପଣା ମହତ ଆପେ ରଖି’ ଏଇ ଦୁହାଟିକୁ ମନେ ପକାଇ ସହାନୁଭୂତିଶୀଳ ଜନତା କ୍ରମେ କ୍ରମେ ମିଳେଇ ଯିବାକୁ ଆରମ୍ଭ କଲା । ଡାକ୍ତରାଣୀଙ୍କ ଯୁକ୍ତି ଯେପରି ଆକସ୍ମିକ, ସେହିପରି ବିସ୍ମୟକର ମଧ୍ୟ । ଜଣେ ଡାକ୍ତରାଣୀଙ୍କୁ ବୁଢ଼ା ବୁଢ଼ୀ ସାକ୍ଷାତ ଦେବୀ ମନେକରି ଦଉଡ଼ି ଆସିଥିଲେ । ମାତ୍ର ତାଙ୍କର ଏବଂବିଧ ଚିନ୍ତା ଓ ବିଚାରରେ ସେ ଦୁହେଁ ହତବାକ୍ ହୋଇଗଲେ । ନେତା ଜଣକ ବି ତାଙ୍କ ମନ ଓ ହୃଦୟର ସ୍ପନ୍ଦନରୁ ସମ୍ପୂର୍ଣ୍ଣ ହୃଦୟଙ୍ଗମ କଲେ ଯେ, ଏହି ଡାକ୍ତରାଣୀ ଅଧ୍ୟାତ୍ମିକ ଦିଗ ପ୍ରତି ମୋଟେ ଗୁରୁତ୍ୱ ଦେଇ ନାହାନ୍ତି । କେବଳ ଜଡ଼ବାଦର ଆରାଧନାରେ ସେ ବ୍ୟସ୍ତ । ଅତୁଳନୀୟ ସମ୍ପତ୍ତିର ଅଧିକାରିଣୀ ହେବାର ଲିପ୍‍ସା ତାଙ୍କୁ ପାଷାଣରେ ପରିଣତ କରିଦେଇଚି । ସେ ବି କାଳ ବିଳମ୍ବ ନ କରି ଚାଲିଗଲେ ।

 

ଝିଅଟିର ଦୁଃଖ କଷ୍ଟରେ ପିତାମାତାଙ୍କ ଅଶ୍ରୁରେ ଏକ କୋମଳ ହୃଦୟରେ କମ୍ପନ ଅନୁଭୂତ ହେଲା । ଜନକ ଜନନୀଙ୍କର ଆକୁଳ କ୍ରନ୍ଦନ, ଆସନ୍ନପ୍ରସବାର ବୁକୁଫଟା ରୋଦନ ଏବଂ ଉପସ୍ଥିତ ବ୍ୟକ୍ତିଙ୍କର କରୁଣ କାକୁତି କୌଣସି ଡାକ୍ତରାଣୀଙ୍କର ହୃଦୟ ପରିବର୍ତ୍ତନ କରିପାରିଲା ନାହିଁ-। ସେ ନିଜ ସିଦ୍ଧାନ୍ତରେ ସମ୍ପୂର୍ଣ୍ଣ ଅଟଳ ଓ ଅଚଳ ରହିଥିଲେ । ଅର୍ଥଲିପ୍‍ସା ଡାକ୍ତରାଣୀଙ୍କୁ ପାରାବାର ଅଭିମୁଖୀ ସ୍ରୋତସ୍ୱତୀ ନଦୀ ପରି ବିନା ଅର୍ଥରେ ସେବାରତା ହେବାର ପ୍ରଚୋଜନା ଦେଇ ପାରି ନ ଥିଲା ।

 

ପିତା ମାତା କେତେ ଆଶା ଆକାଙ୍‍କ୍ଷା ଧରି ଏଠାକୁ ଦଉଡ଼ି ଆସି ନ ଥିଲେ ? ଝିଅଟି ଗୃହିଣୀ ହୋଇଥିଲା, ଜନନୀ ହେବ ଓ ଅମୃତମୟ ପରିବାର ମଧ୍ୟରେ ଜୀବନର କାମନା ଚରିତାର୍ଥ କରିବ । ଆଉ ଏ ଡାକ୍ତରାଣୀ ନାରୀ ନା ଦାନବୀ ? ଆମ ପିଲାଟା ମୃତ୍ୟୁ ଦୁଆରେ ପାଦ ଦେଇ ଆତ୍ମରକ୍ଷା ପାଇଁ ବିକଳ କ୍ରନ୍ଦନ କରୁଚି । ଏ ସେବିକା ହୋଇ ତା ହାତ ଧରି ମୃତ୍ୟୁ ମୁଖରୁ ଟାଣି ଆଣନ୍ତେ କଣ ନା, ଆମପରି ଲୋକେ ମରିବା ଭଲ ବୋଲି କହୁଚନ୍ତି ! ଏଇଟା ଚିକିତ୍ସାଳୟ ନା କଂସେଇଖାନା ! ଓଃ କାହିଁକି ଭଗବାନ ଆମକୁ ଏଠାକୁ ଆଣିଲ ? ଆମେ କ’ଣ କରିବୁ ? କି ସଭ୍ୟତା ସତେ ଆଜିକାଲି ଏ ଲୋକଙ୍କୁ ଅନ୍ଧ କରିଛି କେଜାଣି ? ଚିକିତ୍ସା ତେବେ କିଣା ବିକାରେ ରହିଲାଣି । ଯିଏ ଯେତେ ଅଧିକ ମୂଲ୍ୟ ଦେବ, ତାର ସେବା ସେହି ପରିମାଣରେ ଭଲ ହେବ ? ହେ ଭଗବାନ ! ଭୋ ଭୋ ହୋଇ ବାପ ମା କାନ୍ଦି ପକାଇଲେ ।

 

ମା କାନିଟିକୁ ଟାଣିଦେଇ ଝିଅ କହିଲାବୋଉମ ! ମୁଁ ମଲେ ମରେ ପଛକେ, ମୋ ଗର୍ଭର ଶିଶୁଟିକୁ ବଞ୍ଚାଇବାକୁ ଡାକ୍ତରାଣୀଙ୍କୁ କହ । କହମ ବୋଉ ! ଏତକ ଶୁଣି ହିଂସ୍ରକ ବାଘୁଣି କୋଡ଼ରୁ ଶିଶୁଟିକୁ ଅପହରଣର ଅପଚେଷ୍ଟାରେ ସେ କ୍ରୋଧାନ୍ୱିତ ହେଲା ପରି ଜନନୀ ମୋଟା ଗଳାରେ ଆଖିକୁ ବଡ଼ ବଡ଼ ଓ ଆରକ୍ତବର୍ଣ୍ଣ କରି କହିଲେ—ସ୍ୱାର୍ଥପର ଟୋକି ! କେଡ଼େ କଥା ତୋର ସତେ ! ତୋ ପିଲା ବଞ୍ଚିବ ମୋ ପିଲାର ଜୀବନ ବିନିମୟରେ ! ଅସମ୍ଭବ । ଭଗବାନ କ’ଣ ମୋ ଡାକ ଶୁଣିବେ ନାହିଁ ? ଚମ ମାଉଁସରେ ଗଢ଼ା ଏ ଡାକ୍ତରାଣୀଟାର ହୃଦୟ ସିନା ପଥର, ପଥରରେ ଗଢ଼ା ଦିଅଁଙ୍କ ହୃଦୟ ବଡ଼ କୋମଳ ଲୋ ଝିଅ ! ସିଏ ଆମ କଥା ଶୁଣିବେ । ଏହା କହି ଝିଅକୁ କୁଣ୍ଡାଇ ପକାଇ କହିଲେ—ମୋର ଏତେ ପିଲା ହେଲେ, ମୁଁ ବହୁତ କଷ୍ଟ ସିନା ପାଏ, ଦିନେ ହେଲେ ତ ଡାକ୍ତରଖାନାକୁ ଆସିନାହିଁ ! ଏଇ ଡାକ୍ତରଖାନା ବାରଣ୍ଡାରେ ତୋର ଶିଶୁ ଜନ୍ମ ଲାଭ କରିବ । ଏଇମାନଙ୍କ ଆଗରେ ସେ କୁଆଁ କୁଆଁ ହୋଇ କାନ୍ଦିବ । ଆମେ ତତେ ନେଇ ଚାଲିଯିବୁ ।

 

ହଁ, ଝିଅକୁ ନେଇ ଚାଲିଗଲେ ବାପା ଓ ମା । ଝିଅଟିର ଜୀବନ୍ତ ଶରୀର ନୁହେଁ ମୃତ ଶରୀରଟି । ଗାଡ଼ି ଉପରକୁ ଉଠାଇ ନେଇ ସ୍ନେହମୟୀ ଜନନୀ କୋଳରେ ଧରି କାନ୍ଦି କାନ୍ଦି ଚାଲିଲେ ସରକାରୀ ରାସ୍ତାରେ ।

 

ଯିଏ ଶୁଣିଲା, ସିଏ ଡାକ୍ତରାଣୀଙ୍କୁ ଛି ଛି କଲା, ହେଲେ ଏହାର ଦୃଢ଼ ପ୍ରତିକାର କେହି କରି ନ ଥିଲେ । ମାତ୍ର କଲେ ସେଇମାନେ, ଯେଉଁମାନଙ୍କୁ ଆମେ ଦୁଷ୍ଟ ବୋଲି କହୁଁ । ଯେଉଁମାନଙ୍କୁ ରାଜନୀତିଜ୍ଞ ଖେଳନା ପରି ଖେଳାଇବାକୁ ଚାହାନ୍ତି । ଗୋଟିଏ ଛାତ୍ର ଏ ଦୁଃସମ୍ବାଦ ଶୁଣି ବିଜୁଳି ପରି ଚମକିଗଲା, ସାଙ୍ଗସାଥୀଙ୍କୁ ଧରି ଡାକ୍ତରାଣୀଙ୍କୁ ଘେରାଉ କରାଗଲା । ଡାକ୍ତରାଣୀଙ୍କ କ୍ଷମାଭିକ୍ଷା, ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁରୋଧ ଓ ଅନ୍ୟମାନଙ୍କର କାକୁତି ମିନତୀ ଛାତ୍ର ନେତୃତ୍ୱ ଆଗରେ ପାଣି ଫାଟିଗଲା । ଡାକ୍ତରାଣୀଙ୍କ କର୍ମଚ୍ୟୁତ ବିନା ଅନ୍ୟ ସମାଧାନରେ ସେମାନେ ସମ୍ମତ ହୋଇ ନ ଥିଲେ ।

★★★

 

Unknown

ନିର୍ଜନ ରାତିର ବିଳପିତ ତମିଶ୍ରା

 

ଅଧ୍ୟାପକ ମିଶ୍ରଙ୍କୁ ନିଦ ଲାଗୁନି ।

 

ରାତିଟାଯାକ ଶତଚେଷ୍ଟା ବିଫଳ ହେଇଚି ।

 

ଅସରନ୍ତି ଚିନ୍ତାର ସୁଅ ଅମଡ଼ାବାଟ ମାଡ଼ି ମାଡ଼ି ଚାଲିଚି । ଏହାର ଶେଷ କେଉଁଠି, କିଏ କହିବ । ବାହାର ଅନ୍ଧକାର କାଳିଆ କଟି କଟି । ନିର୍ଜନ ରାତିଟା ସାଇଁ ସାଇଁ ଶବ୍ଦ କରୁଚି । ଭରା ଯୌବନରେ ଅଧ୍ୟାପକ ମିଶ୍ର ଚାହିଁଥିଲେ ବାହାର କଲେଜରେ କାମ କରିବେ । ବାହାରର ଗୁଡ଼ାଏ ଜାଗା ଦେଖା ହେବ । ପିଲାଝିଲାର ଜଞ୍ଜାଳ ଲାଗିଲା ବେଳକୁ ଘର ପାଖରେ ରହିଯାଇ ଥାଆନ୍ତେ । ମାତ୍ର ସେ କଥା ଶୁଣାଗଲା ନାହିଁ । ଦୋଷ ତାଙ୍କର ଯେ, ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡ଼ିଗ୍ରୀ, ପାଇ ସର୍ବୋଚ୍ଚ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇଥିଲେ । ଶିକ୍ଷାଦାନରେ ସେ ଥିଲେ ଅଦ୍ୱିତୀୟ ! ଏପରି ଅବସ୍ଥାରେ ତାଙ୍କ ପରିବର୍ତ୍ତନ ଆବଶ୍ୟକୀୟ ମନେ କରାଯାଇ ନ ଥିଲା । ଅଥଚ ସମ୍ପ୍ରତି ସେ ସ୍ଥାନାନ୍ତରିତ ନ ହେବାକୁ ଇଚ୍ଛା ପ୍ରକାଶ କରି ବିଫଳ ମନୋରଥ ହୋଇଥିଲେ ।

 

ସ୍ତ୍ରୀ ତାଙ୍କର ଆସନ୍ନପ୍ରସବା । ଗୋଟିଏ ମାତ୍ର ଅଳିଅଳ ସନ୍ତାନ ଭୀଷଣ ରୋଗଗ୍ରସ୍ତ । ଘରେ ଅନ୍ୟ କେହି ନାହାନ୍ତି ଯେ, କାହା ଦାୟିତ୍ୱରେ ଏମାନଙ୍କୁ ସେ ଛାଡ଼ି ଯାଆନ୍ତେ । ଏଇ କଥା ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରାଞ୍ଜଳ ଭାବରେ ହୃଦୟଙ୍ଗମ କରାଇବାକୁ ଶତଚେଷ୍ଟା କରି ବଦଳି ବନ୍ଦ କରି ପାରି ନ ଥିଲେ । ରାଜନୈତିକ ଚାପ ପକାଇବାର ସେ ଘୋର ବିରୋଧୀ ତାଙ୍କର ଶଳା ଜଣେ ଏମ୍, ପି, । ସ୍ତ୍ରୀ ବହୁତ ପ୍ରାର୍ଥନା କରି କହିଥିଲେ ତାଙ୍କୁ ଜଣାଇବାକୁ । ମାତ୍ର ହେଲା ନାହିଁ । ଘରୁ ବିଦାୟ ହେବାର ବେଳ ଓ ଚିତ୍ର ମିଶ୍ରଙ୍କ ମନେପଡ଼ି ଦେହ ଶିହରି ଉଠୁଥାଏ । ଧାରାଶ୍ରାବଣର ବାରି ବର୍ଷଣ ପରି ସ୍ତ୍ରୀ ତାଙ୍କର ଅବରିତ ଅଶ୍ରୁ ବର୍ଷଣ କରିଥିଲେ ସେ । ଯେଉଁ ହୃଦ୍‍ବିଦାରକ କ୍ରନ୍ଦନ ତାର ପଟାନ୍ତର ନାହିଁ । ଘଣ୍ଟାଏ କୁଆଡ଼େ ବାହାରକୁ ଗଲେ ତାଙ୍କର ଅତି ପ୍ରିୟ ସନ୍ତାନଟି ଅଳି କରିବସେ । ଅଥଚ ତାକୁ ପ୍ରବଳ ଜ୍ୱର ଓ ତାପ ଚରମରେ ଉପସ୍ଥିତ । ବାଲ୍ୟବନ୍ଧୁ ଡାକ୍ତର ସାନ୍ତ୍ୱନା ଦେଇ ଯାଇଥିଲେ, ପିଲାଟିର ତତ୍ତ୍ୱ ଅବଶ୍ୟ ନେବେ । ସେ ସ୍ଥାନାନ୍ତରକୁ ଶୁଭ ଅନୁକୂଳରେ ବାହାରିବା ପୂର୍ବରୁ ବଡ଼ କରୁଣ ସ୍ୱରରେ ପିଲାଟିକୁ ଡାକିଲେ ନାଁ ଧରି । ‘ପାବକ’ ‘ପାବକ’ କହି ବହୁତ ଡାକିଲେ-। ଅଥଚ ପୁଅ ଆଖି ମେଲାଇଲା ନାହିଁ । ବୋଉ କହିଲେ ‘ଟିକୁ’, ନନା ଯାଉଚନ୍ତିରେ ବାପ-! ଥରିଲା ହାତଟି ନନାଙ୍କ ଆଡ଼େ ବଢ଼ାଇ ଦେଇଥିଲା ପାବକ । ହାତଟିକୁ ଚାପି ଧରିଲେ ଅଧ୍ୟାପକ ମିଶ୍ର-। ଛୁଆଟିଏ ପରି କଇଁ କଇଁ ହୋଇ କାନ୍ଦି ପକାଇଥିଲେ କହିଲେ—ସନ୍ଧ୍ୟା, ମୋର ଅନ୍ୟଗତି ଥିଲେ ବା ବାଡ଼ିରେ ଗୋବରେ ଗୋବେ ଜମି ଥିଲେ ମୁଁ ଅବଶ୍ୟ ଏ ଚାକିରୀକୁ ଛାଡ଼ି ଦେଇଥାଆନ୍ତି; ମାତ୍ର ଆମର ତ ଅନ୍ୟ ଉପାୟ କିଛି ନାହିଁ; କଅଣ କରିବା ? ମୁଁ ଯାଉଚି, ପାବକ ଲାଗିଲା-

 

ଦିନ ଦିନ ଧରି ପନ୍ଦରଟି ଦିନ କଟିଗଲାଣି । ଅଧ୍ୟାପକ ମିଶ୍ର ସ୍ୱପ୍ରତିଭା ବଳରେ ଛାତ୍ରପ୍ରିୟ ହୋଇ ଉଠିଲେ । ଏତେ ଚଞ୍ଚଳ ଆଉ କାହାରି ଭାଗ୍ୟରେ ଏ ସୁଯୋଗ ଘଟି ନ ଥିଲା । ଭଲ ଓ ମନ୍ଦ ଉଭୟ ଶ୍ରେଣୀର ପିଲେ ଧନୀ ହୁଅନ୍ତୁ ନିର୍ଦ୍ଧନ ହୁଅନ୍ତୁ, ଅଧ୍ୟାପକଙ୍କଠାରୁ ସମରିମାଣରେ ସ୍ନେହ ପାଉ ଥାଆନ୍ତି । ଏପରି କି ଅଧ୍ୟାପକଙ୍କ ଘରେ ଆସି ଅଧ୍ୟୟନ କରି ଯାଉ ଥାଆନ୍ତି ।

 

ସେଦିନ ପିଲାମାନେ ଅଧ୍ୟାପକଙ୍କୁ ବିଚଳିତ ହେବାର ଦେଖି ରାଣ ନିୟମ ପକାଇ ସବୁ ବୁଝିଗଲେ । ତାଙ୍କର ସ୍ତ୍ରୀ ଓ ପୁଅ ଅବସ୍ଥା ସାଙ୍ଘାତିକ । ଏପରି କି ଖଣ୍ଡେ ଚିଠି ଡାକଘରେ ପକାଇବାକୁ କେହି ନାହିଁ । ସେମାନଙ୍କ ଖବର ମିଳିନି । ସେମାନଙ୍କୁ ଆଣି ହେଲା ନାହିଁ ଏ ଅବସ୍ଥାରେ । ଅଥଚ ଆର୍ଥିକ ସମ୍ବଳ ନାହିଁ କି ଆଉ ଛୁଟୀ ନାହିଁ ସେମାନଙ୍କୁ ଦେଖି ଆସନ୍ତେ । ଛୁଟୀ ନେଇ ଯାଆନ୍ତେ ଅବା, ମାତ୍ର ଗେଜେଟେଡ଼ ଚାକିରୀ । ଛୁଟି ନେଲେ ଦରମା ବନ୍ଦ ହୋଇଯିବ । ପିଲେ ଓ ମୁଁ ନ ଖାଇ ନ ପିଇ ମରିବୁ । ଆମ ଅବସ୍ଥା ଶତ୍ରୁ କୁ ନ ଘଟୁ ।

 

ପିଲେ ଶୁଣିଲେ । ବଡ଼ ଦୁଃଖ କରି ଘରକୁ ଫେରିଲେ । ଅଧ୍ୟାପକ ମିଶ୍ରଙ୍କ ପାଟିକୁ ଭାତ ପୁଞ୍ଜିଏ ରୁଚିଲା ନାହିଁ । ଅଖିଆ ଅପିଆ ପଡ଼ି ରହିଲେ । ପାବକର ସୁନ୍ଦରିଆ ସଜ ଫୁଲ ପରି ମୁହଁଟି ଓ ସ୍ତ୍ରୀ ସନ୍ଧ୍ୟାଙ୍କର ଚନ୍ଦ୍ର ପରି ଉଜ୍ଜ୍ୱଳ ବଦନଟି ମୁହଁ ଆଗରେ ଝଲସି ଉଠୁଥାଏ । ଆସିବାବେଳର ସନ୍ଧ୍ୟାଙ୍କ କ୍ରନ୍ଦନ ରୋଳ ଓ ପୁଅର ବ୍ୟାକୁଳ ସ୍ନେହ ନିବେଦନ ତାଙ୍କ ଛାତି ଚିରି ଦାଗ ବସାଇ ଦେଇଚି । ଶତ ଚେଷ୍ଟାରେ ତାହା ନିଭୁନାହିଁ । ଆଉ ତାଙ୍କର ସ୍ଥାନ ପରିବର୍ତ୍ତନର ସାମାନ୍ୟତମ କାରଣଟି ଏହି ତଥାକଥିତ ସଭ୍ୟତା ପ୍ରତି କ୍ରୋଧ ଜନ୍ମାଇଥାଏ । ରାଜନୈତିକ ନେତାଙ୍କ ପୁଅକୁ ସେ ଉଚ୍ଚ ସୋପାନ ପରୀକ୍ଷାରେ ଦେଇପାରିଲେ ନାହିଁ । ଯେଉଁ ଅଧ୍ୟାପକ ସୁପାରିଶ କରିଥିଲେ, ତାଙ୍କୁ ସେ କହିଥିଲେ—ମାଗି ଯାଚି ସିନା ପାଶ୍‍ କରି ହୁଏ, ଉଚ୍ଚଶ୍ରେଣୀ ମିଳେ ନାହିଁ । ଏଥିପାଇଁ ଯୋଗ୍ୟତା ଦର୍କାର । ଦୁନିଆକୁ ଘୋଡ଼ାଇ ମୁଁ ସିନା ଏ କାମ କରିଦେବି, ସଂସାରରେ ଯେଉଁ ଉଜ୍ଜ୍ୱଳ ଚକ୍ଷୁ ସବୁ ପାପ ଅନୀତି ଦେଖୁଚି, ସେଠାରେ ନିଷ୍କୃତି ମିଳିବ ତ !

 

ଏଥିରେ ଦବି ନ ଯାଇ ଅଧ୍ୟାପକ ବନ୍ଧୁ ସାବଧାନ କରାଇ ଦେଇଥିଲେ । କହିଥିଲେ—ସେ ମହାଶୟ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ତାଙ୍କ ଚେର ବହୁ ଗଭୀରକୁ ଗତି କରିଚି । ସେ ଚାହିଁଲେ ବହୁ ଅନିଷ୍ଟ କରି ପାରିବେ । ହସି ଦେଇ ଅଧ୍ୟାପକ ମିଶ୍ର କହିଥିଲେ—ଇଷ୍ଟ ଯାହା ହାତରେ ହୁଏନି, ଅନିଷ୍ଟ ବିନା ଅନ୍ୟ କିଛି ସେମାନଙ୍କ ଦ୍ୱାରା ସମ୍ଭବପର ହୋଇ ନ ପାରେ ।

 

ଏକେ ତ ଅଧ୍ୟାପକ ମିଶ୍ର ଜଣେ ଉଚ୍ଚକୋଟୀର ଶିକ୍ଷକ । ସେଥିରେ ପୁଣି ଅତି ଲୋକପ୍ରିୟ । ଏଥିରେ ସହକର୍ମୀ ଅଧ୍ୟାପକ ବନ୍ଧୁମାନଙ୍କର ଈର୍ଷାର ପାତ୍ର ହୋଇ ଉଠିଥିଲେ । ସାମାନ୍ୟ କଥାଟିକୁ ବଢ଼ାଇ ଦିଆଗଲା । ତିଳକୁ ତାଳ କରିଦେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଚାପ ଦିଆଗଲା-। କର୍ତ୍ତୃପକ୍ଷ ଇଚ୍ଛା ବିରୁଦ୍ଧରେ ପରିବର୍ତ୍ତନ କଲେ । ଅଧ୍ୟାପକ ମିଶ୍ର କାହାରି ପାଖକୁ ନ ଯାଇ ପରିବର୍ତ୍ତନ ହେବା ସ୍ଥାନକୁ ବାହାରୁଥିଲେ । ଘରେ ସ୍ତ୍ରୀ ଓ ବାହାରେ ତାଙ୍କ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ପରିବର୍ତ୍ତନର ପରିବର୍ତ୍ତନ ପାଇଁ ବିଫଳ ଚେଷ୍ଟା କରିଥିଲେ ।

 

ପାହାନ୍ତି ପହରକୁ ଅଧ୍ୟାପକ ମିଶ୍ରଙ୍କ ଆଖି ବୁଜି ହୋଇଗଲା । ସେ ଗୋଟିଏ ସୁନ୍ଦର ସ୍ୱପ୍ନ ଦେଖିଲେ । ସ୍ତ୍ରୀ ତାଙ୍କର ହସି ହସି କ’ଣ କହୁଚନ୍ତି । ପାବକ ହାତ ବାଡ଼ଉଚି କାଖ ହବାକୁ । ଏଇ ସମୟରେ ହଠାତ୍ ଦ୍ୱାରରେ ଠକ୍ ଠକ୍ ଶବ୍ଦ ହେଲା । ସେ ଉଠିପଡ଼ି ଦ୍ୱାରଟି ମେଲାଇ ଦେଲେ-। ତାଙ୍କର ପ୍ରିୟ ଛାତ୍ର ପ୍ରଦୀପ ଓ ପ୍ରଥମ ଆଗରେ ଉଭା । ସେମାନଙ୍କୁ ଦେଖି ସେ ବିସ୍ମିତ ହୋଇଗଲେ । ଆଗମନର କାରଣ ପଚାରିଲେ । ଉଭୟଙ୍କର ଶୁଷ୍କ ବଦନ ଦେଖି ତାଙ୍କର ମନର ଉଦବେଗ ବଢ଼ିଗଲା । ସେ କହିଲେ—କଣ ହୋଇଚି ?

 

ପ୍ରମଥ କହିଲା—ସାର୍‍, ଚାଲନ୍ତୁ ଆପଣଙ୍କ ଗାଁକୁ ଯାଇ ବୁଲି ଆସିବା । ଦାଣ୍ଡରେ ପ୍ରଦୀପର ଗାଡ଼ି ଛିଡ଼ା ହୋଇଚି । ପିଲାଙ୍କୁ ଆପଣ ଦେଖିବେ । କାଲି ତ ରବିବାର । ପଅର ଦିନ ଫେରିବା । ଦୀର୍ଘ ନିଶ୍ୱାସ ଛାଡ଼ି ଭଲ ମନ୍ଦ ବିଚାର କରିବା ପୂର୍ବରୁ ଘରେ ତାଲା ଠୁଙ୍କିଦେଇ ତରତର ହୋଇ ଅଧ୍ୟାପକ ମିଶ୍ର ଗାଡ଼ିର ପଛ ସିଟରେ ବସିଗଲେ । ପାଖରେ ପ୍ରଦୀପ ଓ ଆଗରେ ଡ୍ରାଇଭର ପାଖରେ ପ୍ରମଥ ବସି ପଡ଼ିଲା ।

 

ଗାଡ଼ିଟି ଦ୍ରୁତତମ ଗତିରେ ଆଗକୁ ମାଡ଼ି ଚାଲିଲା । ଗାଡ଼ି ଭିତର ଯାତ୍ରୀମାନେ ନିର୍ବାକ୍ ଓ ନିସ୍ପନ୍ଦ । କେହି କାହାରିକୁ ପଦେ ହେଲେ କଥା କହୁ ନାହାନ୍ତି । ଅନ୍ଧାର ଭବିଷ୍ୟତ ରୂପକ ବୁଢ଼ୀ ଅସୁରୁଣୀର ବୃହତ୍ ଓ ଗଭୀର ବିସ୍ଫାରିତ ବଦନକୁ ସମସ୍ତଙ୍କର ଭୟ ।

 

ସମସ୍ତେ ଗୋଟିଏ କଥା ଭାବୁଚନ୍ତି ଯେ ସେମାନଙ୍କର ମନର ଗତି ସହିତ ତାଳ ଦେଇ ଗାଡ଼ିଟି ଗଡ଼ି ପାରୁନି । ସକାଳ ହେବା ପୂର୍ବରୁ ଘର ପାଖରେ ଗାଡ଼ିଟି ପହଞ୍ଚିଗଲା । ଦାଣ୍ଡ ଦୁଆର ଉନ୍ମୁକ୍ତ । ଘର ଭିତରୁ କଇଁ କଇଁ କ୍ରନ୍ଦନରୋଳ ଭାସି ଆସୁଚି । ଗୋଟିଏ କ୍ଷୀଣ ଆଲୋକ ସଂସାରର ଅନିଶ୍ଚିତତା ଓ କ୍ଷଣ ସ୍ଥାୟିତ୍ୱର ସାକ୍ଷ୍ୟ ଦେଉଚି । ସେଇଟି ମିଞ୍ଜି ମିଞ୍ଜି ହୋଇ କଳି ନିଭିଗଲା । ଅଧ୍ୟାପକଙ୍କ ଘର ସିନା, ବିଦ୍ୟୁତ ଆଲୋକ ଆଣିବାର କ୍ଷମତା ନ ଥାଏ ତ !

 

ଗାଡ଼ିରୁ ଆଗ ଓହ୍ଲାଇଲା ପ୍ରଦୀପ, ତାପରେ ଓହ୍ଲାଇଲା ପ୍ରଥମ । ଅଧ୍ୟାପକ ମିଶ୍ରଙ୍କ ସ୍ଥାଣୁ ହାତ ଦୁଇଟିକୁ ଧରି ଉଭୟେ ଘର ଭିତରକୁ ପଶିଗଲେ । ଅଧ୍ୟାପକ ମିଶ୍ର ଯାହା ଦେଖିଲେ ମନେ ହେଲା ତାଙ୍କ ପାଦତଳୁ ଭୂମି ଖଣ୍ଡେ ଘୁଞ୍ଚି ଯାଉଚି । ତାଙ୍କ ମସ୍ତକର ଘୂର୍ଣ୍ଣନ ଆରମ୍ଭ ହୋଇଗଲା । ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲା । ତାଙ୍କର ସ୍ତ୍ରୀଙ୍କର ମୁକୁଳା କେଶ, ଶୋକସନ୍ତପ କାଳିମାଲିପ୍ତ-ବଦନ ଓ ଘରର ଖାଁ ଖାଁ ବାୟୁମଣ୍ଡଳ ତାଙ୍କୁ ଚକିତ କରିଦେଲା । ସେ ଖୋଜିଲା ଆଖିର ଚାରିଆଡ଼କୁ ଚାହିଁଲେ । ପାହାନ୍ତି ସ୍ୱପ୍ନ ସତ୍ୟ ହୁଏ ବୋଲି ସେ ପିଲାଦିନେ ଶୁଣିଥିଲେ । ଅପେକ୍ଷା କଲେ ପାବକ ‘ବାପା’ ଡ଼ାକି ଦଉଡ଼ି ଆସିବ । ମାତ୍ର ଆସି ନ ଥିଲା ପାବକ । କ’ଣ ଘରେ ଯେଉଁଠି ସେ ପୁଅକୁ ରୋଗାକ୍ରାନ୍ତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ, ସେ ଘରେ ପଶିଗଲେ।

 

ଦେଖିଲେ ଶେଯରେ ପୁଅଟିକୁ ଘୋଡ଼ାଇ ଦିଆଯାଇଚି । ତାରି ପାଖରେ ବାଲ୍ୟବନ୍ଧୁ ଡାକ୍ତର ବାଳକୃଷ୍ଣ ମୁଣ୍ଡରେ ହାତ ଦେଇ ବସିଚନ୍ତି । ସେ କାନ୍ଦ କାନ୍ଦ ହୋଇ କହିଲେ—ଭାଇ, ପାବକ ଠକି ଦେଇ ଚାଲିଗଲା । ବଡ଼ କଷ୍ଟରେ ଏ ଘରୁ ନୂଆବୋହୂଙ୍କୁ ସ୍ଥାନାନ୍ତରିତ କରିଛି । ତାଙ୍କର ଯେଉଁ ଅବସ୍ଥା, ଏଇଲେ କି ଆଉ ଟିକକୁ ସେ ପ୍ରସବ କରିବେ ।

 

ପ୍ରଦୀପ ‘ପାବକ’ର ମୃତ ଶରୀରଟିକୁ ବାଡ଼ିପଟେ ଗୁରୁପତ୍ନୀଙ୍କ ଅନ୍ତରାଳରେ ନେଇ ଚାଲିଗଲେ । ଅଧ୍ୟାପକ ମିଶ୍ରଙ୍କର କ୍ରନ୍ଦନରୋଳ ତାଙ୍କର ନବଜାତ ଶିଶୁ ପୁତ୍ରର କ୍ରନ୍ଦନରୋଳ ମଧ୍ୟରେ ମିଶି ମିଳାଇଗଲା ।

★★★

 

ଯନ୍ତ୍ରଣାର ଗୁଞ୍ଜନ

 

ଷଷ୍ଠ ବାର୍ଷିକ ଛାତ୍ର ରୂପକ, ପୋଲିସ୍‍ ଇନ୍‍ଚାର୍ଯ ଅଫିସର ଦେବରାଜ ବାବୁଙ୍କ ନିଜର ହରାଇଥିବା ଘଣ୍ଟାଟି ବିଷୟରେ ଫେରାଦ ହେବାବେଳେ ତାଙ୍କ ଆଖିରୁ ଦୁଇଧାର ଲୋତକ ଗଡ଼ିପଡ଼ିଥିଲା । ଦେବରାଜବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ—ଆପଣ ଏମ୍, ଏ. ପଢ଼ୁଚନ୍ତି । ଆମର ଦେଶ ଗଢ଼ିଉଠିବ ଆପଣମାନଙ୍କ ପରି ବଳିଷ୍ଠ ଯୁବକମାନଙ୍କର ଦୃଢ଼ କର୍ତ୍ତବ୍ୟନିଷ୍ଠା ଉପରେ ଅଥଚ ଏଇ ସାମାନ୍ୟ କଥାଟାରେ ଆପଣ ଏପରି ଅସ୍ଥିର ହୋଇଗଲେ ଚଳିବ ?

 

ରୂପକ ଶୁଖିଲା ହସ ହସିଦେଇ କହିଥିଲା—ଆଜ୍ଞା, ଏ ଘଣ୍ଟା ସହିତ ମୋର ଜୀବନର ଗୋଟିଏ ଅବିସ୍ମରଣୀୟ ସ୍ମୃତି ଜଡ଼ିତ ପରା ! ଆପଣଙ୍କର ବହୁମୂଲ୍ୟ ସମୟରୁ ସାମାନ୍ୟ କିଛି ବ୍ୟୟ କରି ଶୁଣନ୍ତୁ । ମୁଁ ଗୋଟିଏ ଗରିବ ଘରେ ବି. ଏ. ପାଶ କରି ବିବାହ କରିଥିଲି । ମୋର ଶାଶୁ ଶଶୁର ନ ଥାଆନ୍ତି । ଏକମାତ୍ର ମୋର ଶଳା । ଯଉତୁକ ଦେଇ ନ ଥିବାରୁ ମୋ ସ୍ତ୍ରୀ ବହୁ ଲାଞ୍ଛିତା ଓ ଅପମାନିତା ହେଲେ । ମୁଁ ଚଣ୍ଡାଳ ତାଙ୍କୁ କହିଦେଲି ଯେ, ତୁମେ ଭାଇଙ୍କୁ ଲେଖ, ଅନ୍ତତଃ ଘଣ୍ଟାଟିଏ ପଠାନ୍ତୁ, ମୁଁ ସମସ୍ତଙ୍କୁ ବୁଝାଇ ଶୁଝାଇ ତୁନି କରିଦେବି । ଘଣ୍ଟାଟିଏ ପାଇଁ ମୋର ଶଳାଙ୍କୁ ଅକ୍ଳାନ୍ତ ଶ୍ରମ କରିବାକୁ ପଡ଼ିଥିଲା । ସେ ଫ୍ୟାକ୍‍ଟରୀରେ କାମ କରୁଥିଲେ । ଓଭର ଟାଇମ୍ କାମ କରି ପେଟକୁ ନ ଖାଇ ସଞ୍ଚୟ କରି ଏଇ ୱାଚଟାକୁ ସେ ଦେଇଥିଲେ । ଘରେ ସିନା ଆମର ବାଦ ବିସମ୍ବାଦ ବନ୍ଦ ହୋଇଗଲା, ମୋ ଶଳା ଶକ୍ତ ବେମାରରେ ପଡ଼ିଲେ, ଆଉ ଭଲ ହେଲେ ନାହିଁ, ଇହଲୀଳା ସାଙ୍ଗ କଲେ । ଏଇତକରେ ମୋର ଦୁଃଖମୟ ଇତିହାସ ଶେଷ ହେଲା ନାହିଁ । ମୋର ସ୍ତ୍ରୀ ତାଙ୍କ ବଡ଼ଭାଇଙ୍କୁ ଏକାଧାରରେ ପିତା ଓ ମାତା ପରି ବଡ଼ ଭକ୍ତି କରୁଥିଲେ । ସେ ତାଙ୍କୁ ଏତେ ଭଲ ପାଉଥିଲେ ଯେ, ମୋ ଅନୁପସ୍ଥିତିରେ ଏକ ରକମ ଅନସନ ବ୍ରତ ପାଳନ କଲେ । ଆମ ପରିବାରର ଲୋକେ ଏତେ ନିଷ୍ଠୁର ଯେ, ତାଙ୍କର ଦୁର୍ବଳତା ଓ ରୋଗ ଆଦିପ୍ରତି ଭ୍ରୂକ୍ଷେପ କଲେ ନାହିଁ । କରନ୍ତେ କାହିଁକି ? ସେ ଚାଲିଗଲେ ଯେ ଆଉ ଗୋଟେ ବୋହୁ ଆଣିବେ । ଯୌତୁକ ପଦାର୍ଥ ମନ ଇଚ୍ଛା ପାଇବେ ଓଃ କି ଭୟଙ୍କର ଲୋକ ଏ ଗୁଡ଼ାକ ସତେ ! ହିଂସ୍ର ଜୀବ ଜନ୍ତୁଙ୍କଠାରୁ ବି ଏଗୁଡ଼ା ନ୍ୟୁନ । ଡାକ୍ତରଟିଏ ଡାକିଲେ ନାହିଁ । ମନରେ ଅବଶୋଷ ରହିଗଲା ଯେ, ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ମୋ ସାନଭାଇକୁ କହିଥିଲେ କାନ୍ଦି କାନ୍ଦି—ନନା ତ ଅଇଲେ ନାହିଁ, କହିଦବ ଏ ଜୀବନରେ ମୁଁ ତାଙ୍କୁ ସୁଖ ସ୍ୱାଚ୍ଛନ୍ଦ୍ୟ କିଛି ଦେଇ ପାରିଲି ନାହିଁ । ଜଳି ପୋଡ଼ି ମୁଁ ମଲି । ଅଥଚ ତାଙ୍କୁ ବୃଥାଟାରେ ଦୁଃଖ ଦେଲି । ମୋ ରାଣ ପକାଇ କହୁଚି ତାଙ୍କୁ କହିବ, ଧନୀ ଘରୁ ସୁନ୍ଦରୀ ଝିଅଟିଏ ବିଭା ହେଲେ ତେବେ ଯାଇ ମୋର ଆତ୍ମା ଶାନ୍ତି ପାଇବ । ସେ ଚାଲିଗଲେ, ମୋ ଆଖିର ଲୁହ ନ ଶୁଖୁଣୁ ମୋ ପାଇଁ ପାତ୍ରୀ ବ୍ୟବସ୍ଥା କରାଗଲା । ମୁଁ ସ୍ପଷ୍ଟ କହିଦେଲି ଯେ, ବଜାରରୁ ଖରିଦ୍ ବିକ୍ରି ସୂତ୍ରରେ ଜିନିଷ ଆଣିବା ଦବା ଏ ନୁହେଁ । ବିବାହ ଥରେ ଅଗ୍ନି ଦେବତାଙ୍କୁ ସାକ୍ଷୀ ରଖି କରାଯାଏ । ମୋର ଅନ୍ୟ ଭାଇ ଅଛନ୍ତି । ସେମାନେ ବିବାହ କରନ୍ତୁ । ପୂଜ୍ୟ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ଆଦି ତ ସ୍ତ୍ରୀ ବିୟୋଗ ପରେ ଆଉ ବିବାହ କରି ନାହାନ୍ତି, ଆଉ ମୁଁ କାହିଁକି ? ମୁଁ ଘରଛାଡ଼ି ଚାଲି ଆସିଲି, ଏଠାରେ ପଢ଼ୁଚି ଟିଉସନ କରି । ଏଇ ଘଣ୍ଟାଟିଏ ଥିଲା ଆଜ୍ଞା ମୋ ପ୍ରାଣ । ମଫସଲ ଲୋକ ଆମେ । ମୋ ସ୍ତ୍ରୀଙ୍କର ଫଟୋଟି ମୁଁ ରଖି ପାରିଲି ନାହିଁ । ଏଇ ୱାଚଟି ମୋ ହାତରେ ଥିଲେ ତାର ଗୋଲ ସୁନ୍ଦରିଆ ମୁହଁଟି ମୋ ଆଗରେ ଝଲସି ଉଠେ ଆଜ୍ଞା ! ଘଣ୍ଟାଟା ଗଲାନି ଯେ ମୋର ପିଣ୍ଡରୁ ଆତ୍ମାଟା ଟାଣି ଉପାଡ଼ି ନିଆଗଲା । ଏହାର ପାର୍ଥିବ ମୂଲ୍ୟ ସାମାନ୍ୟ ହୋଇପାରେ; ମାତ୍ର ମୋ ଜୀବନ ପାଇଁ ଏହା ଥିଲା ଏକ ସ୍ମୃତିର ତାଜମହଲ ।

 

ଦେବରାଜ ବାବୁ ଏତିକି ଶ୍ରବଣ କରି ବଡ଼ ଦୁଃଖିତ ହେଲେ । କହିଲେ—ଆରେ ବାବୁ, ଆମେ ଏମିତି ବହୁତ ଘଟଣା ଶୁଣିଚୁ । ଯେତେ ଦିନଯାଏ ଆମ ଗାଁ ଗଣ୍ଡାର ଝିଅ ବୋହୂମାନେ ଗୁଡ଼େ ପଣ୍ୟ ବସ୍ତୁ ପରି ବ୍ୟବହୃତ ହେଉଥିବେ, ଆଉ ଏ ଧୋକାବାଜ ସମାଜ ଯେତେବେଳେ ଯାଏ ମଣିଷ ମଣିଷ ଭିତରେ ସମ୍ବନ୍ଧ ସ୍ଥାପନକୁ ଏକ ବ୍ୟବସାୟ ଭିତ୍ତିକ ଅନୁଷ୍ଠାନ ମନେ କରୁଥିବ, ସେତେବେଳଯାଏ ବୈବାହିକ ଜୀବନର ନିର୍ମଳତା ଓ ପବିତ୍ରତା କାହୁଁ ଆସିବ ? ତୁମରି ପରି ଯୁବକମାନଙ୍କର ଏହିପରି ବଳିଷ୍ଠ ପଦକ୍ଷେପ ବାସ୍ତବିକ ସମାଜକୁ ଉପଯୁକ୍ତ ପନ୍ଥା ଦର୍ଶାଇବ । କଥାର ମୋଡ଼ ବଦଳାଇ ସେ ପୁଣି କହିଲେ—ଆଜ୍ଞା ବର୍ତ୍ତମାନ କୁହନ୍ତୁ, ଆପଣଙ୍କ ନିକଟକୁ କିଏ କିଏ ଆସିଥିଲେ ?

 

ରୂପକ ଉତ୍ତର ଦେଲେ—ଆଜ୍ଞା କେହି ଆସି ନ ଥିଲେ ।

 

ଦେବରାଜ ବାବୁ ପଚାରିଲେ—ଘର ଦୁଆର, ଝରକା ?

 

ବନ୍ଦ ଥିଲା—ଉତ୍ତର ଦେଲେ ରୂପକ ।

 

ଦେବରାଜ ବାବୁ ଆଶ୍ଚର୍ଯ୍ୟ ହେଇ ପଚାରିଥିଲେ—ତେବେ କ’ଣ ଘଣ୍ଟାଟିର ପକ୍ଷୀ ଥିଲା, ସେ ଉଡ଼ିଗଲା ? ନିଶ୍ଚୟ କେହି ହେଲେ ଜଣେ ବ୍ୟକ୍ତି ଆସିଥିବେ ।

 

ରୂପକ କହିଲା—ଆଜ୍ଞା ଯିଏ ଆସିଥିଲେ, ସେ ଉତ୍କଳର ଜଣେ ବରପୁତ୍ର, ସ୍ୱନାମଧନ୍ୟ କବି । ତାଙ୍କ ସହ ଘଣ୍ଟା ଅପହରଣର ସମ୍ବନ୍ଧ ସ୍ଥାପିତ ହୋଇ ନ ପାରେ । ଦେବରାଜ ବାବୁ କୌଶଳ କ୍ରମେ କବିଙ୍କର ନାମ ବୁଝି ତାଙ୍କୁ ଡକାଇ ଆଣିଲେ । ରୂପକଙ୍କୁ ଫେରାଇ ଦେଇଥିଲେ ଓ ତହିଁଆର ଦିନ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

ରୂପକ ସେ ରାତିଟି ଖଟ ଉପରେ ଛଟପଟ ହୋଇ ନ ଶୋଇ କେବଳ ପଡ଼ି ରହିଲେ । ଗୋଟିଏ ଭାବନା—ହେ ଭଗବାନ ! ମୋର ସତୀ ସାଧ୍ୱୀ ସୁନ୍ଦରୀ, ଗୁଣବତୀ ସ୍ତ୍ରୀଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରି ପାରିଲି ନାହିଁ । ଯେଉଁ ଛାର ଘଣ୍ଟାଟି ପାଇଁ ଦିଓଟି ମହାନ ଜୀବନଦୀପ ନିର୍ବାପିତ ହେଲା, ତାହା ଥିଲା ମୋ ପାଇଁ ଅତି ମୂଲ୍ୟବାନ । ଅଥଚ ମୁଁ ପାପିଷ୍ଠ ସେ ଘଣ୍ଟାଟିକୁ ରଖି ପାରିଲି ନାହିଁ ।

 

ସତେ ସ୍ୱର୍ଗପୁରରେ ଥାଇ ମୋର ଧର୍ମପତ୍ନୀ ଓ ତାଙ୍କର ଭାଇ କଅଣ ଭାବୁ ନ ଥିବେ ? କହୁଥିବେ କ’ଣ ରଖି ପାରିଲ ? ଆମକୁ ବିଦାୟ ନେବାକୁ ହେଲା ଯେଉଁ ସାମାନ୍ୟତମ ପଦାର୍ଥଟି ପାଇଁ, ତାକୁ ରଖି ପାରିଲ ? ଜୀବନ ପ୍ରତି ରୂପକଙ୍କର ବଡ଼ ବିଶ୍ରଦ୍ଧା ଜନ୍ମିଲା । ସେ ନିର୍ଦ୍ଦିଷ୍ଟ ସମୟରେ ଦେବରାଜ ବାବୁଙ୍କର ସନ୍ନିକଟସ୍ଥ ହେଲେ ।

 

ଦେବରାଜ ବାବୁ ସହାସ୍ୟ ବଦନରେ ତାଙ୍କୁ ବସିବାକୁ ନିର୍ଦ୍ଦେଶ ଦେଲେ ।

 

ରୂପକଙ୍କର ମନ ଦବିଗଲା । ସେ ଭାବିଲେ ଏ ପୁଲିସ୍‍ବାଲାଗୁଡ଼ାକ ଏତେ ଋକ୍ଷ, ଏତେ ନିଷ୍ଠୁର ! ମୋର ଏ ଅବସ୍ଥା ଦେଖି ଓ ଯନ୍ତ୍ରଣାର ଇତିହାସ ଶ୍ରବଣ କରି କେହି କେବେ ହସିପାରେ । ମନଟା ଛି ହୋଇଗଲା । ନ ବସି ସେ କହିଦେଲେ—ଆଜ୍ଞା ମୁଁ ଆସୁଚି । ବୋଧହୁଏ ମୋ ଘଣ୍ଟାଟି ମିଳିଲା ନାହିଁ ।

 

ଦେବରାଜ ବାବୁ ରୂପକଙ୍କ ହାତ ଧରି ବସାଇଦେଲେ । ନିଜ ପୁଅ ହାତରେ ବାପ ଘଣ୍ଟା ବାନ୍ଧି ଦେଲା ପରି ରୂପକ ହାତରେ ଘଣ୍ଟାଟି ବାନ୍ଧି ଦେଲେ ।

 

ରୂପକ ଦେବରାଜ ବାବୁଙ୍କୁ କହିଲେ—ଆଜ୍ଞା କ୍ଷମା କରିବେ । ମୁଁ ଆପଣଙ୍କୁ ଓ ଆପଣମାନଙ୍କର କର୍ତ୍ତବ୍ୟନିଷ୍ଠାକୁ ସନ୍ଦେହ ଚକ୍ଷୁରେ ଦେଖି ଏ ସ୍ଥାନ ତ୍ୟାଗ କରିବାର ସଂକଳ୍ପ ମନେ ମନେ ନେଇ ଯାଇଥିଲି ।

 

ଦେବରାଜ ବାବୁ ହସି ହସି କହିଥିଲେ—ଆଉ ଆପଣଙ୍କର ବରେଣ୍ୟ କବିଙ୍କର ସାଧୁତା ପ୍ରତି ଆପଣଙ୍କର ଅତୁଟ ବିଶ୍ୱାସ ଏବେ ବି ଅଛି ଟି ?

 

ଅବଶ୍ୟ—କହିଥିଲେ ଦୃଢ଼ତାର ସହିତ ରୂପକକୁମାର ।

 

ଦେବରାଜ ବାବୁ ସ୍ମିତ ହାସ୍ୟ ହସି କହିଥିଲେ—ଆଜ୍ଞା ଯାହା ଜକ ଜକ ଦିଶେ, ସେ କ’ଣ ସୁନା ! ସମାଜର ଅନ୍ତରାଳରେ ସାଧୁତାର ଢୋଲ ପିଟୁଥିବା ଲୋକେ ଯେ ଦୁଷ୍ଟ ବ୍ରଣ ପରି ସମାଜକୁ ଛାରଖାର କରୁଚନ୍ତି, ତାର ନମୁନା ଏଇ କବି ମହୋଦୟ । ଲୋଭରେ ପଡ଼ି ଘଣ୍ଟାଟି ନେଇଗଲେ । ମୁଁ ପଚାରିବାରୁ ଓଲଟ ଧମକ ମତେ ଦେଲେ । ଦୁଇଟା ଉତ୍ତମ ମଧ୍ୟମର ପ୍ରସ୍ତାବ ଶୁଣୁ ଶୁଣୁ ସୁନାପିଲାଟି ପରି ଘଣ୍ଟାଟି ମତେ ଦେଇଗଲେ । ଆଉ ଅନୁରୋଧ କଲେ ଯେ, ଆପଣଙ୍କୁ କିଛି କହିବି ନାହିଁ ବୋଲି ।

 

ବିନମ୍ର ନମସ୍କାରଟିଏ ଦେବରାଜଙ୍କୁ ଦେଇ ଆନନ୍ଦ ମନରେ ରୂପକ ଫେରିଆସିଲେ ସ୍ୱ କୋଠରୀକୁ ।

 

ସେଦିନ ବି ରାତିଟା ଯାକ ତାଙ୍କୁ ନିଦ ହେଲା ନାହିଁ । ଏଇ କବିଙ୍କୁ ସେ ଜଣେ ଆଦର୍ଶ ବ୍ୟକ୍ତି ରୂପେ ଧରି ନେଇଥିଲେ । ତାଙ୍କର ଯେଉଁ ଉଚ୍ଚକୋଟୀର ଲେଖା, ସେ ବକ୍ତୃତା ଦେବାବେଳେ ସମାଜର ଅସାମାଜିକତା ବିରୁଦ୍ଧରେ ଯେଉଁ ଯୁଦ୍ଧ ଘୋଷଣା କରୁଥିଲେ, ସେ ସବୁ ତେବେ କ’ଣ ଫମ୍ପା ଆବାଜ । ତାଙ୍କର କବିତା ତେବେ କ’ଣ କେବଳ ତାଙ୍କର କଳଙ୍କିତ ଜୀବନକୁ ଆଚ୍ଛାଦିତ କରିବାର ଗୋଟାଏ ବିଫଳ ପ୍ରୟାସ !

 

ରୂପକଙ୍କୁ ନିଦ ହେଲା ନାହିଁ । ଉନ୍ନିଦ୍ର ରଜନୀଟି ଛଟପଟ ହୋଇ ସେ କଟାଇଦେଲେ ।

★★★

 

ନିଷ୍ପେସିତା

 

କେରଳ ରାଜ୍ୟ । ତ୍ରିଭେନ୍ଦ୍ରମରେ କେରଳର ଲୋକେ ବଡ଼ କୋଳାହଳ, ହସ ମଉଜରେ ରାଜା ମହାବଳୀ ପର୍ବ ପାଳନରେ ଉଦ୍ୟତ । ରାଜ୍ୟର ଗୃହମନ୍ତ୍ରୀ ଓନାମ ପର୍ବ ପାଳନ ପାଇଁ ଉଦ୍ୟତ-। ଅଥଚ ରାଜ୍ୟବାସୀ ମାନଙ୍କ ମଧ୍ୟରୁ, କେତେ ଯେ ଦଳିତ ଓ ନିଷ୍ପେସିତ, ତାହାର ହିସାବ ରଖୁଚି କିଏ ? ସେ ଯୁଗର ଶାସକ ଓ ଏ ଯୁଗର ଶାସକମାନଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ-। ଦିନ ଥିଲା, ବିଚାରୀ ଶ୍ରୀବତ୍ସ କ୍ଳାନ୍ତ ଶ୍ରାନ୍ତ ହୋଇ ଦଉଡ଼ି ଯାଇଥିଲା ଶାସକ ଶ୍ରୀକୃଷ୍ଣଙ୍କ ନିକଟକୁ-। ଶ୍ରୀକୃଷ୍ଣ ଶୟନ କକ୍ଷରେ । ସେ ଶୁଣିଲେ ଅଥଚ ଫେରିଲେ ନାହିଁ । ଶାସକଙ୍କ ଦ୍ୱାର ଉନ୍ମୁକ୍ତ ସମସ୍ତଙ୍କ ପାଇଁ-। ଅବାରିତ ପ୍ରବେଶାଧିକାର ସମସ୍ତଙ୍କର । ସେ ଆଗେଇ ଚାଲିଲେ । ଶାସକ ସୁଶୁପ୍ତ । ଯେ ଚିରଜାଗ୍ରତ ହେବାକଥା, ସେ ଶାନ୍ତିରେ ଶୟନ କରିଚନ୍ତି । ଶୋଇବା ଲୋକ ଶାସକ ହେବାପାଇଁ ଅନୁପଯୁକ୍ତ । କ୍ରୋଧନ୍ଧ ଶ୍ରୀବତ୍ସ ଶ୍ରୀକୃଷ୍ଣଙ୍କ ବକ୍ଷ ଦେଶକୁ ଗୋଇଠାଟାଏ ପକାଇଲେ । ଏଥିରେ ଶାସକ ବିରକ୍ତି ପ୍ରକାଶ କରିବା ତ ଦୂରର କଥା, ତାଙ୍କ ସତ୍କାରରେ ନିଜେ ଓ ତାଙ୍କ ପତ୍ନୀ ଲାଗି ପଡ଼ିଲେ ।

 

ସେ ଥିଲା ଗୋଟାଏ ଦିନ ଆଉ ଏ ଗୋଟାଏ ଦିନ । ତିନୋଟି ଦରିଦ୍ର ହରିଜନ କନ୍ୟାଙ୍କର କରୁଣ କାହାଣୀ ଗୃହମନ୍ତ୍ରୀଙ୍କର କର୍ଣ୍ଣ କୁହରରେ ପ୍ରବେଶ କରି ପାରୁନି । କହିଥିଲେ ବି ‘ଗରିବ ମାଇପ ସମସ୍ତଙ୍କ ଶାଳୀ’ ଢମାଳି ଅନୁସାରେ ତାଙ୍କ କଥା ବୁଝିବାକୁ ତର କାହାର ଅଛି ? କର୍ମଚାରୀଏ ତ ଶାସକମାନଙ୍କର ସେବା ପୂଜା କରିବାକୁ ବେଳ ପାଉ ନାହାନ୍ତି, ଆଉ ଏଙ୍କ କଥା ବୁଝୁଚି କିଏ ସେ ?

 

ରାଧା, ରାଜାମ୍ମା ଓ ବିମଳାଙ୍କର କରୁଣ କାହାଣୀ ଶୁଣି କେ ଆର୍. ଅସ୍. ନାଏରଙ୍କ ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିପଡ଼ିଲା । ସେ ଜଣେ ସଚ୍ଚା ସାମ୍ବାଦିକ । ସତ୍ୟ ପ୍ରକାଶନ ତାଙ୍କର ପରମ କର୍ତ୍ତବ୍ୟ । ଶାସକର ଦଣ୍ଡ ଅଥବା ଶାସିତର ସମାଲୋଚନାକୁ ସେ ତିଳେ ହେଲେ ଖାତିର ନ କରି ଘଟଣାଗୁଡ଼ିକ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଦେଲେ । ଏଥିପାଇଁ କାହାର ରୋଷକଷାୟିତ ଚକ୍ଷୁ ଅଥବା କ୍ରୋଧ ଜର୍ଜରିତ ଧମକକୁ ତାଙ୍କୁ ବରଦାସ୍ତ କରିବାକୁ ପଡ଼ିଲା ।

 

ରାଜାମ୍ମା ଓ ବିମଳା ସେପୁରିରେ । ସେ ଦୁହିଙ୍କର କରୁଣ କାହାଣୀ ବର୍ଣ୍ଣନା କରିବାକୁ ଏ ଧାରାଧାମରେ ସେମାନେ ନାହାନ୍ତି । ଅଛନ୍ତି ରାଧା ଓ ବିମଳାର ମା, ସେ ଦୁହେଁ ମନୁଷ୍ୟର ପଶୁବୃତ୍ତି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାକୁ ବିଦ୍ଧପରିକର । ସଭ୍ୟତାର ଅନ୍ତରାଳରେ ରକ୍ତ ଲୋଲୁପ ରକ୍ଷକର ଭକ୍ଷକ ପଣିଆ ପ୍ରକାଶ କରି ପୁଣ୍ୟ ଭାରତ ଭୂମିରେ ପାପର ମାତ୍ରା କିପରି ଉତ୍ତରୋତ୍ତର ବୃଦ୍ଧି ଲଭୁଚି, ତାର ନମୁନା ଉପସ୍ଥାପିତ କରିଅଛନ୍ତି ।

 

ସେଦିନ ଗୋଟିଏ ଆନନ୍ଦର ଦିନ । ବିଂଶ ବର୍ଷୀୟ ରାଧା ଓ ଷୋଡ଼ଶୀ ରାଜମ୍ମା ଦିନକଜାକ ଅକ୍ଲାନ୍ତ ପରିଶ୍ରମ କରି, ଶ୍ରମାର୍ଜିତ ଅର୍ଥତକ ନିଜ ନିଜ ବାପ ମାଙ୍କୁ ଦେଇ ମନ ପରିବର୍ତ୍ତନ କରିବା ପାଇଁ ଚଳଚ୍ଚିତ୍ର ଦେଖିବାକୁ ବାହାରି ପଡ଼ିଲେ ପେଡ଼ି ଲୁଗାଟିମାନ ପିନ୍ଧି । ସେମାନେ ବାହାରିବା ବେଳେ ସେମାନଙ୍କର ଆତ୍ମୀୟ ସ୍ୱଜନ ସାବଧାନ କରି ଦେଇଥିଲେ । ମାତ୍ର ଉଭୟେ ଗର୍ବର ସହିତ କହିଥିଲେ—ଗାନ୍ଧୀ ଦେଶ ସ୍ୱାଧୀନତା ପାଇଚି । ଆମ ରାଇଜରେ ଆମରି ଲୋକେ ଶାସନ ଭାର ଗ୍ରହଣ କରିଅଛନ୍ତି । ଲୋକ ପ୍ରତିନିଧିଙ୍କ ଶାସନ ଚାଲିଚି । ପଥରେ ଆମରି ଭାଇ ଭଉଣୀ ଚଳପ୍ରଚଳ ହେଉଚନ୍ତି, ଆଉ ଡ଼ର ଭୟ କାହାକୁ ? ବାସ୍ତବିକ୍ କଥା । ବଡ଼ ବଡ଼ମାନେ ବୁଝିଗଲେ । ପିଲା ଦୁଇଟି ମନ ପରିବର୍ତ୍ତନ କରିବାକୁ ଆଗେଇ ଗଲେ ।

 

ସେମାନେ ଯେଉଁ ନିଷ୍ଠାର ସହିତ ଦେଶର ନାଗରିକମାନଙ୍କ ପାଖରେ ଆସ୍ଥା ପ୍ରକାଶ କରିଥିଲେ, ବାସ୍ତବିକ୍ ସେମାନେ ସେଥିପାଇଁ ଅଯୋଗ୍ୟ । ପଥରେ କେତେକ ଦୁର୍ବୃତ୍ତ ଯୁବକଙ୍କ ହସ ଟାହୁଲି ଓ ପଥ ଅବରୋଧାତ୍ମକ ମନୋବୃତ୍ତି ଦେଖି ସେମାନେ ଭୀତତ୍ରସ୍ତ ହୋଇଗଲେ । କୌଣସି ମତେ ଟିକେଟ ଦୁଇଖଣ୍ଡ ଧରି ପ୍ରୋକ୍ଷାଳୟ ମଧ୍ୟରେ ପ୍ରବେଶ କଲେ । ଚଳଚ୍ଚିତ୍ର ଦେଖୁଥାଆନ୍ତି ସିନା, କିପରି ନିରାପଦରେ ଘରକୁ ଫେରିବେ ଏହି ଚିନ୍ତା ଅହରହ ସେମାନଙ୍କୁ ବ୍ୟତିବ୍ୟସ୍ତ କରୁଥାଏ-। ବଡ଼ ଘରେ ଜନ୍ମି ନାହାନ୍ତି ଯେ, ଫୋନ୍ କରିଦେଲେ ନିଜ ଲୋକ ଆସି ସାଙ୍ଗରେ ନେଇଯିବେ-। ପାଖରେ ପଇସା ନାହିଁ ଯେ ଗାଡ଼ିର ସହାୟତାରେ ଚାଲିଯିବେ । ଯାହାର ଜୀବନ ‘ଢେକେ ପିଇ ଦଣ୍ଡେ ଜୀଇ’ରେ ଗଢ଼ା ଯିଏ ଅର୍ଦ୍ଧାହାରରେ ଚଳୁଚି, ସେ ବା କେଉଁଠୁ ଗାଡ଼ିରେ ଯିବାକୁ ସମର୍ଥ ହୁଅନ୍ତେ ! ନିଜ ଭାଗ୍ୟକୁ ନିନ୍ଦିବା ବିନା ଅନ୍ୟ ଗତି ତାଙ୍କର ନ ଥିଲା । ସିନେମା ସରିଲା-। ହା ହୁତାଶମୟ ଜୀବନ ଧରି ସେ ବାହାରକୁ ଆସିଲେ । ନିରୋଳା ହେଲେ ଶକ୍ତି ସଞ୍ଚୟ କରି ଚାଲିଯିବାର ସଂକଳ୍ପ ଧରି ଅପେକ୍ଷା କରିବାକୁ ପହିଲେ ଭାବି, ଜନସ୍ରୋତ ମଧ୍ୟରେ ନିଜକୁ ମିଶାଇ ଦେଲେ ।

 

ବାଟରେ ଯିଏ ଯାହାର ରାହା ଧରିଲେ ।

 

ସଡ଼କ ନିରୋଳା ହେଲା । ଚତୁର୍ଦ୍ଦିଗର ନୀରବତା ଆଶଙ୍କା ଜନ୍ମାଇଲା । ନିରାପଦତାରୁ ଆଶା ସାମାନ୍ୟ ଜାଗରିତ ହେବାରୁ ଉଭୟେ ଦ୍ରୁତ ଗତିରେ ଆଗେଇ ଚାଲିଲେ । ରାସ୍ତାକଡ଼ର ପତ୍ରଟିଏ ଖୁଡ଼ ହେଲେ ଅଥବା କୁକୁରଟିର ପଦଶବ୍ଦ ଶ୍ରବଣ ମାତ୍ରେ ଉଭୟେ ଚମକି ପଡ଼ୁଥାଆନ୍ତି । ଛକରେ ପହୁଞ୍ଚିଛନ୍ତି କି ନାହିଁ କେତେକ ତରୁଣଙ୍କର ଉଚ୍ଛୁଳା ହସ ଶୁଣିବାକୁ ପାଇଲେ । କ୍ରମେ କ୍ରମେ କେତେଗୁଡ଼ିଏ ଛାୟା ତାଙ୍କରି ଆଡ଼କୁ ମାଡ଼ି ଆସୁଥିବା ପରି ମନେହେଲା । ସତେ ଅବା ବୁଢ଼ୀ ଅସୁରୁଣୀ ପାଟି ମେଲାଇ ସେ ଦୁହିଁଙ୍କୁ ଉଦରସ୍ଥ କରିବାକୁ ଆଗେଇ ଆସୁଛି । ଭୟରେ ଉଭୟେ କାନ୍ଦି ପକାଇଲେ । ସେମାନଙ୍କ ଛାତି ଫାଟି ପ୍ରାଣ ଚାଲିଗଲା ପରି ଲାଗିଲା । ସକଳ ଶକ୍ତି ସଞ୍ଚୟ କରି ଉଭୟେ ଦ୍ରୁତ ଗତିରେ ଦଉଡ଼ିଲେ ଥାନାକୁ । ଥାନାହିଁ ଦୁଃଖୀ, ରଙ୍କି, ଆତଙ୍କିତ ବ୍ୟକ୍ତିଙ୍କର ଆଶ୍ରୟ ସ୍ଥଳ । ଥାନା ହତା ଭିତରେ ପଶିଯାଇ ଉଭୟେ ଛିଡ଼ା ହୋଇଗଲେ ଅଚଳ ପ୍ରସ୍ତର ମୂର୍ତ୍ତି ପରି । ଛାତି ଦମ୍ ଦମ୍ ହୋଇ ପଡ଼ୁଥାଏ ଉଠୁଥାଏ—ଖର ନିଶ୍ୱାସ ନିସୃତ ହେଉଥାଏ ଓ ନାଡ଼ି ଧପ୍ ଧପ୍ ହେଉଥାଏ ।

 

ହଠାତ୍ ବଜ୍ର ସ୍ୱନରେ କିଏ ଜଣେ ହୁଙ୍କାର ଛାଡ଼ି ଡାକ ପକାଇଲା—କିଏ ସେ ?

 

ରାଧା ଥରିଲା ଗଳାରେ କହିଲା—ଆମେ ।

 

ପ୍ରଶ୍ନ—ଆମେ ?

 

ଉତ୍ତର—ହଁ ଆମେ ରାଧା ଓ ରାଜାମ୍ମା ।

 

ଆଶ୍ୱାସନାରେ ବାଣୀ ଶୁଣାଗଲା—ଆସ । ଉଭୟେ ଆଶ୍ୱସ୍ତିର ନିଃଶ୍ୱାସ ଛାଡ଼ି ଆଗେଇଗଲେ । ମନରେ ବଳ ଆସିଗଲା । ପୋଲିସ୍ ଉପରେ ସେମାନଙ୍କର ଅଖଣ୍ଡ ବିଶ୍ୱାସ । ଏଇମାନେ ନିଜ ଜୀବନକୁ ତୁଚ୍ଛ କରି ଚୋର, ତସ୍କର, ଗୁଣ୍ଡାଙ୍କ ମୁକାବିଲା କରନ୍ତି । ଦେଶରେ ଶାନ୍ତି-ଶୃଙ୍ଖଳା ରକ୍ଷା କରନ୍ତି । ଏମାନେ ନ ଥିଲେ ଦେଶଟାର ଶାନ୍ତିପ୍ରିୟ ଜନତା ଦୁଃଖ କଷ୍ଟ ରୂପକ ଅତଳ ସାଗରରେ ନିମଜ୍ଜିତ ହୁଅନ୍ତେ ।

 

ଥାନା ମାଟି ମାଡ଼ିଲେ । ଉଭୟେ ମାଟିକୁ ମୁଣ୍ଡରେ ମାରିଲେ । ପୁଲିସବାବୁଙ୍କୁ ସାଷ୍ଟାଙ୍ଗ ପ୍ରଣତି ଜଣାଇ କାନ୍ଥରେ ଆଉଜି ଛିଡ଼ାହେଲେ । ପୋଲିସବାବୁମାନେ ସେମାନଙ୍କୁ ନିର୍ଭୟରେ ରହିବା ପାଇଁ ହାଜତଘରକୁ ପଠାଇ ଦେଲେ । ରାତି ଗୋଟିଏ ହେଲା, ଉଭୟଙ୍କ ଆଖିକୁ ନିଦ ଆସୁ ନ ଥାଏ । ଜଣକ ଘରେ କେବଳ ବୃଦ୍ଧ ପିତା ଓ ଅନ୍ୟ ଜଣଙ୍କର ବୃଦ୍ଧା ମାତା । ସେମାନେ କେତେ ବ୍ୟସ୍ତ ହଉ ନ ଥିବେ ! ଏଇ ଚିନ୍ତା ସେମାନଙ୍କୁ ଘାରିଲା । ଆଖିକୁ ନିଦ ଆସିଲା ନାହିଁ । କେବେ ସକାଳ ହେବ, ଏହି ନିରାପଦ ସ୍ଥାନରୁ ଫେରିଯାଇ ପିତା ମାତାଙ୍କୁ ସାନ୍ତ୍ୱନା ଦେବେ । ଏହି ଆଶା ସେ ଦୁହିଙ୍କୁ ଆନନ୍ଦ ଦେଲା । କାନ ମୋଡ଼ି ଚାପଡ଼ା ମାରି ହେଲେ ନିଜ ହାତରେ । ଆଉ ଦିନେ ଏପରି ଭୁଲ କରିବେନି ।

 

ସେ ଦୁହିଙ୍କର ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ଦୁଇ ଜଣ ବଳିଷ୍ଠ କନେଷ୍ଟବଳ କବାଟ ଖୋଲି ସେ ଦୁହିଙ୍କର ହାତ ଡେଣା ଧରି ଭିଡ଼ି ନେଲେ । ତା’ପରେ ସେ ଦୁହିଁଙ୍କର ପ୍ରବଳ ବିରୋଧ, ପ୍ରତିବାଦ ଓ କ୍ରନ୍ଦନ ପ୍ରତି କର୍ଣ୍ଣପାତ ନ କରି ସେମାନେ ଯାହା କଲେ, ତାହା ବର୍ଣ୍ଣନୀୟ ନୁହେଁ ।

 

ରାଧା ଏହି ଅମଣିଷଙ୍କର ଅମଣିଷତ୍ୱ ସାରା ସଂସାରରେ ଜଣାଇ ଦେବାକୁ ଦୃଢ଼ ସଂକଳ୍ପ କରି ବଞ୍ଚି ରହିଲା ମାତ୍ର ରାଜମ୍ମା ପାରିଲା ନାହିଁ । ରାଧାର ଶତ ବାରଣ ସତ୍ତ୍ୱେ ସେ ପଣସଗଛରେ ଦଉଡ଼ି ଲଗାଇ ଝୁଲିଲା । ଜୀବନକୁ ଇତି କରିଦେଲା ରାଜମ୍ମା । ବଞ୍ଚି ରହିଲା ରାଧା ତାର ବୃଦ୍ଧ ପିତାମାତାଙ୍କ ମୁଖରେ ଢୋକ ଦେବାକୁ । କି ଅପୂର୍ବ ସହିଷ୍ଣୁତା !

 

ଆଉ ବିଚାରୀ ଷୋଡ଼ଶୀ ବିମଳା । ଗର୍ଭଧାରିଣୀ ମା’କୁ ଧରି ଧାଇଁଥିଲା ଥାନାକୁ ବଡ଼ ଆଶା ଧରି । ତାଙ୍କର ଜନ୍ମ ଭିଟା ଅନ୍ୟଲୋକ ଅଜାୟ ଜବରଦସ୍ତ ଦଖଲ କରିଯିବ । ସେ ଦୁହେଁ ବାସଚ୍ୟୁତ ହେବେ । ଅତି କଷ୍ଟାର୍ଜିତ ମୂଳପୁଞ୍ଜିକରେ ପେଜ ଭାତ କରି ଚଳି ଯାଉଥିଲେ । ବାସଚ୍ୟୁତ ହେଲେ ରହିବେ କେଉଁଠି ? ଗାଁ ପଡ଼ିଶା ପରାମର୍ଶ ଦେଲେ । କହିଲେ ଯା, ଥାନାବାବୁଙ୍କୁ ଆପତ୍ତି କର । ସେ ଦଉଡ଼ି ଯାଇଥିଲା ଧର୍ମାବତାରଙ୍କ ନିକଟକୁ । ମାତ୍ର ପିଶାଚପୁରୀରେ ଧର୍ମର ସତ୍ତା କାହୁଁ ଆସନ୍ତା ! ବିମଳାର ବୟସ ଓ ସୌନ୍ଦର୍ଯ୍ୟ ତାର ବଇରୀ ହେଲା । ତାର ଜନନୀ ଓ ତାକୁ ପୃଥକ୍ କରାଗଲା । ବିମଳା ଉପରେ ପାଶବିକ ଅତ୍ୟାଚାର କଲେ ପୋଲିଶ୍ ଲୋକେ । ରକ୍ଷକ ଭକ୍ଷକ ହେଲେ । କାଳ ରାତି ପାହିଲା । ପୋଲିଶ ଲୋକେ ବିଚ୍ଛିନ୍ନ ଜନନୀ ଓ କନ୍ୟାଙ୍କୁ ଏକତ୍ରିତ ହେବାର ସୁଯୋଗ ଦେଲେ । ଉଭୟେ ଏକ ମୁହଁରେ ଆଗେଇ ଚାଲିଲେ ଏକ ନିଶ୍ୱାସରେ । ବହୁତ ବାଟ ଚାଲିଗଲା ପରେ ଗୋଟାଏ ଗଛମୂଳେ ବସିପଡ଼ିଲେ । ନିକଟସ୍ଥ ପୋଖରୀରୁ ମୁନ୍ଦେ ମୁନ୍ଦେ ପାଣି ପିଇଲେ । ଝିଅଟି ଜନନୀର କ୍ରୋଡ଼ଦେଶରେ ମୁଣ୍ଡ ରଖି ବଡ଼ କରୁଣ ସ୍ୱରରେ କ୍ରନ୍ଦନ କଲା । ସତୀତ୍ୱ ହରାଇ ମୁଣ୍ଡ ଟେକି ଚାଲିବା ଅସମ୍ଭବ । ଆତ୍ମହତ୍ୟା ଶ୍ରୟେସ୍କର ବୋଲି ଜନନୀଙ୍କ ସମ୍ମୁଖରେ ଆକୁଳ ନିବେଦନ କଲା । ମାତ୍ର ଜନନୀ ସମ୍ମୁଖରେ ସ୍ୱ-ଶିଶୁର ପବିତ୍ରତା ବା ଅପବିତ୍ରତାର ଅର୍ଥ କିଛି ନାହିଁ । ସେ ଝିଅର ମୁଣ୍ଡରେ ହାତ ଦେଇ ଆଉଁସିଲେ । ଝିଅ ଶୋଇପଡ଼ିଲା-। ଚିର ପବିତ୍ରବାୟୁ ଦେବତା ଜନନୀର ଦୁଃଖମୟ ବେଦନାଭରା ଶରୀରକୁ ଶୀତଳ କରି ଦେଲେ । ତାଙ୍କ ଆଖି ବୁଜି ହୋଇଗଲା । ସେ ଲୋଟି ପଡ଼ିଲେ ବୃକ୍ଷ ମୂଳରେ ।

 

ବିମଳା ସ୍ୱପ୍ନ ଦେଖିଲା । ନିଆଁ ଜଳୁଚି । ତାକୁ ତହିଁରେ ପକାଯାଉଚି । ସେ ଉଠି ପଡ଼ିଲା-। ମା’ଙ୍କ ପାଦରଜ ମସ୍ତକରେ ଧାରଣ କଲା । ଲୋତକପାତ କରି ପୋଖରୀକୁ ଡେଇଁପଡ଼ି ଆତ୍ମହତ୍ୟା କଲା । ଜନନୀ ବି ସ୍ୱପ୍ନ ଦେଖିଲେ ଦିନ ଦୁଇ ପ୍ରହରରେ । ତାଙ୍କ କୋଳରୁ ତାଙ୍କ ଝିଅକୁ ଗୋଟାଏ ବିକଟାଳକାୟ ରାକ୍ଷସ ଟାଣି ନେଇ ଭକ୍ଷଣ କରୁଚି । ସେ ତ୍ରସ୍ତା ହୋଇ ଜାଗ୍ରତ ହେଲେ-। ଚାରିଆଡ଼କୁ ଚାହିଁଲେ । ପୁଷ୍କରିଣୀରେ ଦେଖିଲେ ତାଙ୍କର ଆଦରଣୀୟା ଏକମାତ୍ର କନ୍ୟା ସନ୍ତାନର ମୃତ ଶରୀର ଭାସୁଚି ।

 

ପୋଖରୀ କୁଳ ପ୍ରସ୍ତର ଖଣ୍ଡରେ ମୁଣ୍ଡ ପିଟିଦେଲେ । ଅଚେତ ହୋଇ ସେଇଠାରେ ସେ ଟଳିପଡ଼ିଲେ ।

★★★

 

ଅସହାୟର ମୃତ୍ୟୁ

 

ବାସ ।

 

କରିମ ଜିଲାର ଏକ ଅଖ୍ୟାତ ଗ୍ରାମର ବାସିନ୍ଦା । ଘରେ କେବଳ ବୃଦ୍ଧା ମାତା ଜୀବିତା । ବାସର ପିତା ଓ ଛଅଟି ଭାଇ ଭଉଣୀ ସେପୁରକୁ ଚାଲି ଯାଇଥିଲେ ।

 

ବାସଟି ବୁଢ଼ୀର ଅନ୍ଧର ଲଉଡ଼ି ।

 

ଗାଁରେ ବାସ ଯତ୍‍ସାମାନ୍ୟ ରୋଜଗାର କରୁଥିଲା ।

 

ରୋଜଗାରରେ ପେଟ ପୋଷିବା ଅସମ୍ଭବ ହେଇ ଉଠୁଥିଲା ।

 

ପେଡ଼ାପଲ୍ଲୀରୁ ତାର ସାଙ୍ଗ ରାସ ଆସିଥାଏ । ସୁନ୍ଦର ଜାମା ପିନ୍ଧିଥାଏ । ବେଶ୍ ଦୁଇ ପଇସା ଆଣିଥାଏ ।

 

ବାସ ମନଟିକୁ ସେ ଚହଲାଇ ଦେଲା । ପଇସା ରୋଜଗାର କରିବ ତ ସହରରୁ, ମଫସଲରୁ ନୁହ ।

 

ସହରକୁ ଫେରିଗଲା ସେ । ଗଲାବେଳେ ବାସଟିକୁ ସାଙ୍ଗରେ ନେଇଗଲା ।

 

ବୁଢ଼ୀମା ଦୁଇ ଆଖିରେ ମେଞ୍ଚାଏ ଲେଖାଏଁ ଲୁହ ପୂରାଇ କହିଥିଲା—ବାସ, ସହରକୁ ଯା ନାରେ । ସେ ଲୋକ ଗୁଡ଼ା ଭଲ ନୁହନ୍ତି । ରକ୍ତଶୋଷି ଦୁଇ ପଇସା ନେବେ । ମନ ଜାଣି ମୁଠେ ଖାଇବାକୁ ଦେବେନି । ସେ ଗୁରା ଦୁଃଖିର ଦୁଃଖ ବୁଝନ୍ତି ନି !

 

ଗାଁକୁ ଜଣେ ଭିକାରୀ ଆସିଥିଲା । କହୁଥିଲା, ଭିକ ମୁଠେ ସହରରେ ମିଳିବା ସ୍ୱପ୍ନ, ଅଥଚ ଆକାଶକୁ ଛୁଉଁଚି ଉଚ୍ଚ ପକ୍କା । ଘରଗୁଡ଼ାକ ।

 

ଭୋଜି ଭାତ, ଆନନ୍ଦ ମଉଜ, ନାଚ ଗୀତରେ ସହର ମୁଖରିତ; ଅଥଚ ଦୁଃଖୀ ଲୋକଙ୍କର ଦୁଃଖ ଅପନୋଦନ କରିବା ତ ଦୂରର କଥା, ସେମାନଙ୍କୁ ଭୁଲରେ ଟିକିଏ ହେଲେ ଚାହାନ୍ତିନି ।

 

ରାସ, ବୁଢ଼ୀର ଯୁକ୍ତିକୁ ଅଗ୍ରାହ୍ୟ କଲା । ବଦାନ୍ୟ ଲୋକଙ୍କ କୃତ କୂଅ, ପୋଖରୀ, ଧର୍ମଶାଳା ଆଦିର ନମୁନା ଦେଇ, କହିଲା ଯେ ସହରର ଲୋକେ ଲକ୍ଷ୍ମୀ ଓ ସରସ୍ୱତୀଙ୍କ ବରପୁତ୍ର । ଗାଁ ଗହଳ ନିଷ୍ପ୍ରଭ, ଏଠାରେ ଆନନ୍ଦରେ ରହିବା ସ୍ୱପ୍ନ । ବିଭିନ୍ନ ରୋଗ ଦ୍ୱାରା ଲୋକେ ପ୍ରପୀଡ଼ିତ । ମୁଠାଏ ଭାତ ଏଠାରେ ବିଳାସ ସାମଗ୍ରୀ, ଖଣ୍ତେ ଲୁଗା ଏଠାରେ ଦୁଷ୍ପ୍ରାପ୍ୟ ।

 

ଗାଡ଼ି ସମୟ ହୋଇ ଯାଉଥିଲା । ବାସର ହାତ ଟାଣିନେଇ ରାସ ଚାଲିଗଲା । ବାସଟି ବିଚରା ମା ପାଦର ଧୂଳି ଟିକିଏ ମୁଣ୍ତରେ ମାରି ପାରିଲା ନାହିଁ । ମନରେ ଦୁଃଖ ରହିଗଲା ।

 

ମା’ର ବି ମନରେ ଦୁଃଖ ରହିଗଲା । ମା ଦୁର୍ଗାଙ୍କ ଅକ୍ଷୟ ସିନ୍ଦୂର ଓ ରକ୍ଷା କବଚ ଫୁଲଟାଏ ପୁଅକୁ ଦେଇ ପାରିଲା ନାହିଁ । ଗଲା ଅଇଲା ବେଳରେ ଅଲକ୍ଷଣୀଙ୍କ ପରି ଆଖିରୁ ଲୁହ ଗଡ଼ାଇଲା । ଡାଆଣୀଙ୍କ ପରି ପୁଅର ଅନିଷ୍ଟ ଆଶଙ୍କା ବୃଥାରେ କଲା । ଜଗତ୍‍ଜନନୀ ଦୁର୍ଗାଙ୍କ ପାଦତଳେ ମୁଣ୍ତିଆଟିଏ ମାରି ପୁଅକୁ ଘଣ୍ଟ ଘୋଡ଼ାଇ ରଖିବାକୁ ଆକୁଳ ନିବେଦନ କଲା ।

 

ବାସ ପେଡ଼ାପଲ୍ଲୀର ‘ବମ୍ବେ ମିଷ୍ଟାନ ଭଣ୍ତାର’ରେ ଚାକିରୀଟିଏ ପାଇଲା । ଜୀବନରେ ପ୍ରବଞ୍ଚନା କ’ଣ ସେ ଜାଣେନା । ଅଥଚ ଦେଖିଲା ଲୋକଗୁଡ଼ାକ ଯାହା ନୁହନ୍ତି, ନିଜକୁ ଦେଖାଇ ହୁଅନ୍ତି ସେହିପରି । ସାହୁକାର ଥିବାତକ କର୍ମତତ୍ପର ହୁଅନ୍ତି; ଅଥଚ ଅନ୍ୟ ସମୟରେ କର୍ମତତ୍ପର ନ ହୋଇ ନିଶ୍ଚେଷ୍ଟା ହୋଇ ବସି ରହନ୍ତି । ଅଥଚ ବାସ, ଘଣ୍ଟା ଓ ମିନିଟ୍ କଣ୍ଟା ପରି ଅନବରତ କର୍ମତତ୍ପର ହେଲା । ତାର କର୍ମନିଷ୍ଠାରେ କ୍ରେତା ଓ ବିକ୍ରେତା ପରମ ସନ୍ତୋଷ ଲାଭ କଲେ । ସେ କ୍ରମେ ଉତ୍ତରୋତ୍ତର ଉନ୍ନତି ଲାଭ କଲା । ଏତେ ଚଞ୍ଚଳ କର୍ମଚାରୀଙ୍କ ମଧ୍ୟରୁ କେହି ଜଣେ ହେଲେ ସାହୁକାରଙ୍କର ଏତେ ପ୍ରିୟ ହୋଇ ପାରି ନ ଥିଲେ କି ଏତେ ଅଧିକ ପଇସା ଅର୍ଜନକ୍ଷମ ହୋଇ ପାରି ନ ଥିଲେ । ଦୋକାନ ଅବସ୍ଥାର ବି ପରିବର୍ତ୍ତନ ହୋଇଗଲା । ସଦା ସହାସ୍ୟବଦନ ବାସର ବ୍ୟବହାର ଓ ନିର୍ମଳତାରେ କ୍ରେତାମାନେ ସନ୍ତୁଷ୍ଟ ହୋଇଗଲେ । କ୍ରମେ କ୍ରମେ ଅନ୍ୟ ଦୋକାନଗୁଡ଼ିକ ଏହି କୌଶଳୀ ଶ୍ରମିକ ପ୍ରତି ଈର୍ଷାପରାୟଣ ହେଲେ । ଏପରି କି ସେହି ମିଷ୍ଟାନ ଭଣ୍ତାରର ଅନ୍ୟ ସହକର୍ମୀମାନେ ତାକୁ ଈର୍ଷା କଲେ ।

 

ଗାଁରେ ବୁଢ଼ୀ ନିୟମିତ ଟଙ୍କା ପାଇ କିଛି ସଞ୍ଚୟ କଲେ । ପୁଞ୍ଜି ବି ବେଶ୍‍ ଦୁଇ ପଇସା ହୋଇଗଲା । ବୁଢ଼ୀର କେତେ ଭବିଷ୍ୟତ ଉଜ୍ଜ୍ୱଳ ପରିକଳ୍ପନା । ପୁଅ ହାତକୁ ଦୁଇହାତ ହେବ । ପିଲାଝିଲା ଧରି ଘର ସଂସାର କରିବ । ଜମି ଜମା କିଣା ହେବ—ଏମିତି କେତେ କ’ଣ ?

 

ସହରରେ ବାସ ବିରୁଦ୍ଧରେ ଈର୍ଷା ପରାୟଣ ଦୋକାନୀ ଓ ସେହି ମିଷ୍ଟାନ ଭଣ୍ତାରର ସହକର୍ମୀମାନେ ମନ୍ତ୍ରଣା ଆରମ୍ଭ କଲେ । ବାସର କ୍ଷତି କରିବାର ଚିନ୍ତାରେ ସେମାନେ ଅହରହ କାଳକ୍ଷେପଣ କଲେ । କ୍ଷତି ସାଧନର ବିଭିନ୍ନ ଯୋଜନାରେ ସେମାନେ ମନୋନିବେଶ କଲେ । ମା ଦୁର୍ଗାଙ୍କର କଲ୍ୟାଣରୁ ଓ ଦୁଃଖିନୀ ଜନନୀଙ୍କର ଶୁଭେଚ୍ଛାରୁ ବାସ ପ୍ରତ୍ୟେକ ଅଗ୍ନି ପରୀକ୍ଷାରୁ ନିଜକୁ ଉର୍ତ୍ତୀଣ୍ଣ କଲା । ଦୋକାନରୁ ଲୁଚାଇ ଖାଇବା, ଗରାଖମାନଙ୍କଠାରେ ପଇସା ସଂଗ୍ରହ କରି ଲୁଚାଇ ରଖିବା, ଲୋକମାନଙ୍କୁ ବେଖାତିର କରିବା ଆଦି ପ୍ରତିଟି ଅଭିଯୋଗକୁ ଦୋକାନର ମାଲିକ ଅଯଥା କଥା କହି ସିନା ଉଡ଼ାଇ ଦେଲେ, ତାଙ୍କ ମନରେ ବାସ ପ୍ରତି ସନ୍ଦେହ ବୀଜ ବପନ କଲା ।

 

ବାସ ଭବିଷ୍ୟତ ଅନ୍ଧକାର ଜାଣି ନିଜ ମାଲିକଙ୍କୁ କହି ସ୍ୱଗୃହ ପ୍ରତ୍ୟାବର୍ତ୍ତନର ଇଚ୍ଛା ପ୍ରକାଶ କଲା । ମାତ୍ର ତାର ପ୍ରଭୁ ତାକୁ ବହୁ ପ୍ରକାର ପ୍ରବୋଧନା ବାଣୀ ଶୁଣାଇ ରଖିଲେ । ମାଲିକ ଓ ତାଙ୍କର ପରିବାରର ସମସ୍ତେ ଅସୁସ୍ଥ ହୋଇ ପଡ଼ିଲେ । ବାସ ଉପରେ ଦୋକାନର ସମସ୍ତ ଭାର ଅର୍ପିତ ହେଲା ।

 

ସେଦିନ ଭୀଷଣ ବର୍ଷା । ସଡ଼କରେ ଏତେ ପାଣି, ବାହାରେ ଏତେ ଥଣ୍ତା ପବନ, ମେଘ ଘଡ଼ଘଡ଼ି ଚଡ଼ଚଡ଼ି ହେଲା ଯେ, ବିଚରା ବାସ, ଟଙ୍କାତକ ଏକୁଟିଆ ନେଇ ମାଲିକଙ୍କ ଘରକୁ ଯିବାକୁ ସାହସ କଲାନାହିଁ । ଜଣ ଜଣ କରି ସାଥୀଭାଇଙ୍କୁ ବହୁତ ନେହୁରା ହେଲା, ହେଲେ କହି ଶୁଣିଲେ ନାହିଁ । ବାସ ଟଙ୍କାତକ ଧରି ସେମିତି ରାତିଟି ଉଜାଗରରେ କଟାଇ ଦେବାକୁ ପଣ କଲା; ରାତିଟା ସାରା ଜାଗ୍ରତ ହୋଇ ଆଖି ବୁଜି ହେଇ ଯାଉଚି କି ନାହିଁ, ତା ଆଖିକୁ ବାନ୍ଧି ପକାଇ କିଏସେ ଟଙ୍କାତକ ହରଣଚାଲ କରି ପଳାୟନ କଲା । ବାସ ଛାତି ଦପ ଦପ ହୋଇ ଉଠିଲା ପଡ଼ିଲା । ଭୟରେ ଦେହରୁ ଶ୍ରମଝାଳ ବୋହିଗଲା । ପାହାନ୍ତିଆ ବେଳକୁ ମେଘର ଶକ୍ତି ସିନା କମି ଯାଇଥିଲା ମାତ୍ର ସମ୍ପୂର୍ଣ୍ଣ କମି ଯାଇ ନ ଥିଲା । ସେଥିରେ ତିନ୍ତି ତିନ୍ତି ସେ ମାଲିକଙ୍କ ଦୁଆରକୁ ଗଲା । ସେଠାରେ କାନ୍ଦି କାନ୍ଦି ସେ ଦୁର୍ଘଟଣା ଆଦ୍ୟ ପ୍ରାନ୍ତ ବର୍ଣ୍ଣନା କରିବା ପୂର୍ବରୁ ମାଲିକଙ୍କ ହାତରୁ ତାକୁ ବଜ୍ର ପ୍ରହାର ସହ୍ୟ କରିବାକୁ ପଡ଼ିଲା । ସେ ମାଲିକଙ୍କର ରୁଦ୍ର ରୂପ ଦେଖି ଶଙ୍କିତ ହେଲା । ରୋଗମୁକ୍ତ ନ ହେଉଣୁ ସେ ଓ ତାଙ୍କର ପୁତ୍ର ବାସର ଦୁଇ ହାତକୁ ଦୁଇଖଣ୍ତ ପଟାରେ କଣ୍ଟା ବାଡ଼ାଇ ଚପାଇ ଦେଲେ । ସେହି ଅବସ୍ଥାରେ ତାକୁ ଥାନାକୁ ନିଆଗଲା । ଥାନା ଅଫିସରଙ୍କୁ ହାତକୁ ମାଲିକ କ’ଣ ବଢ଼ାଇ ଦେଇ କହିଲେ—ଏ ସାମାନ୍ୟ ପାନଖିଆ, ଆପଣଙ୍କର ଓ ଆପଣଙ୍କ ପିଲାଙ୍କର ଆଜ୍ଞା-! ଏ ବେମାନ୍ କଥା ବୁଝନ୍ତୁ । ଏଇଟା ଢୋଲ ଭିତରେ ମୂଷା ଖୋଳ କରି ମତେ ଶୋଷି ଲାଗିଛି-। ଖାଇବାକୁ ପାଉ ନ ଥିଲା, ଆଣି ରଖିଲି । ରାତିରେ ଟଙ୍କା ନ ଆଣି ଏଇ ବୁଜୁଳିଟି ଧରି ପଳାଉଥିଲା-। ମୋର ବହୁଦିନର ବିଶ୍ୱସ୍ତ ଚାକର ତାଠାରୁ ଛଡ଼ାଇ ଆଣି ମତେ ଆପଣ କଲା, ବିଶ୍ୱାସରେ ଏଇଟା ମତେ ବିଷ ଅର୍ପଣ କରୁଥିଲା ।

 

ବାସ ଏଇ କାଳ୍ପନିକ କଥା ଶୁଣିଲା । ତା ମୁଣ୍ତ ବୁଲାଇ ଦେଲା । କଥାଟା ନିର୍ମଳ ଭାବରେ ତା ଆଖି ଆଗରେ ଢଳ ଢଳ ହୋଇ ଦେଖାଗଲା । ଏଇଟା ଗୋଟାଏ ତା ବିରୁଦ୍ଧରେ ଚକ୍ରାନ୍ତ । ଚକ୍ରାନ୍ତର ଶିକାର ସେ ହୋଇଗଲା । ଅସହ୍ୟ ଯନ୍ତ୍ରଣାରେ ସେ କାନ୍ଥକୁ ଆଉଜି ପଡ଼ିଲା । ତାର ମାଲିକଙ୍କୁ ଚାହିଁ ଦୁଇପଦ ପ୍ରତିବାଦ ଜଣାଇବା ପୂର୍ବରୁ ତା ଗାଲ ଓ ପିଠିରେ ବସିଲା ଦୁମଦାମ ଭୁସଭାସ । ସହି ନ ପାରି ସେ ଟଳି ପଡ଼ିଲା ପକ୍କା ଚଟାଣ ଉପରେ ।

 

ଭୟଭୀତ ହୋଇ ମାଲିକ ନିଜ ଗୃହକୁ ଦ୍ରୁତ ପଳାୟନ କଲା । ପୁଲିସ ଅଫିସର ପୋଲିସମାନଙ୍କ ସହାୟତାରେ ତାକୁ ନେଇ କୂପ ମଧ୍ୟରେ ନିକ୍ଷେପ କଲେ ।

 

ତହିଁଆର ଦିନ କ୍ରେତାମାନଙ୍କର ପରମବନ୍ଧୁ ବାସର ଅନ୍ତର୍ଦ୍ଧାନ ରହସ୍ୟମୟ ବିବେଚିତ ହେଲା । ପାପ ପାତାଳରୁ ବାହାରେ, ଫୁସ ଫୁାସ କଥାବାର୍ତ୍ତାରେ ସହରଟାର ଜନତା ଉତ୍ତ୍ୟକ୍ତ ହୋଇ ଉଠିଲେ । ଜନସ୍ରୋତ ବମ୍ବେ ମିଷ୍ଟାନ୍ନ ଭଣ୍ତାର ଉଦ୍ଦେଶ୍ୟରେ ଆଗେଇ ଚାଲିଲା । ସେହି ଦୋକାନର କର୍ମୀ ଓ ମାଲିକଙ୍କ ଉପରେ ହେଲା ନିର୍ମଳ ଭାବରେ ମାଡ଼ । ସେମାନେ ବାସର ଉପସ୍ଥିତ ଥାନାରେ ବୋଲି ଜଣାଇ ଦେଲେ । ଦୋକାନର ଆସବାବ ପତ୍ର ଭାଙ୍ଗି ରୁଜି ଜନତା ଥାନା ଅଭିମୁଖୀ ହେଲା । ଥାନା ଅଫିସର ଆଗରୁ ସମ୍ବାଦ ପାଇ ସେଣ୍ଟ୍ରାଲ ରିଜର୍ଭ ପୋଲିସଙ୍କ ଆଶ୍ରୟ ନେଇ ରକ୍ଷା ପାଇଲେ । ଜନତା ଥାନା ନିକଟରେ ରହି ବାସକୁ ପାଇବା ପାଇଁ ଜିଦ୍ ଧରିଲେ । କୂଅ ମଧ୍ୟରୁ ବାସର ମୃତ ଶରୀର ଉଦ୍ଦାର କରାଗଲା । ତା ହାତ ଦୁଇଟି ପଟା ମଧ୍ୟରେ କଣ୍ଟବଦ୍ଧିତ ଅବସ୍ଥାରେ ଦେଖାଗଲା ।

 

ଜନତାର ସମ୍ମୁଖୀନ ହେଲେ ସର୍ବୋଚ୍ଚ ଶାସନକର୍ତ୍ତା । ବିନୀତ ନିବେଦନ କଲେ ଜନତାକୁ ଯେ, ଏହାର ବିଚାର ହେବ । ପାପୀ ଦଣ୍ତ ପାଇବ । ଶାସ୍ତି ଏପରି ଆଦର୍ଶମୂଳକ ହେବ ଯେ ଅନ୍ୟ କୌଣସି ବ୍ୟକ୍ତି ଏପରି କ୍ରୁର କର୍ମ କରିବାକୁ ସାହସ କରିବେ ନାହିଁ । ଉତ୍ତ୍ୟକ୍ତ ଜନତା ସ୍ୱସ୍ଥାନକୁ ପ୍ରତ୍ୟାବର୍ତ୍ତନ କଲା ।

 

ଜନତା ପାଇଲା ବିଚାରର ପ୍ରତିଶ୍ରୁତିରେ ଆଶ୍ୱସ୍ତି, ପାପୀ ପାଇବ ଶାସ୍ତି; ମାତ୍ର ଦୁଃଖିନୀ ଜନନୀ କ୍ରୋଡ଼କୁ କିଏ ଫେରାଇ ଦେବ ଏକମାତ୍ର ନୟନପିତୁଳୀ ବାସକୁ !

★★★

 

ହୃଦୟର ଆର୍ତ୍ତ କ୍ରନ୍ଦନ

 

ବୁଢ଼ା ଶୋଇଚନ୍ତି । ଫ୍ୟାନଟା ଘିର୍‍ ଘିର୍‍ ହୋଇ ବୁଲୁଚି । ଏ ବର୍ଷର ଗରମ ଅନ୍ୟ ଯେ କୌଣସି ବର୍ଷଠାରୁ ଅଧିକ । ଷାଠିଏଟି ଗ୍ରୀଷ୍ମ ଅତିବାହିତ ହୋଇଗଲାଣି । ଏକଷଠି ବର୍ଷକୁ ଏଡ଼େ ବଡ଼ ଗରମର ସମ୍ମୁଖୀନ ହେଲେ ସେ । ବୋହୂ ବୀଣାପାଣି ଦୁମ୍ ଦୁମ୍ ହେଇ ଘରେ ପଶିଗଲେ । ଫ୍ୟାନ୍‍ଟାକୁ ଟକ୍ କିନା ବନ୍ଦ କରି ଚାଲିଗଲେ । ଗଲାବେଳେ ଗୁଣୁ ଗୁଣୁ ହୋଇ କହିଲେ—ଏ ବୁଢ଼ାଙ୍କୁ ଯାହା ମରଣ ହେଉନି । ଚବିଶ ଘଣ୍ଟା ଫ୍ୟାନ୍ ବୁଲୁଚି । ଚୁଙ୍ଗୁଡ଼ି ପଲର ଘର ସଂସାର ମୋର-। ଗୋଛାଏ ପିଲା, ସେମାନଙ୍କ କଥା କ’ଣ ବିଚାରକୁ ଆସୁଚି ! ପଇସା କୁଆଡ଼ୁ ଆସୁଚି ଓ କିପରି ଆସୁଚି, ଏଙ୍କୁ ଜଣା ପଡ଼ୁନି । ରୋଜଗାର କରିବାବେଳକୁ ଜଣେ, ଆଉ ଉଡ଼ାଇଲା ବେଳକୁ ପଣେ । କେତେ ସଂସାର ବୁଲି ପରିଶ୍ରମ କରି ଖାଲି ହାଡ଼ ଖଣ୍ତକର ଏ ରହିଲେଣି । ମୁହଁ କଳା ପଡ଼ିଗଲାଣି-। ଆଉ ଏ ବୁଢ଼ା କାଳକୁ ମହାରାଜ ସଜାଉଚନ୍ତି ।

 

ବୁଢ଼ା ଶୁଣିଲେ, ଗର୍ଜନଟାଏ କଲେ । ନ କରନ୍ତେ କିପରି ? ଯୌବନ ଓ ପ୍ରୌଢ଼ତ୍ୱର ଅପାର ଶକ୍ତି ଅତୁଟ ରହିଚି । ପାଞ୍ଚୁଟାରେ ବୁଢ଼ା ଗୋଟାଏ । ସମାଜରେ ଅଖଣ୍ତ ପ୍ରତିପତ୍ତି ଏବେ ବି ଅଛି । ସହରର ଯେଉଁ ପଡ଼ାରେ ସିଏ ରହୁଛନ୍ତି, ସଭିଏଁ ସମ୍ମାନ କରନ୍ତି ତାଙ୍କୁ । ଅସହ୍ୟ ହେଲା ବୋହୂଙ୍କର ଏ କଟୁକ୍ତି ।

 

ଚିତ୍କାର ଶୁଣି ଏକୋଇର ବଳା ବିଶିକେଶନ ପହଞ୍ଚିଗଲେ । କହିଲେ କ’ଣ ହେଲା ନନା-?

 

ଏ ପଚାରିବା ସ୍ୱରଟା ନ ଥିଲା ପୁତ୍ରର । ସ୍ୱରରେ ନମ୍ରତା ବା ବିନୟତା ସ୍ଥାନରେ ଦାମ୍ଭିକତା ଓ କର୍କଶତା ପୂରାମାତ୍ରାରେ ସୂଚିତ ହେଉଥିଲା ।

 

ବୁଢ଼ା ଶଙ୍କିତ ହେଲେ । କହିଲେ—କିଛି ନାହିଁ । ରାତିରେ ଯିଏ ଯାହାର ଶୋଇଲେ; ମାତ୍ର ବୃଦ୍ଧଙ୍କ ପ୍ରତି ନିଦ୍ରାଦେବୀ ବଡ଼ ବିତୃଷ୍ଣ ହୋଇ ଉଠିଲେ । ଏତେ ତ ଗୁଳୁଗୁଳି ଗରମ । ସେଥିରେ ପୁଣି ପ୍ୟାନ୍ ନ ଲଗାଇବା ପାଇଁ ଗୃହଲକ୍ଷ୍ମା ବୋହୂଙ୍କର ତାଗିଦ । ପୁଅ ଗୁଣମଣି ନନାଙ୍କର ଦରଦ ବୁଝନ୍ତ କ’ଣ, ବୋହୂଙ୍କ ସହିତ ତାଳ ପକାଇ ଚାଲୁଚନ୍ତି । ବୁଢ଼ାଙ୍କର ଅତୀତ ଜୀବନର କରୁଣ କାହାଣୀର ପୁସ୍ତିକାସ୍ଥ ଅକ୍ଷର ଗୁଡ଼ାକ ଗୋଟି ଗୋଟି ସ୍ପଷ୍ଟ ହୋଇଗଲା ।

 

ଏଇ ପୁଅ । ଇଆରି ଲାଗି ବୁଢ଼ାଙ୍କୁ ଭୀଷ୍ମଦେବଙ୍କ ପରି ଏକବିଂଶ ବର୍ଷ ବୟସରୁ ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିବାକୁ ପଡ଼ିଥିଲା । ଅଚଳାଚଳ ସମ୍ପତ୍ତିର ଅଧିକାରୀ ଥିଲେ ସେ । ଲକ୍ଷ୍ମୀଙ୍କ ପରି ଧନଶାଳିନୀ, ସରସ୍ୱତୀଙ୍କ ପରି ପଣ୍ତିତା ଓ ପାର୍ବତୀଙ୍କ ପରି ସୁନ୍ଦରୀ ପତ୍ନୀ ପାଇଥିଲେ । ଘର ସଂସାର ସୁଖମୟ ଥିଲା । ଦଇବ ସହିଲା ନାହିଁ । ଏକମାତ୍ର ଏଇ ପୁତ୍ର ସନ୍ତାନଟିକୁ ଜନ୍ମ କରି ସେ ଇହଲୀଳା ସାଙ୍ଗ କଲେ ।

 

ଅସ୍ଥାୟୀ ଦୁନିଆରେ ନିତି ଆସିବା ଯିବା ଚାଲିଚି । ହେଲେ ଜୀବନର କେତୋଟି ଘଟଣା, ଶତ ଚେଷ୍ଟାରେ ଜୀବନ ଦୀପ ନିର୍ବାପିତ ନ ହେବା ପର୍ଯ୍ୟନ୍ତ ମାନସ ପଟରେ ଅଙ୍କିତ ହୋଇ ରହିଯାଏ । ମୃତ୍ୟୁ ଶଯ୍ୟାରେ ତାଙ୍କ ସ୍ତ୍ରୀ ଶାୟିତା । ଶିଶୁ ସନ୍ତାନର ହାତଟିକୁ ସ୍ୱାମୀଙ୍କ ହାତରେ ଧରାଇ ଦେଇ ସେ କରିଥିଲେ କରୁଣ ନିବେଦିନ । “ପୁଅଟି କଥା ବୁଝିବ । ସେ ଯେପରି ଅନାଦୃତ ନ ହୁଏ । ମୁଁ ଜାଣେ ଯୁବକ ତୁମେ, ପୁଣି ଘର ସଂସାର କରିବ । ମୋ ସ୍ଥାନରେ ଅନ୍ୟ କେହି ଏହି ଘରର ଲକ୍ଷ୍ମୀ ହୋଇ ଆସିବି । ଆସୁ, ମୁଁ ବିଭୁ ପଦାରବିନ୍ଦରେ ପ୍ରାର୍ଥନା କରୁଚି ସେ ତୁମର ଭାବୀ ଦାମ୍ପତ୍ୟ ଜୀବନ ସୁଖମୟ କରନ୍ତୁ । କିନ୍ତୁ ମୋ ପିଲା ଯେପରି ନ ଭାବେ ଯେ, ତାର ଜନନୀ ମୃତା । ସେ ଅବହେଳିତ । ବେଶ୍ ଏତିକି ।” ସତୀ ସାଧ୍ୱୀ ନାରୀ ‘ନାରାୟଣ’, ‘ନାରାୟଣ’ ଉଚ୍ଚାରଣ କରି ଆଖି ବୁଜିଲେ । ସେ ଚାଲିଗଲେ କାଚ ସିନ୍ଦୂର ଲଗାଇ ଜୟ ଢକ୍‍କା ବଜାଇ । ମାତ୍ର ଛାଡ଼ିଗଲେ ସ୍ୱାମୀଙ୍କୁ ଏଇ ସଂସାରର ହଳାହଳ ଭକ୍ଷଣ କରିବାକୁ ।

 

ସ୍ତ୍ରୀ ବିୟୋଗର ସାମ୍ବତ୍ସରିକ ପାଳିତ ହେବା ପୂର୍ବରୁ ନୂତନ ପତ୍ନୀ ଗ୍ରହଣରେ ପ୍ରସ୍ତାବ ଗୋଟାକ ପରେ ଗୋଟାଏ ଠୁଳ ହେଲା, ମାତ୍ର ପାରି ନ ଥିଲେ ସେ ଅନ୍ୟ ପତ୍ନୀ ଗ୍ରହଣ କରି । ନିଜର ପତ୍ନୀଙ୍କ ଫଟୋ ନିକଟରେ ଛିଡ଼ା ହୋଇଗଲେ ତାଙ୍କ ପ୍ରିୟତମାଙ୍କର ପ୍ରତ୍ୟେକ ସଦ୍‍ଗୁଣ ଗୋଟି ଗୋଟି କରି ତାଙ୍କ ଆଖି ଆଗରେ ନାଚିଉଠେ । ସେହି ପ୍ରେମର ପଟାନ୍ତର ନାହିଁ । ହୃଦୟ ଜଣଙ୍କୁ ଦିଆ ଯାଇପାରେ । ବହୁତଙ୍କୁ ନୁହେଁ । ଏହା ପଣ୍ୟ ସାମଗ୍ରୀ ନୁହେଁ । ପ୍ରେମଠାରୁ ମୂଲ୍ୟବାନ ବସ୍ତୁ ଆଉ ନାହିଁ । ଏହା ମରକତ ମଣିଠାରୁ ମୂଲ୍ୟବାନ୍‍ ଓ ମୁକ୍ତାଠାରୁ ମଧ୍ୟ ମହାର୍ଘ । ପ୍ରେମ ବିନିମୟର ବସ୍ତୁ ହୋଇ ନ ପାରେ ।

 

ପୁଅ ମୁହଁକୁ ଚାହିଁ ସେ ରହିଗଲେ । ନିଜ ହାତରେ ପୁଅର ଗୁହ ମୂତ ସଫା କରିଚନ୍ତି । ରୋଗ ହେଲେ ଦିନ ରାତି ଉନ୍ନିଦ୍ର ରଜନୀ ଯାପନ କରିଚନ୍ତି । ଯାନି ଯାତ୍ରାକୁ ବନ୍ଧୁମାନେ ଯାଆନ୍ତି । ଯିବାକୁ ଆହ୍ୱାନ କରନ୍ତି । ମାତ୍ର ପୁଅଟିକୁ ବନ୍ଧୁମାନେ ଯାଆନ୍ତି । ଯିବାକୁ ଆହ୍ୱାନ କରନ୍ତି । ମାତ୍ର ପୁଅଟିକୁ ଛାଡ଼ି ସେ ଅନ୍ୟତ୍ର ଯାଆନ୍ତି ନାହିଁ । ପୋଇଲୀ, ପରିବାରୀଙ୍କ ହାତରେ ପୁଅର ତତ୍ତ୍ୱ ଛାଡ଼ି ଦିଆଯାଇ ନ ପାରେ । ମୂଲ୍ୟ ଦେଇ କହି କେବେ ସେବା, ପ୍ରୀତି, ସ୍ନେହ ଆଦି କ୍ରୟକରି ପାରେନା ।

 

ସେଦିନ ଅତି ପ୍ରିୟ ବନ୍ଧୁ କହି ଦେଇଥିଲା ମୁହେଁ ମୁହେଁ—ଅତି ସର୍ବତ୍ର ଗର୍ହିତଂ । ତୁମେ ଯେପରି ହଉଚ, ଏଇ ପିଲା ବଡ଼ ହେଲେ ତୁମକୁ ହନ୍ତସନ୍ତ କରିବ ।

 

‘ଠାଏ’ କରି ଚାପୁଡ଼ାଟିଏ ମାରିଥିଲେ ସେ । ସେ ମାରି ନ ଥିଲେ ଯେ, ତାଙ୍କର ଉଛୁଳା ଯୌବନର ଉଦ୍ଦାମ ପୁତ୍ରସ୍ନେହ ଏପରି ପାଶବିକ କୃତି କରାଇଗଲା । ସେହି ଦିନଠାରୁ ବନ୍ଧୁଙ୍କ ସହ ଚିରଦିନ ଅପଡ଼ ହୋଇଥିଲା । ସେ ମଲେ ସିନା, ଇଏ ତାଙ୍କ ଘରକୁ ଗଲେ ମଧ୍ୟ ପାଟି ଫିଟାଉ ନ ଥିଲେ ।

 

ହଁ, କାଲିପରି ମନେ ପଡ଼ୁଚି । ବିଦ୍ୟୁତ କାରବାର ସେତେବେଳେ ଏପରି ସୁଲଭ ନ ଥିଲା । ବିଞ୍ଚଣାରେ ଦେହକୁ ଥଣ୍ତା କରିବାର ଉଦ୍ୟମ କରାଯାଉଥିଲା । ଗ୍ରୀଷ୍ମକାଳ, ପିଲାଟା ହିହଯାକ ଘିମିରି । ଝାଳ ସୁଡ଼ୁବୁଡ଼ୁ ହୋଇଯାଏ ପିଲାଟି । ଗାଢ଼ ନିଦ୍ରା ଅଭାବରୁ ଘନ ଘନ ଜାଗ୍ରତ ହୁଏ । ବୁଢ଼ା ଘଣ୍ଟା ଘଣ୍ଟା ଧରି ଉନ୍ନିଦ୍ର ରଜନୀ ଯାପନ କରନ୍ତି ବିଞ୍ଚି ବିଞ୍ଚି । ପୁଅ ଆନନ୍ଦରେ ଶୁଏ ଓ ପିତା ଆନନ୍ଦରେ ବିଞ୍ଚି ଲାଗନ୍ତି । ଓଃ, ପୁଅଟିକୁ ପାଳିବାରେ ଯେଉଁ ଆନନ୍ଦ ତାର ପଟ-ପଟାନ୍ତର ନାହିଁ । ସେ ଥିଲା ଗୋଟାଏ ବେଳ, ଆଉ ଏଇ ଗୋଟାଏ ବେଳ ।

 

ପୁଅ ହାଇସ୍କୁଲରେ ପଢ଼ୁଥାଏ । ଖରାଦିନେ ନନା ଅଧ ରାତିରେ ତାକୁ ବିଞ୍ଚୁ ଥାଆନ୍ତି । ପିପିଲିକା ଦଂଶନ ହେତୁ ତାର ନିଦ୍ରା ଭଙ୍ଗ ହେଲା । ସେ ଦେଖି ଆଶ୍ଚର୍ଯ୍ୟ ହେଲା ଯେ, ନନା ବିଞ୍ଚୁଚନ୍ତି । କହିଥିଲା—ନନା ତୁମକୁ କାଟୁନି । ଆଖିକୁ ତୁମର ନିଦ ହଉନି ? ନନା ହସି ଦେଇଥିଲେ । କହିଥିଲେ ଆରେ ବାବୁ, ତୁ ନନା ହେଲେ ସବୁ ବୁଝିବୁ ।

 

ପୁଅ ବଡ଼ ହୋଇଚି । ନନା ବି ତ ହେଲା; ପିଲାଙ୍କ କଥା ବେଶ୍ ବୁଝୁଚି । ହେଲେ ଏ ଖେଣ୍ଟା ବୁଢ଼ାଟା ବଡ଼ ଅଡ଼ୁଆ ହେଉଚି । ପୁଅ ବୋହୂଙ୍କର ଖୋଲା ଖୋଲା ବୁଲାଚଲା, ବେଶ, ପୋଷାକ ଆଦିରେ ଆଭିଜାତ୍ୟ ଭାବ ପୂରି ରହିଚି । ବୁଢ଼ା ଆଖି ବୁଜି ଦେଲେ ପଥ ପରିଷ୍କାର ହୋଇ ଯାଆନ୍ତା । ସେଦିନ ଆହୁରି ଆସୁନି, କେବେ ଯେ ଆସିବ ଜଣା ପଡ଼ୁନି ।

 

ରାତି ବହୁତ ହୋଇ ଗଲାଣି । ଆଜି ଏକାଦଶୀ । ଜଗନ୍ନାଥଙ୍କ ମନ୍ଦିରରରେ ଦୀପ ବୁଲିଲାଣି । ବୁଢ଼ା ଛଟପଟ ହେଉଚନ୍ତି । ମୁହଁରୁ ବାହାରୁଚି ହେ ଜଗନ୍ନାଥ, ଆଉ କେତେ ଦିନ ! ଆଉ କେତେ କାଳ ଏପରି ହନ୍ତସନ୍ତ କରିବ ! ଖୁବ୍ ହେଲାଣି । ଆଉ କେତେ ?

★★★

 

ଅଶ୍ରୁର ପ୍ଳାବନ

 

ମହାନଗରୀର ଉଜ୍ଜ୍ୱଳ ଦିବସ ।

 

ସେପ୍ଟେମ୍ବର ୨୮ ତାରିଖ । ଦିନ ଦଶ ଘଣ୍ଟା ।

 

କୋନଟ୍ ପ୍ଳେସ୍‍ରୁ ଇଉନିୟନ୍ ବ୍ୟାଙ୍କର ମଟରଗାଡ଼ି ଦ୍ରୁତ ଗତିରେ ଚାଲିଚି । ପାଞ୍ଚମିନିଟ୍ ମାତ୍ର ଯାଇ ଗାଡ଼ିଟି ପହୁଞ୍ଚିଲା ଥମ୍ପସନ ରୋଡ଼ରେ ।

 

ଜଗୁଆଳ ବଂଶୀରାମ ଗୁଳି ଚୋଟରେ ଟଳି ପଡ଼ିଲା । ୩୫ ବର୍ଷ ବୟସ୍କ ବ୍ୟକ୍ତିଟିର ଜୀବନ ଦୀପ ଲିଭିଗଲା । ଡ୍ରାଇଭର ଆର୍.ଏନ୍.ଶର୍ମା ଉପରେ ଗୁଳି ଫୁଟିଲା ।

 

ଧଳା ଆମ୍ବାସାଡ଼ର ଗାଡ଼ିରେ ଛଅ ଲକ୍ଷ ଟଙ୍କା ଧରି ଚାଲିଲେ ଚାରିଜଣ ବ୍ୟକ୍ତି । ଦୁଇ ହଜାର ପୋଲିଶ ଧଳା ଆମ୍ବାସାଡ଼ର ଗାଡ଼ିଗୁଡ଼ିକ ଅଟକାଇଲେ ।

 

ଜେରା ହେଲା, ଖାନତଲାସ କରାଗଲା, କୌଣସି ଫଳ ଫଳିଲା ନାହିଁ ।

 

ସଭ୍ୟ ମାନବର ସଭ୍ୟତାର ମାପକାଠିକୁ ଚହଲାଇ ଦେଲା ଡ୍ରାଇଭର ଆର୍. ଏନ୍. ଶର୍ମାର କରୁଣ ଆର୍ତ୍ତନାଦ । ଆହତ ଡ୍ରାଇଭର ପେଟ ମଧ୍ୟରେ ବିଦ୍ଧ ଗୁଳିଟି ତାକୁ କଲବଲ କଲା । ସେ ଡାକିଥିଲା ତାର ସମାଜର ସାମାଜିକ ଜୀବଗୁଡ଼ିଙ୍କୁ । ସେହିମାନଙ୍କର ସେବାରେ ସେ ଏତେ କାଳ ନିଜକୁ ନିୟୋଜିତ କରିଥିଲା, ପ୍ରତି ବଦଳରେ ସେ ଚାହିଁଥିଲେ ସହାୟତା, ଏ ସହାୟତା ଥିଲା ଏକ ମୁମୂର୍ଷୁ ମାନବର ଚରମ ଦାବୀ । ପଥଚାରୀ ବ୍ୟକ୍ତିମାନଙ୍କର ମଟର, ବସ୍ କେହି ଅଟକିଲେ ନାହିଁ । ଦୁଃଖୀର ଦୁଃଖ କାହାରିକୁ ଚମକାଇ ପାରିଲା ନାହିଁ । କାହାରି ହୃଦୟ ତରଳିଲା ନାହିଁ । ପ୍ରତ୍ୟେକଙ୍କର ସମୟର ମୂଲ୍ୟ ଅଛି । ପ୍ରତିଟି ସେକେଣ୍ତ ଓ ମିନିଟ ସେମାନଙ୍କର ମହା ମୂଲ୍ୟବାନ୍ । ମଣିଷ ଜନ୍ମି ପାରନ୍ତି, ମୃତ୍ୟୁ ମୁଖରେ ପଡ଼ି ପାରନ୍ତି; ମାତ୍ର ସଭ୍ୟ ଜଗତର ମାନବ ଚାଲିଚି ଆଗକୁ ଆଗକୁ । ପଛକୁ ବା ପାର୍ଶ୍ୱକୁ ଅନାଇବାର ଫୁରସତ ନାହିଁ କାହାରି । ପରର ଦୁଃଖ ଦେଖି ଆହା କରିବା ପାଇଁ ସମୟ ଅଛି କାହାର ? ରୋଦନ ପବନରେ ମିଳାଇ ମହାଶୂନ୍ୟାଭିମୁଖୀ ହେବା ଶ୍ରେୟ ହୋଇଥାଏ ମାତ୍ର ।

 

ଏପରି ଜଘନ୍ୟ କର୍ମର କର୍ତ୍ତା ! କିଏ ସେ ?

 

୨୦/୩୦ ବର୍ଷର ଶିକ୍ଷିତ ବେକାରଙ୍କର ଏ କୃତୀ । ପିତା, ମାତା, ବନ୍ଧୁ, ବାନ୍ଧବଙ୍କଠାରୁ ସବୁ କିଛି ନିଗାଡ଼ି ଏମାନେ ହେଲେ ଶିକ୍ଷିତ । ବହୁ ଆକାଙ୍‍କ୍ଷା ନେଇ ଅଧ୍ୟୟନରତ ହୋଇଥିଲେ ଏଇମାନେ । ଗୋଟାଏ ଉନ୍ମାଦନା, ଜୀବନର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଘରକୁ ଫେରିବାର ରାସ୍ତା ବନ୍ଦ । ମହାନଗରୀର ନିକମା ଶିକ୍ଷା ଅନ୍ନ ବସ୍ତ୍ର ଉପାର୍ଜନ କ୍ଷମତା ଦେଇ ପାରିଲା ନାହିଁ । ବହୁ ଚାକିରୀ ଓ ଚାକିରୀଆ, କାଗଜ ପରେ କାଗଜ ପଢ଼ିଲେ । ଚାରିଆଡ଼ ଦରାଣ୍ତିଲେ । ବହୁତ ଚାକିରୀ ଖାଲି ପଡ଼ିଥିବାର ବିଜ୍ଞାପନ ପାଠ କଲେ । ଅଫିସରେ ପହଞ୍ଚିଲେ । ସବୁଠାରେ ଟିକିଏ ହସ, ଏବେ ନାହିଁ, ପରେ ଆସ, ଆଛା ଦେଖିବା, ପରସେଣ୍ଟ ଅଫ ମାର୍କ ଆଉ ଟିକିଏ ଅଧିକ ଚାହି, ସ୍ୱାସ୍ଥ୍ୟ ଉନ୍ନତ ହେବାର ଆଶା କରାଯାଏ, ରୂପରେ ମାଦକତା ଆବଶ୍ୟକ ଓ ମନ ଟାଣିଲା ଆଖି ଦରକାର, ଉଚ୍ଚତା ଆଶାନୁରୂପ ନୁହେଁ, ସରସତାର ଅଭାବ । ଖାଲି ନାହିଁ, ନାହିଁ ଆଉ ନାହିଁ । ଏଇ ବାଲିର ସଂଖ୍ୟା ଗଣି ହେବ ସିନା, ଏଇ ଅସରନ୍ତି ନାହିଁର ସଂଖ୍ୟା ନାହିଁ ଅସଂଖ୍ୟ ।

 

ମହାନଗର ବ୍ୟାଙ୍କ ସଂଖ୍ୟା, କେତେ ଅଧିକ ସତେ ! ଆଉ କାଉଣ୍ଟରରେ ଅବିରାମ ଟଙ୍କା ଗଣା ଚାଲିଚି । ଅସଂଖ୍ୟ ମୁଦ୍ରା, ମୁଦ୍ରା ସ୍ରୋତ ଚାଲିଚି । କ୍ଷମର ସାଗର କୂଳରେ ବାସ କରି ମଣିଷ ରହୁଚି ଶୋଷିଲା । ପେଟ ରହୁଚି ଅପୂରା । ଆଉ ଧଳା ହାତୀ ପଞ୍ଝାକୁ ପଞ୍ଝା ଚାଲିଚନ୍ତି ମଟରରେ ଧୁଆଁ ଉଡ଼ାଇ । ହୁଏତ ଆନନ୍ଦ ସେମାନଙ୍କର ଗଗନ ପବନ କମ୍ପାଇ ଦେଉଥିବ । ଆଉ ଏ ବେକାରଙ୍କ କଥା ! ଓଳିଏ ଖାଇଲେ ଆଉ ତିନି ଓଳି କଳର ପାଣିରେ ପେଟ ପୂରି ଉଠୁଚି । ଜାମା, ପୋଷାକ ଛିଣ୍ତିବାରେ ଲାଗିଲାଣି । ଶିଇଁବାର ଉପାୟ ନାହିଁ । ରାତିରେ ଉଲଗ୍ନ ରହି ନିର୍ମଳ କରାଯାଉଅଛି । ସଭ୍ୟ ଜଗତର ପୋଷାକକୁ । ଘରବାଲା ନୋଟିସ୍ ଦଉଚି । ହୋଟେଲବାଲା ଧମକ ଦଉଚି । ଚାରିଆଡ଼େ ସେତେ ଅବା ନିର୍ଯାତନାର ଧଉଡ଼ ଏଇମାନଙ୍କ ଆଡ଼େ । ଅତ୍ୟାଚାରରର ହାତୁଡ଼ି ପ୍ରହାର ଏଇମାନଙ୍କ ଉପରେ । ନିଜ ଚିନ୍ତା, ତା ଉପରେ ଘରର ଚିନ୍ତା, ବୋଝ ଉପରେ ନଳିତା ବିଡ଼ା ।

 

ଖାଇଲାବେଳେ ବୋଉ କାନ୍ଦି କାନ୍ଦି କହିଥିଲା—ପୁଅରେ, ଘର ଅବସ୍ଥା ଦେଖିଯାଉଚୁ । ଚାକିରୀ କରି ଟଙ୍କା ପଠାଇବୁ, ନାଇଁ ତ ଠୁକ୍‍ ଠାକ୍ ହୋଇ ସଭିଏଁ ମରିବୁ । ତୋ ପାଠପଢ଼ାରେ ମାଣେ କୁଣେ ଯାହା ଥିଲା, ସବୁ ବିକାଗଲା ।

 

ବାପା କାହାର ବା କହିଥିଲେ, ‘ବୋଉ ଭାଗ୍ୟବତୀ ଚାଲିଗଲା । ରଖିଗଲା ତିନି ତିନିଟା ଅଭିଆଡ଼ୀ ଝିଅ । ‘ଝିଅ ଘିଅ’ ରହିବା ବଡ଼ ଅପରାଧ, କିଏ ଜାଣେ କ’ଣ ହେବଟି ।’ ଏକଥା ଶୁଣି ଭଉଣୀଟିମାନ ରାହା ଧରି କାନ୍ଦିଥିଲେ । ସାନ୍ତ୍ୱନା ଦେଇ ଭାଇ ଧଉଡ଼ି ଆସିଚି ମହାନଗରୀର କ୍ରୋଡ଼କୁ ।

 

ଗରିବ ଭାଇ ଓ ଭାଉଜ । ମୁଣ୍ଡ ଝାଳ ତୁଣ୍ତରେ ମାରି ରୋଜଗାରରୁ ଖେଣ୍ଟି ଖେଣ୍ଟି ନିଜେ କଣ୍ଟା ହୋଇ ପଢ଼ାଇଥିଲେ ପାଠ । ପାଠ ସରିବ । ରୋଜଗାର ଧନ ଆସିବ । ଘର ସଂସାର ହସିଉଠିବ ।

 

ଏଇପରି କେତେ କେତେ କଥା । ସବୁ ଗୁଡ଼ିକର ଢଙ୍ଗ ଏକ, ରୂପ ଅନେକ । ଛାତି ପଥର ହୋଇଯାଏ । ଆଖିରୁ ନିଆଁ ବାହାରେ । ନାକରୁ ଖରନିଶ୍ୱାସ ବାହାରେ । ମାଂସପେଶୀ ନାଚିଉଠେ । ଗୋଡ଼ ଓ ହାତ ମୁଠା ମୁଠା ହୋଇଉଠେ । ମୁଣ୍ତ ଚହଲିଯାଏ । ବିବେକର ବେକ ଆପେ ଆପେ ମୋଡ଼ି ହୋଇଯାଏ । ମଣିଷ ହୋଇଯାଏ ରାକ୍ଷସ । ସଭ୍ୟତା ପ୍ରତି ତାର ଜାଗିଉଠେ ପ୍ରତିହିଂସାର ବହ୍ନି । ଅଗ୍ନି ସଂଯୋଗ କରି ମାନବ ଜଗତକୁ ଜାଳି ପୋଡ଼ି ସେଇ ଚିତାରେ ନିଜକୁ ପୋଡ଼ି ଦେବାପାଇଁ କରେ ପଣ । ରକ୍ତହୀନତା ଜନ୍ମାଇଦିଏ ରକ୍ତପାତ ପାଇଁ ପ୍ରତିଜ୍ଞା । ସୃଷ୍ଟି ବିରୁଦ୍ଧରେ ସେ କରେ ଯୁଦ୍ଧ ଘୋଷଣା, ଧ୍ୱଂସରେ ସେ ଦେଖେ ଆନନ୍ଦ ।

 

ପାଞ୍ଚୁଟା ଗାତ ହୋଇ ଆଉ ପାଞ୍ଚୁଟା ଖାଲର ହୁଏ ପୂରଣ । କେତେ ଭଙ୍ଗାରୁଜା ଘର ଉପରେ ଗଢ଼ିଉଠେ ଉନ୍ନତ ଅଟ୍ଟାଳିକା । କେତେ ଦୁଃଖୀ ରଙ୍କିଙ୍କ ମୁହଁରୁ କାଢ଼ି ଆଣି ଧନାଢ଼୍ୟ ବ୍ୟକ୍ତି ତାର ପୁଞ୍ଜି ଜମା ରଖିଥାଏ ବ୍ୟାଙ୍କରେ, ଏଇଟା ନିରାପଦ ସ୍ଥାନ । ଚୋର ଚୋରାଇ ପାରେନା । ନିଆଁ ପୋଡ଼ି ଜାଳି ପାରେନା । ଏଇ ପଇସା ବଳରେ ମୁଷ୍ଟିମେୟ ବ୍ୟକ୍ତି କେତେ ସୁନାର ସଂସାରକୁ ଚୂନା କରି ଖେଳ ଖେଳାଇ ଚାଲିଚନ୍ତି । ମାତ୍ର କେତୋଟି ଲୋକ ଗୋଟାଏ ଗୋଟାଏ ରାଷ୍ଟ୍ରର ଭାଗ୍ୟ ବିଧାତା, ତ୍ରାଣକର୍ତ୍ତା, ଭବିଷ୍ୟତ ନିର୍ମାତା । ଏଇ କେଇଟାଙ୍କୁ ରକ୍ଷା କରୁଚନ୍ତି କେତୁଟା ନିମକସଚ୍ଚା ନୌକାର ଆଉ ଅସ୍ତ୍ର, ଶସ୍ତ୍ର ଗୋଳ ବାରୁଦ । ଏ ହରିଲୁଟକୁ ବନ୍ଦ କରିବାକୁ ହେବ । ବିପ୍ଳବ କରିବାକୁ ହେବ । ବିଦ୍ରୋହୀ ଯୁବକ ତାତି ଉଠିଲେ, ମାତି ଉଠିଲେ । ମାତ୍ର ସେମାନେ ପାରିଲେ କି ରକ୍ତ ଲୋଲୁପ, ଲୁଣ୍ଠକ ଶ୍ରେଣୀର କେଶାଗ୍ର ସ୍ପର୍ଶ କରି ? ମାରିଲେ କେତୋଟି ନିରୀହ ଲୋକଙ୍କୁ, ଲୁଟିନେଲେ ଟଙ୍କା ।

 

ହଁ, ଆର୍ତ୍ତନାଦ କଲା ଡ୍ରାଇଭର । ଆଖିର ଲୁହ ଆଉ ଛାତିର ରକ୍ତ ସୁଅ ଛୁଟି ଉଠିଥିଲା ଅଜସ୍ର । କରୁଣ ରୋଦନ ଶ୍ରବଣ କଲେ ପଥର ହୃଦୟ ତରଳି ଥାଆନ୍ତା ସିନା; ମହାନଗରୀର ଧାବମାନ ଗାଡ଼ି ଓ ଚଳନ୍ତି ଜନତାଙ୍କ କର୍ଣ୍ଣ କୁହରକୁ ସ୍ପର୍ଶ କରି ପାରିଲା ନାହିଁ ସେ ଆର୍ତ୍ତଦାନ । ଗୋଟିଏ ଶ୍ରମିକ ଡ୍ରାଇଭର ଅଟକାଇଲା ଗାଡ଼ି । ଡ୍ରାଇଭରଟିକୁ ଧରି କିଛି ବାଟ ଗଲା । ଶୁଣିଲା ତାକୁ ଡକାୟତ ଗୁଳି ମାରିଚନ୍ତି । ଥରି ଉଠିଲା ତାର ଛାତି । ଜାଗି ଉଠିଲା ମନରେ ଆତଙ୍କ, ଘରର ତିନି ତିନୋଟି ଭୋକିଲା ପେଟ ଓ ଶୁଖିଲା ମୁହଁ ତା ଆଖି ଆଗରେ ନାଚିଉଠିଲା । ଫୁଟପାଥରେ ଡ୍ରାଇଭରଟିକୁ ଶୁଆଇ ଦେଇ ସେ ଦ୍ରୁତତର ଗତିରେ ଛୁଟାଇ ଦେଲା ଗାଡ଼ି । ସତେ ଅବା ତା କାନରେ ଲାଖି ରହିଲା ‘ବଞ୍ଚାଓ’ ‘ବଞ୍ଚାଓ’ ଶବ୍ଦ ।

 

ଦେବୋପମ ରିକ୍‍ସାବାଲାଟିର ଛାତି କରତି ହୋଇଗଲା । ଆଗପଛ କିଛି ନ ବିଚାରି ବଡ଼ ହୁସିଆର ହୋଇ ଡ୍ରାଇଭରଟିକୁ ରିକ୍‍ସାରେ ଶୁଆଇ ଦେଇ ଦ୍ରୁତ ଗତିରେ ଚାଲିଲା ଆଗକୁ ଆଗକୁ । ଆଖିରେ ଲୁହ, ଛାତିରେ ଦରଦ, କେତେବେଳେ ଡାକ୍ତରଖାନା ନିକଟ ହେବ । ଡ୍ରାଇଭରଟିର ଦୁଃଖ ଦୂର ହେବ, ବିଚରା ।

 

ଡାକ୍ତରଖାନା ପହୁଞ୍ଚିଲା । ଆଶ୍ୱସ୍ତି ନିଶ୍ୱାସ ମାରିଥିଲା ରିକ୍‍ସାବାଲା, ବରଫ ପରି ଥଣ୍ତା ଦେହଟିକୁ ଛୁଇଁ ଚମକି ପଡ଼ିଥିଲା ସିଏ ।

★★★

 

ବେଦନାର୍ତ୍ତ

 

ସୁସଜ୍ଜିତ କୋଠରୀ । ଧୂପ ଦୀପରେ ମହକିଉଠୁଚି ଘରଟି । ହସି ଉଠୁଚି ଭିତରଟା ନାନାଦି ପୁଷ୍ପର ସାଜସଜ୍ଜାରେ । ଶାଗୁଆନ ଟେବୁଲ ଉପରେ ସଜା ହୋଇ ଥୁଆ ହୋଇଚି କୁଣ୍ତେଇଟିଏ । ଡକ୍ଟର ମହାନ୍ତି ଥରକୁ ଥର ପ୍ରକାରକୁ ପ୍ରକାର ସଜାଇ ଲାଗିଚନ୍ତି କୁଣ୍ତେଇଟିକୁ, କେଉଁଥିରେ ବି ସେ ତୃପ୍ତି ପାଇପାରୁ ନାହାନ୍ତି । ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଯାଉଚି । ଲୋକେ କହନ୍ତି, ଏଇ ବେଳଟାରେ ଡକ୍ଟର ମହାନ୍ତି ବଦ୍ଧ ପାଗଳ ପରି ବ୍ୟବହାର କରନ୍ତି । ତେଣୁ ସନ୍ଧ୍ୟାବେଳରୁ ରାତିଟା ସାରା ତାଙ୍କ ନିକଟକୁ କେହି ଯାଆନ୍ତି ନାହିଁ ।

 

ଡକ୍ଟର ମହାନ୍ତି ବିଲାତ ଫେରନ୍ତା ଅଧ୍ୟାପକ । ପୈତୃକ ସମ୍ପତ୍ତି ତାଙ୍କର ଥିଲା ଅମାପ । ଧନ ଜନ, ଗୋପଲକ୍ଷ୍ମୀ ସବୁଥିରେ ସେ ଥିଲେ ଅଦ୍ୱିତୀୟ । ଗୋଟିଏ ଲୋକ ଥିଲେ ସିଂ, ଯାହାକୁ କି ଉଭୟେ ଲକ୍ଷ୍ମୀ ଓ ସରସ୍ୱତୀ ବରଦାୟିକା ହୋଇଥିଲେ । ଅଧ୍ୟାପନାରେ ସେ ଥିଲେ ଅଦ୍ୱିତୀୟ । ଦୁଃଖୀର ଦୁଃଖ ଅପନୋଦନ କରିବାରେ ସେ ଥିଲେ ଅତୁଳନୀୟ । ତାଙ୍କୁ ଚାହିଁ ତାଙ୍କର ସହଧର୍ମିଣୀ ମମତାଦେବୀ ମଧ୍ୟ ଘର ଉଜ୍ଜ୍ୱଳ କରିଥିଲେ । ମମତା ପରୋପକାରକୁ ସ୍ୱ ବ୍ରତ ବୋଲି ଆଦରି ନେଇଥିଲେ । ଏକମାତ୍ର କୁଳନନ୍ଦନ ବିବେକାନନ୍ଦଟି ପୈତୃକ ସଦ୍‍ଗୁଣ ଓ ମାତୃକୁଳର ମାୟା ମମତାରେ ବଢ଼ିଉଠିଥିଲା । ଏକଦା ଡକ୍ଟର ମହାନ୍ତିଙ୍କ ଘର ସଂସାରଟି ବୈକୁଣ୍ଠ ପରି ଆନନ୍ଦ ଐଶ୍ୱର୍ଯ୍ୟରେ ପୂରି ଉଠିଥିଲା ।

 

ଆଉ ଆଜି ! ଡକ୍ଟର ମହାନ୍ତିଙ୍କର ସେ ସୁନ୍ଦର ରୂପ ନାହିଁ । ଦିନ ସାରା ଅଧ୍ୟାପନା ଓ ଅଧ୍ୟୟନରେ ସେ କଟାଇ ଦିଅନ୍ତି, ଆଉ ଯେତେବେଳେ ସଂଧ୍ୟା ଆସିଯାଏ, ସେ ସମସ୍ତଙ୍କଠାରୁ ଖାପଛଡ଼ା ହୋଇ ନିଦ ଆସିଲା ପର୍ଯ୍ୟନ୍ତ ସେଇ କୁଣ୍ତେଇଟିକୁ ବେଶ ପୋଷାକ ପିନ୍ଧାଇବା, ପୁଲରେ ସଜାଇବା, ଧୂପ ଦୀପ ଦେବାରେ କଟାଇ ଦିଅନ୍ତି । ନ କରନ୍ତେ ବା କିପରି ? ଏହି କୁଣ୍ତେଇଟା ପରା ଉଭୟେ ଡକ୍ଟର ମହାନ୍ତି ଓ ମମତା ଦେବୀଙ୍କର ପୁତ୍ରରତ୍ନକୁ ପ୍ରଦତ୍ତ ସମସ୍ତ ସ୍ନେହକୁ ନିଗାଡ଼ି ନେଇଗଲା । ସେଦିନ କୁଣ୍ତେଇଟା କେଉଁଠି ରହି ଯାଇଥିଲା ଯେ, ବିବେକାନନ୍ଦ ଖାଇଲା ନାହିଁ କି ଶୋଇଲା ନାହିଁ । କୁଣ୍ତେଇଟା ଅଇଲା । ଗୋଟାଏ ହାତରେ କୁଣ୍ତେଇ ଆଉ ଆର ହାତରେ ଭୋଜନ-। ପଢ଼ିଲାବେଳେ କୁଣ୍ତେଇଟା ଗୋଡ଼ରେ, ଶୋଇଲାବେଳେ ଶେଯରେ, ବୁଲିଗଲାବେଳେ ହାତରେ ଥାଏ । ଏପରି କି ରୁଗ୍‍ଣବସ୍ଥାରେ ତାରି ଉପରେ ଗୁଲୁଗୁଲିଆ ହାତଟି ରଖା ଯାଇଥିବ-

 

ଡକ୍ଟର ମହାନ୍ତିଙ୍କର ଦାମ୍ପତ୍ୟ ଜୀବନ ଯେତିକି ଯେତିକି ପୁରୁଣା ହୋଇ ଆସିଥିଲା, ସେତିକି ସେତିକି ସନ୍ତାନ ଲାଭର ଆଶା ଦୂରେଇ ଯାଇଥିଲା । ବହୁ ପୂଜା-ଝଜା କରି ମହାନ୍ତି ଦମ୍ପତ୍ତି ଗୋଟିଏ ସୁନ୍ଦର ପୁତ୍ର ସନ୍ତାନ ଲାଭ କରିଥିଲେ । ମା’ମମତା ଦେବୀ ଏକୋଇର ବଳା ବିଶିକେଶନଟିକୁ ଜନ୍ମ ଦେଇ ରୁଗ୍‍ଣବସ୍ଥାରେ ପଡ଼ିଲେ । ପାଣି ପରି ଖର୍ଚ୍ଚର ସୁଅ ବହି ଚାଲିଲା ତାଙ୍କ ଚିକିତ୍ସା ପାଇଁ, ହେଲେ କେଉଁଥିରେ କିଛି ହେଲାନି । ତିନିବର୍ଷ କାଳର ଯୁଦ୍ଧରେ ପରାଜିତ ହେଲେ ଡକ୍ଟର ମହାନ୍ତି । କାଳରାତ୍ରି ଆସିଲା । ସ୍ୱାମୀଙ୍କ ହାତଟି ପୁଅ ହାତରେ ଥୋଇ ଦେଇଥିଲେ ଥରିଲା ହାତରେ ମମତାଦେବୀ । ବାପାଙ୍କ ହାତକୁ ନିଜ ହାତରୁ କାଢ଼ି ନେଇ କୁଣ୍ତେଇ ଉପରେ ମାତ୍ର ତିନିବର୍ଷର ପୁଅ ବିବେକାନନ୍ଦ ଥୋଇ ଦେଇଥିଲା । ଉଭୟେ କାନ୍ଦି ଉଠିଥିଲେ, ମମତା ଦେବୀ ସଂସାରର ଏତେ ବଡ଼ ମମତା ତୁଟାଇ ଦେଇ ଚାଲିଗଲେ ।

 

ବୟସ, ଧନସମ୍ପଦ ସବୁ ଥିଲା ଡକ୍ଟର ମହାନ୍ତିଙ୍କର । ଦ୍ୱିତୀୟ ବାର ଗ୍ରହଣ ପାଇଁ ବନ୍ଧୁବାନ୍ଧବ ଜିଦ୍ ଧରିଲେ । ମହାନ୍ତି ଶୁଣିଲେ ନାହିଁ । ଦୁଇ ତିନି ବର୍ଷ ଗିଡ଼ିଗଲା । ପୁଅ ବିବେକ ବାପାଙ୍କୁ କହିଥିଲା—ବାପା, ମୋ ପାଇଁ ଗୋଟିଏ ବୋଉ ଆଣ । ବାପାଙ୍କ ଆଖିରୁ ଲୁହ ଗଡ଼ିଗଲା-। ହେଲେ ପୁଅ ବୁଝିଲା ନାହିଁ । କାନ୍ଦ କାନ୍ଦି ବେଦମ୍ ହେଲା । ଡକ୍ଟର ମହାନ୍ତି ମନସ୍ତତ୍ତ୍ୱ ଅଧ୍ୟାପକ ହେଲେ ବି ଏଇ ଅବୁଝା ପିଲାଟିକୁ କିଛି ବୁଝାଇ ପାରିଲେ ନାହିଁ । ସେ ଜାଣି ଜାଣି ଗୋଟାଏ ନାଗସାପ ଆଣି ପୁଅ ବେକରେ ଗଳାଇ ଦେବାକୁ ଚାହିଁ ନ ଥିଲେ । ପୁଅ ବଡ଼ ହବ, ବିବାହ କରିବ-। ସାତ ପୁରୁଷି ମହାନ୍ତି ଘରକୁ କୁଳ ଦୀପ ମିଳିଯିବ । କି ଆଶା ?

 

ଅବୁଝା ପୁଅକୁ ସେ ବୁଝାଇ ପାରିଲେ ନାହିଁ । କାନ୍ଦି କାନ୍ଦି ବିବେକାନନ୍ଦ ଶୋଇ ପଡ଼ିଲା-। ପାହାନ୍ତିଆରେ ମା’ମା’ ବୋଲ ଚିତ୍କାର କଲା । ଉଠି ପଡ଼ି ପୁଣି ଶୋଇଲା । ହେଲେ, ହାତଟି ପ୍ରିୟ କଣ୍ତେଇଟି ଉପରେ ସେମିତି ଥାଏ । ଡକ୍ଟର ମହାନ୍ତି କ’ଣ କରିବେ, ଏଇ ଚିନ୍ତାରେ ବଡ଼ ଛଟପଟ ହେଲେ । ବଡ଼ଙ୍କୁ ସିନା ବୁଝାଇ ଦେଲେ, ପୁଅକୁ ବୁଝାଇବେ କିପରି ? ଭାବୁ ଭାବୁ ପାହାନ୍ତିଆକୁ ନିଦ ଆସି ଯାଇଥିଲା । ସକାଳେ ଚାଉଁ କିନା ନିଦ ଭାଜିଗଲା । ଦରାଣ୍ତି ପକାଇଲେ, ପାଖରେ ପୁଅ ନାହିଁ । ଚମକି ପଡ଼ି ଚାରିଆଡ଼କୁ ଚାହିଁଲେ । ପୁଅ ମାଆଙ୍କ ଫଟୋ ପାଖରେ ଛିଡ଼ା ହୋଇଚି । ତା ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଯାଉଚି । କୁଣ୍ତେଇଟି ସେମିତି ହାତରେ ଅଛି ।

 

ଡକ୍ଟର ମହାନ୍ତି କାନ୍ଦି ପକାଇଲେ । ପୁଅକୁ କାଖେଇ ପକାଇ କହିଲେ—ହଉ ବୋଉଟିଏ ଆଣିବା । ଏଇତକରେ ପୁଅ ହସିଉଠିଲା । କହିଲା—ଆଜି ଆଣ । ଡକ୍ଟର ମହାନ୍ତି ବହୁ ଭାବି ଚିନ୍ତି କହିଲେ—ହଁ ରେ ବାବୁ, ଆଜି ଆଣିବା । ହେଲେ ଯାହାକୁ ଆଣିବା, ସେ ବଡ଼ ଦୁଷ୍ଟ । ତୋ ପୁଅକୁ ନେଇ ଫୋପାଡ଼ି ଦେବ । ମତେ ବିରକ୍ତ ହେବ । ତତେ ଗେଲ କରିବ ନାହିଁ । ବିବେକାନନ୍ଦ କହିଲା—ମତେ ଗେଲ ନ କରୁ, ଆଉ ତୁମକୁ ବିରକ୍ତ ହେଉ ପଛକେ, ବୋଉଟିଏ ଆଣ । କୁଣ୍ତେଇ ନାମ ମଧ୍ୟ ସେ ଉଚ୍ଚାରଣ କଲା ନାହିଁ । ମହାନ୍ତି କହିଲେ—ଆଉ ତୋ କୁଣ୍ତେଇଟିକୁ.....ଏତିକିରେ କଥା ଅଟକି ଗଲା, ପୁଅ କହିଦେଲା—ଥାଉ ତେବେ । ମୋ କୁଣ୍ଡେଇଟିକୁ ସେ ଫୋପାଡ଼ି ଦେଲେ ମୁଁ ତାକୁ ଆଣିବି ନାହିଁ ।

 

ଡକ୍ଟର ମହାନ୍ତି ଶାନ୍ତିରେ ନିଶ୍ୱାସ ମାରିଲେ । ଗୋଟାଏ ବଡ଼ ଝଡ଼ ତାଙ୍କ ଉପରେ ବୋହିଗଲା, ହେଲେ ତାଙ୍କର କିଛି କ୍ଷତି କରି ପାରିଲା ନାହିଁ । ବିବେକାନନ୍ଦର ଉଭୟ ବାପ ଓ ମା’ର କର୍ତ୍ତବ୍ୟ ଡକ୍ଟର ମହାନ୍ତି ତୁଲାଇବାରେ ଲାଗିଲେ । ବିବେକାନନ୍ଦ ବେଶ୍ ଡଉଲ ଡାଉଲ ହୋଇ ବଢ଼ି ଚାଲିଲା । ପୁଣି ବିବେକାନନ୍ଦଙ୍କ ଘର ସଂସାର ଅତି ଉଲ୍ଲାସପୂର୍ଣ୍ଣ ହୋଇ ଉଠିଲା ।

 

ଦିନ ପରେ ଦିନ ଗଡ଼ିଚାଲିଲା ।

 

ହଠାତ୍ ଦିନେ ସ୍କୁଲରୁ ଦିହରେ ଦିହ ଜ୍ୱର ଘେନି ବିବେକାନନ୍ଦ ଘରକୁ ଫେରିଲା । ଡକ୍ଟର ମହାନ୍ତିଙ୍କ ଛାତି ଥରିଉଠିଲା । ମୂଳରୁ ଜ୍ୱରଟାକୁ ନ ଜଗିଲେ—ଆଉ ଭାବି ପାରିଲେ ନାହିଁ ଡକ୍ଟର ମହାନ୍ତି । ଧାର ଧାର ହୋଇ ତାଙ୍କ ଆଖିରୁ ଲୁହ ଗଡ଼ିଗଲା । ଡାକ୍ତରମାନେ ଆଶ୍ୱାସନା ବାଣୀ ଶୁଣାଇ ଚାଲିଗଲେ, ଔଷଧର ବ୍ୟବସ୍ଥା ବତାଇ ଦେଇ । କେତେ ପରୀକ୍ଷା ନିରୀକ୍ଷା ହେଲା, ହେଲେ ପୁଅ ସୁସ୍ଥ ହେଲାନାହିଁ । ଚିନ୍ତାରେ ଡକ୍ଟର ମହାନ୍ତି ଭାଙ୍ଗି ପଡ଼ିଲେ । ଦୀପ ନିଭିଯିବା ପୂର୍ବରୁ ତେଜି ଉଠିବା ପରି ବିବେକନନ୍ଦର ଅବସ୍ଥା ଟିକିଏ ଭଲ ପରି ଜଣାଗଲା ।

 

ଧାଈକୁ ପୁଅ ପାଖରେ ରଖାଇ ଦେଇ ସେ ଡାକ୍ତରଙ୍କ ପାଖକୁ ଗଲେ । ଔଷଧ ଧରି ଫେରିଲେ । ଯାହା ଦେଖିଲେ, ସେଥିରେ ତାଙ୍କର ଦେହ ସ୍ଥାଣୁ ପାଲଟିଗଲା । ସେ ଜଡ଼ ପରି ଛିଡ଼ା ହୋଇଗଲେ । ପୁଅର ପ୍ରସନ୍ନ ମୁହଁଟି ସଜଫୁଟା ଫୁଲଟିଏ ପବନରେ ଝଡ଼ି ତଳେ ପଡ଼ିଗଲା ପରି ଦିଶୁଚୁ । କୁଣ୍ଢେଇଟି ପୁଅର ପେଟ ଓ ଛାତି ଉପରେ ନିଶ୍ଚିନ୍ତ ହୋଇ ଶୋଇଚି ।

 

ଗାଁ ଲୋକେ ଆସିଲେ । ଶେଯମିଶା ପୁଅଟିକୁ ନେଇଗଲେ । ପକାଇ ଦେଇ ଯାଇଥିଲେ ପୁଅର ଆଦରର କୁଣ୍ଢେଇଟିକୁ ।

 

ସେଇଦିନୁ ଡକ୍ଟର ମହାନ୍ତି କଣ୍ଢେଇଟିର ସେବାରେ ସାରା ରାତି କଟାଇଦିଅନ୍ତି ।

★★★

 

ଆଶାର ଦହନଜ୍ୱାଳା

 

ଆନନ୍ଦ ପ୍ରସାଦ ନାଳୀ । ଆଠଗଡ଼ର ସଅର ସାହି ସେହିଠାରେ ଅବସ୍ଥିତ । କେଉଁ ଅଜଣା କାଳରୁ ଶବର ପଲ୍ଲୀଟି ସଭ୍ୟତାର କେତେ କେତେ ଉତ୍ଥାନ ଓ ପତନ ଦେଇ ରହି ଆସିଚି । ପୂର୍ବ ବଂଶଧର ଲୋକେ ବଣ ଜଙ୍ଗଲରୁ ଫଳ ମୂଳ ଖାଇ ପେଟ ପୋଷୁଥିଲେ । ଜନ୍ତୁ ଜୁନ୍ତା ମାରି, ପୋଡ଼ି ଉଦର ଜ୍ୱାଳା ଦୂର କରୁଥିଲେ । ମାତ୍ର ସଭ୍ୟତା ଯେତିକି ଦ୍ରୁତ ଗତିରେ ଆଗେଇ ଚାଲିଲା, ବନ ଜଙ୍ଗଲର ଉତ୍ପାଟନ ତାରି ସହିତ ତାଳ ପକାଇ ଚାଲିଲା । ଅବଶେଷରେ ସଅରମାନେ ମୂଲ ଲାଗି ପେଟ ପୋଷିଲେ । ଲାଗ ଲାଗ ଅନାବୃଷ୍ଟି ହେତୁ ଫସଲ ହେଲାନାହିଁ । ଲୋକ ମୂଲ ଲାଗିବା ପାଇଁ କାମ ଖଣ୍ତିଏ ପାଇବା ସମ୍ଭବ ହେଲାନାହିଁ ।

 

ଆଉ ଆଉ ଲୋକଙ୍କ ପରି ଧନିଆ ସହର ଚାଲିଗଲା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ । ସେଠାରେ ଗୋଟିଏ ବାବୁଙ୍କ ରିକ୍‍ସା ବୋହିଲା । ନୂଆ ସହରର ସେ ବହୁତ ପଇସା ପାଇଲା । ଥରେ ଯିଏ ତା ରିକ୍‍ସାରେ ବସିଲା, ଅନ୍ୟ ରିକ୍‍ସାକୁ ଅନାଇଲା ନାହିଁ ଆଡ଼ଚକ୍ଷୁରେ । ଧନିଆର ବଳିଷ୍ଠ ବାହୁ, ଗୋଡ଼ର ଶକ୍ତି ଓ ମନର ବଳ ଅନ୍ୟ ରିକ୍‍ସାବାଲାଙ୍କଠାରେ ଦେଖିବାକୁ ବିରଳ । ଅନ୍ୟ ରିକ୍‍ସାବାଲା ତାକୁ ଈର୍ଷା କଲେ । ହେଲେ ତାର ସୁମଧୁର ବଚନ ଓ ଶିଷ୍ଟ ବ୍ୟବହାର ସମସ୍ତଙ୍କୁ ଅବାକ୍ କରିଦିଏ । ଧନିଆ ଗରିବ; ମାତ୍ର ମନରେ ସେ ଥିଲା ଅମୀର । ଅଭାବ ଓ ଅନାଟନରେ ପଡ଼ିଥିବା ଲୋକଙ୍କୁ ମୁକ୍ତ ହସ୍ତରେ ସେ ଦାନ କରେ । ସଞ୍ଚୟ କରିବା ମହାପାପ ବୋଲି ତାର ହୃଦବୋଧ ହୁଏ । ଅନ୍ଧାର ଭବିଷ୍ୟତ ପାଇଁ କିଛି ଜମାଇବାଟାକୁ ଅପରାଧ ବୋଲି ସେ ମନେ କରେ । ଶ୍ରମିକର ଉଜ୍ଜ୍ୱଳ ବର୍ତ୍ତମାନ ଅଛି, ସେ ଅନ୍ଧାର ଭବିଷ୍ୟତକୁ ଚାହିଁବ କାହିଁକି ? ବାପ ମା’ତ ତାକୁ ଛାଡ଼ି ଚାଲିଯାଇଥିଲେ । ଅନ୍ୟ ଲୋନେଞ୍ଜେରା ତାର କିଛି ନ ଥାଏ । ବେପରବାୟ ଜୀବନ କଟାଉଥାଏ ଧନିଆ ।

 

କାର୍ତ୍ତିକ ପୂର୍ଣ୍ଣିମା । ପାହାନ୍ତି ପହରରୁ ଧନିଆଁ ନିଜ ରିକ୍‍ସାଟି ଧରି ଆଗେଇ ଚାଲିଲା । ଆଜି ରୋଜଗାର ପାଇଁ ଗୋଟାଏ ପ୍ରକୃଷ୍ଟ ଦିବସ । ଏହିପରି ଗୋଟିଏ ଗୋଟିଏ ଦିନରେ ଧନିଆର ରୋଜଗାରର ବାଟ ଅତି ନିର୍ମଳ ହୋଇଯାଏ । ଏହି ଆୟରୁ ଲୁଗାପଟା ଆଦିର ବ୍ୟବସ୍ଥା ସେ କରି ନେଇଥାଏ । ଗୋଟାଏ ଗଳି ବାଟରେ ଚାଲିଗଲା ବେଳକୁ କନାର ଗୁଡ଼ିଆ ହୋଇଥିବା ଗୋଟିଏ ପିଲାର ‘କୁଆଁ’ ‘କୁଆଁ’ ରାବ ତା’ର ଗତିପଥ ଅବରୋଧ କଲା । ତାର ପାଦ ଆଗେଇ ଯିବାକ ଚାହିଁଲା ନାହିଁ । ସେ ଓହ୍ଳାଇ ପଡ଼ିଲା । ଭଲମନ୍ଦ ବିଚାର କିଛି ସେ କଲା ନାହିଁ । ଶିଶୁଟିକୁ କୋଳକୁ ନେଲା । ନିଜ ପଡ଼ାକୁ ନେଇଗଲା । ବୁଦ୍ଧିଆ ମା ବୁଢ଼ୀ ପାଖରେ ସମର୍ପି ଦେଇ କିଛି ଟଙ୍କା ତାକୁ ଦେଇଦେଲା । ନିଜେ ଚାଲିଲା ନିଜର କର୍ମକ୍ଷେତ୍ରକୁ ।

 

ଉଦ୍ଦୀପନା ଓ ଉତ୍ସାହ ବେଗରେ ସେ ସେଦିନ ଖୁବ୍‍ ରୋଜଗାର କଲା । ତା ଜୀବନ ସାରା ଏତେ ଟଙ୍କା ସେ କେବେ ପାଇ ନ ଥିଲା । ଭାବିଲା ଯେ, ତାର ଭାଗ୍ୟ ପରିବର୍ତ୍ତନ କଲା ଏ ଅଚିହ୍ନା ଶିଶୁଟି । କିଏ ସେ ନିଷ୍ଠୁର ଜନନୀ ଏ ଦେବଶିଶୁଟିକୁ ପ୍ରତ୍ୟାଖ୍ୟାନ କଲା !ଏ ସରଗର ଚାନ୍ଦକୁ ସେ ହାତ ପାହାନ୍ତାରେ ପାଇ ନିଜକୁ ଭାଗ୍ୟବାନ୍ ମନେ କଲା । ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଲା । ନିଜର ଭାଗ୍ୟକୁ ପ୍ରଶଂସା କଲା ।

 

ପିଲାଟି ବଢ଼ି ଚାଲିବା ସଙ୍ଗେ ସଙ୍ଗେ ସଂସାର ପ୍ରତି ଧନିଆର ମାୟା ମମତା ବଢ଼ି ଚାଲିଲା । ଖଣ୍ତେ ଜାଗା ସେ କିଣିଲା । ଘରଟିଏ ତୋଳିଲା । ପିଲାଟିକୁ ଅଧ୍ୟୟନ ପାଇଁ ପାଠଶାଳାକୁ ପଠାଇଲା ଧନିଆ । ପିଲାଟି ବି ଚମତ୍କାର ଭାବରେ ପାଠ ପଢ଼ିଲା । ସାଙ୍ଗ ପିଲାମାନେ ତାର ବିଦ୍ୟାବୁଦ୍ଧି ନିକଟରେ ହାର ମାନିଲେ । ଧନିଆଁ ଗୁରୁଜୀଙ୍କଠାରୁ ପିଲାର ଉନ୍ନତି ଶୁଣି ଆନନ୍ଦରେ ଅଧୀର ହୋଇ ଉଠିଲା । ଭଲ ଭଲ ଜାମା,ପ୍ୟାଣ୍ଟର ବ୍ୟବସ୍ଥା କରିଦେଲା ଧନିଆ ।

 

ଆସ୍ତେ ଆସ୍ତେ ଧନିଆର ବୟସ ଆଗେଇଲା । ତା ସଙ୍ଗେ ସଙ୍ଗେ ବଳ କମି ଆସିଲା । ଆଉ ଦ୍ରୁତ ଗତିରେ ସେ ରିକ୍‍ସା ଟାଣିବା ଅସମ୍ଭବ ହେଲା; ତା ସଙ୍ଗେ ସଙ୍ଗେ ଟାଉନ୍ ବସ୍ ପଡ଼ିଲା । ଲୋକେ ଯୁବକ ରିକ୍‍ସା ଚାଳକଙ୍କୁ ଅଧିକ ପସନ୍ଦ କଲେ । ବୁଢ଼ା ବୁଢ଼ା ରିକ୍‍ସାବାଲାମାନେ ଅନାଦ୍ରୁତ ହେଲେ । ସେମାନଙ୍କ ସଙ୍ଗରେ ଧନିଆର ନାମ ଅନ୍ତର୍ଗତ । ବଡ଼ କଷ୍ଟରେ ଧନିଆର ଘର ସଂସାର ଚଳିଲା । ତେବେ ପୁଅଟିର କିଛି ଅସୁବିଧା ହେଉ ନ ଥାଏ ।

 

ପୁଅ ବେମାରରେ ପଡ଼ିଲା । ଧନିଆ ବହୁତ ନେହୁରା ହେଇ ଡାକ୍ତରବାବୁଙ୍କୁ ଡାକି ଆଣିଲା । ସେ ତାର ଜର ଆଦି ମାପି ଔଷଧର ବ୍ୟବସ୍ଥା କରିଦେଇ ଚାଲିଗଲେ । ବହୁ କଷ୍ଟାର୍ଜିତ ଦୁଇଟି ଟଙ୍କା ସେ ଡାକ୍ତର ବାବୁଙ୍କୁ ଥରିଲା ହାତରେ ବଢ଼ାଇ ଦେଲା । ରୋଷ ଚକ୍ଷୁରେ ଅନାଇ ଦେଇ ଡାକ୍ତର ବାବୁ ଦୁଇଟି ଟଙ୍କା ଧରି ଚାଲିଗଲେ । ଧନିଆ ପିଲାଟି ପାଖରେ ପଡ଼ୋଶୀ ବୁଢ଼ୀଟି ବସାଇ ଦେଇ ଚାଲିଗଲା ରିକ୍‍ସା ଟାଣିବାକୁ । ଦିନସାରା ଗରାଖମାନଙ୍କୁ ଚାହିଁ ଚାହିଁ ମାତ୍ର ଦେଢ଼ୋଟି ଟଙ୍କା ଅର୍ଜିଲା ଧନିଆ । ମନେ ପଡ଼ିଲା ତାର ପୂର୍ବ କାଳର ରୋଜଗାର । ଓଃ, ଥରୁଟିଏ ହେଲେ ଭଗବାନ ସେ ସୁଯୋଗ ଦିଅନ୍ତେ କି ! ସେ ଚଣ୍ତାଳ ଦୁଇ ପଇସା ନ ରଖିଲା କାହିଁକି । ଆଉ ସେ କିଛି ଭାବି ପାରିଲା ନାହିଁ । ଦିନଟୁ ସାରା ସେ ଖାଇ ନ ଥିଲା । ଆଠଣାର ଜଳଖିଆ ଓ ସଡ଼କ କଡ଼ରକଳରୁ ପେଟେ ପାଣି ପିଇଦେଲା । ପୁଅ ପାଇଁ ଫଳ ଟଙ୍କାଟିକର ଧରି ଶଶଙ୍କ ଚିତ୍ତରେ ଘରକୁ ଫେରିଲା । ପୁଅର ଅବସ୍ଥା କ’ଣ ଜାଣିବା ପାଇଁ ବ୍ୟଗ୍ର ହୋଇ ଉଠିଲା ।

 

ପଡ଼ା ଦାଣ୍ତରେ ସେ ଯେତେ ଯାହାକୁ ପଚାରିଲା କେହି କିଛି ଉତ୍ତର ଦେଲେ ନାହିଁ । ଏଥିରେ ସେ ଅଧିକ ବିଚଳିତ ହୋଇପଡ଼ିଲା । ଖୁବ୍ ଦ୍ରୁତ ଗତିରେ ଆଗେଇଲା ଧନିଆ ସଅର । ଘର ଦାଣ୍ତଦୁଆରେ ସେ ଡ଼ାକିଲା । ଦୁଆରଟି ବୁଢ଼ୀ ଫିଟାଇ ଦେଲା । ବୁଢ଼ୀ ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଥାଏ । ସେ କହିଲା—ପୁଅ ତମର ତୁମକୁ ବହୁତ ଅଭିମାନ କରି ଖୋଜିଲା, ଶୁଖିଲା ମୁହଁରୁ କଥା ବାହାରିଲା ନାହିଁ ସିନା ଆଖିରୁ ତାର ଧାର ଧାର ହୋଇ ଲୁହ ଗଡ଼ି ଚାଲିଲା । ହଠାତ୍ ତା ଗୋଡ଼ ଆଉ ହାତ ଥଣ୍ତା ଲାଗିଲା । ମୁଁ କିଛି ବାଟ ପାଇଲିନି । ଖାଲି ପାଦ ଓ ହାତକୁ ଘସି ଲାଗିଲା । ତଥାପି କିଛି ହେଲାନି, ତାପରେ ଆଖି ବୁଜିଦେଲା । ସବୁ ଶେଷ ହୋଇଗଲା ।

 

ଧନିଆ ମୂକ ପରି ଚାହିଁ ରହିଲା ଶିଶୁଟିକୁ । ହାତରେ ଥିବା ଫଳ ଗୁଡ଼ିକୁ ଗୋଟି ଗୋଟି କରି ଦାଣ୍ତକୁ ଫିଙ୍ଗିଦେଲେ । ଦାଣ୍ତରେ ବୁଲୁଥିବା ଭିକାରୀମାନେ ଗୋଟାଇ ଖାଇଦେଲେ ଫଳତକ । ବଡ଼ ରାଗ ଲାଗିଲା ଧନିଆକୁ । କେଡ଼େ ଶରଧାରେ ଫଳଗୁଡ଼ିକ ଆଣିଥିଲା ତାର ନୟନ ପିତୁଳା ପାଇଁ, ଆଉ ଖାଉଚନ୍ତି ଏ ବାରବୁଲା ଶିଶୁଗୁଡ଼ାକ । ରାଗରେ ଓ କ୍ଷୋଭରେ ମୁଣ୍ତ ବାଳଗୁଡ଼ିକୁ ହାତରେ କେରା କେରା କରି ଭିଡ଼ି ପକାଇଲେ ଧନିଆ ।

 

ବଡ଼ ହିଂସ୍ର ହୋଇଉଠିଲା ସେ । ବଡ଼ ରାଗ ଲାଗିଲା ବୁଲା ପିଲାଙ୍କ ଉପରେ । ଧାଇଁଗଲା ପ୍ରତିଶୋଧ ନେବାକୁ । ମାତ୍ର ପ୍ରତିଟି ପିଲାର ଆଖିରେ ସେ ତା ପୁଅର ମୂର୍ତ୍ତି ଦେଖି ନୀରବ ହୋଇ ଘରକୁ ଫେରିଲା । ପିଲାଟିକୁ କୋଡ଼ରେ ଧରି କେତେ କାନ୍ଦିଲା ।

 

ପଡ଼ା ଲୋକେ ଆସି ବଳ ପ୍ରୟୋଗ କରି ଧନିଆ କୋଡ଼ରୁ ପିଲାଟିକୁ ନେଇଗଲେ । ତହିଁଆର ଦିନଟାରୁ ଧନିଆକୁ ଆଉ କେହି ଦେଖିନାହିଁ ।

★★★

 

ହୃତ୍‍ସ୍ପନ୍ଦନ

 

ମାନସ ବାବୁ, ଆଇ.ଏ.ଏସ୍ । ପୁଅର ସ୍ୱନକ୍ଷେତ୍ର ପର୍ବ । ଜନଗହଳିରେ ଘର ଭରପୂର । ଆନନ୍ଦ କୋଳାହଳରେ ସମସ୍ତେ ପ୍ରମତ୍ତ । କ୍ଷୀରୀ, ଖେଚୁଡ଼ୀ, ସର, ପୁଳି, ପିଠା ପଣାର ସୁବନ୍ଦୋବସ୍ତ ।

 

ମାନସବାବୁଙ୍କ ଧର୍ମପତ୍ନୀ ସୁପ୍ରଭା ଅତିଥି ଚର୍ଚ୍ଚାରେ ବ୍ୟତିବ୍ୟସ୍ତ । ଅଥଚ ମାନସବାବୁ ତାଙ୍କ ଜନନୀଙ୍କ ଫଟୋ ପାଖରେ ଛିଡ଼ା ହୋଇଚନ୍ତି । ସେ ଠିଆ ହୋଇଚନ୍ତି ନିଶ୍ଚଳ ଭାବରେ, ଆଖିରୁ ତାଙ୍କର ବହିଯାଉଅଛି ଧାର ଧାର ଲୁହ । ଲୁହ ନୁହେଁ, ଛାତିରୁ ବାହାରୁଥିବା କୋହ ଆଉ ଲହୁ ।

 

ଦୁଃଖିନୀ ଜନନୀ ତାଙ୍କର । ସମାଜତ୍ୟକ୍ତା ହୋଇଥିଲେ ବିନା କାରଣରେ । ଦୋଷ ଦୁର୍ବଳତା ତିଳେ ହେଲେ ନ ଥିଲା ତାଙ୍କର । ଅଥଚ ସେ ହେଲେ ବିତାଡ଼ିତା । ଦୋଷ ତାଙ୍କର ଦାରିଦ୍ର୍ୟ ଆଉ ଦୁର୍ବଳତା ତାଙ୍କର ଜନ୍ମଭୂମିର ସହିଷ୍ଣୁତା ଗୁଣ ।

 

ମାନସଟିକୁ ଧରି ଶାଶୁ ଘରୁ ଗୋଡ଼ କାଢ଼ିଥିଲେ । ବାପ ଘରେ ଥିଲେ ଭାଇ ଓ ଭାଉଜ-। ସେମାନେ ହାତ ଧରି ଟାଣିଥିଲେ, ମାତ୍ର ବୋଝ ଉପରେ ନଳିତା ବିଡ଼ା ହେବାକୁ ସେ ଚାହିଁ ନ ଥିଲେ । ନିଜ କର୍ମକୁ ଆଦରି ସେ ଘରକୁ ଘର ବୁଲିଲେ । ତାଙ୍କୁ ଚାକିରୀଟିଏ ମିଳିଲା ନାହିଁ-। ଦୁଇଟା ପେଟ ପୋଷିବାକୁ କେହି ରାଜି ହେଲେ ନାହିଁ । କେହି କେହି ମୁହେଁ ମୁହେଁ କହିବାକୁ ପଛାଇଲେ ନାହିଁ—ଏଇ ଲାଞ୍ଜଟା ନ ଥାଆନ୍ତା କି !

 

ଏଥିରେ ମାନସର ମା’ କାନ୍ଦି କାନ୍ଦି ଅଥୟ ହୋଇ ଯାଆନ୍ତି । ବାରଦ୍ୱାର ବୁଲି ଅବଶେଷରେ ଖଣ୍ତେ ଚାକିରୀ ମିଳିଗଲା । ଆଶ୍ୱସ୍ତି ମିଳିଲା । ପରମେଶ୍ୱର ପଥର ନୁହନ୍ତି–ଏ ଧାରଣା ଦୃଢ଼ୀଭୂତ ହେଲା । ଶତ ସିଂହର ବିକ୍ରମ ଧରି ସେ କାର୍ଯ୍ୟରେ ମନ ଦେଲେ । ତାଙ୍କ କାମ ଦେଖି ଗୃହକର୍ତ୍ତା ଗୋଟି ଗୋଟି କରି ସମସ୍ତ ଚାକର ଚାକରାଣୀଙ୍କୁ ବିଦାୟ କରି ଦେଲେ । ମାନସର ମା’ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେଲେ । କର୍ମକ୍ଳାନ୍ତ ଶରୀରଟିକୁ ବିଶ୍ରାମ ତ ଦୂରର କଥା, ଅବସର ଟିକିଏ ହେଲେ ମିଳିଲା ନାହିଁ । କାମର ତ ପ୍ରଶଂସା ନ ଥାଏ । ପ୍ରଥମେ ପ୍ରଥମେ ଗାଳି ଓ ତା’ପରେ ମାଡ଼ର ବ୍ୟବସ୍ଥା କରାଗଲା ।

 

ମାନସ ତ ପିଲା । ମନ ତାର ବିଦ୍ରୋହ କରେ । ଅଥଚ ବୟସ ତାକୁ ଦବାଇ ଦିଏ । ମାଆ ଲୁଚି ଲୁଚି କ୍ରନ୍ଦନରତା ହେବାର ଦୃଶ୍ୟ ଏବେ ବି ତା ଆଖି ଆଗରେ ନାଚିଉଠେ । କେବେ କେମିତି ଧରା ପଡ଼ିଗଲେ, ମା’ କହନ୍ତି—ମୁଣ୍ତ ବଥାଉଚି, ଦାନ୍ତ ବିନ୍ଧୁଚି ଆଦି । ମା’ତାର କେବେ ମିଛ କହନ୍ତି ନାହିଁ, ଅଥଚ ତା ମନରେ ଦୁଃଖ ନ ଜନ୍ମାଇବା ପାଇଁ ସେ ଏପରି ଛଳନାରେ ଆଶ୍ରୟ ନେଉ ଥାଆନ୍ତି ।

 

ଆଜିର ସର ପୁଳି ଆଉ ସେ ଦିନର ସର ପୁଳି । ଦଶହରା ହୋଇଥାଏ । ବହୁତ ଭଲ ଭଲ ଜିନିଷ ମା’ ପ୍ରସ୍ତୁତ କଲେ । ବାବୁଘର ସଭିଏଁ ଖାଇଲେ, ଅତିଥିଏ ଭୂରୀ ଭୋଜନ କଲେ, ଆଉ ସାଇ ପଡ଼ୋଶୀଙ୍କ ଘରେ ବଣ୍ଟାଗଲା । ମା’ତାର ରାତି ଅଧଯାଏ ରହିଲେ । ଆଶା, ଖାଇବାକୁ ଯାଚିବେ । ଯାଚିଲେ ପୁଅ ପାଇଁ ଘରକୁ ନେବେ । ମାତ୍ର ହେଲା ନାହିଁ । ଫେରିଲେ, ମାନସ ଶୋଇ ପଡ଼ିଥାଏ । ପେଟ ତାର ପିଠିକୁ ଲାଗି ଯାଉଥାଏ । ବଡ଼ ସନ୍ତର୍ପଣରେ ସେ ଉଠାଇଥିଲେ । ସିପା ମୁଢ଼ି ପୁଞ୍ଜିଏ ଖୁଆଇ, ପାଣି ମନ୍ଦାଏ ପିଆଇ ଦେଇ ଶୁଆଇ ଦେଲେ ।

 

ରାତି ପାହିଲା । ମାନସ ରୁଷିଲା । ମା’ ଖିରୀ ପୁରୀ ବାବୁଘରେ ଖାଇଲେ, ଅଥଚ ତାକୁ ଦେଲେ ନାହିଁ । ପୁଣି ମିଥ୍ୟାର ଆଶ୍ରୟ । ମାନସକୁ ବଡ଼ ନିଦ ହୋଇ ଯାଇଥିଲା, ତାକୁ ଖିରୀ ପୁରୀ ଖୁଆଇ ଦିଆଗଲା । ଅଥଚ ସେ ନିଦ ବାଉଳାରେ କିଛି ଜାଣି ପାରିଲା ନାହିଁ । ମାନସ ବିଶ୍ୱାସ କଲା-। ମା’ ରକ୍ଷା ପାଇଗଲେ ।

 

କୁମାର ପୂର୍ଣ୍ଣିମା । ମା ଜ୍ୱରରେ ପଡ଼ିଥାଆନ୍ତି । ଦେହରେ ଖଇଫୁଟା ତାତି ଥାଏ । ବାବୁ ଘରୁ ଡାକରା ଆସିଲା । ମା ଟଳି ଟଳି ଗଲେ । ଭତ୍ସନା ଶୁଣିବାକୁ ପଡ଼ିଲା । ମରି ପଡ଼ି କାମ କଲେ-। ମାନସ ଯାଇ ସାହାର୍ଯ୍ୟ କଲା, ଶୁଣିବାକୁ ପଡ଼ିଲା—ଏଇଟାକୁ କଅଣ ଆଣିଚୁ ଚୋରାଇ ଲୁଚାଇ ଖୁଆଇବୁ ? ମା’ ଜଳି ଉଠିଲେ । ଚଡ଼ଚାଡ଼ କରି ଚାପୁଡ଼ା ମାରିଥିଲେ ମାନସକୁ । ମାନସ ଲେଉଟି ଯାଇଥିଲେ ଛୋଟ ଘରକୁ । ମା’ ଫେରିଲେ । ମାନସକୁ କୋଡ଼ରେ ଧରି କଇଁ କଇଁ ହୋଇ କେତେ କାନ୍ଦିଲେ । ଶୋଇ ପଡ଼ିଥିଲା ମାନସ । ଆଉ ତା ଆଖିରୁ ବହିଥିବା ଦୁଇଧାର ଲୁହ ଗାଲରେ ଶୁଖି ଚିହ୍ନ ରଖିଥିଲା । ରାଗରେ ଫେରି ଆସିଥିଲେ ଜନନୀ । ଉଭୟେ ନ ଖାଇ ନ ପିଇ ଶୋଇ ପଡ଼ିଥିଲେ ।

 

ବାବୁଘରର ଡାକ୍ତର ପୁଅ ବିଲାତରୁ ଫେରିଲେ । ମାନସର ମା’ଙ୍କର ଦୁଃଖ ଲାଘବ ହେଲା । ତାଙ୍କରି ସହାନୁଭୂତି ମିଳିଲା । ମୁଠାଏ ଖାଇବା ଓ ଖଣ୍ତିଏ ପିନ୍ଧିବା ସାଙ୍ଗକୁ ନିର୍ଦ୍ଦିଷ୍ଟ ଦରମା ମିଳିଲା । ମା ମାନସକୁ ପଢ଼ାଇଲେ । ମାନସ ମନଯୋଗ ଦେଇ ପାଠ ପଢ଼ିଲା । ସବୁ ସ୍ତରରେ ବୃତ୍ତି ପାଇଲା । ପୁନଶ୍ଚ ଡାକ୍ତରବାବୁଙ୍କର ଦୃଷ୍ଟି ଆକର୍ଷଣ କଲା । ସେ ମାନସର ପାଠ ପଢ଼ାଇବାର ଦାୟିତ୍ୱ ବହନ କଲେ । ମାନସ ବିଶ୍ୱବିଦ୍ୟାଳୟ ସ୍ତରରେ କୃତିତ୍ୱର ସହିତ ଉର୍ତ୍ତୀଣ୍ଣ ହେଲା । ମା’ଙ୍କର ଆନନ୍ଦ କହିଲେ ନ ସରେ ।

 

ମାନସର ମା’ ବଡ଼ ଚିଡ଼ି ଚିଡ଼ି ପ୍ରକୃତିର ହୋଇ ଉଠିଲେ । ଦେହ ଭଲ ରହିଲା ନାହିଁ । କାମ କରିବାକୁ ଶକ୍ତି ନ ଥାଏ । ତଥାପି ସେଥିରେ ସେ କାମ କରି ଲାଗିଲେ । ମାନସ ନିଜେ କାମରେ ସହାୟତା କରେ । ମା’ଙ୍କ ହାତରୁ କାମ ଛଡ଼ାଇ ନିଏ, ନିଜେ କରି ବସେ । ଏଥିର ଆନନ୍ଦ ହେବେ କ’ଣ ମା’ ଗର୍ଜି ଉଠନ୍ତି । ପୁଅକୁ ଭତ୍ସନା କରନ୍ତି ।

 

ମାନସ ପ୍ରତିଯୋଗିତାରେ ଯୋଗ ଦେଲା । ଆଇ.ଏ.ଏସ.ରେ ନିର୍ବାଚିତ ହେଲା । ଗଲା ତାଲିମ୍ ପାଇବାକୁ । ଯିବା ପୂର୍ବରୁ ମା’ଙ୍କର ଅନିଚ୍ଛା ସତ୍ତ୍ୱେ ଗୋଟିଏ ଫଟୋ ଉଠାଇ ସାଙ୍ଗରେ ନେଇଥିଲା । ମା’ଙ୍କ ବିଚ୍ଛେଦ ବଡ଼ ମର୍ମସ୍ପର୍ଶୀ । ମା’କାନ୍ଦି କାନ୍ଦି ଅଧୀରା ହୋଇଥିଲେ । ଦିଅଁଙ୍କ ଫୁଲ, ଚନ୍ଦନ ଓ ସିନ୍ଦୂର ପୁଅଠାରେ ଲଗାଇ ଦେଇଥିଲେ । ଦିଅଁଙ୍କ ପାଖରେ ଜଣାଇଥିଲେ, ପୁଅ ମୋର ସର୍ବ ଶୁଭରେ ଫେରିଆସୁ ।

 

ସର୍ବ ଶୁଭରେ ଫେରି ଆସିଥିଲା ପୁଅ ଆଇ.ଏ.ଏସ୍. ହୋଇ । ମାତ୍ର ଦେଖି ନ ଥିଲା ତାର ଦୁଃଖିନୀ ଜନନୀଙ୍କୁ ସର୍ବଂସହା ଧରଣୀ ପରି ସହି ସହି ଶେଷକୁ ଚାଲିଗଲେ । ଋଷିକରି ଚାଲିଗଲେ ମାନସର ଜନନୀ । ଚିର କ୍ଷୁଧା, ବୁଭୁକ୍ଷା, ଦୁଃଖ, ଦୈନ୍ୟ, ପୀଡ଼ା, ସହି ସହି ସେ ହୋଇଥିଲେ ପଥର । ମାଟି ଉପରେ କାମ କରିକରି ମିଶିଗଲେ ମାଟିରେ । ଆଉ ଛାଡ଼ି ଦେଇଗଲେ ମାନସକୁ ।

 

ମାନସ ଜନନୀଙ୍କଠାରୁ ଶୁଣିଥିଲେ, ସମସ୍ତ ଦୁଃଖମୟ ଅକୁହା କାହାଣୀ । ଆଉ ଆଜି, ଏହି ତଥାକଥିତ ପରାଙ୍ଗପୃଷ୍ଟ ସମାଜର ମାତବର ଲୋକଗୁଡ଼ାଙ୍କୁ ଖୁଆଇ ଆତ୍ମତୃପ୍ତି ପାଉଚନ୍ତି ତାଙ୍କର ସହଧର୍ମଣୀ ।

 

ଦାଣ୍ତରେ ଛିଡ଼ା ହେଇଚନ୍ତି ଅର୍ଦ୍ଧନଗ୍ନ, ବୁଭୂକ୍ଷୁ ଭିକାରୀ ଦଳ । ସେମାନଙ୍କ ପ୍ରତି କାହାର ନଜର ନାହିଁ । ଏଗୁଡ଼ିକ ଅବାଞ୍ଛିତ । ସମାଜର ଦୁଷ୍ଟ ବ୍ରଣ । ସଭିଙ୍କ ନିକଟରେ ଏ ଗୁଡ଼ାକ ଘୃଣ୍ୟ । ସତେ କି ନିର୍ବୋଧତା !

 

ଉଠି ଯାଇଥିଲେ ମାନସବାବୁ । ଇଙ୍ଗିତ ଦେଲେ ଭିକାରୀଦଳଙ୍କୁ । ପ୍ରସେସନ୍ ହେଲା ସହରର ମିଷ୍ଟାନ ଭଣ୍ତାରକୁ । ସେଠାରେ ନିଜ ହାତରେ ଭିକାରୀଙ୍କୁ ଖାଦ୍ୟ ବଣ୍ଟନ କରି ମାନସବାବୁ ଆତ୍ମତୃପ୍ତି ପାଇଥିଲେ ।

★★★

 

Unknown

ମହାତ୍ମାଗାନ୍ଧି ଏଠାରେ ବିଶ୍ରାମ କରିଥିଲେ

 

‘ମହାତ୍ମା ଗାନ୍ଧି ଏଠାରେ ବିଶ୍ରାମ କରିଥିଲେ ।’ ଗୋଟିଏ ସୁନ୍ଦର ମଣ୍ତପରେ ଏତିକି ଲେଖା ହୋଇଥିଲା । ବିଜୁଳୀବତୀରେ ଶେଷଦେବ ଏତକ ପଢ଼ିଲା । ତା ଅଜଣାତରେ ତାରିଠାରୁ ଦୀର୍ଘନିଶ୍ୱାସ ବାହାରି ପଡ଼ିଲା । ଖରାଦିନ । ଏଇଠାରେ ଗାଁ ମହାଜନ ନିଧିରାମ ଶୋଇଚି । ଇଆରି ଲାଗି ଶେଷଦେବର ଘରସଂସାର ନାରଖାର ହୋଇଚି । ଟିପ କରି ନେଇଥିଲା ଏଇ ନିଧିରାମ । ବାପ ଯାଇଥିଲା ରେଙ୍ଗୁନ । ଜୀବନ ତମାମ ଖଟି ଖଟି ଟଙ୍କା ପଠାଇଲା । ଶୁଝା ଗଲା ନାହିଁ । ମା’ ଗାଁ ଲୋକଙ୍କ ଘରମାନଙ୍କରେ ଖଟି ଖଟି ରୋଗୀ ହେଲା । ଉଭୟେ ଆରପୁରକୁ ଗଲେ । ଗଲାବେଳକୁ କହିଗଲେ ଶେଷରେ, କରଜ ଟଙ୍କା ନ ଶୁଝିଲେ, ଆମେ ନରକରେ ଘାଣ୍ଟି ହେବୁ । ତୁ ସବୁତକ ଶୁଝିବୁ ।

 

ଶେଷଦେବ ବି ରେଙ୍ଗୁନ ଚାଲିଗଲା । ଗଲାବେଳକୁ ଦସ୍ତଖତ କରି ଦେଇଥିଲା ଶହେଟଙ୍କାକୁ । କେତେ ଶହ ଶୁଝିଲା ହେଲେ ନିଧିରାମର ଟଙ୍କା ପରିଶୋଧ ହେଲା ନାହିଁ । ବରାବର କଡ଼ା ତାଗିଦ ତା ନାମରେ ଆସିଲା । ବଡ଼ ଅଶ୍ୱସ୍ତି ବୋଧ କରିଥିଲା ଶେଷଦେବ । ଗାଁ ଲୋକଙ୍କୁ ତା କରୁଣ କାହାଣୀ ଶୁଣାଇଥିଲା ସାନ୍ତ୍ୱନା ପାଇବାର ଆଶା କରି । ମାତ୍ର ଅନ୍ୟମାନେ ତା ଦୁଃଖ ଲାଘବ କରିବେ କ’ଣ ସେମାନଙ୍କ ନିଜ ନିଜ ଅଙ୍ଗେ ନିଭାଇ ଥବା ଇତିବୃତ୍ତି ଶୁଣାଇଲେ ।

 

ତାରି ସାଙ୍ଗ ବାସୁ । ରାଣ୍ତ ମାଆଟି ତାର ରୋଗରେ ପଡ଼ିଲା । ସେ ଆଣିଥିଲା କରଜ । ମା’ଟି ତ ମଲା; ନିଜ ଜନ୍ମଭୂମି ଛାଡ଼ି ଅକ୍ଳାନ୍ତ ଶ୍ରମ କରି ସେ ‘ଶସ’ ଖାଇ ‘ରସ’ ପଠାଇ ବେଦମ ହେଲେ । ନିଧିରାମର ଟଙ୍କା ପରିଶୋଧ ହେଉନି । ତାର ବାଗ୍‍ଦତ୍ତା ଭାବୀପତ୍ନୀଠାରୁ ଚିଟାଉ ପରେ ଚିଟାଉ ଆସିଲା । ଅବଶେଷରେ ସେ ପୋଖରୀରେ ଡ଼େଇଁ ଆତ୍ମହତ୍ୟା କଲା ।

 

ବାଞ୍ଛା ଦାଦି ତାଠାରୁ ପାଞ୍ଚବର୍ଷ ବଡ଼ । ଚାଟଶାଳୀ କରି ସେ ବେଶ୍ ଚଳି ଯାଉଥିଲା । ପୁଅଟିଏ ହେଲା । ଧୁମ୍‍ଧାମରେ ଏକୋଇଶିଆ କରିବାକୁ ଗାଁ ଲୋକେ ଉସୁକାଇଲେ । ନିଧିରାମ ଗୋଟିଏ ହାତରେ ଟଙ୍କାଥଳୀ ଓ ଆର ହାତରେ କଚେରୀ କାଗଜ ଧରି ହାଜର । ଟଙ୍କା କରଜ କଲା ବାଞ୍ଛା ଦାଦି । ଟଙ୍କା ବଢ଼ିଲା । ହେଲେ ରୋଜଗାର କମିଲା; ପିଲେ ସରକାରୀ ସ୍କୁଲକୁ ଗଲେ-। ବାଞ୍ଛା ଦାଦିର ଉଚ୍ଚଶିକ୍ଷା ନ ଥିଲା । ସେ ଶିକ୍ଷକ ହେବା ପାଇଁ ଅଯୋଗ୍ୟ ହେଲା । ରେଙ୍ଗୁନ ଚାଲି ଆସିଲା । ଧାର ଶୁଝି, ନିଜେ ଖାଇ ଘରକୁ ଟଙ୍କା ପଠାଇବା ଅସମ୍ଭବ ହେଲା । ନ ଖାଇ, ନ ପିଇ ସ୍ତ୍ରୀ ଓ ପୁଅଟି ସେ ପୁରକୁ ଋଷି କରି ଚାଲିଗଲେ ।

 

ଆନନ୍ଦ ନନା । ବ୍ରାହ୍ମଣ ଘରର କୁଳତିଳକ । ବାଡ଼ିର ପନିପରିବା ଆଉ ଘରର କାଳିଗାଈର ଯତ୍ନ ନେଇ ବେଶ୍ ଚଳି ଯାଉଥିଲା । ପିଲାଟି ଦିନୁ ବାପ ମା’ ମରି ଯାଇଥିଲେ । ବଅସ ହେଲା, ବଭାଘର କଥା ଉଠିଲା । ଟଙ୍କା ଲୋଡ଼ା । ନିଧିରାମ ଅଯାଚିତ ଭାବରେ ଉପସ୍ଥିତ ହେଲେ-। ଟଙ୍କା ଥଳି ଖୋଲିଦେଲେ । ଧୁମ୍‍ଧାମରେ ବାହାଘର ହେଲା । ବିଭାଘର ଚଉଠି ଦିନ ବି ଟଙ୍କା କରଜ । ଭୋଜି ଭାତ । ବରଷକ ପରେ ଘର କରୋଖ । ଗାଈ, ବାଡ଼ି, ଘର ଦ୍ୱାର ସବୁ ଗଲା-। ବିଚରା ଆନନ୍ଦ ନନା ତା ଯୁବତୀ ସ୍ତ୍ରୀକୁ ବାପ ଘରେ ରଖି ଆସିଚି ରେଙ୍ଗୁନ । ପାଞ୍ଚବର୍ଷ ହେଲା ଟଙ୍କା ଶୁଝା ଚାଲିଚି । ସରୁ ନାହିଁ ।

 

ଆଉ କେତେଜଣ ନିଧିରାମର ଅପକୃତ କଥା ବର୍ଣ୍ଣନା କରିଗଲେ । ଶେଷଦେବ ସବୁ ଶୁଣିଲା । ତାର ଦିହ ଜଳିଉଠିଲା । ଯୁବକ ରକ୍ତର ତାତି ତାକୁ ତତାଇ ଦେଲା । ପ୍ରତିହିଂସାବହ୍ନି ପ୍ରଜ୍ୱଳିତ ହେଲା । କେତେ କେତେ ଘର ଭାଙ୍ଗି ଏ ଅସାଧୁ ମହାଜନ ନିଜ ଘରର ବଡ଼ତି କରୁଚି । ଗରିବଙ୍କ ତଣ୍ଟି ଚିପି ତଥାକଥିତ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଦେଇ ନେଇ ରାଏ ସାହେବ ଉପାଧି ପାଇଚି-। ସମାଜ ଏପରି ରକ୍ତଶୋଷକକୁ ସମୁଚିତ ଦଣ୍ତ ଦେଉନି । ଜେଲ ବେଡ଼ି ପିନ୍ଧିବା ପାଇଁ ଉପଯୁକ୍ତ ବ୍ୟକ୍ତି ସୁନା ଖେଡ଼ୁ ପିନ୍ଧି ଛାତି ଫୁଲାଇ ଚାଲିଚି ଦୁନିଆରେ । ସଭ୍ୟତାର ଏହି ଅଶୁଭ ସ୍ରୋତର ଗତି ବଦଳାଇବାକୁ ହେବ । ଏହି ଅସଭ୍ୟ ଜଗତର ଅବାଞ୍ଛିତ ଜୀବନ ଜୀବନ ଦୀପ ନିଭାଇବାକୁ ପଡ଼ିବ-

 

ପ୍ରତିଶୋଧର ଆକାଙ୍କ୍ଷା ଶେଷଦେବ ହୃଦୟର ମାନବିକତାକୁ ନଷ୍ଟ କରିଦେଲା । ହୃଦୟଟିକୁ ତାର ଦାନବିକ ପଶୁ ପରି ହିଂସ୍ର କରି ପ୍ରଜ୍ୱଳିତ କଲା । ପାଥେୟ ସଂଗ୍ରହ କଲା ଶେଷଦେବ । ଧାଇଁଲା ନିଜ ଗ୍ରାମକୁ । ଅଖିଆ ଅପିଆ ବ୍ରତ ପୂରଣ ପାଇଁ ସେ ଆଗେଇ ଆସିଲା । ରାତି ଦୁଇଘଡ଼ି । ନିଧିରାମ ଘରକୁ ଗଲା । ବୁଝିଲା, ବୁଢ଼ା ଗାଁ ମଣ୍ତପରେ ଶୋଇଚି । ବଡ଼ ସୁଯୋଗ-। ଏପରି ସୁଯୋଗ ଆଉ ଆସିବ ନାହିଁ । ଏ ସୁଯୋଗ ଛାଡ଼ିଲେ ଆଉ ଏପରି ସୁବର୍ଣ୍ଣ ସୁଯୋଗ ଦ୍ୱିତୀୟଥର ମିଳିବାର ନୁହଁ । ବହୁ ଘର ଭାଙ୍ଗିଚି ଏ ନିଧିରାମ । ଆଜି ତା ତଣ୍ଟି ଚିପି ଦେଇ ସେ ନେବ ତାର ପ୍ରତିଶୋଧ ।

 

ପ୍ରତିଶୋଧର ବହ୍ନିଯୁକ୍ତ ଧୂଆଁ ଭିତରେ ତାରି ଅଭୁକ୍ତ ରୁଗ୍‍ଣ ପିତା ମାତାଙ୍କ ପରି ଅସଂଖ୍ୟ ଗ୍ରାମବାସୀଙ୍କର ଅତୃପ୍ତ ଅଶରୀରୀ ଛାୟା ତା ଆଗରେ ଛିଡ଼ାହେଲେ । ଓହୋ, ସେମାନେ କେତେ ବ୍ୟାକୁଳ । ସତେ ଅବା ଶେଷଦେବର ନେତୃତ୍ୱ ଭିକ୍ଷା କରୁଚନ୍ତି ସେମାନେ । ଉତ୍ସାହିତ କରୁଚନ୍ତି ଶେଷଦେବକୁ ଆଗେଇ ଯିବାକୁ ।

 

ଶେଷଦେବ ଆଗେଇ ଗଲା । ରାତି ଅଧ, ସମସ୍ତ ଧରଣୀ ସୁପୁପ୍ତ । ମଣ୍ତପ ଆଲୋକରେ ଆଲୋକିତ କେଇଟି ଅକ୍ଷର—‘ଏଇଠାରେ ଗାନ୍ଧି ବିଶ୍ରାମ କରିଥିଲେ’ ତା ଆଖି ଆଗରେ ଝଲସି ଉଠିଥିଲା । ସେ ସ୍ତବ୍ଧ ହୋଇ ଛିଡ଼ା ହୋଇଗଲା । ତା ମୁଣ୍ତ ବୁଲାଇ ଦେଲା, ସେ ମଣ୍ତପ ଉପରେ ବସି ପଡ଼ିଲା । ତା ଆଖି ଆଗରେ ‘ଯୀଶୁ’ ଓ ‘ଗାନ୍ଧୀ’ଙ୍କର ପ୍ରତିମୂର୍ତ୍ତି ଜୀବନ୍ତ ହୋଇ ନାଚିଉଠିଲା । ‘ହେ ପ୍ରଭୁ ! ଏମାନେ କ’ଣ କରୁଚନ୍ତି ଜାଣୁ ନାହାନ୍ତି; ଏହାଙ୍କୁ କ୍ଷମା କର’—ଯୀଶୁ କହିଥିଲେ । କି ଉଦାରତା ! ନିଷ୍ଠୁର ମାନବସମାଜ ତାଙ୍କୁ କଣ୍ଟକବିଦ୍ଧ କଲାବେଳକୁ ସେ ଏହି ବାଣୀ ଉଚ୍ଚାରଣ କରିଥିଲେ । କି ଶକ୍ତିଶାଳୀ ପୁରୁଷ, କି ଦୃଢ଼, କି କ୍ଷମାଶୀଳ । ଆଉ ବାପୁଜୀ ! ଆଫ୍ରିକାରେ ମାଡ଼ ଖାଇଲେ । ପୁଲିସ ପଚାରିଲା ଅଥଚ କ୍ଷତ ବିକ୍ଷତ ବାପୁଜୀ କହିଥିଲେ—ମୋର କିଛି କହିବାର ନାହିଁ । କି ଅପୂର୍ବ ସାଧନା ସତେ ! ଅହିଂସାର ପ୍ରତିମୂର୍ତ୍ତି ଦୁଇଟି ଶେଷଦେବ ନିକଟରେ କୁହୁକ ପରି କାମ କଲେ । ଦିହ ଶିହରୀ ଉଠିଲା । ସତେ ଅବା ଧରଣୀ ଥରି ଉଠିଲା । ଛାତି ଧଡ଼ ଧଡ଼ ହେଲା । ଦିହରୁ ଶ୍ରମ ଝାଳଟାଏ ବୋହିଗଲା । ସେ ସେହି ମଣ୍ତପରେ ଗଡ଼ି ପଡ଼ିଲା-। ନିଦ ହୋଇଗଲା । ଛାଇ ନିଦ ।

 

ପୁଣି ଶେଷଦେବ ଉଠି ବସିଲା । ସମସ୍ତଙ୍କୁ ଚାହିଁଲା । ସଭିଏଁ ଶୋଇଚନ୍ତି । ନିଧିରାମ ସୁଖରେ ଶୋଇଚି । ଏ ତ ସୁଯୋଗ । ଏ ସୁଯୋଗ ହରାଇଲେ ଚଳିବ ନାହିଁ । ଗୁରୁଣ୍ତି ଗୁରୁଣ୍ତି ଗଲା ଶେଷଦେବ, ହାତମୁଠା ମୁଠା କଲା । ନିଧିରାମ ବେକକୁ ହାତ ବଢ଼ାଇଲା । ପୁଣି ସେଇ କଥା–‘ମହାତ୍ମାଗାନ୍ଧି ଏଇଠାରେ ବିଶ୍ରାମ ନେଇଥିଲେ ।’ ପୁଣି ଗାନ୍ଧୀ ଓ ଯୀଶୁଙ୍କ ଛବି । ଓଃ ଛାତି ଫାଟିଯିବ । ସେଠାରୁ ଉଠିଗଲେ ଶେଷଦେବ । ତଣ୍ଟି ଶୁଖି ଯାଉଥିଲା । ଶ୍ୱାସ ରୁଦ୍ଧ ହୋଇ ଆସୁଥିଲା । ପାଖରେ ଥିବା କଳରୁ ପେଟେ ପାଣି ପିଇ ଫେରିଆସିଲା । ମଣ୍ତପ ଉପରେ ବସିଲା ।

 

କେତେବେଳେ ପୁଣି ଶୋଇପଡ଼ିଚି, କି ସୁନ୍ଦର ଦୃଶ୍ୟସବୁ ତା ଆଖି ଆଗରେ ଝଲସି ଉଠିଲା । ପିଲାଦିନର ବାପୁଜୀ । ଛେଳି ମାଂସ ଖାଇଚନ୍ତି । ତା’ର ଦୃଶ୍ୟରେ ଅଧୀର । ବନ୍ଧୁ ବାନ୍ଧବଙ୍କ ଦ୍ୱାରା ଅବାଞ୍ଛିତ ଘୋଷିତ କୁଷ୍ଠରୋଗୀଙ୍କୁ କି ଆନନ୍ଦ ମନରେ ସେବା କରୁଚନ୍ତି । ଘାତକ ବନ୍ଧୁକ ଚୋଟରେ ଅସୂୟା ପ୍ରକାଶ କରି ହେ ‘ରାମ’ କହି ଟଳି ପଡ଼ୁଚନ୍ତି । ଆଉ ଯୀଶୁଖ୍ରୀଷ୍ଟ । ଦିହରେ କଣ୍ଟା ମରା ଚାଲିଚି । ସେମିତି ପ୍ରଶାନ୍ତ, ଉଦାର ଓ ଗମ୍ଭୀର । ମୁଖରେ କାଳିମା ଟିକିଏ ନାହିଁ ଶେଷ ପର୍ଯ୍ୟନ୍ତ ।

 

ସ୍ୱପ୍ନ ଭାଙ୍ଗିଗଲା, ଲୋକ ଗହଳି ଓ ପାଟି ତୁଣ୍ତରେ । ନିଧିରାମକୁ ସାପ କାମୁଡ଼ିଚି । ସେ ମରି ଯାଇଚି । ମରୁ, ତାର ଶବ ସତ୍କାର କରିବାରେ ସଭିଏଁ ବିମୁଖ । ସେ ପରା ସମସ୍ତଙ୍କୁ ସାଧିଚି । ଶେଷଦେବ ଆଖି ମଳି ମଳି ଉଠିଲା । ଉନ୍ମାଦ ବ୍ୟକ୍ତି ପରି ନିଧିରାମ ଶବଟିକୁ ଧରି ଆଗେଇ ଚାଲିଲା । ଦୁନିଆକୁ ଚିର ପବିତ୍ର କରୁଥିବା ଜଳସ୍ରୋତରେ ନିଧିରାମର କଳୁଷିତ ମୂର୍ତ୍ତିଟିକୁ ଭସାଇ ଦେଲା ।

★★★

 

ମହାର୍ଘ

 

ସୁନା ଯାଇଥିଲା ପାଠ ପଢ଼ିବାକୁ । ସେଦିନ ସାର୍‍ଙ୍କ ପୁଅର ବିକଳ କ୍ରନ୍ଦନ ତାକୁ ବଡ଼ ବାଧିଲା । ଘରେ ଏକ ଜିଦ୍ ଧରିଲା । ବଡ଼ ଘରର ଗୋଟିଏ ବୋଲି ପୁଅ; ତା କଥା ରହିଲା । ତହିଁଆରଦିନ ଗୋଟେ ସିନ୍ଧୀ ଗାଈ ସାର୍‍ଙ୍କୁ ଦିଆଗଲା । ସାର୍‍ଙ୍କ ପୁଅର ଆନନ୍ଦ କହିଲେ ନ ସରେ-

 

ଗାଈ ସେବାରେ ସ୍ୱୟଂ ସାର୍‍ ଓ ସାର୍‍ ଙ୍କ ସ୍ତ୍ରୀ ଲାଗି ପଡ଼ିଲେ । ଗାଈଟିର ପିଲା ହେବ । ଗାଈଟି ପ୍ରଚୁର ଦୁଧ ଦବ । ନିଜେ କିଛି କିଛି ବିକି ପଇସା ଅର୍ଜନ ହେବ । ଉଜ୍ଜ୍ୱଳ ଭବିଷ୍ୟତ ଶିକ୍ଷକ ଦମ୍ପତ୍ତିଙ୍କୁ ଆନନ୍ଦାଭିଭୂତ କରିଥିଲା । ଗାଈର ପିଲା ହେଲା । ମାଈ ବାଛୁରୀଟିଏ । ସମସ୍ତଙ୍କ ମନ ଆନନ୍ଦରେ ଉଚ୍ଛୁଳି ପଡ଼ିଲା । ସବୁଠୁ ଖୁସି ହୋଇଥିଲେ ସାର୍‍ଙ୍କ ପୁଅ ।

 

ଦୁଧ ଦୁହାଁ ହେଲା । ପହିଲି ଦିନର ଦୁଧ ମହାଦେବଙ୍କ ମୁଣ୍ଡରେ ଢଳା ହେଲା । ସାର୍‍ଙ୍କପୁଅ ଏଥିରେ ପ୍ରତିବାଦ କରିଥିଲା । ଦୁଧ ତାକୁ ଆଗ କାହିଁକି ଦିଆଗଲା ନାହିଁ ବୋଲି ବିରକ୍ତ ପ୍ରକାଶ କରିଥିଲା । ବଡ଼ ମଣିଷଙ୍କ ପରି କହିଥିଲା—ମଣିଷ ଦୁଧ ଖାଇବାକୁ ପାଉ ନାହାନ୍ତି । ଆଉ ବୃଥାରେ ପଥର ଉପରେ ଦୁଧ ଇଡ଼ା ଚାଲିଚି ।

 

ଏଥିରେ ସାର୍‍ଙ୍କ ସ୍ତ୍ରୀ ଜିଭ କାମୁଡ଼ି ପକାଇଲେ । ପୁଅ ପାଟିରେ ହାତ ଦେଇ କଥା କହିବା ବନ୍ଦ କରାଇ ଦେଲେ, କାନ୍ଦ କାନ୍ଦ ହୋଇ କହିଲେ—ହେ ପ୍ରଭୁ ! ନିର୍ବୋଧ ବାଳକ ମୋର କିଛି ଜାଣେନି । ପାଗଳଙ୍କ ପରି କ’ଣ ଗୁଡ଼େ କହୁଚି । ତାକୁ କ୍ଷମା କର । ଏ ଘର ପ୍ରତି ଶୁଭ ଦୃଷ୍ଟି ପଡ଼ୁ ।

 

ଶୁଭ ଦୃଷ୍ଟି ପଡ଼ି ନ ଥିଲା ସାର୍‍ଙ୍କ ଘରେ ଠାକୁରଙ୍କର । ବାଛୁରୀଟି ମରିଗଲା । ଗାଈଟି ଶୁଖି ଶୁଖି ଆସିଲା । ସତେ ଅବା ମହାଦେବ ଅଭିଶାପ ଢାଳିବାରେ ଲାଗିଗଲେ ।

 

ଗାଈଟି ଦିନେ ଦୁଇଦିନ ପରେ ଶୋଇ ରହିଲା । ଖାଲି ତା ଆଖିରୁ ଲୁହ ବୋହିବାରେ ଲାଗିଲା ଓ ତା’ପରେ ଖର ନିଶ୍ୱାସ ବୋହିଲା । ସାର୍‍ ଦଉଡ଼ିଲେ ପଶୁ ଡାକ୍ତରଙ୍କ ପାଖକୁ । ଡାକ୍ତର ଆସିଲେ । ଗାଈଟିକୁ ତନ୍ନ ତନ୍ନ କରି ପରୀକ୍ଷା କଲେ । ଲମ୍ୱା ଔଷଧ ତାଲିକାଟିଏ ବଢ଼ାଇ ଦେଲେ-। ତାଙ୍କର ଫିସ୍‍ ମୁଠାକ ଧରି ସେ ବାହାରିଗଲେ । ବୋଝ ଉପରେ ଏହା ନଳିତା ବିଡ଼ା ।

 

ରାମିଆ ଗଉଡ଼ ଆସିଲା । ସାର୍‍ କିଣିଥିବା ଗୋଖାଦ୍ୟକୁ ତନ୍ମ ତନ୍ନ କରି ପରୀକ୍ଷା କଲା-। କହିଲା—ଅଳପଇସା ଗୁଡ଼ିକ ମୂକ ଜୀବଙ୍କ ଜୀବନ ନେଇ ଖେଳୁଚନ୍ତି । ଗାଈଙ୍କ ଖାଦ୍ୟରେ ଗୁଡ଼ାଏ କ’ଣ ମିଶାଇ ଦଉଚନ୍ତି । ଏଥକୁ ଆମ ଲୋକେ ଆଗରୁ ସାବଧାନ ହୋଇ ଘାସ, ନଡ଼ା, ପାଳ, କୁଣ୍ଡା, କୁଳୁଚି, ପିଡ଼ିଆ ଆଦି ଖାଇବାକୁ ଦେଉଥିଲେ । ବାବୁ, ଏବେ ବିଜ୍ଞାନ ଯୁଗ, ଭଲ ତ ନାହିଁ ଭେଲ ସବୁଠି । ଗଢ଼ିବା ତ ନାହିଁ ଧ୍ୱଂସ ସବୁରି ମୂଳରେ ।

 

ରାମିଆ ଗଉଡ଼ଟି ଛୋଟ ହେଲେ ତା କଥାଟା ଥିଲା ବଡ଼ । ସେ ଥିଲା ଜନ୍ମରୁ ମୂର୍ଖ, ହେଲେ ତାର ପରମ୍ପରା ତାକୁ ଦେଇଥିଲା ପାଣ୍ଡିତ୍ୟ । ସାର୍‍ଙ୍କ ମନ ପାପ ଛୁଇଁଲା । ସେ ଗୋ-ଖାଦ୍ୟ ଧରି ଧାଇଁଲେ ଡାକ୍ତରଙ୍କ ପାଖକୁ । ଡାକ୍ତର ପରୀକ୍ଷା ନିରୀକ୍ଷା କରି କହିଲେ—ଖାଦ୍ୟ ଦ୍ରବ୍ୟ ଠିକ୍ ଅଛି ।

 

ସାର୍‍ ମନକୁ ବୁଝାଇ ଦେଲେ । ରାମିଆଁଟା ମୂର୍ଖ । ଡାକ୍ତରବାବୁ ପଣ୍ଡିତ । ଗଦା ଗଦା ବହି ଧରି ପଢ଼ି ସେ ଚିକିତ୍ସା ଶାସ୍ତ୍ର ଅଧ୍ୟୟନ କରି ଅଛନ୍ତି । ବିଭିନ୍ନ ଜୀବଙ୍କ ଖାଦ୍ୟ ସମ୍ୱନ୍ଧରେ ସେ ଗବେଷଣା କରିଅଛନ୍ତି । ଆଉ ଏ ରାମିଆଟା ଗୋଟାଏ ଜଡ଼ ଜୀବ,ଗଜ-ମୂର୍ଖ । ଅନ୍ଧ ସଂସ୍କାର ଓ ଅଚଳ ପରମ୍ପରା ନେଇ ଏଇଟା ଜନ୍ମଲାଭ କରିଚି । ଏମିତି କେତେ କଣ ଭାବି ଲାଗିଲେ ସାର୍‍ ।

 

ହୁଏତ ଆହୁରି କେତେ କ’ଣ ଭାବି ଚାଲିଥାଆନ୍ତି । ସ୍ତ୍ରୀଙ୍କର କରୁଣ କ୍ରନ୍ଦନ ଧ୍ୱନି ଓ ପୁଅର ବିକଳ ସ୍ୱନ ସାର୍‍ଙ୍କ ଚିନ୍ତାରାଜ୍ୟରୁ ବାସ୍ତବ ଜଗତକୁ ଟାଣି ଆଣିଲା । ସେ ଯାଇ ଦେଖିଲେ ଯେ, ଗାଈଟି ମରି ଶୋଇଚି । ତାଙ୍କର ସମସ୍ତ ଆଶା ଓ ଆକାଙ୍‍କ୍ଷା ଧୂଳିଘର ଝଡ଼ରେ ଉଡ଼ିଗଲା ପରି ଉଭେଇଯାଇଚି ।

 

ଗାଈଟିକୁ ସ୍ଥାନାନ୍ତରିତ କରିବାରେ କିଛି ଖର୍ଚ୍ଚ ହେଲା । ପୁଣି ରାମିଆର କଥା କେଇପଦ ତାଙ୍କର କର୍ଣ୍ଣକୁହରରେ ଧ୍ୱନିତ ହେଲା । ସେ ଚିନ୍ତିତ ମନରେ ସ୍କୁଲକୁ ବାହାରିଲେ । ବାଟରେ ଦେଖିଲେ ଯେ, ପଶୁ ଡାକ୍ତର ବାବୁ ଗୋ-ଖାଦ୍ୟ ଦୋକାନରେ ବସି ଚା’ପାନ କରୁଚନ୍ତି । ବିକ୍ରେତା ଓ ଡାକ୍ତରଙ୍କର ଆମୋଦପୂର୍ଣ୍ଣ କଥୋପକଥନ ତାଙ୍କ ମନରେ ସନ୍ଦେହ ଜନ୍ମାଇଲା । ଚିନ୍ତିତ ମନରେ ସେ ସ୍କୁଲକୁ ଗଲେ । ସାଙ୍ଗ ସାଥୀଙ୍କୁ ନିଜର କରୁଣ କାହାଣୀ ଶୁଣାଇଲେ । ସମସ୍ତେ ଚୁପ୍ ହୋଇଗଲେ । ହେଲେ ଚନ୍ଦ୍ରମାଷ୍ଟ୍ରେ ବଡ଼ ଚତୁର ଲୋକ । ସେ ବନ୍ଧୁଙ୍କୁ ଡାକି ନେଇ ତାଙ୍କ କାନରେ ଫୁସ୍‍ଫୁସ୍ କରି ଦୁଇପଦ କହିଦେଲେ—କହିଲେ, ଆରେ ଭାଇ ! ସଭ୍ୟତାର ଅଗ୍ରଗତି ଏଇ ବାଟରେ ହେଉଚି । ପାଠ ପଢ଼ୁଆ ବିଜ୍ଞାନୀଏ, ଏବେ ମୁନାଫାଖୋର୍ କଳାବଜାରୀଙ୍କ ଦଲାଲ ହେଲେଣି । ସେମାନେ ଦେଶର ଓ ଜାତିର ପରମ୍ପରା ଭୁଲିଯାଇ ଜଡ଼ବାଦୀ ହୋଇ ଉଠିଲେଣି । ଅର୍ଥୋପାର୍ଜନ ପାଇଁ ସେମାନେ ସବୁ କିଛି କରି ପାରୁଚନ୍ତି । ମୋର କାହିଁକି ସେ ଡାକ୍ତରଟା ଉପରେ ସନ୍ଦେହ ହେଉଚି । ଆଚ୍ଛା, ଲୋକଙ୍କୁ ଲଗାଇ, ସେହି ଗୋ-ଖାଦ୍ୟର ସାର ବା ଅସାରତା ପରୀକ୍ଷା କରିନେବେ ।

 

ତାହାହିଁ ହେଲା । ଗୋ-ଖାଦ୍ୟ ପରୀକ୍ଷା କରାଗଲା । ତହିଁରେ ବିଷାକ୍ତ ପଦାର୍ଥର ଅପମିଶ୍ରଣ ସମ୍ୱନ୍ଧେ ପ୍ରମାଣ ମିଳିଲା । ମାତ୍ର ସେହି ଖାଦ୍ୟ ପଦାର୍ଥ କାହାର ପ୍ରମାଣ ହୋଇ ପାରିଲା ନାହିଁ । ସାର୍‍ ଡରିଗଲେ । କଥାଟା ପ୍ରମାଣ କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇଉଠିବ । ବିଚାରାଳୟର କରାଳ ଚିତ୍ର ତାଙ୍କ ଆଖି ଆଗରେ ମୁଖ ବ୍ୟାଦାନ କଲା । ସୁବିଚାର କେବଳ ଅର୍ଥ ଦ୍ୱାରା କିଣାଯାଇ ପାରେ । ସାକ୍ଷୀ, ଗୁହା ଆଦି ଦରକାର । ଓକିଲଙ୍କ ଫିଜ୍ ବଡ଼ ଟାଣ । ଇତ୍ୟାଦି ଇତ୍ୟାଦି ସାର୍‍ଙ୍କୁ ଯିଏ ଯେତେ ଉତ୍ତେଜିତ କଲେ ହେଁ ସେ କାହାରି କଥାରେ ଭାବିଲେ ନାହିଁ । ଚୁପ୍ ଚାପ୍ ଘରେ ରହିଲେ । ଏ କ୍ଷେତ୍ରରେ ବରଂ ଚୁପ୍ ରହିବା ଶ୍ରେୟସ୍କର ।

 

ପୁଅଟି ଆଇଲା । ଆଖି ଛଳ ଛଳ, ମୁହଁ ଶୁଖିଲା । ସାର୍‍ ପୁଅ ମୁହଁଟିକୁ ଚାହିଁ ସମ୍ଭାଳି ପାରିଲେ ନାହିଁ । ମୁହଁ ବୁଲାଇ ଦେଇ ଆଖି ପୋଛିଦେଲେ । ପୁଅକୁ କାଖେଇ ବଗିଚାକୁ ନେଇଗଲେ । ପୁଅ କହିଲା ବାପା, ଆମ ଗାଈ ବଞ୍ଚିବ ନାହିଁ ? ମଲା କାହିଁକି ? ବାଛୁରୀଟା ଆଗ ମଲା କାହିଁକି ? ସେଦିନ ବୋଉକୁ କହିଲି—ବୋଉ, ମୁଁ ମଲେ ତୁ କାନ୍ଦିବୁ ? ଏତିକିରେ ତ ମୋ ବୋଉ କାନ୍ଦି ଅସମ୍ଭାଳ । ସିଏ କହିଥିଲା, ମୁଁ ମରିଗଲେ ସେ ମତେ ଝୁରି ଝୁରି ମରିଯିବ । ସେଇକଥା ହେଲା ହେ ବାପା । ତା ଛୁଆ ମଲାରୁ, ଗାଈଟି ତାକୁ ଝୁରି ଝରି ମରିଗଲା ।

 

ସାର୍‍ ତୃପ୍ତିର ନିଶ୍ୱାସ ମାରିଲେ । ଅମୃତ ସନ୍ତାନ ଶିଶୁଟି ନ ବୁଝୁ ଯେ, ଦୁଇଟି ମହାର୍ଘ ଜୀବନଦୀପ ନିର୍ବାପିତ କରିଚି ରକ୍ତ ଲୋଲୁପ ଅର୍ଥ ପିପାସୁ ମାନବ । ମାନବ ଶିଶୁ ନ ବୁଝୁ ମନୁଷ୍ୟତ୍ୱହୀନ ଏହି ସଂସାରର ଜୀବ କିପରି ଦାନବ ହୋଇଉଠୁଚି । ଚାଳଘରେ ତାକୁ ନିଦ ଲାଗୁନି, ତାର ଦ୍ୱିତଳ ପ୍ରାସାଦ ଦରକାର । ସାମାନ୍ୟ କନା ଖଣ୍ଡିକରେ ତାର ଶରୀର ଆଦୃତ ହୋଇ ପାରୁନି । ତାର ଲୋଡ଼ା ପୁଞ୍ଜି, ବହୁମୂଲ୍ୟ ଆଡ଼ମ୍ୱର ପୂର୍ଣ୍ଣ ବେଶ ପୋଷାକ । ମୋଟା ଖାଇବା ଓ ରୋଟା ପିନ୍ଧିବାକୁ ସେ ଅସଭ୍ୟତା ମନେ କରୁଚି । ଖାଦ୍ୟ ପଦାର୍ଥରେ ଅପମିଶ୍ରଣ କରି ସେ ଅର୍ଥବଳ ବଢ଼ାଉଚି; ଅଥଚ ତାରି ସମାଜର ଶିଶୁ ସମାଜଠାରୁ ଆରମ୍ଭ କରି ଜୀବଜଗତ ପ୍ରତି ଟୋପାଏ ହେଲେ କରୁଣା ଦେଖାଉ ନାହିଁ । ଏହିପରି କେତେ କ’ଣ ସେ ଭାବି ଲାଗିଲେ, ଭାବନାର ସୁଅ ହୁଏତ ବୋହି ଚାଲୁ ଥାଆନ୍ତା; ମାତ୍ର ଦାଣ୍ଡରେ ଗୋଟାଏ କୋଳାହଳରେ ଚମକି ପଡ଼ି ସେ ଦାଣ୍ଡକୁ ଯାଇ ଦେଖିନ୍ତି ତ ଅପମିଶ୍ରଣକାରୀ ସେହି ବେପାରୀର ମୁଣ୍ଡରେ ଗୋଟିଏ ଚୋର ଟୋପି ଓ ତାର ସହାୟକ ଅଫିସରଙ୍କ ଗାଲରେ ଚୁନ କଳା ଲଗାଇ ଜନସମୁଦ୍ର ଆଗକୁ ମାଡ଼ି ଚାଲିଚି ।

★★★

 

ଅସ୍ତରଙ୍ଗ

 

ଆଠ ବର୍ଷର ଶିଶୁ ଟିଟୁ । ଦୁଇ ଆଖିରେ ଲୁହ ପୁରାଇ ନିଆଁ ମୁଠାଏ ସାବତ ମା’ ପାଟିରେ ଢାଳିଦେଲା । କଇଁ କଇଁ ହେଇ କାନ୍ଦି ପକାଇଲା । କାନ୍ଦି ପକାଇଥିଲେ ସମତାଳରେ ପିତା ଗଣେଶବାବୁ । ଗଣେଶବାବୁଙ୍କର ଏ ଦୁଃଖ ସରିବାର ନୁହେ । ଏହା ଚକ୍ରବୃଦ୍ଧି ହାରରେ ଏଣିକି ବଢ଼ି ଚାଲିବ । ମିନତ ପ୍ରାକ୍ ପୌଢ଼ ଅବସ୍ଥାରୁ ଏ ଧରଣୀ ଛାଡ଼ି ଚାଲିଗଲେ । ସେ ଅଭିମାନ କରି କରି ଆଖି ବୁଜିଲେ । ପେଟ ଭିତରେ ଦୁଃଖ ଯନ୍ତ୍ରଣାକୁ ଚାପି ଚାପି ସେ ବଳିତା ପରି ଜଳିଗଲେ । ଚବିଶଟି ବର୍ଷ କେତେ ଚଞ୍ଚିଳ ଚାଲିଗଲା । ମଥାରେ ସିନ୍ଦୂର ଆଉ ହାତରେ କାଚ ଧରି ସେ ଭବଲୀଳା ସାଙ୍ଗ କଲେ । ପଛରେ ଛାଡ଼ିଗଲେ ଗଣେଶ ବାବୁଙ୍କୁ, ଗୁଣ ଗୁଣି ଗୁଣି ଝୁରିବାକୁ ।

 

କାଲିପରି ମନେ ହେଉଚି । ପିତା ସଦାଶିବବାବୁ ଆଉ ମାତା ପାର୍ବତୀଦେବୀ ସର୍ବ ସୁଲକ୍ଷଣୀ, ଅନିନ୍ଦ୍ୟସୁନ୍ଦରୀ ବୋହୂଟିଏ ଘରକୁ ଆଣି ଥିଲେ । ଲୋକେ କହୁଥିଲେ ଯେ, ସାକ୍ଷାତ ଅନ୍ନପୂର୍ଣ୍ଣା ଆବିର୍ଭୂତା ହୋଇଚନ୍ତି ସଦାଶିବଙ୍କ ଘରେ । ଗୁଣରେ ସେ ସଭିଙ୍କୁ ମୁଗ୍ଧ କରି ଦେଇଥିଲେ-। ଚାକର ପୂଜାରୀଙ୍କୁ ଆଡ଼େଇ ଦେଇ ସେ ସକଳ କାର୍ଯ୍ୟକୁ ଆଦରର ସହିତ ସମାପନ କରୁଥିଲେ-। ହସ ହସ ମୁହଁଟି ସତେ ଅବା ସଦା ପ୍ରସ୍ଫୁଟିତ ପଦ୍ମଫୁଲ ପରି ଘରେ ଚହକି ଉଠୁଥିଲା ।

 

ବନ୍ଧୁ, ବାନ୍ଧବ, ସାଙ୍ଗ, ସାଥୀ, ପୋଇଲୀ, ପରିବାରୀ ମିନତଙ୍କ ବ୍ୟବହାରରେ ମୁଗ୍ଧ ହୋଇ ଉଠୁଥିଲେ । ସେ ଥିଲେ ଗରିବ-ଗୁରୁବାଙ୍କର ଦୁଃଖ ଅପନୋଦନକାରିଣୀ । ଗାଁଟା ଯାକର ପିଲେ ଠୁଳ ହୋଇ କଥା ପଦିଏ ବା ଗପ ଗୋଟିଏ ନ ଶୁଣିଲେ ତାଙ୍କୁ ଛାଡ଼ୁ ନ ଥିଲେ । ଗଣେଶ ବାବୁ ନିଜ ଗୃହର ପରମ୍ପରା ଓ ବୈଭବଠାରୁ ସହଧର୍ମିଣୀଙ୍କୁ ଅଧିକ ଶ୍ରେୟ ମନେ କରୁଥିଲେ ।

 

ବିବାହର ପାଞ୍ଚୋଟି ସୁଖମୟ ବର୍ଷ ମହାଆନନ୍ଦରେ କଟିଗଲା । ଗୋଟିଏ ସଦା ଆନନ୍ଦ ମୁଖରିତ ଘର ପୋକଖିଆ ଫୁଲ ପରି ମଉଳିବାକୁ ଆରମ୍ଭ କଲା । ପ୍ରଥମେ ପାର୍ବତୀ ଦେବୀ କାନ୍ଥ ବାଡ଼କୁ ଦେଖାଇ ପୁଅ ଝିଅର ଅଭାବ ବିଷୟରେ କହିଲେ । ସେଇ ରୋଗ ସଂକ୍ରାମକ ହୋଇଉଠିଲା । ପିତା ସଦାଶିବ ମଧ୍ୟ ସେଇ ଅଭାବ ସମ୍ୱନ୍ଧରେ ମନ୍ତବ୍ୟ ଦେଲେ । କ୍ରମେ କ୍ରମେ କଥାଟା ଘରର ଚାକର ଚାକରାଣୀଙ୍କ ମୁହଁରୁ ଫୁଟିଉଠିଲା ।

 

ଅଥଚ ଗଣେଶ ବାବୁ ଏସବୁ ଶୁଣି ନ ଶୁଣିଲା ପରି ରହିଲେ । କାନକୁ ଆଉ ଛାତିକୁ ପଥର କରି ସେ ରହିଲେ । ଯିଏ ପଚାରିଲା, କହିଲେ—କିହୋ ଅଯୋଧ୍ୟା ନରପତି ରାମଚନ୍ଦ୍ର, ଲଙ୍କାଧିପତି ରାବଣ, ହସ୍ତିନା ନରରାଣ ଦୁର୍ଯ୍ୟୋଧନାଦିଙ୍କର ବଂଶ ଅଛିଟି କି ?

 

ମିନତ ସବୁ ଶୁଣନ୍ତି । ଚିନ୍ତା ସାଗରରେ ଉବେଇ ଟୁବେଇ ହୁଅନ୍ତି । ଥଳକୂଳ ପାଆନ୍ତି ନାହିଁ । ସପକ୍ଷ ଓ ବିପକ୍ଷ ଯୁକ୍ତି ତାଙ୍କର ଏ କାନରେ ପଶି ସେ କାନରେ ବାହାରି ଯାଉଥାଏ । ଭାବନ୍ତି—ସତେ ତ ! ତାଙ୍କରି ସାଙ୍ଗରେ ଆଉ ସାତ ପଛରେ ଏଗାଁକୁ ଯେତେ ବୋହୂ ଆସିଚନ୍ତି, ସମସ୍ତଙ୍କ କୋଳରେ ଛୁଆ । ତାରି ଗାଁର ସାଥି ଉମା, ସରସ୍ୱତୀ, ବିମଳା, ଚପଳା, କମଳା ଆଉ ତାଠାରୁ ସାନ ଗୌରୀ, ଦମନ, ସୁଲୁ, ହୀରା, ସୁନା ସମସ୍ତେ ପୁଅ ଝିଅଙ୍କୁ ଧରି ମନ ଆନନ୍ଦରେ ଦିନ କାଟୁଚନ୍ତି । ଆଉ ସିଏ, ପୂର୍ବ ଜନ୍ମର କି ପାପରୁ ଆଜି ଜନନୀ ଗୌରବରୁ ବଞ୍ଚିତା ! ତାଙ୍କର ଆଖି ଆଗରେ ଗାଁର ରାଧୀନାନୀ ମନେ ପଡ଼ିଗଲେ । ସେ ଆଣ୍ଠୁକଡ଼ୀ । ଜଣେ ହେଲେ କେହି ତାଙ୍କ ମୁହଁ ଚାହିଁ ଅନୁକୂଳ କରି ଯାଆନ୍ତି ନାହିଁ । ପିଲେ ପରୀକ୍ଷା ଦେଇ ଗଲାବେଳେ, ଚାକିରୀଆ ଚାକିରୀ ଆରମ୍ଭ କରି ଗଲାବେଳେ, ବିବାହ ବ୍ରତ ଆଦି ଶୁଭକାର୍ଯ୍ୟ ପ୍ରାରମ୍ଭ ବେଳେ ତାଙ୍କ ମୁହଁକୁ କେହି ଚାହାନ୍ତି ନାହିଁ । କେତେ କାନ୍ଦି କାନ୍ଦି ରାଧୀନାନୀ ସତେ ତା ଆଗରେ ମନର ଯନ୍ତ୍ରଣା ବ୍ୟକ୍ତ କରି ନାହାନ୍ତି ! ଆଉ ଆଜି, ଆଜି ସେହି ଦୁର୍ଭାଗ୍ୟ ତାଙ୍କର ଘଟିଚି ।

 

ଗଣେଶବାବୁ ମିନତକୁ ରାଣ ନିୟମ ପକାଇ ମନ କଥା ବୁଝନ୍ତି । ତାଙ୍କୁ ବହୁତ ବୁଝାନ୍ତି । ମାତ୍ର ମିନତ ମନ ବୁଝେନି । କଥାରେ ଅଛି ‘ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି’ । ମିନତର ସେହି ପୂରିଲା ପୂରିଲା ଦେହଟି ଦୁର୍ବଳତର ହେଲା । ତହିଁକି ଶାଶୁ ଶଶୁର ପୁଅକୁ ପୁନର୍ବିବାହ ପାଇଁ କହି ବିଫଳ ହେଲେ । ବୃଥା କଥାରେ ମିନତୀ ଉପରେ ଅସନ୍ତୁଷ୍ଟ ହେଲେ; ରାଗ ଗର ଗର ହୋଇ କଥା କହିଲେ । ଚିଡ଼ି ଚିଡ଼ି ହେଲେ । ଏ କଥା ଦେଖି ଗଣେଶବାବୁ ମିନତକୁ ବହୁତ ବୁଝାଇଲେ । ମିନତ ବି ଗଣେଶବାବୁଙ୍କୁ ଦ୍ୱିତୀୟ ବାର ପରିଗ୍ରହ ପାଇଁ ଅନୁରୋଧ କଲା । ଗଣେଶ ବାବୁ ଶୁଣିଲେ ନାହିଁ-। ଶାଶୁ ଶଶୁର ସେ ପୁରକୁ ଚାଲିଗଲେ ।

 

ଗଣେଶ ବାବୁ ଭାବଲେ ଯେ, ତାଙ୍କୁ ନିଷ୍କୃତ ମିଳିଗଲା । ଏଣିକି ସେ ଆନନ୍ଦରେ ଦିନ କାଟିବେ । ଦ୍ୱିତୀୟ ଦାର ବିବାହର ପ୍ରସ୍ତାବ ଆଉ ଆସିବ ନାହିଁ । ମାତ୍ର ଆସିଲା ପ୍ରବଳତର ଭାବରେ ମିନତଙ୍କଠାରୁ । ଘରଟା ସବୁବେଳେ ତାଙ୍କୁ ନିଛାଟିଆ ଲାଗିଲା । ଦିଅଁ ବାଳ-ଗୋପାଳଙ୍କୁ ଦେଖି ସେ କାନ୍ଦେ । ପଡ଼ୋଶୀ ପିଲାଙ୍କୁ ସେ ଚାହିଁ ରହେ । ମାତୃତ୍ୱର ପିପାସା ବଳବତ୍ତର ହୋଇଉଠିଲା । ସେ ଶେଷକୁ ଚିନ୍ତାରେ ଶଯ୍ୟା ଧାରଣ କଲା । ଡାକ୍ତର ଆସିଲେ । ଚିନ୍ତା ଦୂର ନ ହେଲେ, ସେ ବଡ଼ ବ୍ୟାଧିରେ ପଡ଼ି ପାରନ୍ତି ଶୁଣି ଗଣେଶବାବୁ ବିବାହରେ ସମ୍ମତି ଦେଲେ ।

 

ମିନତ ନିଜ ଗାଁରେ ଗୋଟିଏ ଗରିବ ବଡ଼ ପରିବାର ଆଡ଼କୁ ଆଖି ବୁଲାଇଲା । ଅର୍ଥାଭାବରୁ କନ୍ୟାଦାୟ ମୁକ୍ତ ହେଇପାରୁ ନ ଥିଲା ସେହି ପରିବାରଟି । ଏକେ ତ ପିତା ନିର୍ଦ୍ଧନ ଓ ଦ୍ୱିତୀୟରେ କନ୍ୟା ରତ୍ନଟି ଦେଖିବାକୁ ଅସୁନ୍ଦର । ମିନତ ତାକୁ ନିଜ ଭଉଣୀ କରି କୋଳେଇ କାଖେଇ ନେଇ ଆସିଲା । ପୁଣି ମିନତର ପୂର୍ବ ସ୍ୱାସ୍ଥ୍ୟ ଫେରି ଆସିଲା । ଘରଟି ହର୍ଷ ମୁଖରିତ ହେଲା ।

 

ଠିକ୍ ଦୁଇଟି ବର୍ଷ ପରେ ନବ-ସନ୍ତାନ ଜନ୍ମ ଲାଭ କଲା । ଘରର ଆନନ୍ଦ ଦୁଇଗୁଣ ହୋଇ ବଢ଼ିଲା । ମିନତ ପିଲାଟିର ଖବର ଅନ୍ତର ବୁଝିଲା ମନ ଭରିଦେଇ । ଲୋକେ କହିଲେ ମିନତ ସିନା ଜନ୍ମ କରିନି, ହେଲେ ସେ ପିଲାଟି ପ୍ରକୃତରେ ତାଆରି ।

 

ପିଲାଟି ବଢ଼ି ଚାଲିଲା । ମିନତ ପାଖରୁ ମୁହୂର୍ତ୍ତେ ଅନ୍ତର ହେଲେ ନାହିଁ । ଏକେତ ଗଣେଶ ବାବୁ ମିନତର ଗୁଣ ବର୍ଣ୍ଣନାରେ ଶତମୁଖ ଥିଲେ, ସେଥିରେ ପୁଣି ପୁଅଟି ମିନତ ବିନା ଦଣ୍ଡେ ନିଜ ମା’ ପାଖକୁ ଆସିଲା ନାହିଁ । ଏଥିରେ ମା’ମନ ବୁଝନ୍ତା କେଉଁଠି । ସେ ମିନତିକୁ ଦେଖେଇ ଶୁଣେଇ ଗାଳି ଦବାରେ ଲାଗିଗଲା । ପହିଲେ ପହିଲେ ସ୍ୱାମୀଙ୍କୁ ଓ ପୋଇଲୀ ପରିବାରୀଙ୍କୁ ଲୁଚେଇ ଲୁଚେଇ ଗାଳି ଦିଆଯାଉଥିଲା । ପରେ ପରେ ସଭିଙ୍କ ଆଗରେ ଉର୍ତ୍ସନା ଦିଆଗଲା, ଅଭାଷା ବି କୁହାଗଲା । ଅକଥା ଶୁଣି ଶୁଣି ପୁଣି ଦୁର୍ବଳ ହେଲା । ସେ ପୁଅକୁ ନିଜ ପାଖକୁ ଆଣିବାକୁ ଭୟକଲା । ପୁଅକୁ ତାରି ଆଗରେ ମା’ ତାର ଭର୍ତ୍ସନା କରି ପ୍ରହାର କରିବାର ସେ ଦେଖି ସହି ପାରିଲା ନାହିଁ ।

 

ଏଥିରେ ମିନତି ଦବିଗଲା । ତାର ସ୍ୱାସ୍ଥ୍ୟ ପୁଣି ଚହଲି ଉଠିଲା । ଜଗତ ପ୍ରତି ତାର ବିତୃଷ୍ଣା ଜାଗରିତ ହେଲା । ଚନ୍ଦ୍ର ମୁଖଟିରେ ତାର କ୍ରମେ କ୍ରମେ କାଳିଆ ଦେଖାଗଲା । ବିତଶ୍ରଦ୍ଧ ହେଲା ମିନତ ଜୀବନଧାରଣ ପ୍ରତି ।

 

ମିନତକୁ ଦୂରେଇବାର ଦେଖି ପିଲାଟି ଝୁରି ଝୁରି ଦୁର୍ବଳ ହେଲା । ଖାଇବା ପିଇବା ଛାଡ଼ିଦେଲା । ଏଥିରେ ମା’ ରୁଦ୍ର ମୂର୍ତ୍ତି ଧାରଣା କରି ଭାବିଲା ମିନତ ଏ ସମସ୍ତ ଅଘଟଣ ମୂଳରେ ଓ ସେ ପିଲାଟିକୁ ଶୋଷିଦେବ ।

 

ଏକଥା ଶୁଣି ମିନତ ଖାଦ୍ୟ ଛାଡ଼ିଦେଲା । ଶେଯରେ ଶୋଇ ରହିଲା । ଯିଏ ଯେତେ କହିଲେ ଶୁଣିଲା ନାହିଁ । ଗତ୍ୟନ୍ତର ନ ଦେଖି ଗଣେଶବାବୁ ପୁଅଟିକୁ ବୁଝାଇଲେ । ପୁଅ ଥରିଲା ହାତରେ ମିନତକୁ ଦୁଧ ପିଇବାକୁ ଦେଲା । କାନ୍ଦି କାନ୍ଦି ଅଳି କଲା । ମିନତ ପୁଅ ପାଖରେ ହାର ମାନିଲା, ଢୋକେ ଦୁଧ ପିଇବା ସଙ୍ଗେ ସଙ୍ଗେ ଥୋକେ ରକ୍ତ ତଳେ ପଡ଼ିଗଲା । ଶୁଖିଲା ମୁହଁରେ ଟିକିଏ ହସ ହସି ଦେଇ ସେ ସ୍ୱାମୀଙ୍କ କୋଡ଼ରେ ମୁଣ୍ଡ ଥୋଇ ଶେଷ ନିଶ୍ୱାସ ତ୍ୟାଗ କଲା ।

 

ଫୁଲର ସୌରଭ ଚାଲିଗଲା । ହେଲେ ତାର ଯାହା ସତ୍ୟ-ଶିବ-ସୁନ୍ଦର ତାହା ଅମର ହୋଇ ରହିଲା । ସମସ୍ତେ ମିନତ ଗୁଣ ଗାଇ ଲାଗିଲେ ।

 

ବରଂ ମା’ବ କହିଥିଲେ—ଏ ରାକ୍ଷସୀ ଏଠୁ ଯାଉ । ଏ ଅଲକ୍ଷଣୀ ଏ ଘରେ ରହିଲେ ବାଘ ଘରେ ମିରିଗ ନାଟ କରିବେ, ମୋ ପୁଅକୁ ଏ ଅବାଟକୁ ନେବ । ମୋ ଘର ଭାଙ୍ଗିବ—ଆଉ କେତେ କଣ କହିବାକୁ ଯାଉଥିଲେ, ଅଥଚ ତଡ଼ିତ୍ ବେଗରେ ଗର୍ଜନ କରି କହିଲା—ଛି, ଛି, ତୁମେ ମାଆ ନ ହୋଇଥିଲେ ତୁମ ତୋଟି ଚିପି ମାରି ଦେଇଥାଆନ୍ତି । ତୁମେ ମୋର ମା’ ନୁହଁ, କେବଳ ଗର୍ଭଧାରଣୀ ମାତ୍ର । ଜନ୍ମ କଲ, ସେତିକି, ଆଉ କ’ଣ କରିଚ ? ଯେଉଁ ଜନନୀ ସ୍ୱସୌନ୍ଦର୍ଯ୍ୟ ନଷ୍ଟ ହେବା ଭୟରେ ଅମୃତ ନିଃସ୍ୟନ୍ଦିନୀ ସ୍ତନ୍ୟକୁ ପୁଅକୁ ଦେବାରେ ବିମୁଖ ଯେଉଁ ଲୋକ ପୁତ୍ରସେବା ତ୍ୟାଗ କରି ନାମ ବା ଖ୍ୟାତି ପାଇଁ ସମାଜରେ ବ୍ୟାକୁଳତା ପ୍ରକାଶ କରେ, ଯେଉଁ ଜନନୀ ଏକମାତ୍ର ସନ୍ତାନକୁ ହସି ହସି ମୁଠା ମୁଠା ଟଙ୍କା ପାଇଁ ଯୁଦ୍ଧକ୍ଷେତ୍ରକୁ ପଠାଇ ପାରେ ସେ ଜନନୀ—ଆଉ ଏ ନାରୀ, ଦୟା, ସେବା, କ୍ଷମା, ଦାନ, ଧର୍ମ ଆଦିର ପ୍ରତିମୂର୍ତ୍ତି, ସେ ପୁଣି ରାକ୍ଷସୀ ? ଲଜ୍ଜା ଲାଗେ ମୁଁ ଏପରି ପେଟରୁ ଜନ୍ମ ହେଲି କିପରି ?

ଏଇତକ ଶୁଣି ମା କହିଥିଲେ—ତୁ ତେବେ ତା ପୁଅ, ମୋର ନୁହେଁ, ତୁ ତା ସହିତ ଯାଅ-। ଏ ଘରଦ୍ୱାର ତୋ ପାଇଁ ମନା ।

ତଡ଼ିତ୍ ହସି ହସି ସେଇଠି ବାପ ମା’ଙ୍କୁ ମୁଣ୍ଡିଆଟିଏ ମାରି ଧାଈ ମା’ଙ୍କ ମନା ସତ୍ତ୍ୱେ ତାଙ୍କରି ହାତ ଧରି ଆଗେଇଗଲା ସରକାରୀ ବାସଭବନକୁ ।

ବଡ଼ ଧୁମ୍‍ଧାମରେ ବିଭାଘର ହୋଇଗଲା । ବହୁ ବିନୟ ଓ କାରୁଣ୍ୟ ପ୍ରତିବଦଳରେ ଧାଈ ମା ଡ଼ାକି ଆଣି ପାରି ନଥିଲେ ତଡ଼ିତ୍‍ର ପିତା ମାତାଙ୍କୁ ।

ଚଉଠି ଗଲା, ସପ୍ତମୀ ଗଲା,ତା ସହିତ ଧାଈ ମା ଦିନେ ଘର ଛାଡ଼ି ଚାଲିଗଲେ । ଗଲାବେଳେ ଦୁଇ ଧାଡ଼ି ଲେଖିଦେଇ ଯାଇଥିଲେ—

ବାବୁ !

ତୋର ଆଉ ତୋର ଜନ୍ମ କଲା ବାପା ମା’ଙ୍କ ମଝିରେ ମୁଁ କିଏ ସେ, ମୁଁ ଯାଉଚି । ସେମାନଙ୍କ ପାଖକୁ ଚାଲିଯିବୁ । ଇତି।

ଧାଈମା ।

ଧାଈ ମା ବାହାରିଗଲେ ସିନା, ତଡ଼ିତ୍ ପିତା ମାତାଙ୍କ ଶତ ଅନୁରୋଧ ସତ୍ତ୍ୱେ ଯାଇ ନଥିଲା ନିଜ ଘରକୁ । ଧାଈ ମା’ଙ୍କର ଅନୁରୋଧ ତା ପ୍ରତି, ଭଗବାନଙ୍କ ନିର୍ଦ୍ଦେଶ; ତଥାପି ଏହି ଅନୁରୋଧଟି କେବଳ ସେ ରଖିପାରି ନ ଥିଲା ।

ଧାଈ ମା’ଙ୍କ ଫଟୋପାଖରେ ସେ ଛିଡ଼ା ହୋଇଛି ଜୋଡ଼ ହାତରେ । ଆଖିରୁ ଧାର ଧାର ଲୁହ ଗଡ଼ିଯାଉଛି । ଭଗବାନଙ୍କୁ ଜଣାଉଛି, “ପ୍ରଭୁ, ମୋ ଧାଈମା’ଙ୍କୁ ମତେ ଫେରାଇ ଦିଅ ।” ଫେରାଇ ଦେଇଥିଲେ ଭଗବାନ ତାଙ୍କ ଧାଈମାଙ୍କୁ । ତଡ଼ିତ୍‍ର ବନ୍ଧୁ ମେଘନାଦ ଧାଈ ମା’ଙ୍କୁ ଆଣି ହାଜର ।

ତଡ଼ିତ୍ କୁଣ୍ଢାଇ ପକାଇଥିଲା ମେଘନାଦକୁ । ମେଧନାଦ ଗାଡ଼ିରେ ଯାଉଥିବାବେଳେ ଧାଈ ମା’ଙ୍କୁ ଭେଟି ଧରିଆଣିଲା ।

ଧାଈ ମା’ଙ୍କ ନିର୍ଦ୍ଦେଶରେ ତଡ଼ିତ୍ ଓ ତା ସ୍ତ୍ରୀ ଯାଇଥିଲେ ନିଜ ଘରକୁ । ମା, ଧାଈ ମା’ଙ୍କୁ ହାତଯୋଡ଼ି କ୍ଷମା ମାଗିଥିଲେ ।

★★★

 

ପ୍ରେମ ଯେବେ ସତ୍ୟ

 

“ତୁମେ ଆମ କଥା ନ ଶୁଣିଲେ ଚାକିରୀ ଛାଡ଼ି ଚାଲିଯାଇପାର ।”

 

ମନ୍ତ୍ରୀଙ୍କ ମୁହଁରୁ ଏତିକି ମାତ୍ର ବାହାରିଥିଲା । ଜଗଦୀଶ ବାବୁ ହଜମ କରି ପାରିଲେ ନାହିଁ । ଆଉ. ଏ. ଏସ୍. ଚାକିରୀର ମୋହ ତୁଟାଇ ଦେଲେ । ଚାକିରୀ ଛାଡ଼ିଦେଲେ । କିଏ କେତେ କଥା କହିଲେ । କାରଣ ବି ପଚାରିଲେ । ଜଗଦୀଶ କାହାରିକୁ କିଛି କହି ନ ଥିଲେ । ଏଥିରେ ତାଙ୍କର ପିତା ମର୍ମାହତ ହୋଇଥିଲେ; ମାତ୍ର ମା ପରମ ଆନନ୍ଦ ଲାଭ କରିଥିଲେ । ଏକୋଇର ବଳା ବିଶିକେଶନ, ଘରେ ଅଚଳାଚଳ ସମ୍ପତ୍ତି । ଦେଖାରଖା କରିବାକୁ ଅନ୍ୟ କେହି ନାହିଁ । ବିହାରରେ ରହି ପୁଅ ଏବେ ଆସିଥିଲା ଯେ, କୋରାପୁଟର କେଉଁ ଅଗ୍ନାଗ୍ନି ବନସ୍ତରେ ବାସ କରୁଥିଲା । ବୋହୂଟିଏ ଆଜି ପର୍ଯ୍ୟନ୍ତ ଆଣିପାରି ନାହାନ୍ତି । ପୁଅ ତ ଘର କରିବ । ମନ ବି କରିନି ଏ ଯାବତ୍ ।

 

ହଁ ଜଗଦୀଶ ଅବିବାହିତ । ତାଙ୍କର ଆଦର୍ଶ ସ୍ୱାମୀ ବିବେକାନନ୍ଦ ଓ ମହାତ୍ମା ବିନୋବାବାଭେ । ବିବାହଟାର ସେ ଘୋର ବିରୋଧୀ । ଘରେ, ବାହାରେ ସେ ବିବାହ ବିରୁଦ୍ଧରେ ଅକାଟ୍ୟ ଯୁକ୍ତି ବାଢ଼ି ଆସି ଅଛନ୍ତି । କାଳକ ଅବିବାହିତ ରହିବାର ପଣ ସେ ମନ ମଧ୍ୟରେ ଦୃଢ଼ତାର ସହ ପୋଷଣ କରିଅଛନ୍ତି ।

 

ସେ ଚାକିରୀ କରିଛନ୍ତି ମାତ୍ର କୋତୋଟି ବର୍ଷ । ସେଥିରେ ସକଳଜନଙ୍କ ମନ ତୃପ୍ତ କରି ଅଛନ୍ତି । ସେ ଦେଖାଇ ଦେଇଛନ୍ତି ଯେ, ସରକାରଙ୍କ କର୍ମଚାରୀ ଜନସମାଜର ପ୍ରଭୁ ନୁହେ—ସେବକ ମାତ୍ର । ଯେଉଁଠାକୁ ସେ ଯାଉଛନ୍ତି ସେବା ମନୋବୃତ୍ତ ଦ୍ୱାରା ସେଠାରେ ପୂଜା ପାଉଛନ୍ତି । ତାଙ୍କର ଉପର କର୍ମଚାରୀମାନେ ତାଙ୍କ ଲୋକପ୍ରୟତା ସନ୍ଦର୍ଶନ କରି ଛଳେଇ କହିଛନ୍ତି—ତୁମେ ଲୋକ ପ୍ରତିନିଧି ହେବ କି ? ତୁମ ହାତରେ ଚାକିରୀ ହେଇପାରିବ ନାହିଁ ।

 

ହଁ, ଚାକିରୀ ହେଇ ପାରିଲା ନାହିଁ । ଜନସ୍ୱାର୍ଥ ବିରୁଦ୍ଧରେ ସେ ମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ପାରିଲେ ନାହିଁ । ବହୁ ଆକାଙ୍କ୍ଷିତ ପଦବୀକୁ ଅକୁଣ୍ଠିତ ଚିତ୍ତରେ ପରିତ୍ୟାଗ କଲେ । ଆଉ ଲୋକ ପ୍ରତିନିଧିତ୍ୱ କରିବାର କଥା । ସେଇଟା ତାଙ୍କ ମନକୁ ଆହୁରି ସ୍ପର୍ଶ କରି ନ ଥାଏ । ନିର୍ବାଚନ ତ ବହୁତ ଦୂରରେ । ପଦବୀର ଲାଳସା ତାଙ୍କୁ କେବେହେଁ ଘାରି ନାହିଁ ବା ନ ଥିଲା । ସେ ଜନସେବାରେ ନିଜକୁ ନିୟୋଜିତ କଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବାପୁଜୀଙ୍କ ଗଠନମୂଳକ କାର୍ଯ୍ୟ ଗୁଡ଼ିକରେ ହାତ ଦେଲେ । କ୍ରମେ କ୍ରମେ ସେ ଲୋକପ୍ରିୟ ହୋଇଉଠିଲେ । ସହରରୁ ତାଙ୍କୁ ଭଲ ଚାକିରୀ, ଘର ଦ୍ୱାରର ମୋହ ଆଉ ତାଙ୍କୁ ଆକର୍ଷଣ କରି ପାରିଲା ନାହିଁ । ଗାଁକୁ ସେ ପୁଣ୍ୟକ୍ଷେତ୍ର ମନେ କରି କାମରେ ଲାଗିପଡ଼ିଲେ ।

 

ଗାଁ ଲୋକେ ଜଗଦୀଶ ବାବୁଙ୍କ ମୁକୁଟହୀନ ରାଜାର ଆସନ ଦେଲେ, ସବୁ କଥାରେ ଜଗଦୀଶ ବାବୁ । ଗାଁ ପୋଖରୀ ଖୋଳା, ସଡ଼କ ତିଆରି, ସ୍କୁଲ ଘର ନିର୍ମାଣ, ପାଠାଗାର ଖୋଲିବା ଆଦି ସବୁ କଥାରେ ତାଙ୍କରି ନେତୃତ୍ୱ ଲୋଡ଼ା । ସେ ବି ଅକୁଣ୍ଠିତ ଚିତ୍ତରେ ସବୁଥିରେ ସହାୟକ ହେଲେ, ପୁନିଅ ପରବ ଆଦିରେ ଜଗଦୀଶ ବାବୁଙ୍କୁ ଟାଣିବା ଗୋଟାଏ ନିତ୍ୟ ନୈମିତ୍ତିକ କାର୍ଯ୍ୟ ହୋଇ ଉଠିଲା ।

 

ମନ୍ତ୍ରୀମଣ୍ତଳ ନିଜର ଅପକୃତିରୁ ଭୁଷୁଡ଼ିଗଲା । ପୁଣି ବିଭିନ୍ନ ରାଜନୈତିକ ଦଳ ଗାଁ ଗାଁ ବୁଲିଲେ । ଯେଉଁ ମନ୍ତ୍ରୀ ଜଗଦୀଶକୁ ତୁଚ୍ଛ ତାଚ୍ଛଲ୍ୟ କରି କଥା କହିଥିଲେ, ସେ ଆଗେଇ ଆସିଲେ । ଜଗଦୀଶବାବୁଙ୍କୁ ଅନୁରୋଧ କଲେ—ଆମ ପାର୍ଟିରୁ ଟିକଟ ନିଅନ୍ତୁ । ସମସ୍ତ ଖର୍ଚ୍ଚ ମିଳିବ । ଗାଡ଼ି ତ ଆପଣଙ୍କ ପାଖେ ପାଖେ ରହିବ । ଅନ୍ୟ ପାର୍ଟିର ଲୋକେ ବି କହନ୍ତି । ଜଗଦୀଶ ବାବୁ ହସିଦିଅନ୍ତି-। ସଭିଏ ଶୁଣନ୍ତି—ଧନ୍ୟବାଦ ।

 

ପଚାରିଲେ କହନ୍ତି—ମୋ ଆଗରେ ସବୁ ପାର୍ଟି ସମାନ । ଯେଉଁ ପାର୍ଟି ପରିବାର, ଗାଁ ସହର ଓ ସମାଜଟାକୁ ଫାଙ୍କ ଫାଙ୍କ କରିଦିଏ, ବାଦ ବିସମ୍ବାଦ ବଢ଼ାଏ, ଖର୍ଚ୍ଚ ମିଛକୁ ପ୍ରଶ୍ରୟ ଦିଏ, ତୁଚ୍ଛା ପ୍ରତିଶ୍ରୁତି ମାଳ ମାଳ ଜମାଇଦିଏ, ଲୋକଙ୍କଠାରୁ ପ୍ରତିନିଧିଙ୍କୁ ଦୂରେଇ ଦିଏ, ସେହି ପାର୍ଟିଗୁଡ଼ିଙ୍କୁ ମୋର ଦୁରୁ ଜୁହାର ।

 

ଜଗଦୀଶବାବୁଙ୍କ ବାଲ୍ୟବନ୍ଧୁ ପ୍ରତାପ ନାରାୟଣ ଓ ତୃପ୍ତିଦେବୀ ଅଦିନ ମେଘ ପରି ଆସି ପହୁଞ୍ଚିଲେ ତାଙ୍କରି ଗାଁରେ । ପ୍ରତାପ ସହପାଠୀ । ତୃପ୍ତି ବି ସହପାଠିନୀ । ପିଲାଟିଦିନୁ ଏ ଦୁହେଁ ଦଳକୁ ନେତୃତ୍ୱ ଦେଇଆସୁଥିଲେ । ତୃପ୍ତି ଦରିଦ୍ର କୁଳରେ ଜନ୍ମ ଓ ପ୍ରତାପ ଧନାଢ଼୍ୟ ପରିବାର ସମ୍ଭୂତ-। ଏଇ ତୃପ୍ତି ସହିତ ଜଗଦୀଶର ବିବାହ ପ୍ରସ୍ତାବ ଆସିଥିଲା । ପ୍ରତ୍ୟାଖ୍ୟାନ କରିଦେଇଥିଲା ଜଗଦୀଶ । ପ୍ରତାପ ଓ ତୃପ୍ତିଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଗୋଟାଏ ଅଭେଦ୍ୟ ପ୍ରାଚୀର-। ମାତ୍ର କଂଗ୍ରେସ ଓ କମ୍ୟୁନିଷ୍ଟ ମିଳନର ରୂପରେଖ ପ୍ରତାପ ତୃପ୍ତିଙ୍କ ଦୂରତ୍ୱକୁ ସୀମିତ ଓ ସଙ୍କୁଚିତ କରିଦେଲା ।

 

କମ୍ୟୁନିଷ୍ଟ ଓ କଂଗ୍ରେସ ମେଣ୍ଟ ଅନୁସାରେ ଜଗଦୀଶଙ୍କ ନିର୍ବାଚିନମଣ୍ତଳୀ କଂଗ୍ରେସ ଭାଗରେ ପଡ଼ିଲା । ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡ଼ିଗ୍ରୀ ପାଇଥିବା ପ୍ରତାପ ସେହି ନିର୍ବାଚନରୁ ଲଢ଼ିବାକୁ ନିର୍ବାଚିତ । ତୃପ୍ତି ଦେବୀ ତାଙ୍କର ପ୍ରଚାରିକା । କ୍ରମେ କ୍ରମେ ଉଭୟଙ୍କ ବ୍ୟବଧାନ ଦୂରେଇ ନିଶ୍ଚିହ୍ନ ହୋଇଗଲା । ନିର୍ବାଚନ ପରେ ଉଭୟେ ନୀଡ଼ ବାନ୍ଧି ଏକାଠି ରହିବାର ଆକାଙ୍‍କ୍ଷା ଜଗଦୀଶଙ୍କ ଆଗରେ ପ୍ରକାଶ କରିଦେଲେ ।

 

ଭୋଟ ଲଢ଼ାଇ ଚାଲିଲା । ଆଗକାଳର କଥା ଆଉ ନାହିଁ । ପ୍ରବଳ ପ୍ରତାପଶାଳୀ ବ୍ରିଟିଶ ଶାସକଙ୍କ ପୃଷ୍ଠପୋଷକତାରେ ଅଶେଷ ଧନ ବ୍ୟୟ କରି ଲୋକେ ନିରାଶ ହେଉଥିଲେ । ଅଥଚ ‘ଗାନ୍ଧୀ’ ନେହେରୁ ଭୋଟ ବାକ୍ସ ପୁରି ଉଠୁଥିଲା । ସେ ଯୁଗ ଚାଲି ଗଲାଣି । ପ୍ରତାପ ଓ ତୃପ୍ତିଙ୍କୁ ଅସାଧ୍ୟ ସାଧନ କରିବାକୁ ପଡ଼ିଲା । ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଲା । ଭୋକ ଉପାସକୁ ସାହାସ୍ୟ ବଦନରେ ସହିବାକୁ ପଡ଼ିଲା । ଉଜାଗରରେ ରାତି କଟାଗଲା । ବିରୋଧୀ ଦଳର ଚକ୍ରାନ୍ତ ପଣ୍ତ କରିବାକୁ ମୁଣ୍ତରୁ ବୁଦ୍ଧି କାଢ଼ି ଲଢ଼ିବାକୁ ପଡ଼ିଲା । ପରସ୍ପରର ଦୋଷ ଦିଆଦେଇ, କଥା କଟାକଟିରେ ପ୍ରତାପ ଓ ତୃପ୍ତି ଅପରପକ୍ଷକୁ ପରାସ୍ତ କଲେ । ତୃପ୍ତିର ଜ୍ୱାଳାମୟୀ ଅଭିଭାଷଣରେ ଲୋକେ ବିଶେଷତଃ ସ୍ତ୍ରୀ ଲୋକମାନେ ମୁଗ୍ଧ ହୋଇ ଭୋଟ ଦେବାକୁ ରାଜି ହୋଇଗଲେ ।

 

ବିପକ୍ଷଦଳ ତୃପ୍ତି ଦେବୀଙ୍କୁ ଅକାମୀ କରି ଦେବାକୁ ଚକ୍ରାନ୍ତ କଲେ । ଚକ୍ରାନ୍ତରେ ସଫଳ ମନୋରଥ ହେଲେ । ଭୋଟର ମାତ୍ର ୨/୩ ଦିନ ପୂର୍ବରୁ ଗୋଟାଏ ଦୁର୍ଘଟଣାର ଆୟୋଜନ ହେଲା-। ବିପକ୍ଷ ଦଳ ଗୋଟାଏ ଟ୍ରକ୍ ଦ୍ୱାରା ତୃପ୍ତିଙ୍କ ଜିପ୍‍ଟାକୁ ଜଖମ କରିଦେଲେ । ଗାଡ଼ିଟି ଅଚଳ ହେଲା-। ତୃପ୍ତି ଭୀଷଣ ଆଘାତ ପାଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଗଲେ । ସେଠାରେ କ୍ଷତ ହାତଟିକୁ ମୂଳରୁ କାଟି ଦେବାକୁ ପଡ଼ିଲା । ଗୋଡ଼ଟି ବି ଛୋଟ ହୋଇଗଲା ।

 

ଭୋଟ ଗଣତି ହେଲା । ଭୋଟରେ ପ୍ରତାପ ନାରାୟଣର ବିପୁଳ ବିଜୟ ହେଲା । ଲୋକ ମୁଖରୁ ଶୁଣାଗଲା—ଏ ବିଜୟ ପ୍ରତାପର ନୁହେ ତୃପ୍ତିର । ପ୍ରକୃତରେ ତୃପ୍ତିର ସହାୟତା ବିନା କେବେହେଲେ ପ୍ରତାପର ବିଜୟ ସମ୍ଭବ ପର ହୋଇ ନ ଥାଆନ୍ତା।

 

ଆନନ୍ଦ ହେବା ପରିବର୍ତ୍ତେ ବିଜୟ କ୍ଷୁର୍ଣ୍ଣ ହେଲା । ତେବେ ଛାର ନାରୀଟାଏ ତାର ବିଜୟ ଗୌରବରେ ଏକ ଧୂମକେତୁ ପରି ଆବିର୍ଭୂତା । ବଡ଼ ଘୃଣା ଜନ୍ମିଲା ତା ମନରେ । ତୃପ୍ତି ପ୍ରତି ହିଂସା ଜନ୍ମିଲା ହୃଦୟ କନ୍ଦରରେ । ପୁଣି ପୂର୍ବ ପରି ମନରେ ସଂଘର୍ଷ ଜନ୍ମିଲା । ଏପରି କି ସୌଜନ୍ୟ ଦୃଷ୍ଟିରୁ ତୃପ୍ତିକୁ ସେ ସାକ୍ଷାତ କରିବାକୁ ଗଲାନି ।

 

ତୃପ୍ତି ବିନୟରେ ବିଜୟରେ ଆନନ୍ଦିତା ହେଲା । ସେ ପ୍ରକୃତ କର୍ମୀ । କିଏ କ’ଣ କହିଲା ବା କଲା ସେଥିପ୍ରତି ତାର ବେଖାତିର । ଦୁର୍ଘଟଣା କଥା ଶୁଣୁ ଶୁଣୁ ଜଗଦୀଶ ଧାଇଁ ଯାଇଥିଲା ଡାକ୍ତରଖାନାକୁ । ତୃପ୍ତି ନିକଟରେ ସେ ବହୁ ସମୟ କଟାଇ ଦେଇଥିଲା । ବଡ଼ ସହାୟକ ହୋଇଥିଲା ସିଏ । ଔଷଧ,ପଥ୍ୟ ଆଦିର ବ୍ୟବସ୍ଥା ନିଜେ ସେ ବହନ କରିଥିଲା । ତୃପ୍ତି ତାକୁ କୃତଜ୍ଞତା ଜଣାଇଥିଲା । ଜଗଦୀଶ ହସିଦେଇ କହିଲା—ବିଜୟ ଓ ତୁମର ବିବାହ କେବେ ?

 

ତୃପ୍ତି କିଛି କହି ନ ଥିଲା । ଦୀର୍ଘ ନିଃଶ୍ୱାସଟିଏ ମାତ୍ର ଛାଡ଼ିଥିଲା ।

 

ଜଗଦୀଶ ବଡ଼ ଆନନ୍ଦ । ପ୍ରତାପ ମନ୍ତ୍ରୀ ହେଉଛି । ତୃପ୍ତିକୁ ସେ ନିଜ ଘରକୁ ଆଣିଲା । ତାର ତ ଜଗତରେ କେହି ନ ଥାଆନ୍ତି, ପ୍ରତାପ ନିକଟରେ ତୃପ୍ତିର ବିବାହ ପ୍ରସ୍ତାବ ଉଠାଇଲା । ପ୍ରତାପ ହସିଦେଲା, କହିଲା—ଭାଇ ଦେଖୁଚୁ ତ କେତେ ଭି.ଆଇ.ପି. ଆସୁଛନ୍ତି । ଏଙ୍କୁ ସେ ଚା ପରିବେଷଣ କରି ପାରିବ ତ ? ତାର ହାତ ନାହିଁ, ସେ ଛୋଟୀ । ଯିଏ ପରର ଆଶ୍ରୟ ଖୋଜିବ ତାକୁ ନେଇ ମୁଁ ବା କ’ଣ କରିବି ? ଏଇତକ ଶୁଣି ଜଗଦୀଶ ମର୍ମାହତ ହେଲା । ଚା ବା ଜଳଖିଆ ସେଠାରେ ଛୁଇଁଲା ନାହିଁ । ଏପରି କୃତଘ୍ନ ଲୋକଠାରୁ ପାଣି ଟୋପେ ପିଇବାକୁ ତାର ଅନିଚ୍ଛା ।

 

ସେ ଫେରିଲା । ତୃପ୍ତି କଥା ସେ ଯେତିକି ଭାବିଲା, ତାର ମନ ସେତିକି ତା ଆଡ଼କୁ ନିକଟେଇ ଆସିଲା । ଏଇ ତୃପ୍ତି, ନ ଖାଇ ନ ପିଇ, ପ୍ରତାପ ପାଇଁ କ’ଣ ବା ନ କରିଚି ? ଅଥଚ ପ୍ରତାପ ତାକୁ ପଚାରି ନାହିଁ । ତଥାପି ତୃପ୍ତିର ତା ପ୍ରତି ଟିକିଏ ହେଲେ ଅସହିଷ୍ଣୁ ଭାବ ଜାଗରିତ ହୋଇ ନାହିଁ । ଧନ୍ୟ ଏ ନାରୀ ଜାତି । ପୃଥିବୀ ପରି ଏମାନେ ସର୍ବଂସହା ।

 

ଜଗଦୀଶ ତୃପ୍ତି ପାଇଁ ବହୁ ସ୍ଥାନ ବୁଲିଲା । ହେଲେ ଏପରି ବିକଳାଙ୍ଗ ଶରୀରକୁ ଅର୍ଦ୍ଧାଙ୍ଗିନୀ କରିବାକୁ ସଭିଏ ନାସ୍ତି ବାଣୀ ଶୁଣାଇ ଦେଲେ । ଅବଶେଷରେ ଜଗଦୀଶ ନିରାଶ ହୋଇ ବିଷର୍ଣ୍ଣ ବଦନରେ ବସିରହିଲେ ।

 

ତୃପ୍ତି ହସିଦେଇ କହିଲେ—ଜଗଦୀଶ ବାବୁ ! ବହୁତ ଲୋକ ଅତିବାହିତ ଜୀବନ ଯାପନ କରୁଛନ୍ତି । ମୁଁ ପାରିବି ! ଆପଣ ଯାହା ପାରିଲେ, ମୁଁ ପାରିବି ନାହିଁ କାହିଁକି ? କହନ୍ତୁ ଭଲା, ଆପଣଙ୍କୁ ଭଗବାନ ଧନ, ଜନ, ଗୋପ, ଲକ୍ଷ୍ମୀ, ଯଶ ବିପୁଳ ପରିମାଣରେ ଦେଇଚନ୍ତି । ବହୁନାରୀ ଆପଣଙ୍କ ପ୍ରତି ଆକୃଷ୍ଟ; ଅଥଚ ଆପଣ ମୋ ବିବାହ ପାଇଁ ଚିନ୍ତିତ । ମୋ ପରି ବୋଝ କାହିଁକି ଅନ୍ୟ ଲୋକ ବହନ କରିବ, କହିଲେ ଭଲା ।

 

ଜଗଦୀଶର ରାଗ ପ୍ରତାପ ଉପରେ ଶତଗୁଣିତ ହେଲା । ସାରା ଜୀବନର ଦ୍ରୁତ ତାଙ୍କୁ ତ୍ୟାଗ କରିବାକୁ ପଡ଼ିଥିଲା । ସେ ତୃପ୍ତିଙ୍କୁ ବିବାହ କରିବା ପାଇଁ ପ୍ରକାଶ କଲେ ।

 

ପ୍ରତାପ ତାର ମଟରଗାଡ଼ି ଧରି ଆସିଥିଲା ତାକୁ ନିବର୍ତ୍ତାଇବା ପାଇଁ । କିନ୍ତୁ ନିଷ୍ଫଳ ହୋଇ ଫେରିଲା ।

 

ଧୁମ୍‍ଧାମରେ ତୃପ୍ତି ଓ ଜଗଦୀଶଙ୍କ ବିବାହ ସମାହିତ ହୋଇଥିଲା ।

★★★

 

ଲୁହ ଝର ଝର

 

ଆଖିରୁ ଲୁହ ଝରାଇ ଶର୍ମିଷ୍ଠା ତାଙ୍କ ସ୍ୱାମୀଙ୍କୁ କହିଲେ—ବରଂ ଏପରି ପିଲାର ଜନନୀ ହୋଇ ଜୀଇ ରହିବାଠାରୁ ମରଣ ଶ୍ରେୟସ୍କର ।

 

ବଡ଼ ନିଷ୍ଠୁର ଏ ବାଣୀ । ସ୍ୱାମୀ ଶଶୀଶେଖର ଶୁଣି ନ ଶୁଣିଲା ପରି ବସି ଗୋଟାଏ ମାତ୍ର ଦୀର୍ଘନିଃଶ୍ୱାସ ତ୍ୟାଗ କଲେ । ଏହା ବିନା ଅନ୍ୟଗତି ନଥିଲା ତାଙ୍କର ।

 

ପୁନର୍ଜନ୍ମକୁ ସେ ବିଶ୍ୱାସ କରୁ ନଥିଲେ । ଏହାକୁ ଅନ୍ଧ ବିଶ୍ୱାସ ବୋଲି ସେ ହସି ଉଡ଼ାଇ ଦେଉଥିଲେ । ତେବେ କେଉଁ ଦୋଷର ଫଳ ସ୍ୱରୂପ ସେ ପାଇଲେ ଏପରି ବିକଳାଙ୍ଗ ଶିଶୁ । ଶିଶୁଟିଏ, ତାର ପୁଣି ପାଟି ନାହିଁ କି ନାକ ନାହିଁ । ଯେଉଁ ଶିଶୁ ପାଇଁ ତାଙ୍କର ସ୍ତ୍ରୀ ରାତ୍ର ଉଜାଗର ରହି ଜାଗର ଜାଳି ଅଛନ୍ତି, ବାର ମାସରେ ତେର ବ୍ରତ କରି ଅଛନ୍ତି ଓ ଉତ୍କୋଚ ଆଦି ନ ନେବା ପାଇଁ ରାଣ ନିୟମ ପକାଇଛନ୍ତି । କେତେ ନିଷ୍ଠା, କେତେ ଯନ୍ତ୍ରଣା ସତେ ସହ୍ୟ ନ କରିଚନ୍ତି ସେ ।

 

ଆଉ ନିଜେ ମିଶ୍ରେ ପିତା ଓ ମାତା ସାକ୍ଷାତ୍‍ ଦେବ ଦେବୀ । ତାଙ୍କରି କ୍ରୋଡ଼ରୁ ସ ସମ୍ଭୁତ-। ଗୋଟିଏ ବୋଲି ପୁତ୍ର ସନ୍ତାନ । ମିଶ୍ର ଦମ୍ପତ୍ତିଙ୍କର ଅଶେଷ ପୂଜା ଉପାସନାରୁ ଜନ୍ମ ଲାଭ କରିଥିଲା । କୁଳନୀ ଘରୁ ସୁନ୍ଦର କନ୍ୟାଟିଏ ଆଣିଥିଲେ । ଉଭୟ ପୁତ୍ର ଓ ପୁତ୍ରବଧୁ ବଂଶ ନୀରୋଗ ଓ ସୁସ୍ଥ ସବଳତାରେ ଅଦ୍ୱିତୀୟ; ଅଥଚ ଭାଗ୍ୟର ଏ ବିଡ଼ମ୍ବନା କାହିଁକି ?

 

ଦୁଇ ତିନି ମାସ କାଳ ଶଶୀଶେଖର ସ୍ୱ ସହଧର୍ମିଣୀଙ୍କୁ ବୁଝାଇ ବୁଝାଇ ମନ ପରିବର୍ତ୍ତନ କରିବାର ଉଦ୍ୟମ କଲେ । ଆହୁରି ସନ୍ତାନ ହେବେ । ଡଉଲ ଡାଉଲ ସୁନ୍ଦରିଆ ପିଲେ ଜନ୍ମିବେ । ଶର୍ମିଷ୍ଠା କ୍ରୋଡ଼ ପୂରି ଉଠିବ । ବ୍ୟସ୍ତ ହେବାର କ’ଣ ଅଛି ? ସାଙ୍ଗ ସାଥୀ ଆସିଲେ ଶଶୀଶେଖରଙ୍କ କାନରେ ଫୁସ୍‍ଫାସ୍‍ ହେଲେ । କାନ୍ଥର ଦୁଆର ଓ ଝରକାର କାନ ଅଛି । ଶର୍ମିଷ୍ଠା ଶୁଣିଲେ । କଇଁ କଇଁ ହୋଇ କାନ୍ଦିଲେ । ସ୍ୱାମୀଙ୍କ କୋଡ଼ରେ ମୁହଁ ଗୁଞ୍ଜିଲେ । ଝର ଝର ହୋଇ ଝରିଲା ଲୁହ ଅବାରିତ ଗତିରେ । ଜନ୍ମଦାତା, ସଂହାରକ କିପରି ହେବ ? ଏପରି ଉପଦେଶ ଦେବା ପୂର୍ବରୁ ଯାହା ଉପଦେଷ୍ଟାଙ୍କର ଜିଭ ଛିଡ଼ି ଗଲାନାହିଁ, ଛାତି ଫାଟିଗଲା ନାହିଁ । ମଣି ହରାଇଥିବା ଫଣି ପରି ଗର୍ଜି ଉଠନ୍ତି ଶର୍ମିଷ୍ଠା । କହନ୍ତି—ଏ ଗୁଡ଼ାକ ଶତ୍ରୁ । ଏମାନଙ୍କୁ ଘରେ ପୂରାଇବା ଅନୁଚିତ ? ବାପ ଘର ଲୋକେ ଆସିଲେ । ଶର୍ମିଷ୍ଠା ଦୁଃଖ କରି ଲୁହ ଗଡ଼ାଇ ଏମାନଙ୍କ ଫନ୍ଦି ଶୁଣାଇ କାନ୍ଦି ଉଠିଲେ । ଲୋକେ ବି ସେଇ ଗୋଟାଏ କଥା ଶୁଣାଇ ଦିଅନ୍ତି । ବରଂ ଏପରି ଶିଶୁ ଥିବା ଯାହା ନ ଥିବା ତାହା-। ଗୋଟାଏ ପରିବାର ପ୍ରତି ଏ ତ ଗୋଟାଏ ଶକ୍ତ ଅଭିଶାପ । ନ ଜାଣିଲାପରି ସେ ପୁରକୁ ପଠାଇଦେଲେ ପାପରୁ ପୁଣ୍ୟ ଅଧିକ ହୁଅନ୍ତା । ଶିଶୁର ନିଜର ବି ମଙ୍ଗଳ ହୁଅନ୍ତା-

 

ଶର୍ମିଷ୍ଠା କାନରେ ହାତ ଦିଏ । ତାର ଦୁଃଖର ସାଥୀ ଲୁହ ଝରଝର ହୋଇ ଝରି ଉଠେ । ଚାଲିଯାଏ ଦିଅଁ ଘରକୁ । ଢୁ କିନା ଦିଅଁଙ୍କ ଆଗରେ ମୁଣ୍ତ ପିଟିଦିଏ । ମୁଣ୍ତ ଫାଟି ରକ୍ତ ଝରି ଉଠେ, ଶଶୀଶେଖର ଆସି ପୋଛି ଦିଅନ୍ତି । ବୁଝାଇ ଶୁଝାଇ ବାପ ପିଲାକୁ କୋଡ଼କୁ ଆଉଜେଇ ଆଣିଲା ପରି ଆଉଜାଇ ଆଣନ୍ତି । ଝରାଇ ଦିଅନ୍ତି ଲୁହ ବିନ୍ଦୁ କେତୋଟି । ବିଭୁ ପଦାରବିନ୍ଦରେ ବିନତି ଜଣାନ୍ତି । ତାଙ୍କ ସ୍ତ୍ରୀଙ୍କୁ ସହିବା ପାଇଁ ଶକ୍ତି ଦିଅନ୍ତି ।

 

ଶର୍ମିଷ୍ଠାର ବାଲ୍ୟବନ୍ଧୁ ଦମୟନ୍ତୀ ଆସିଥିଲା । ଦଉଡ଼ି ଆସିଥିଲା ପ୍ରିୟତମ ବନ୍ଧୁକୁ ସାନ୍ତ୍ୱନା ଦେବାକୁ, ଦୁଃଖ ଦୂର କରିବାକୁ । କୋକିଳ ପରି ତାର ବାଣୀ ! ଦୟାର ମୂର୍ତ୍ତିମତୀ ନରୀ ସିଏ । କେତେ ବୁଝାଇଲା, ସାଙ୍ଗ କାନ୍ଦିଲା ଓ ସେଥିରେ ସେ କାନ୍ଦିଉଠିଲା । ଆସିଥିଲା ଦଉଡ଼ି ଆଖିରୁ ଲୁହ ପୋଛିବାକୁ । ଅଥଚ ଫେରିଗଲା ଆଖିରେ ଲୁହ ଭର୍ତ୍ତି କରି ।

 

ଶର୍ମିଷ୍ଠା; ଦମୟନ୍ତୀର ପୁଅ ଝିଅଙ୍କୁ ନିରିଖି ନିରିଖି ଚାହୁଁଥାଏ । ଓଃ ! କି ସୁନ୍ଦର ଏ ଦେବ ସନ୍ତାନ ଦୁଇଟି ! ସତେ ଅବା ସ୍ୱର୍ଗରୁ ଅବତରଣ କରି ଅଛନ୍ତି ଦେବଶିଶୁ ଦୁଇଟି । କି ସୁନ୍ଦର ! ଡଉଲ ଡାଉଲ ନାକ, କାନ, ଆଖି, ପାଟି—କିଛି ଖୁଣିବାକୁ ନାହିଁ । ଦମୟନ୍ତୀର ପିତା ଜଣେ ମହାଜନ, ଶଶୁର ଜମିଦାର ଆଉ ସ୍ୱାମୀ ପୋଲିସ ଅଫିସର । ସମସ୍ତେ ଶୋଷକ, ଦୁର୍ନୀତିପରାୟଣ-। ଦମୟନ୍ତୀର ଦେହଯାକ ସୁନା ଛାଉଣୀ । ତେବେ ବିଚାରରେ ନିର୍ଭୁଲତା ରହିଲା କେଉଁଠି-? ଭଲପଣିଆର ମୂଲ୍ୟ କାହିଁ ?

 

ସେହିଦିନୁ ଶର୍ମିଷ୍ଠାକୁ ରାତିରେ ନିଦ ହେଲାନି । ସତେ ଅବା ସେ ପୁରର ଅଧିକାରୀମାନଙ୍କ ସହିତ ମିଳିବାର ଗୋଟାଏ ଟାଣୁଆ ଡାକ ସେ ପାଇଲା । ମନପରିବର୍ତ୍ତନ କରିବାକୁ ଶତଚେଷ୍ଟା କରି ଏଣିକି ସ୍ୱାମୀ ସମ୍ପୂର୍ଣ୍ଣ ନିଷ୍ଫଳ ହେଲେ । କେବଳ ଭଗବାନଙ୍କୁ ଭରସା କରି ହା-ହୁତାଶମୟ ଜୀବନ-ଯାପନ କଲେ ଶଶୀଶେଖର ।

 

ଶର୍ମିଷ୍ଠା ଏ ଜୀବନ-ଦୀପ ଲିଭାଇବା ପାଇଁ ବହୁ ପ୍ରକାର ଉଦ୍ୟମ କଲେ । ହେଲେ କୌଣସି ଉଦ୍ୟମରେ ସେ ସଫଳ ହେଲେ ନାହିଁ । କାୟା ସହିତ ଛାୟା ପରି ପାଖେ ପାଖେ ଜଗି ରହିଥାଆନ୍ତି ସ୍ୱାମୀ । ତାଙ୍କ ଆଖି ଆଗରେ ସେ କିଛି କରିପାରିଲେ ନାହିଁ ।

 

କ୍ରମେ କ୍ରମେ ଶର୍ମିଷ୍ଠାଙ୍କର ସ୍ୱଜୀବନ ପ୍ରତି ବିତୃଷ୍ଣା ପ୍ରବଳ ପରିମାଣରେ ବଢ଼ିବାକୁ ଲାଗିଲା । ସେଦିନ ଗୋଟାଏ ସୁଯୋଗ ସେ ପାଇଲା । ସ୍ୱାମୀଙ୍କର ପେଟ ଖରାପ । ପାଇଖାନାକୁ ଯାଉଚନ୍ତି । ବହୁ ସମୟ ଧରି ପାଇଖାନାରେ ବସୁଚନ୍ତି । ଏଇ ତ ସୁଯୋଗ । ଏ ସୁଯୋଗ ହରାଇଲେ ହେବ ନାହିଁ । ସୁଯୋଗ ଥରେ ଆସେ । ବହୁ ବାର ନୁହେଁ ।

 

ଗୋଟାଏ ଦ୍ୱନ୍ଦ ତାଙ୍କ ମନରେ ଜାଗରିତ ହେଲା । ସେ ଜୀବନ ଆହୂତି ଦେବେ ଶିଶୁ ସହ, ନା ଶିଶୁଟିକୁ ଛାଡ଼ିଦେଇ । ବହୁବାର ବିବେକର ତାଡ଼ନା ତାଙ୍କ ମନରେ ‘କିନ୍ତୁ’ ଭାବ ଜାଗରିତ କଲା । ଅବଶେଷରେ ଶିଶୁଟିକୁ ପରିଚାରିକା ହାତରେ ଅନ୍ୟତ୍ର ପଠାଇଦେଲେ । ସ୍ୱ ଶେଜରେ ଓ ଦେହରେ କିରାସିନୀ ଢାଳି ଦେଇ ନିଆଁ ଲଗାଇ ଦେଲେ । ତୃପ୍ତିର ସହିତ ଅଗ୍ନିଦେବଙ୍କ କ୍ରୋଡ଼ରେ ଆଶ୍ରୟ ନେଲେ । ଜୀବନ-ଦୀପ ଲିଭାଇ ଦେଲେ ।

 

ଧୂଆଁ ହେବାର ଦେଖି ସ୍ୱାମୀ ଧାଇଁଗଲେ ରୁଦ୍ଧଦ୍ୱାରକୁ । ରୁଦ୍ଧ ଦ୍ୱାର ଉନ୍ମକ୍ତ କରି ଯାହା ଦେଖିଲେ ସେଥିରେ ତାଙ୍କର ହଂସା ଉଡ଼ିଗଲା । ସେ ମୂର୍ଚ୍ଛା । ହୋଇ ତଳେ ଢଳିପଡ଼ିଲେ ।

 

ସ୍ୱପ୍ନ ଦେଖିଲେ—ଗୋଟାଏ ବରଫ ଖଣ୍ତ ତାପ ପାଇ ତରଳି ଗଲା ପରି ସ୍ତ୍ରୀ ତାଙ୍କର ଝର ଝର ଲୁହ ଝରାଇ ଏକ ବସ୍ତୁଖଣ୍ତରୁ ଏକ ଶୂନ ଅବସ୍ଥାକୁ ଚାଲି ଯାଉଅଛନ୍ତି ।

★★★

 

ମିଳନ ସେ ପୁରରେ

 

ମହାନଦୀ ଦୁଇକୂଳରେ ଦୁଇଟି କେଉଟ ସାହି । ଦୁଇ ଗ୍ରାମର ଦୁଇ ମୁଣ୍ତିଆଳ ଚଇତନ ମାଝି ଓ କପିଳ ବେହେରା । ଏ ଦୁହିଁଙ୍କ କଥାରେ ଗାଁର ଲୋକେ ଆତଜାତ ।

 

ହେଲେ ଏ ଦୁହିଁଙ୍କର ଅମେଳ । ଜଣଙ୍କର ମୁହଁ ପୂର୍ବକୁ ହେଲେ, ଅପରର ମୁହଁ ପଶ୍ଚିମକୁ-। ସାମାନ୍ୟ ମାଛ ବ୍ୟବସାୟରୁ କନ୍ଦଳ, ଘାଟ ନିଲାମରୁ ବିବାଦ । ଏଇ କଳହ ଚରମରେ ପହଞ୍ଚଲା ଗାଁ ସ୍କୁଲ ସ୍ଥାପନରେ । ସରକାର ଗଢ଼ିବା ଲୋକଙ୍କୁ ଚଇତନ ମାଝି ନେତୃତ୍ୱରେ ତାରି ଗାଁ ଲୋକେ ଭୋଟ ଦେଇଥିଲେ । କପିଳ ବେହେରା ହୁସିଆର ହୋଇ ପାରିଲା ନାହିଁ, ଅନ୍ୟ ପକ୍ଷକୁ ଢଳିଥିଲା-। ଫଳରେ ସବୁତକ ସୁବିଧା ପାଇଲା ଚଇତନ ମାଝି, ସ୍କୁଲଟି ବସିଲା ତା ଗାଁରେ ।

 

କେତୋଟି ଦିନ କେବଳ ଗୋଟିଏ ଗାଁ ପିଲାଙ୍କୁ ନେଇ ସ୍କୁଲଟି ଚଳିଲା ! ପରିଦର୍ଶକ ବାବୁ ଆସିଲେ । ପରିଦର୍ଶନ କଲେ । ଚଇତନକୁ ନେଇ ସେ କୂଳ ଗାଁକୁ ଗଲେ । ଚଇତନ ହାତଯୋଡ଼ି ନେହୁରା ହେଲା, କେତେ କାକୁତି, ମିନତି, ନତମସ୍ତକ ହେଲା, ନିଜ ଭୁଲ ମାଗିଲା, ପରିଦର୍ଶକ ସାହେବ ବି ବୁଝାଇଲେ । ଗାଁ ଲୋକେ ବୁଝିଗଲେ, ଦୁଇ ଗାଁର ପିଲେ ଏକାଠି ବସି ପଢ଼ିଲେ ।

 

ପାଣିରେ ଗାର ପଡ଼ିଯାଏ କ୍ଷଣକ ପାଇଁ । ପବନ ତା ଉପରେ ବହି ତାକୁ ନିଭାଇ ଦେଲାପରି କ୍ରମେ କାଳର କରାଳ ଗର୍ଭରେ ଦୁଇ ଗାଁର ବିବାଦ ମିଳାଇଗଲା । ଏକାଠି ମାଛ ମରାମରି ବଣ୍ଟାବଣ୍ଟି ହେଲା ଦୁଇ ଗାଁ ମଧ୍ୟରେ । ଘାଟ ଏ ଗା ବାଲାଏ ନେଲେ, ସେ ଗାଁର ନାଉରୀ ଡଙ୍ଗା ଚଳାଇବାର ସୁଯୋଗ ପାଇଲେ । ହେଲେ ମନ ଫାଟିଲେ ଯୋଡ଼ି ହୁଏନି । ଚଇତନ ଓ କପିଳଙ୍କ ମଧ୍ୟରେ ଗୋଟାଏ ‘କିନ୍ତୁ’ ରହିଗଲା । ବାହାରକୁ ସେ ଦୁହିଁଙ୍କର ବୈରଭାବ ଦିଶିଲା ନାହିଁ, ହେଲେ ପାଉଁଶ ଭିତର ପ୍ରଚ୍ଛନ୍ନ ଅଗ୍ନି ପରି ସେମନଙ୍କ ମନରେ ବିବାଦଭାବ ଲୁଚି ରହିଲା, ଲିଭିଲା ନାହିଁ ।

 

ଚଇତନର ଏକମାତ୍ର ପୁଅ ‘ଭିକା’ ଆଉ କପିଳର ଏକମାତ୍ର ଝିଅ ‘ମାଗି’ । ବହୁଦିନ ପରେ ଦିଅଁଙ୍କୁ ଭିକ ମାଗି ‘ଭିକା’ ଆଉ ଠାକୁରାଣୀଙ୍କଠାରେ ମାଗୁଣିରୁ ‘ମାଗି’ର ଜନ୍ମ । ଗୋଟିଏ ଚିନ୍ତାଧାରା ଓ ଏକା ପ୍ରକାରର ଭାବଧାରା ଧରି ପଲ୍ଲୀ ନାଗରିକ ଜନ୍ମ । “କଥା ମାଜିଲେ ମୋଟ, ବାସନ ମାଜିଲେ ସରୁ”—ସାମାନ୍ୟ ସାମାନ୍ୟ କଥାକୁ ଭାବି ଭାବି ବୃଥାରେ ବଢ଼ାଇ ମୋଟ କରି ଦିଆ ଯାଇଥାଏ । ଗାଁ ଗହଳର ନିର୍ମଳ ପବନ, ସ୍ୱଚ୍ଛଜଳ, ଶୁଭ୍ର ଆଲୋକର ଏଇ ଶିଶୁ ଦୁଇଟି ବଢ଼ି ଚାଲିଲେ । ନିଜ ନିଜ ଘରର କଳହ, ବାଦ ବିସମ୍ବାଦ ସେମାନଙ୍କୁ ସ୍ପର୍ଶ କଲାନି, ଅନ୍ୟ ପିଲାଙ୍କ ଠାରୁ ଭିକା ଆଉ ମାଗି ସ୍ୱତନ୍ତ୍ର । ଉଭୟେ ଡଉଲ ଡାଉଲ, ଚିକଣ, ଚାକଣ, ବଡ଼ ସୁନ୍ଦର । ଉଭୟେ ସ୍ନେହଶୀଳ ଓ ଗୁଣର । ଜଣେ ଅନ୍ୟ ଜଣଙ୍କ ପ୍ରତି ସର୍ବଦା ଆକୃଷ୍ଟ ।

 

ଗାଁ ପୋଖରୀରୁ ପଦ୍ମଫୁଲ ଆଣିବାକୁ ଭିକାକୁ ମାଗି କହିଥିଲା । ଭିକା ପଦ୍ମଫୁଲ ଆଣୁ ଆଣୁ ବୁଡ଼ିଯାଇ ଥାଆନ୍ତା, ମାଗି ଆଖି ବୁଜି ହୋଇଗଲା । କାନ୍ଦି କାନ୍ଦି ଡାକି ଡାକି ଆଗେଇଲା । ଭିକାକୁ ରକ୍ଷା କରିବାକୁ ଯାଇ ଉଭୟେ ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ । ଗାଁର ପହିଲିମାନ ସନେଇ ଆସି ରକ୍ଷା କରିଦେଲା । କଥାଟା ଫୁଟ ଫାଟ ହେଲା । ଭିକା ବାପ ଆସି ମାଗି ବାପକୁ ଆଚ୍ଛା କରି ଦୁଇପଦ ଶୁଣାଇ ଦେଇଗଲା । ଭିତରେ ଭିତରେ ଯେଉଁ କଳହ ବହ୍ନି ଦୁକୁ ଦୁକୁ ହୋଇ ଜଳୁଥିଲା, ଇନ୍ଧନ ପାଇଲା, ଭଲ କରି ଜଳିଉଠିଲା । ପୁଣି ଉଭୟେ କେହି କାହାକୁ କଥା କହିଲେ ନାହିଁ । ଭିକା ପାଠପଢ଼ା ବନ୍ଦ ତ ହେଲା ନାହିଁ, ମାଗିର ପାଠ ବନ୍ଦ ହେଲା । ଚଇତନ ଓ ପ୍ରଧାନ ଗୁରୁଜୀ କପିଳ ପାଖକୁ ଗଲେ । ବହୁ ବୁଝା ବୁଝି ପରେ ଶୁଣିଲେ, ଝିଅ ପିଲା ଦୁଇ ଅକ୍ଷର ତ ଶିଖିଲାଣି, ଗଣି ଜାଣିଲାଣି, ଆଉ କାହିଁକି ? ବଡ଼ଟିଏ ହେଇଗଲାଣି, ଏଣିକି ଘରକାମ ଦେଖୁ ଘରକାମ ଦେଖିଲା ମାଗି । ଗାଁ ପାଠ ସାରି ଭିକା ଦୂର ଗାଁ ସ୍କୁଲକୁ ଯାଇ ବଡ଼ ସ୍କୁଲରେ ପାଠପଢ଼ି ନାମ ଅର୍ଜିଲା । ପାଠ ପଢ଼ିସାରି ଗାଁରେ ମାଷ୍ଟ୍ର ଚାକିରୀ କଲା।

 

ଭିକାରୀ ବିବାହ ପ୍ରସଙ୍ଗ ଆସେ । ମାଗିର ମଧ୍ୟ । ଉଭୟେ ଭାଙ୍ଗି ଦିଅନ୍ତି । କାରଣ ଜଣାଥିବା ସେ ଦୁହିଁଙ୍କୁ । ଅନ୍ୟକୁ ପ୍ରକାଶ କରନ୍ତି ନାହିଁ । ନ କହିଲେ କିଏ ଜାଣିବ ! ମଣିଷ ମନ ତ, ଭଗବାନ ସ୍ୱୟଂ ଜାଣିପାରି ନାହାନ୍ତି, ଆଉ ଏ ଅଶିକ୍ଷିତ ଗାଉଁଲୀ ବାପ ମା ଦୁଇଟି ଜାଣନ୍ତେ କିପରି-? ସନ୍ଦେହ କରନ୍ତି । ଭାବନ୍ତି ‘ଭିକା’ ଆଉ ‘ମାଗି’ କ’ଣ କଥା ଦିଆନିଆ ହେଇଚନ୍ତି କି ? ଭାବନ୍ତି ସିନା, ପଚାରିବାକୁ ସାହସ ହୁଏ ନାହିଁ । ହିଁ କରିଦେଲେ, ଏ କଥା ତ କେବେ ସମ୍ଭବ ନୁହଁ-। ଚଇତନ ହେଲେ ହଁ କରନ୍ତା; ମାତ୍ର କପିଳ ବେହେରା କାଉଁରୀ କାଠି, ଭାଜିବ ସିନା ଲଇଁବ ନାହିଁ-

 

ଲୋକେ ଛି ଛାକର କରନ୍ତି । ପୁଅ ଓ ଝିଅ ଦୁଇଟି ବୁଢ଼ା ବୁଢ଼ୀ ହୋଇ ରହିବାଟାକୁ, ହାଟ, ଘାଟ ଚାରିଆଡ଼େ ଆଲୋଚନା କରନ୍ତି । ଏଥିରେ ବାପ ମା’ଙ୍କୁ ବଡ଼ କାଟେ । ପିଲା ଦୁଇଟା ବଡ଼ ହେଇଗଲାଣି । କହିଲେ କାଳେ କ’ଣ କରିବସିବେ, ଏଣେ କହିଲେ କୁଳ ଭାସିବା ଉପରେ । ଭାବିଚିନ୍ତି କହିବାକୁ ହେବ ।

 

ଚଇତନ କପିଳକୁ ଆଉ କପିଳ ଚଇତନକୁ ଅପେକ୍ଷା କରନ୍ତି । ଜଣକର ପିଲା ବିଭା ହେଇଗଲା ଅନ୍ୟ ପକ୍ଷେ ସୁବର୍ଣ୍ଣ ସୁଯୋଗ ଜୁଟିଯିବ । ମାତ୍ର କିଏ ଆଗେଇ ଯିବ । ‘ଝିଅ’ ‘ଘିଅ’ ରହିଲେ ଭଲ ନୁହେଁ । କପିଳ ଆଗେଇ ଗଲା । ଝିଅ ପାଇଁ ବର ଠିକ୍ କଲା । ଆଗାମୀ ବଇଶାଖରେ ବିବାହ । ଏମାସ ଡେଇଁଗଲେ ଜ୍ୟେଷ୍ଠମାସରେ ଜ୍ୟେଷ୍ଠ ସନ୍ତାନର ବିବାହ ସମ୍ପର୍କ କରିବା ଅନୁଚିତ । ଜ୍ୟୋତିଷ, ପୁରୋହିତ ଆଦି ବସିଲେ । ଖଡ଼ି ପଡ଼ିଲା । ଦିନ କାଳ ଠିକ୍ ହେଲା । ପାତ୍ରଟି ପାଠ ସିନା ପଢ଼ିନି; ସୁଶ୍ରୀ, ଧନାଢ଼୍ୟ ।

ଚଇତନ ବି ଅପେକ୍ଷା କରିଥିଲା । କପିଳ ଝିଅକୁ ପୁଅ ମିଳିଲା, ଆଉ ସେ କ’ଣ ନ ପାଇବା ପକ୍ଷ ? ପୁଅ ପକ୍ଷ ତାର । ସୁନ୍ଦର ଝିଅ ମାଳକୁ ମାଳ । ବାଛିବାକୁ ହେବ । ବାଛିଲା ସାକ୍ଷାତ୍ ଗୌରୀ ପରି ଅନିନ୍ଦ୍ୟସୁନ୍ଦରୀ ଝିଅଟିଏ । ଟିକିଏ ଦୂର ଗାଁ ଭଲ । ଦୂର ପରବତ ସୁନ୍ଦର, ଦୂର ବନ୍ଧୁ ସୁନ୍ଦର । ହେଇଯାଉ, କପିଳ ଝିଅକୁ ଆଶା କରିଥିଲା । ଝିଅଟି ବି ବାପ ମା’ଠାରୁ ଅଧିକ ସ୍ନେହ ଆଖିରେ ଚଇତନ ଆଉ ତା ସ୍ତ୍ରୀକୁ ଦେଖୁଥିଲା । ଏ ଘରକୁ ଆସିଥିଲେ ବଡ଼ ଭଲ ହୋଇଥାଆନ୍ତା । କପିଳଟା ହୁଣ୍ତା, ତା ସ୍ତ୍ରୀଟା ଉଲ୍ଲୀ । ଏ ଦୁହିଁଙ୍କୁ କିଏ ବୁଝାଇବ । ନ ହେଉ । ଠିକ୍ ‘ମାଗି’ ବିଭାଘର ଦିନ ଠିକ୍ ହେଲା ଭିକା ବିଭାଘର ।

କଥାଟା ପ୍ରକାଶିତ ହେଲା । ସଭିଏଁ ଜାଣିଲେ । ଆଶ୍ୱସ୍ତିର ନିଶ୍ୱାସ ମାରିଲେ । ସମସ୍ତେ ସୁଖୀ । ଯୋଡ଼ା ଯୋଡ଼ା ବିଭାଘର ହେବ । ଭୋଜି ଭାତ ମଉଜ ମଜଲିସ ହେବ । ଦିନ ଗଣା ଚାଲିଥାଏ । ଆଉ ପନ୍ଦର ଦିନ, ସପ୍ତାହେ ରହିଲା । ପଅରଦିନ, ଅବଶେଷରେ କାଲି ଆସି ପହୁଞ୍ଚିଲା । ରାତି ପାହିଲେ ବାହାଘର ହବ । ଶାନ୍ତିରେ ଯିଏ ଯେମିତି ଶୋଇଲେ । କପିଳ ଓ ଚଇତନଙ୍କ ଘରେ ଗହଳ । ବନ୍ଧୁ ବାନ୍ଧବ, ଜ୍ଞାନ ଗୋତ୍ରର ଲୋକେ ଠୁଳ । ଦାଣ୍ତରେ ଛାମୁଣ୍ତିଆ, ବାଡ଼, ବେଦୀ ଆଦି । ରାତିଅଧ ପର୍ଯ୍ୟନ୍ତ କୋଳାହଳ । ଜଣଙ୍କ ଘରକୁ ଜୋଇଁ ଆସିବ ଆଉ ଜଣଙ୍କ ଘରୁ ଜୋଇଁ ଯିବ । ବଡ଼ ଆନନ୍ଦର କଥା । ବିବାହ ଦାମ୍ପତ୍ୟ । ଏ ମିଳନ ଅମୃତମୟ ।

ଅଧରାତିକୁ ଯିଏ ଯେମିତି ଶୋଇଲେ । ପାହାନ୍ତି ପହରରୁ ଉଠିଲେ କନ୍ୟା ଓ ପୁତ୍ରଙ୍କ ମାତା । ‘ମାଗି’ କାଇଁ ? କାହିଁ ‘ଭିକା’ ? ଖୋଜା ପଡ଼ିଲା । କୋଳାହଳରେ ଦୁଇଟି ଗାଁ ହୁଲସ୍ତୁଲ, ପଡ଼ିଲା ଉଠିଲା । କିଏ କହିଲା, ‘ମୁଁ ଯାହା କହୁଥିଲି ହେଲା ।’ ଆଉ କିଏ କହିଲା ‘ଏ କାଳ ପିଲେ, ତାଙ୍କ ମନ ଟିକିଏ ଏପଟ ସେପଟ ହେଲେ ସରିଲା’, ପୁଣି କିଏ ଥାଇ କହିଲା—ବୁଢ଼ା ଦୁଇଟା କରାଇ ଦେଲେ ନାହିଁ ସିନା, ‘ଆପ୍ ଆପ୍‍କା ରାଜି କିୟା କରେଗା କାଜି ? ସେ ଦୁହେଁ ସେମାନଙ୍କ କଥା କଲେ ।”

ଚଇତନ ଓ କପିଳ ଦୋଷୀଙ୍କ ପରି ମୁଣ୍ତବାଳକୁ କେରା କେରା କରି ମୁଠା ମୁଠା କଲେ-। ଦୁହେଁ ଦୁହିଁଙ୍କ ଆଡ଼କୁ ମାଡ଼ି ଚାଲିଲେ । ଲୋକେ ଆତଙ୍କିତ ହେଲେ । ଉଭୟେ ମଲ ଯୋଦ୍ଧା ବଳଶାଳୀ । ଦୁହିଁଙ୍କୁ ହାତରେ ଚିତାଏ ଲମ୍ବର ମସ୍ତ ମସ୍ତ ଠେଙ୍ଗା । ଭୟବିହ୍ୱଳ ହୋଇ ଦୁଇ ଗାଁର ଲୋକେ ଚକିତ ଚକ୍ଷୁରେ ଅନାଇ ରହିଲେ । ଦୁହେଁ ଦୁଇଟି ଦୋଷୀ ପରି ଏକାଠି ମିଳିଗଲେ, ଠିକ୍ ଗଙ୍ଗା ଯମୁନା ପରି । ହାତରୁ ଠେଙ୍ଗା ଦୁଇଟି ଖସିପଡ଼ିଲା । ଦୁହେଁ ଭୋ ଭୋ ହୋଇ କାନ୍ଦି ଉଠିଲେ-। ଜଣେ ଅନ୍ୟଜଣକୁ ଦୋଷ ଦେଲା । ‘ତୁ’ କିଆଁ କହିଲୁ ନାହିଁ ଚଇଆ ଭାଇ, କପିଳ ଭାଇ-। ସମସ୍ତଙ୍କ ଆଖିରେ ଲୋତକ । ଦୁଇଟି ଗାଁ ଏପରି କେବେ ହେଲେ ମିଳିମିଶି ନ ଥିଲେ-। ସେଇଠାରେ ପଣ ହେଲା, ଭିକା ଆଉ ମାଗିଙ୍କୁ ବିଭା କରି ଗାଁ ମିଳନ ସମ୍ପୂର୍ଣ୍ଣ ହେବ । କି ଆନନ୍ଦ । ଏ ଆନନ୍ଦ ସତେ ଅବା ଅଜର ଅମର ।

ଏଇ ସମୟରେ ଧଇଁ ସଇଁ ହେଇ ଦଉଡ଼ି ଆସି ଚଉକିଦାର କହିଲା—ଦଉଡ଼ି ଆସ, ଗାଁ ମୁଣ୍ତ ବରଗଛରେ କ’ଣ ଝୁଲିଲା ପରି ଦିଶୁଚି । ସମସ୍ତେ ଦଉଡ଼ିଗଲେ । ଗଛକୁ ଫିଟାଇ ଦିଆଗଲା ଦୁଇଟି ନିର୍ଜୀବ ଶରୀରକୁ । ସେ ଦୁହେଁ ‘ମାଗି’ ଓ ‘ଭିକା’ ।

 

ସମଗ୍ର ଗାଁ ଦୁଇଟିର ଲୋକେ କାନ୍ଦି କାନ୍ଦି ଭୂଇଁରେ ଲୋଟିପଡ଼ିଲେ ।

 

ଏଇ ବରଗଛ । ଏଇପରି କେତେ ଦୃଶ୍ୟ ଦେଖିଚି । ନିର୍ବିକାର ଭାବରେ ଯେମିତି ମୁଣ୍ତ ଟେକି ଛିଡ଼ା ହେଇଚି ।

★★★

 

ନିର୍ମମ ହତ୍ୟା

 

(କଟକ ସହରର କାଳୀଗଳିସ୍ଥ ଜନଗହଳି ଅଞ୍ଚଳ । ଗଣେଶ ମନ୍ଦିର ପାଖରେ ଗୋଟିଏ ଶିଶୁକୁ କୌଣସି ଦୁର୍ବୃତ୍ତ ନିର୍ମମ ଭାବରେ ହତ୍ୟାକରି ଗଣେଶ ମନ୍ଦିର ଭିତରେ ଥିବା କୂଅରେ ପକାଇ ଦେଇଥିଲା । ପିଲାଟି ଶ୍ରୀ ଲିଙ୍ଗରାଜ ଦାଶଙ୍କର ଦେଢ଼ବର୍ଷ ବୟସର ନାତୁଣୀ । ତା କାନରେ ଦୁଇଟି ଫାସିଆ, ହାତରେ ଦୁଇପଟ ସୁନା କାଚ ଓ ଗୋଡ଼ର ରୂପା ପାଉଁଜି ଥିଲା । ପିଲାଟି ଦାଣ୍ତରେ ତାର ଦୁଇଟି ସାନ ଭାଇଙ୍କ ସହିତ ଖେଳୁଥିଲା । ଭାଇ ଦୁହେଁ କହନ୍ତି ଯେ, ଗୋଟିଏ ବଡ଼ ଝିଅ ଆସି ସେମାନଙ୍କ ଭଉଣୀକୁ କାଖେଇ ନେଇଗଲା । ସେକଥା କହିବାକୁ ସେ ଦୁହେଁ ଘର ଭିତରକୁ ଚାଲିଗଲେ; ମାତ୍ର ଖେଳରେ ମାତି ତାହା ଭୁଲିଗଲେ । ବହୁ ସମୟ ପରେ ଝିଅଟିର ଖୋଜା ଖୋଜି ହେଲା । ନାନା ସ୍ଥାନ ଦେଖା ସରିଲା ପରେ ମନ୍ଦିର ହତାରେ ଥିବା କୂଅ ଭିତରେ ତାର ମୃତ ଶରୀର ଦେଖାଗଲା । ପିଲାଟିର ଦେହରୁ ସବୁ ଅଳଙ୍କାର କାଢ଼ି ନିଆଯାଇଚି । କାନରୁ ଫାସିଆ ଟାଣି ନେବାରେ କାନ ଦୁଇଟି ଛିଣ୍ତି ଯାଇଛି ।

 

ପିଲାଟିର ବାପ ଶ୍ରୀ ବଳଭଦ୍ର ଦାଶ ସମବାୟ ବିଭାଗରେ କାମ କରନ୍ତି ।)

 

ସଜଫୁଲ ପରି ସୁନ୍ଦରିଆ ପିଲାଟି ମରି ଶୋଇଛି । ମାତ କୌଶଲ୍ୟା କାନ୍ଦି କାନ୍ଦି ଝୋଲାମରା । କାନ୍ଦନ୍ତେ ନାହିଁ କେମିତି ! ଦୁଇଓଳି ମୁଠେ ଖାଇବାକୁ ଭଲକରି ମିଳୁନି । ଏଥିରେ ସେ ଜିଦ୍ କରିଥିଲେ ଯେ ଝିଅଟି କାନକୁ ଫାସିଆ ଓ ହାତକୁ ସୁନା କାଚ ହେବ, ଗୋଡ଼କୁ ପାଉଁଜି ଲୋଡ଼ା । ଏତିକ ନ ହେଲେ ନ ଚଳେ । ଅଳ୍ପ ପିଲାର ଘର, ଏବେ ନ ହେଲେ କେବେ ହୁଅନ୍ତା । ଅଭାବ ଦିନକୁ ଦିନ ଯାଦୁପରି ମାଡ଼ି ଚାଲିବ ସିନା, ଛିଡ଼ିବ ତ ନାହିଁ । ବରଂ ପେଟକୁ ଖେଣ୍ଟି ଖଣ୍ତିଏ ଖଣ୍ତିଏ କରି ନେବା ଉଚିତ ।

 

ସ୍ୱାମୀ ବଳଭଦ୍ର ହସିଦିଅନ୍ତି । ବଡ଼ ଭଲ ମଣିଷ ସିଏ । ମଲା ମାଛକୁ ‘ମ’ କହିବାର ତାଙ୍କୁ କିଏ ଦେଖିନି । ସେ କହିଥଲେ—ମଣିଷର ଗୁଣ ହେଉଛି ଭୂଷଣ, ତାର ସୁନ୍ଦର ପଣିଆ ବଢ଼ାଇଥାଏ ସଦ୍‍ଗୁଣ । ଅଳଙ୍କାର ଗୁଡ଼ାକ ଗୋଟାଏ ବାହାର ଆବରଣ, ପିଲେ ଖାଇ ବଞ୍ଚି ଯାଆନ୍ତୁ-। ଥିଲେ ସବୁ ହବ, ଏଇଲେ ତ ଝିଅ ଏତେ ଛୋଟ, ବଡ଼ ହେଲେ ଦେଖାଯିବ ।

 

ବୃଦ୍ଧ ଲିଙ୍ଗରାଜ ଦେଢ଼ ବରଷର ନାତୁଣୀଟିକୁ ବଡ଼ ସରଧା କରନ୍ତି । କୋଳରୁ ଦଣ୍ତେ ଛାଡ଼ନ୍ତିନି । ପୁଅକୁ ଲୁଚାଇ, ବୋହୂକୁ ତୁନି ତୁନି କହନ୍ତି—ତୁ ତାକୁ କାହିଁକି କହୁଛୁ ରେ ମା, ସେଇଟା କେଉଁଠୁ ଆଣିବ । ତା ନିଜ କଥା ତ ଦି’ଗଣ୍ତା ବାରକଡ଼ା । ଆମକୁ ଦାନା କନା ଦେବାରେ ତା ରୋଜଗାର ନିଅଣ୍ଟ । ବିଚରା ଶଗଡ଼ ଚକ ପରି ଅହରହ ଘୂରୁଛି । ମାସର ପହିଲାକୁ ଚାହିଁ ରହୁଛି ଚାତକ ବରଷା ପାଣିକୁ ରହିଲା ପରି । ତା ପ୍ରତି ତୁମର ଦୟା ହେଉନି, ହେଇଟି ନିଅ । ଶଳା ମୋର ଆସେ, କେତେବେଳେ କିମିତି ଦୁଇ ପଇସା ଦିଏ । ଖରଚ ନ କରି, ଏଇ ଟୋକିଟା ପାଇଁ ସଞ୍ଚି ରଖିଛି, ହେଇଟି ନିଅ । ଯାହା ଇଚ୍ଛା ତା କର । ମୋ ରାଣ, ପୁଅକୁ ମୋର ଆଉ କିଛି କହିବ ନାହିଁ । ମା’ ମଲା ପିଲାଟା, ପିଲାଟିଦିନୁ ବୋଉ ନାଇଁ । କେତେ ଦୁଃଖରେ ବଢ଼ିଛି । ତା ଶୁଖିଲା ମୁହଁ ଦେଖିଲେ, ମୋ ଦେହରୁ ରକ୍ତ ଶୁଖି ଯାଉଛି ।

 

ମୁହଁରେ ହସ, ଆଖିରେ ଲୁହ । ବୋହୂକୁ ଥରିଲା ହାତରେ ଟଙ୍କାତକ ଦେଲେ । ଲୁଚାଇ ଲୁଚାଇ କାନକୁ ଓ ହାତକୁ ସୁନାର ଅଳଙ୍କାର ଦି’ଖଣ୍ଡ କଲେ । ନ କରନ୍ତେ କିପରି ? ଦିନକୁ ଦିନ ସୁନା ଦର ହୁ ହୁ ହୋଇ ବଢ଼ି ଚାଲିଛି । ଟଙ୍କା ସାଇତି ରଖିଲେ କଣ ହେବ, ଟଙ୍କା ପଇସାର ମୂଲ୍ୟ କମୁଛି, ସୁନାର ମୂଲ୍ୟ ବଢ଼ୁଛି । ସୁନା କିଣି ବରଂ ରଖିବା ଭଲ । ସୁନା କିଣି ରଖିଲେ ବି କେତେ ଦିନ, ସୁନା ପାଖରେ ରହିଲାରୁ ପାଟିରୁ ନାଳ ଗଡ଼ିଲା । ସେଦିନ ଯୋଗାଣ ବିଭାଗର ବଡ଼ କିରାଣୀଙ୍କ ସ୍ତ୍ରୀ ଆସିଥିଲେ । କାଖରେ ଥିଲା ତାଙ୍କର ଛଅ ମାସର ଝିଅ । ବେକରେ ଝୁଲୁଥିବା ଚେନ୍ ସୋରାଟିଏ ପିଲାଟିର ସୌନ୍ଦର୍ଯ୍ୟ ବଢ଼ାଉଥିଲା । ଚେନ୍‍ର ଚକ ଚକିଆ ଝଲମଲି ଚହଲାଇ ଦେଇଥିଲା ତାଙ୍କ ମନକୁ । ସେ ସମ୍ଭାଳି ନ ପାରି ଅଳଙ୍କାର କେଇଟି ଗଢ଼େଇ ଦେଲେ ।

 

ଗଢ଼ାଇ ତ ଦେଲେ, ହେଲେ ପିଲା ଦେହରେ ଲଗାଇବେ କିପରି ? ଶ୍ୱଶୁର ରାଣ ନିୟମ ପକାଇଛନ୍ତି । ଟଙ୍କା ସେ ଦେଇଛନ୍ତି ବୋଲି ପୁଅ ଯେପରି ନ ଜାଣୁ, ଜାଣିଲେ ମୁହଁ ଶୁଖାଇବ । ସେଦିନ ତା ଅଣ୍ଟିରେ ପଇସାଟିଏ ନ ଥିଲା । ଧୋବାଘର ଆସ ଜିଦ୍ କଲା ତା ପଇସା ନ ଦେଲେ ଉଠିବ ନାହିଁ । କେତେ କରି ବୁଝାଇ ଥିଲା ପୁଅ । ସେ ଶୁଣିଲା ନାହିଁ । ସହି ପାରି ନ ଥିଲେ ଶ୍ୱଶୁର । ଅଣ୍ଟାରୁ କାଢ଼ି ଦେଲେ । ଧୋବା ଚାଲିଗଲା । ମୁହଁଟି ଶୁଖାଇ ଅନ୍ୟମନସ୍କ ହୋଇ ପୁଅ ଚିନ୍ତିତ ମନରେ ମୁଣ୍ତରେ ହାତ ଦେଇ ବସିଥିଲେ । କହିଥିଲେ—ମୁଁ ଅପଦାର୍ଥ, ମୋ ନନାଙ୍କୁ କଣ କଲି ? ଜନ୍ମ ହୋଇ ବୋଉକୁ ଖାଇଲି । ନନା ମୋର ଲକ୍ଷେ ହିନସ୍ତା ହୋଇ ଏଡ଼ୋଟିରୁ ଏଡ଼େଟିଏ କଲେ । ରୋଜଗାର ବି କଲି । ଏତେ ପାରିବାର ପୁଅଟିଏ ମୁଁ ଯେ ତାଙ୍କୁ ଦୁଇ ପଇସା ବଢ଼ାଇବା ତ ଦୂରର କଥା, ମାମୁଁ ଆସି ତାଙ୍କୁ ଯାହା ବି ଦେଉଛନ୍ତି, ମୁଁ ନାହିଁ ତ ମୋ ପିଲେ ସେତକ ତାଙ୍କଠାରୁ ଟାଣି ଆଣୁଛନ୍ତି । ଆମକୁ ଯାହା ମରଣ ନ ହଉଚି ।

 

‘ମରଣ ନ ହଉଚି’ କଥାଟି ବୁଢ଼ାଙ୍କୁ ବଡ଼ ବାଧିଲା । ଖାଇଲେ ନି, ପିଇଲେ ନାହିଁ । ଦିଅଁ ଘରେ ବସି ରହିଲେ । କେତେ ମନ୍ତ୍ର କେତେ ସ୍ତୋତ୍ର ପାଠ କଲେ । ବୋହୂ ଯାଇ ଗୋଡ଼ତଳେ ପଡ଼ିଲାରୁ ବସିଲେ ଖାଇ । ତଣ୍ଟିରେ ଗୁଣ୍ତା ଗଳିଲା ନାହିଁ । ଥରକୁ ଥର ପୁଅ ଆଉ ନାତି ନାତୁଣୀଙ୍କୁ ଘନ ଘନ କରି ଚାହିଁଲେ । ସେହିଦିନୁ ପୁଅ ହୁସିଆର, ଆଉ ବାପ ବି ହୁସିଆର । ବରଂ ବାର ବାରଣ ଥିବାରୁ ଅଳଙ୍କାର ଲଗାଇ ପାରୁ ନ ଥିଲେ । ଝିଅର ଜନ୍ମଦିନ ଆସିଥାଏ । ପ୍ୟାଣ୍ଟଟାଏ କି ଜାମାଟାଏ ଶତ ଚେଷ୍ଟାରେ ହୋଇ ପାରିଲା ନାହିଁ । ମାସ ଅଧା, ପଇସା ମିଳିବ କାହୁଁ? ପିତା ବାରଣ କରିଛନ୍ତି । କରଜ ମୋଟେ କରିବାକୁ ହେବନି । ଦୁଃଖେ ସୁଖେ ଚଳିଯିବାକୁ ହେବ । ତଥାପି ଲୁଚାଇ, ବାପକୁ କହି ସେ ଧାର କରନ୍ତେ । ମାତ୍ର ଧାର ମିଳିବ କାହୁଁ, ଲୋକେ ସାହାର୍ଯ୍ୟ ନେବାକୁ ତତ୍ପର, ଦବାକୁ ବିମୁଖ । ଜୀବନରେ ଥରେ ଅଧେ ଅନୁରୋଧ କରି ବିଫଳ ହେଲାରୁ ସେ ଧନ୍ଦା ସେ ଛାଡ଼ି ଦେଇଥିଲେ । ପିଲାଟି ମୁହଁକୁ ଚାହିଁ କୋହ ଆସିଲା, ଆଖିରୁ ଲୁହ ଗଡ଼ିପଡ଼ିଲା । ଚତୁରା ସ୍ତ୍ରୀ ବୁଝି ପାରିଲେ । ଏଇ ସୁଯୋଗ । ଏକୁ ଛାଡ଼ିଲେ ଆଉ ଆସିବ ନାହିଁ । ସୁଯୋଗ ଜୀବନରେ ଥରେ ଆସେ, ବହୁଥର ନୁହେଁ, ଅଳଙ୍କାର କାଢ଼ି ଦେଖାଇଲେ । ପିଲାକୁ ଲଗାଇ ଦେଲେ । ସ୍ୱାମୀ ଫେଁ କିନା ହସିଦେଲେ, ପୁଣି ପରକ୍ଷଣରେ ସେ ହସ ମଉଳିଗଲା ।

 

ସ୍ୱାମୀ, ସ୍ତ୍ରୀ ତାକତରକରେ ରହିଗଲେ । ସ୍ୱାମୀ ଡରିଲେ । କେଉଁଠୁ ଆଣିଲ ପଚାରି ଦେଲେ, ସ୍ତ୍ରୀ ଦାମ୍‍ଟା ମାଗିବେ, କେଉଁଠୁ ସେ ଦେବେ ? ଯୁଦ୍ଧକ୍ଷେତ୍ରରୁ ଭୀରୁ କାପୁରୁଷ ସୈନିକ ପଶ୍ଚାତ୍‍ଧାବନ କଲାପରି, ସେ ନ ପଚାରି ଚୁପ୍‍ ଚାପ୍ ରହିବାଟାକୁ ଯୁକ୍ତିଯୁକ୍ତ ମନେକଲେ । ସ୍ତ୍ରୀ ବି ଆଉ ସେକଥା ଉଠାଇଲେ ନାହିଁ । କାଳେ ପଇସା କେଉଁଠୁ ଆଣିଲ ପଚାରିବେ ସ୍ୱାମୀ । ଉତ୍ତର କ’ଣ ଦେବେ ସେ ସ୍ଥିର କରି ପାରିନାହନ୍ତି । ପାରିବେ ନାହିଁ ବି । ତେଣୁ ସେ ଆଡ଼େଇ ରହିଲେ ।

 

ଦୁର୍ଘଟଣାର ଠିକ୍ ପୂର୍ବଦିନ । କାଗଜରୁ ସମ୍ବାଦ ପାଠ କରି ବଳଭଦ୍ର ଚମକି ପଡ଼ିଥିଲେ । ସ୍ତ୍ରୀଙ୍କୁ କହିଲେ—ଶୁଣିଲଣି ! ଦିନକୁ ଦିନ ଚୋରି ବଢ଼ି ଚାଲିଛି । ଏଥିରେ କାହିଁକି ମୋ ମନଟା ବିଚଳିତ ହୋଇ ଯାଉଛି । ଥୋଲାଏ ହସ ହସି ସ୍ତ୍ରୀ କହିଦେଲେ—କିଓ ଆମର କଣ ଅଛି ଯେ, ଆମେ ଚୋରକୁ ଡରିବା ! ସ୍ୱାମୀଙ୍କ ଅଜାଣତରେ ପାଟିରୁ ବାହାରି ପଡ଼ିଲା—ନ ଥିଲା ଯେ, ସ୍ତ୍ରୀ କହିଥିଲେ—କ’ଣ ଏ ବାଳୁତ ଝିଅର ସୁନା କେଇ ରତି ?

 

ଚୋର ବି ମଣିଷ ତାର ବି ପିଲା ଥିବ, ପିଲା ନଥିଲେ ସେ ବି କାହାର ପିଲା ହୋଇ ଜନ୍ମିଥିବ । ଏତେ ବାଳୁତ ପିଲାଠାରୁ କିଏ ଚୋରି କରିବ ମ ! ତାଛଡ଼ା ବାପାଙ୍କ କୋଡ଼ରୁ ତ ସେ ତଳକୁ ଓହ୍ଳାଉ ନାହିଁ । ତୁମେ ସେ ବିଷୟରେ ବୃଥା ଚିନ୍ତା କରୁଚ ।

 

ବୃଥା ଚିନ୍ତା କରି ନ ଥିଲେ ବଳଭଦ୍ର । ସେ ଖାଇ ପିଇ କାର୍ଯ୍ୟକ୍ଷେତ୍ରକୁ ଚାଲିଗଲେ । ପିତା ଲିଙ୍ଗରାଜଙ୍କୁ ଜ୍ୱର ଆସିଲା । ପିଲାଟିକୁ ନିଜ ପାଖରେ ନ ରଖି ଉପରେ ଭାଇ ଦୁଇଟିଙ୍କ ସହ ଖେଳିବାକୁ ସୂଚନା ଦେଲେ । ପିଲା ଦୁଇଟି ସାନ ଭଉଣୀଟିକୁ ନେଇ ଦାଣ୍ତକୁ ଚାଲିଗଲେ । ବୋଉ କୂଅ ମୂଳେ ଲୁଗା କାଚି ଲାଗିଲେ ।

 

ପୁଅ ଦୁଇଟି ଘରକୁ ଫେରି ଖେଳିଲେ । ବୁଢ଼ା ବାପା ଡାକ ଛାଡ଼ିଲେ, କିରେ ଝିଅ ଅଛି ଟି ? ଭୋ କରି ଦୁଇ ଭାଇ କାନ୍ଦି ପକାଇଲେ । ମା ଦଉଡ଼ି ଆସିଲେ । କଥାଟା କ’ଣ ବୁଝିଗଲେ । ସେ ଭୋ ଭୋ କରି କାନ୍ଦି ଉଠିଲେ । ସାଇଟାର ଲୋକେ ଜମା ହୋଇଗଲେ । ପାଟି ତୁଣ୍ତ ବଢ଼ି ଚାଲିଲା । କାର୍ଯ୍ୟକ୍ଷେତ୍ରରୁ ବାପା ଫେରିଲେ । ଖୋଜାଖୋଜି ହେଲା । ସନ୍ଦେହରେ ଗଣେଶ ମନ୍ଦିର ଭିତର କୂଅ ଖୋଜାଗଲା ହେଲା । ଝିଅ ମିଳିଲା । କିନ୍ତୁ ଦିହରେ ନଥିଲା ଅଳଙ୍କାର ଆଉ ବହୁ ମୂଲ୍ୟ ଜୀବନଟା ।

 

ବଡ଼ ଝିଅଟିଏ, କହିଲା ଗପ କହିବ, ଖେଳେଇବ କହି କେଡ଼େ ସରାଗରେ ନେଇଗଲା ଝିଅଟିକୁ, କାଖେଇ କରି । ଅଥଚ ହସ ଭିତରେ ବିଷ । ଧନ ମୋହର ମନର ବଳି, ମାନବତ୍ୱ ଦାନବତ୍ୱ ଆଗରେ ହାର ମାନିଲା । ଅବୋଧ ଶିଶୁ । ହୁଏତ କାନ୍ଦିବ, ବୋବେଇବ । ତଣ୍ଟି ଚିପି ଦେଲେ, ପବନ ବନ୍ଦ ହୋଇଯିବ । ସବୁ ସରିଯିବ, ସୁନାର ପ୍ରତି ବଦଳରେ କେତେଟା ଦିନ ତ ଚଳିଯିବ । ଅଭାବ ସ୍ୱଭାବ ନଷ୍ଟ କଲା । ଖଟି ଖାଇବାକୁ ଏ ଗଳିରେ କାମ ବି ମିଳୁନି । ମିଳିଲେ ବି ଏ ଦୁର୍ମୂଲ୍ୟ ଦୁନିଆର ଲକ୍ଷେ ଅର୍ଜିଲେ ପକ୍ଷେ ଅଣ୍ଟୁନି । ଏଇ ଭାବନା, ହୁଏତ ତା ବିବେକର ବେକ ମୋଡ଼ି ଦେଇଥିବା । ଝିଅଟିକୁ ନେଲା ବେଳେ, ଏଇ ସରଗ ଶିଶୁଟି ଗୋଟିଏ ଅମର ଚାନ୍ଦ ହୋଇ ତାରି ବୁଢ଼ା ବାପ କୋଳ ଛାଡ଼ୁ ନ ଥିଲା, ଯିମିତି ଚାନ୍ଦ ଛାଡ଼ୁ ନଥିଲା ସରଗପୁରକୁ । କାହୁଁ ଆସିଲା ରାହୁ, ଚାନ୍ଦକୁ ଗିଳି ପକାଇଲା । ଚାନ୍ଦଟି ଲୀନ ହେଲା ରାହୁର କରାଳ କବଳରେ ।

 

ଘରର ଶିଶୁ ଦୁଇଟି ବଲବଲ ହୋଇ ଚାହିଁଛନ୍ତି । ବୃଦ୍ଧଙ୍କ ଆଖିରୁ ଲୁହ ନଈ ଶୁଖି ଗଲାଣି । ବାପ ନିଜ ମୁଣ୍ତରେ ବାଳ ମୁଠା ମୁଠା କେରା କେରା କରି ଭିଡ଼ି ଲାଗିଛନ୍ତି । ମାଆ ମୁର୍ହୁମୁର୍ହୁଃ ଚେତନା ହରାଇ ବସୁଛନ୍ତି ।

 

ଝିଅ ଆସିବନି, ଆଉ ଆସିବନି ଏ ପୁରକୁ । ବୁଢ଼ାଙ୍କ କୋଡ଼ରେ ବସିବନି । ବୋଉ ମୁହଁକୁ ଚାହିଁ କିଲିକିଲି ହୋଇ ହସିବନି । ବାପାଙ୍କୁ ଦେଖି ମା କୋଡ଼ରୁ ଡ଼େଇଁ ପଡ଼ିବନି । ସବୁ ଶୁନ୍‍ଶାନ୍ ହୋଇଯିବ ଏଣିକି ।

 

ବାପ, ମା, ବୁଢ଼ା ବାପା, ସଭିଏଁ ଦୁଃଖ କାତର, କ୍ରୋଧାନ୍ୱିତ । ଇଚ୍ଛା, ଅଜଣା ରାକ୍ଷସକୁ ହତ୍ୟା କରନ୍ତେ । ମାତ୍ର ପାରିବେ କି ସେମାନେ ଶକ୍ତି କାହିଁ ସେମାନଙ୍କର ?

 

ମା, ନିଜକୁ ଦୋଷୀ ମନେକରି ବାହୁନି ବାହୁନି କାନ୍ଦିବେ । ହୁଏତ ଜୀବନ ସାରା କାନ୍ଦିବେ । ଅନ୍ୟ କିଏ କିମିତି ଭୁଲି ଯାଇପାରନ୍ତି, ମାତ୍ର ଭୁଲି ପାରିବେନି ସ୍ନେହମୟୀ ଜନନୀ । ତାଙ୍କ ହୃଦୟର ଘା’ ଶୁଖାଇବ କିଏ ସେ ? ଅସମ୍ଭବ !!

★★★

 

ଅମୃତ କନ୍ୟାର କାହାଣୀ

 

ଦିନୁଟା ଗୁଳୁଗୁଳି ହେତୁ ଜୀବ-ଜଗତ ହନ୍ତସନ୍ତ । ପତ୍ରଟିଏ ହଲୁନି । କାହାରି ମୁଖରେ ହସ ନାହିଁ । ସର୍ବତ୍ର ବିଷାଦର ରେଖା । ଗଛର ଗହଳ ପତ୍ର ସନ୍ଧିରେ ବସି କେତେବେଳେ କିମିତି ପକ୍ଷୀଟିଏ କରୁଣ ଚିତ୍କାର କରୁଚି ।

 

‘ରାମ ନାମ ସତ୍ୟ ହେ’ କହି କେତୋଟି ଯୁବକ ବୋହି ନେଉଚନ୍ତି ଶୁଭ୍ର ବସ୍ତ୍ରାଚ୍ଛାଦିତ ଶବଟିକୁ । ଏହି ଶବଟି ସହର ତଳିର ଥିବା ନାମଯାଦା ମୋତିବାଈର ଏକମାତ୍ର କନ୍ୟା ମାଧବୀର । ମାଧବୀ ବହୁ ପାଠ ପଢ଼ିଥିଲା । ବଡ଼ ଚାକିରୀ ବି କରିଥିଲା । ନିଜର ଦୁଃଖିନୀ ମା’ଟିର ଶତ ଅନୁରୋଧ ସତ୍ତ୍ୱେ ସେ କେବେହେଲେ ନିଜକୁ ମା’ଠାରୁ ବିଚ୍ଛିନ୍ନ କରିପାରି ନଥିଲା ।

 

କରନ୍ତା କିପରି ? ସେ ତା’ର ମା’ର ଇତିବୃତ୍ତି ଜାଣେ । ସେ ପିଲାଟିଦିନୁ ଜଣେ ଧନୀକଙ୍କ ଦ୍ୱାରା ପ୍ରତାରିତ ହୋଇ ସହରକୁ ଆସିଥିଲା । ନିଜର ହେଇ ଗାଁରେ କେହି ନ ଥିଲେ । ବାପ ମା ହଇଜାରେ ଚାଲିଗଲେ । ଯମ ଦେବତା ଡରିଲେ, ଏ ଝିଅଟିର ସୌନ୍ଦର୍ଯ୍ୟ ତାଙ୍କ ମନକୁ ଚହଲାଇ ଦେଲା, ସେ ତାକୁ ନେଲେ ନାହିଁ ।

 

ନିଅନ୍ତେ ତ, ଏ ଦୁଃଖ ସମୁଦ୍ରରେ ନିଜକୁ ଭସାଇ ଦିଅନ୍ତା ସେ କିପରି ? ପହିଲେ ପହିଲେ ପିଲାଦିନେ ଅନ୍ୟର ସେବା ସେ କଲା । କ୍ରମେ କ୍ରମେ ତାର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ତା ନାମରେ ଘର ଖଣ୍ତେ ତୋଳା ହେଲା । କିଛି ଜମି ବାଡ଼ି ବି କିଣି ଦିଆଗଲା । ସେ ରହିଲା ସେହି ଧନିକଙ୍କର ଉପନାୟିକା ହୋଇ ।

 

ରହି ବଡ଼ ହନ୍ତସନ୍ତ ହେଲା ସେ । ଧନିକଙ୍କ ଅର୍ଦ୍ଧାଙ୍ଗିନୀ, ପୁଅ, ବୋହୁ, ବନ୍ଧୁ,ବାନ୍ଧବ—ସମସ୍ତଙ୍କଠାରୁ ସେ ଅତ୍ୟାଚାର ସହି ସହି ନିଜକୁ ପଥର କରିଦେଲା । ଅବଶେଷରେ ଧନିକ ବ୍ୟକ୍ତିଟି ଅକାଳମୃତ୍ୟୁ ବରଣ କଲା । ତାରି ନାମରେ ମକଦ୍ଦମା ମାଳକୁ ମାଳ ହେଲା ।

 

ନ ହୁଅନ୍ତା କିପରି ? ପଇସା ପତ୍ର, ଘର,ବାଡ଼ି, ମୋହ ବା ଛାଡ଼ିଛି କାହାକୁ ? ଏଇଠି ମୋତିର ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ହେବାକୁ ଲାଗିଲା । ଓକିଲ, ଟାଉଟର, ଧନିକ, ଗୁଣ୍ତା ଆଦି ସଭିଏ ମୋତିର ସହାୟତା କରିବାକୁ ଆସିଲେ । କଲେ ମଧ୍ୟ । ମୋତିର ମକଦ୍ଦମାରେ ହେଲା ବିଜୟ ।

 

ବିଜୟ ହେଲା ସିନା, ଯେଉଁମାନଙ୍କୁ ସେ ନିଜର ବୋଲି ମନେ କରୁଥିଲା, ସେମାନେ ହେଲେ ପର । ପର ଲୋକ ହେଲେ ଆପଣାର । ଯେଉଁମାନଙ୍କୁ ସେ ଘୃଣା କରୁଥିଲା, ଯେଉଁମାନଙ୍କଠାରୁ ସେ ଦୂରରେ ରହୁଥିଲା, ଅନିଚ୍ଛାସତ୍ତ୍ୱେ ଓ ସେମାନେ ପାଖେଇ ଆସିଲେ । ସମସ୍ତେ ସ୍ୱାର୍ଥନ୍ୱେଷୀ । ସୁନ୍ଦର ଫୁଲ ଦେଖି ଭ୍ରମରପଲ ମାଡ଼ି ଆସିଲା ପରି ମୋତିର ରୂପ ମହକ ମନ ଚହଲାଇ ଦେଇଥିଲା ଲୋକମାନଙ୍କର । ସେମାନେ ଆସିଲେ । ସେମାନଙ୍କର ପ୍ରାପ୍ୟ ସମୂଳ ସୁଧରେ ଆଦାୟ କରିନେଲେ ।

 

ଆଦାୟ ତ କଲେ, ଦେଲେ କଅଣ ? ଆଉ ଗଲେ କୁଆଡ଼େ ? ଦେଲେ ମାଧବୀକୁ, ଚାଲିଗଲେ ମୋତିର ରୂପ, ଯୌବନ ଆଦି ସବୁତକ ଚୁପୁଡ଼ି ଚାପୁଡ଼ି ଦେଇ, ଘରୁ ଫାଳେ ଭଡ଼ା ଦେଇ ଆଇ ଫାଳକରେ ରହି ସେ ବଡ଼ କଷ୍ଟରେ ଝିଅଟିକୁ ମଣିଷ ପରି ମଣିଷଟିଏ କରି ଗଢ଼ି ତୋଳିଲା । ମାଧବୀ ଚାକିରୀ କରିବା ପରେ ପରେ ମା ତାକୁ, ସରକାରୀ ଭବନକୁ ଚାଲି ଯିବାକୁ ପ୍ରବର୍ତ୍ତାଇଲା ।

 

କହିବାର କାରଣ ବି ଥିଲା । ଝିଅର ମାନ ସମ୍ଭ୍ରମ ଯେପରି ନଷ୍ଟ ନ ହୁଏ । ଜଣେ ପତିତାର କନ୍ୟା ବୋଲି ଶୁଣି ସେ ମୁହଁ ନ ଶୁଖାଉ । ମାତ୍ର ଶୁଣି ନ ଥିଲା ମାଧବୀ । ପଙ୍କ ଗାଡ଼ିଆରୁ ପଦ୍ମ ଜନ୍ମିଥିଲା । ନିଜର ଚରିତ୍ରବର୍ତ୍ତା ଓ ନିର୍ଭୀକତା ଗୁଣରେ ସେ ସମସ୍ତଙ୍କୁ ମୁଗ୍ଧ କରିଥିଲା ।

 

ମୁଗ୍ଧ କରିଥିଲା ସିନା ବହୁ ପୁରୁଷଙ୍କୁ; ମାତ୍ର କାହାରି ପାଖରେ ସେ ଧରା ଦେଇ ନ ଥିଲେ । ନିଜ ବିବାହିତା ସ୍ତ୍ରୀଙ୍କୁ ଛାଡ଼ି ଯେଉଁମାନେ ହସି ଖେଳି ମନ ମଉଜ କରିଆସନ୍ତି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ମାଧବୀ ଛାଡ଼ି ଦେଇଥାଏ । ପାଦ କାହାରି ଖସି ନ ଯାଉ—ଏଇଟାକୁ ସେ ପ୍ରାଣପାତ କରି ଜୋର ଜବରଦସ୍ତ ଭାବରେ ଏକ ସତର୍କ ପ୍ରହରୀ ପରି ଜଗି ରଖିଥାଏ । ବେଳେ ବେଳେ ମାଙ୍କଠାରୁ ତାଡ଼ନା ସହ୍ୟ କରେ । ହସି ହସି କହିଥାଏ—ମୋ ଗୋଡ଼ ଖସିବ ନାହିଁ ମ ବୋଉ । ଖାଲି ଗୀତ, କଥାବାର୍ତ୍ତା ଏତିକି ।

 

ମୋତିର ମନ ଚହଲିଉଠେ । ତାର ଅତୀତ ଜୀବନର ପୃଷ୍ଠା ଗୁଡ଼ିକ ସେ ଲେଉଟାଇ ବସେ । ଦିଅଁଙ୍କ ପାଖେ ସାତ ନେହୁରା ହୁଏ । ନିଜ ଝିଅଟିର ବିବାହ ସ୍ୱପ୍ନ ଦେଖେ । ଚମକି ପଡ଼େ, କିଏ ଅଜଣା ଅଶୁଣା ଅଜ୍ଞାତ କୁଳଶୀଳା କନ୍ୟାଟିକୁ ବାହା ହବ । କେତେ ଯୁବକ ଆସନ୍ତି । ମୋତି ତାଙ୍କୁ କହେ—ଚାଲ ଯିବା ତୁମ ମୁରବୀଙ୍କ ସହିତ ଆଲୋଚନା କରିବା । ସଭିଏ ଭାଗି ଯାଆନ୍ତି ।

 

ଭାଗି ନ ଯାଆନ୍ତି ଅବା କିପରି ? ଜାଣୁ ଜାଣୁ କିଏ ସେ ବାପ ଅଜଣା ଝିଅକୁ ବାହାହେବେ ! ଏଥିରେ ମୋତିର ମନ ମରିଯାଏ । ମନେ ମନେ କେତେ ସୁଖ ସ୍ୱପ୍ନ ଦେଖେ । ଝିଅ ବାହା ହେବ । ଘର ସଂସାର କରିବ । ନାତି ନାତୁଣୀଙ୍କ ମୁହଁ ଦେଖି ସାରା ଜୀବନର ଦୁଃଖ-ତାପ ଦୂର କରିବ ମୋତି ।

 

ଦୂର ହେଲାନି ତାର ଦୁଃଖ । ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଅଜଣା ବ୍ୟାଧି ଘଟି ଆସିଲା ମୋତିକୁ । ମାଧବୀର ଶତଚେଷ୍ଟା ଓ ପାଣିପରି ଅର୍ଥ ବ୍ୟୟରେ ବି କିଛି ପରିବର୍ତ୍ତନ ହେଲା ନାହିଁ । ମୋତି ଆରପୁରକୁ ଚାଲିଗଲା । ଚାଲିଗଲା ଦୁଃଖରେ ରୁଷି କରି । ଝିଅର ହାତକୁ ଦି’ହାତ ହବାର ନ ଦେଖି ।

 

ଯୁବକ ସଂଖ୍ୟା ମୋତି ମୃତ୍ୟୁ ପରେ ଅଧିକରୁ ଅଧିକ ଭିଡ଼ ଜମାଇଲେ ମାଧବୀ ଦୁଆରେ । ସେମାନେ ଭାବିଲେ, ମୋତିକୁ ଡରି ମାଧବୀ ସାବଧାନ ହେଉଥିଲା । ଆଉ ଏଣିକି ତାକୁ ବାଟ ଓଗାଳିବାକୁ କେହି ନାହିଁ ।

 

କେହି ନ ଥିଲେ ଅବଶ୍ୟ । ହେଲେ ମୋତିର କନ୍ୟା ମାଧବୀ ଅତି ପବିତ୍ର । ବିଭୁଙ୍କର ଏକ ଆଶୀର୍ବାଦ । ସମାଜର ନର୍କରେ ବାସ କରି ସେ ଗଢ଼ିବାକୁ ଚାହିଁଥିଲା ଏ ଧରଣୀରେ ଏକ ସ୍ୱର୍ଗ-। ସ୍ୱଗୃହ ତ୍ୟାଗ କରି ଅବାଟକୁ ଯିବା ଲୋକଙ୍କୁ ଚେତାଇ ଭଲବାଟକୁ ନବାର ପଣ ସେ ଗ୍ରହଣ କରିଥିଲା । ଅକ୍ଷର ଅକ୍ଷରେ ସେ ବି ପାଳନ କରିଥିଲା । ଯେଉଁ ଘରର ଭୁଆଷୁଣୀଙ୍କ ଦୁଃଖ ସେ ଶୁଣେ, ତାଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରକ୍ଷା କରେ । ସେମାନଙ୍କ ସ୍ୱାମୀମାନଙ୍କୁ ବିପଥରୁ ଟାଣି ଆଣେ ଠିକ୍ ବାଟକୁ ନିଜର ମୋହିନୀ ଶକ୍ତି ଦ୍ୱାରା । ଆଉ ସେମାନଙ୍କୁ ଅମଡ଼ାବାଟରୁ ଫେରାଇ ନେଇ ନିଜ ଘରେ ଛାଡ଼ିଦିଏ । ଘରସଂସାର ସେମାନଙ୍କର ହସି ଉଠେ । ପ୍ରଥମେ ପ୍ରଥମେ ଯେଉଁ ସମାଜ ମାଧବୀକୁ କାଳ ସର୍ପିଣୀମନେ କରୁଥିଲା, ସେହିମାନେ ତାର ଭୂୟସୀ ପ୍ରଶଂସା ଅକାତରେ କରିବାକୁ ଲାଗିଲେ । ମାଧବୀ ସମାଜର ଏକ ସତର୍କ ପ୍ରହରୀ ରୂପେ ଗୃହୀତ ହେଲା ।

 

ଗୃହୀତ ହୁଅନ୍ତା ନାହିଁ କିପରି ? ମାଧବୀ ଏ ଶୋକ ସନ୍ତପ ଦୁନିଆଁରେ ସରଗପୁରୀ ଗଢ଼ି ତୋଳିବାକୁ ଯେ ଆଗଭର । କି ସୁନ୍ଦର କୋକିଳ ପରି ତାର ସ୍ୱର । କଥାର ମାଧୁରୀ ଓ ଚରିତ୍ରର ନିର୍ମଳତା—ସବୁକିଛି ତାର ସ୍ୱର୍ଗୀୟ ।

 

ସ୍ୱର୍ଗୀୟ ଥିଲା ଚାଲିଚଳନ ଆଉ ଅନାବଳି ଥିଲା ତାର ଗତିବିଧି । ସମାଜସେବା ତାର ଏକମାତ୍ର ବ୍ରତ ଥିଲା । ପ୍ରତି ସେବାମୂଳକ କାର୍ଯ୍ୟ ଓ ପବିତ୍ର ଅନୁଷ୍ଠାନକୁ ସେ ଅଯାଚିତ ଭାବରେ ଦାନ ଦବାରେ ବିମୁଖ ହେଉ ନ ଥିଲା ।

 

ବିମୁଖ ହେଉ ନ ଥିଲା ବିଭିନ୍ନ ବ୍ୟକ୍ତିଙ୍କର ଗୃହ ସଜାଡ଼ିବାର । ମୋହନବାବୁଙ୍କ ସ୍ତ୍ରୀ କଳହପ୍ରିୟା, ଗୋପାଳବାବୁଙ୍କ ସ୍ତ୍ରୀ ଚରିତ୍ରହୀନା, ବସନ୍ତବାବୁଙ୍କ ସ୍ତ୍ରୀ କାଳି କୋତରୀ, ଅସୁନ୍ଦରୀ, ଏହିପରି କିଛି ନା କିଛି କାରଣରୁ ବିଭିନ୍ନ ଦାମ୍ପତ୍ୟ ଜୀବନରେ ଝଡ଼ ଜମିଆସେ । ସ୍ୱାମୀ ବା ସ୍ତ୍ରୀ ଆସି ଗୁହାରୀ କରନ୍ତି ମାଧବୀକୁ । ମାଧବୀ ସବୁ ଶୁଣେ । ଦେବକନ୍ୟା ପରି ସେ ଦୃଢ଼ତାର ସହିତ ଲାଗିଯାଏ । ସେମାନଙ୍କ ପବିତ୍ର ଜୀବନକୁ ସଂଯତ ଓ ସୁଶୃଙ୍ଖଳିତ କରିବାରେ ସଫଳ ହୁଏ ସେ ।

 

ସଫଳ ନ ହୁଅନ୍ତା କିପରି ? ନିଷ୍କାମ ତାପସ ବ୍ରତ ତାର ଉତ୍ତମ ଫଳ ଫଳାଏ । ସଭିଏଁ ପୁଣି ସୁନାର ସଂସାର ଗଢ଼ି ତୋଳନ୍ତି । ଜୀବନ ଦୁର୍ବିସହ ହୁଏତ ପତି ଓ ପତ୍ନୀମାନଙ୍କର । ସର୍ବତ୍ର ସମସ୍ତେ ପାଆନ୍ତି ଆନନ୍ଦ ।

 

ଆନନ୍ଦ ପାଏ ମାଧବୀ । ନିରାଶକ୍ତ ଆନନ୍ଦ ମିଳେ ତାକୁ । ପରମୁଖରେ ହସ ଫୁଟାଇ ସେ ଯେଉଁ ସୁଖ ପାଉଥିଲା, ତହିଁରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ସେହି ସହରର ସବୁଠୁ ଧନୀ, ମାନୀ, ଗୌରବ ଯୁକ୍ତ ଗୌରବାବୁଙ୍କ ପୁଅ ମଦନମୋହନ, ଆସି ମାଧବୀ ନିକଟରେ କରିଥିଲା ପ୍ରେମ ନିବେଦନ । ମାଧବୀ ପ୍ରତ୍ୟାଖ୍ୟାନ କରି ଦେଇଥିଲା । ସେ ଶୁଣିଲ ଯେ, ଏଥିପାଇଁ ତାର ପିତା ମାତା କ୍ଷୁର୍ଣ୍ଣ । ଏପରି କି ଏକମାତ୍ର ପୁତ୍ରକୁ ତ୍ୟଜ୍ୟପୁତ୍ର କରିବାକୁ ଓକିଲ ପରାମର୍ଶ ନେବାର ସେ ଶୁଣିଲା । ସେ ଜାଣେ ମଦନମୋହନ ସୁଶ୍ରୀ, ଧନାଢ଼୍ୟ, ଚରିତ୍ରବାନ୍‍ ସବୁ କିଛି ।

 

ମାତ୍ର ମାଧବୀ ଚାହିଁ ନ ଥିଲା । ତାର ସବୁକିଛିରେ ନିଜକୁ ହଜାଇ ଦେବାକୁ । ଆଉ ତା ଘରେ ଦୁଃଖର ଦାବାନଳ ପ୍ରଜ୍ଜ୍ୱଳିତ ହେବା ପୂର୍ବରୁ ସେ ଆଡ଼େଇ ହେବାକୁ ଶତଚେଷ୍ଟା କଲା । ମାତ୍ର ପାରିଲା ନାହିଁ । ମଦନ ମୋହନର ପଦ୍ମକୁ ନିନ୍ଦା ଦେଇଥିବା ଲୋଚନ ଯୁଗଳର ଆକୁଳ ମିନତିକୁ ପାଦରେ ଆଡ଼େଇ ଦେଇ । ସେ ମଦନମୋହନକୁ ନିଜର ଅର୍ଜିତ ଧନରେ ସୁଖ ସମ୍ଭୋଗ ଦେଇ ପାରି ଥାଆନ୍ତା ।

 

ମାତ୍ର ଦେଇ ପାରି ନଥାନ୍ତା ତା ପିତା ମାତାଙ୍କ ମନରେ ଆନନ୍ଦ । ପୁଟାଇ ପାରି ନଥାଆନ୍ତା ସେହି ଗୃହରେ ଶାନ୍ତି-ପୁଷ୍ପର ସମ୍ଭାର । ମୁହୂର୍ତ୍ତକୁ ମୁହୂର୍ତ୍ତ ତାର ହୃଦୟକୁ ଚହଲାଇ ଦେଲା ମଦନ ମୋହନ । ତାର ନିଷ୍କପଟ ମନ, ଝରଣା ପରି ନିର୍ମଳ ଚରିତ୍ର, ଫୁଲ ପରି ସୁନ୍ଦର ତନୁ, ସବୁକିଛି ପୁଞ୍ଜି ସଂଯତ ମନକୁ ଚହଲାଇ ଦେଲା । ମାଧବୀ ଜାଣିଲା ତାର ଭୀଷ୍ମ ପ୍ରତିଜ୍ଞାରୁ ସ୍ଖଳନ ହେବ । ସେ ପଣ କଲା, ଦୁନିଆରୁ ଛୁଟୀ ନେବ ।

 

ଛୁଟୀ ନେଇଥିଲା ଟିକିଏ ବିଷର ସହାୟତାରେ । ଧୁମ୍‍ଧାମରେ ତାର ଶ୍ରାଦ୍ଧ ଶୁଦ୍ଧି, ସ୍ମୃତି ସ୍ତମ୍ଭ ତୋଳିଥିଲା ସମାଜ ।

 

ସମାଜ କୃତଘ୍ନ ନୁହେଁ ।

Image